ମାଟି କଣ୍ଢେଇ

 

 

 

 

 

 

 

 

 

ମାଟି କଣ୍ଢେଇ

ଗୌରହରି ଦାସ

 

ସୂଚୀପତ୍ର

 

୦୧.

ସ୍ତ୍ରୀ

୦୨.

ଚିହ୍ନା ଅଚିହ୍ନା

୦୩.

ବାଲିଘର

୦୪.

ଗୁଡ଼ି

୦୫.

ଚିଠି

୦୬.

ଆତତାୟୀ

୦୭.

ପାପ

୦୮.

ସେ ଏତେ ହସୁଛି କିପରି

୦୯.

ଦୂର ଆକାଶର ପକ୍ଷୀ

୧୦.

ମୋହ

୧୧.

ମୁଖା

୧୨.

ମେଢ଼

୧୩.

ଅଭିଯୁକ୍ତ ଆସାମୀ

୧୪.

ଦିନ ପ୍ରତିଦିନ

𗰵𗰵𗰵

 

ନିଜକଥା

 

ବୟସ ଯେତିକି ଯେତିକି ବଢ଼ୁଛି ଜୀବନର ଅର୍ଥହୀନତା, ଭଙ୍ଗୁରତା ଓ ଅନ୍ତଃସାରଶୂନ୍ୟତା ସମ୍ପର୍କରେ ଧାରଣା ସେତିକି ସେତିକି ଦୃଢ଼ ହେଉଛି । ନିଜର ପାରିବାପଣିଆ ଉପରେ ଆସ୍ଥା ତୁଟୁଛି, ସ୍ୱପ୍ନମାନଙ୍କୁ ନେଇ ବଞ୍ଚିବାର ମୋହ ହୁଗୁଳା ହୋଇଆସୁଛି, ଉପଲବ୍ଧି ଓ ଅଭିଜ୍ଞତାଠାରୁ ଆଶା-ପ୍ରତ୍ୟାଶାର ବ୍ୟବଧାନ ବଢ଼ି ବଢ଼ି ଚାଲୁଛି ।

 

ଇଏ କେବଳ ମୋ ନିଜର ବ୍ୟକ୍ତିଗତ ଉପଲବ୍ଧି ନୁହେଁ । ମୋ’ଭଳି ଅନେକେ ଅଛନ୍ତି ଯେଉଁମାନଙ୍କର ଅନୁଭବ ପ୍ରାୟ ଏହିପରି କିମ୍ବା ଏହାର ପାଖାପାଖି । ମାତ୍ର ଏସବୁ ସତ୍ତ୍ୱେ ମଣିଷ ବଞ୍ଚିଆସିଛି ଓ ବଞ୍ଚି ରହିବ । ନିଜର ସୁକୁମାର ସ୍ୱପ୍ନମାନଙ୍କୁ ବାରମ୍ବାର ଭାଙ୍ଗିରୁଜି ଯାଉଥିବାର ଅନୁଭବ କରିବା ସତ୍ତ୍ୱେ ସେ ପୁଣି ନୂଆ ସ୍ୱପ୍ନ ଆଣି ତହିଁରେ ମିଶଉଥିବ । ତାହା ହିଁ ଜୀବନର ଅନିବାର୍ଯ୍ୟତା । ମୁହୁର୍ମୁହୁଃ ସିଦ୍ଧାର୍ଥୀୟ ଉପଲବ୍ଧି ସତ୍ତ୍ୱେ ସେ ଗୋପା, ରାହୁଳମାନଙ୍କ ସମ୍ପର୍କର କପିଳବସ୍ତୁର ଜୀବନ ଜିଉଥିବ । ଭିତରର ଫମ୍ପାପଣକୁ ବାହାରର ରଙ୍ଗ ଓ ରେଶମୀ ସୂତାରେ ଢାଙ୍କି ରଖୁଥିବ ।

 

ଏଇ ପ୍ରସଙ୍ଗରେ ମାଟି କଣ୍ଢେଇର କଥା ମନେପଡ଼େ । ଅନେକ ଦିନ ତଳେ ବାଲିଯାତ୍ରାରୁ ଝିଅ ଆଣିଥିଲା ଯୋଡ଼େ କଣ୍ଢେଇ । ଗୋଟେ ପୁଅ, ଆରଟି ଝିଅ । ଯୋଉ ଦିନ ସେ କଣ୍ଢେଇ ଯୋଡ଼ିକ ଆସିଲେ ସେଦିନ ସେମାନଙ୍କୁ କେନ୍ଦ୍ର କରି ଆମ ଘରେ ଗୋଟେ କୁନି ଆଲୋଡ଼ନ ସୃଷ୍ଟି ହୋଇଗଲା । କଣ୍ଢେଇ ଯୋଡ଼ିକୁ ଗଢ଼ିଥିବା କାରିଗରର ପ୍ରଶଂସା, ସ୍ରଷ୍ଟାକୁ ସୃଷ୍ଟି ଅତିକ୍ରମି ଯାଇଥିବାର ଧାରଣା ଓ ଚିକ୍‌ଚିକ୍‌ କରୁଥିବାର ରଙ୍ଗ ବାବଦରେ ଝିଅ ବେଶ୍‌ ଚର୍ଚ୍ଚା କରିଥିଲା । ଗୋଟେ ଜରୁରୀ ଘୋଷଣା କରିବାପରି କହିଥିଲା, ସେ ଏ କଣ୍ଢେଇ ଯୋଡ଼ିକୁ ସବୁବେଳେ ତା’ ପାଖରେ ରଖିବ । କାହାକୁ ଦେବ ନାହିଁ । ସତକୁ ସତ ବିଛଣା ପାଖରେ କଣ୍ଢେଇ ଯୋଡ଼ିକୁ ନେଇ ଥୋଇବା ପରେ ଯାଇ ଝିଅ ସେ ରାତିରେ ଶୋଇଥିଲା ।

 

ମାତ୍ର ସାରା ଜୀବନ ସୁରକ୍ଷିତ ରହିବାର ଭାଗ୍ୟ ନେଇ କଣ୍ଢେଇ ଯୋଡ଼ିକ ଆସି ନ ଥିଲେ, ଆସିପାରି ନ ଥାନ୍ତେ । ମାଟି କଣ୍ଢେଇମାନଙ୍କର ସେତେ ବଡ଼ ସୌଭାଗ୍ୟ ନଥାଏ । ସକାଳୁ ଉଠି ଝିଅ ଦେଖିଲା, କାହାର ଅସାବଧାନତା ଯୋଗୁ କେଜାଣି କଣ୍ଢେଇ ଯୋଡ଼ିକ ଟେବୁଲ ଉପରୁ ପଡ଼ି ଭାଙ୍ଗି ଯାଇଛନ୍ତି । ଚୂନା ଚୂନା ହୋଇଯାଇଛି ସେମାନଙ୍କର କୁନି କୁନି ହାତ, ପାଦ, ନାକ ଓ କାନ । ଝିଅ ମନଦୁଃଖ କରିଥିଲା ଖୁବ୍‌, ଭାଙ୍ଗିଯାଇଥିବା ଟୁକୁଡ଼ାମାନଙ୍କୁ ଏକାଠି କରି ପୁଣି ସେମାନଙ୍କୁ ଯୋଡ଼ିବାର ପ୍ରୟାସ କରିଥିଲା । ମାତ୍ର ମୁଁ ଜାଣିଥିଲି ଏ ପ୍ରୟାସ ବୃଥା । ତଥାପି ଅନେକ ସମୟ ଯାଏ ଝିଅକୁ ବୁଝେଇ ପାରି ନ ଥିଲି । ଝିଅ ବୁଝି ନ ଥିଲା ।

 

ବେଳେ ବେଳେ ଲାଗେ ସବୁ ମଣିଷ ଯେମିତି ଗୋଟେ ଗୋଟେ ମାଟି କଣ୍ଢେଇ । କେଉଁ ଅଦୃଶ୍ୟ କାରିଗର ହାତରେ ତିଆରି ଏଇ କଣ୍ଢେଇମାନେ ନିଜର ଭାଗ୍ୟ ବାବଦରେ କେତେ ବେଶି ବା ଜାଣନ୍ତି ! କେତେ ବେଶି ଜାଣନ୍ତି ଆସନ୍ତା କାଲିର ଚେହେରା ଓ ପରିଚିତ ଅପରିଚିତ ବନ୍ଧୁମାନଙ୍କର ଚରିତ୍ର ବାବଦରେ ! କାହା ପାଇଁ କିଛି ଅନୁକୂଳ ପରିବେଶ ମିଳିଯାଏ, ମିଳିଯାଏ ସ୍ନେହ ଓ ସୌହାର୍ଦ୍ଦ୍ୟ, ମାଟି କଣ୍ଢେଇ ସେଇ ଭିତରେ ହସଖୁସିରେ କିଛିଦିନ ବିତେଇ ଦିଏ । କାହା ପାଇଁ ସେତିକି ମିଳେନା । ଗଢ଼ିହେବାର ପର୍ବ ନ ସରୁଣୁ ଭାଙ୍ଗିବାର ପ୍ରକ୍ରିୟା ଆରମ୍ଭ ହୋଇଯାଏ । ଯେମିତି ହୋଇଥିଲା ଆମ ଘରକୁ ଆସିଥିବା ସେଇ କଣ୍ଢେଇ ଯୋଡ଼ିକଙ୍କର ପରିଣତି ।

 

‘ମାଟି କଣ୍ଢେଇ’ ସଂକଳନର ଅଧିକାଂଶ ଚରିତ୍ର ଏହିପରି । ସେମାନେ ଅଦୃଷ୍ଟ ହାତରେ ଗୋଟେ ଗୋଟେ ଅସହାୟ ଖେଳଣା । ମାତ୍ର ତା’ ସତ୍ତ୍ୱେ ସେମାନେ ପରାଜୟକୁ ସ୍ୱୀକାର କରିନେଇ ନାହାନ୍ତି । ହାରିବାଟା ଅନିବାର୍ଯ୍ୟ ବୋଲି ଜାଣି ସୁଦ୍ଧା ଯୁଝିବାର ସଂକଳ୍ପରୁ ଓହରି ଯାଇ ନାହାନ୍ତି । କୁରୁକ୍ଷେତ୍ରର ସେଇ ନିରସ୍ତ୍ର କର୍ଣ୍ଣ ପରି, ଯାହାର ରଥଚକ ମାଟିରେ ଦବି ଯାଇଛି, ଦେବତାଙ୍କ କପଟାଚାରରେ କୁଣ୍ଡଳ ଓ କବଚ ହୋଇଛି ଅପହୃତ, ସେମାନେ ତାଙ୍କର ସଂଗ୍ରାମ ଜାରି ରଖିଛନ୍ତି । ସେମାନେ ତେଣୁ ଦୟା ଓ ସହାନୁଭୂତିର ଅପେକ୍ଷା ରଖନ୍ତି କମ୍‌, ପ୍ରଶଂସା ଓ ଅଭିନନ୍ଦନର ଦାବି ରଖନ୍ତି ବେଶି ।

 

ଉଲ୍ଲେଖ କରିବାରେ ଦ୍ୱିଧା ନାହିଁ ଯେ ‘ମାଟି କଣ୍ଢେଇ’ ସଂକଳନର ଚରିତ୍ରମାନଙ୍କୁ ଗଢ଼ିଥିବା ମୁଁ ନିଜେ ସେହି ଅଦୃଷ୍ଟ ହାତରେ ଗଢ଼ା ଗୋଟେ ସାଧାରଣ କଣ୍ଢେଇ, ଯାହାର ବି ରହିଛି କିଛି ସୀମାବଦ୍ଧତା, କିଛି ଅପୂର୍ଣ୍ଣତା । ସେଇ ସାମର୍ଥ୍ୟ ଏବଂ ଅସାମର୍ଥ୍ୟକୁ ନେଇ ମୁଁ ଚରିତ୍ରମାନଙ୍କୁ ଜୀବନ୍ୟାସ ଦେବାର ଚେଷ୍ଟା କରିଛି । ତାଙ୍କ ତୁଣ୍ଡର ଭାଷାକୁ ଉଧାର ଦେଇଛି ଆପଣାର ଶବ୍ଦ କିଛି-। ଯଦି ସେସବୁ ଠିକ୍‌ ଠିକ୍‌ ଆପଣଙ୍କ ପାଖେ ପହଞ୍ଚେ ତାହାହେଲେ ସେ ସଫଳତା ସେଇମାନଙ୍କର-। ଯଦି ତାହା ନ ପହଞ୍ଚେ ସେ ବିଫଳତା ମୋର, ସର୍ବତୋଭାବେ ମୋର ।

 

ଆଶା କରୁଛି ଆପଣମାନେ ‘ମାଟି କଣ୍ଢେଇ’କୁ ଆଦର କରିବେ ଏବଂ ମୋତେ ଗୌରବାନ୍ୱିତ ହେବାର ମହାର୍ଘ ସୁଯୋଗ ଦେବେ ।

 

–ଗୌରହରି ଦାସ

𗰵𗰵𗰵

 

ସ୍ତ୍ରୀ

 

ପାହାଡ଼ପଡ଼ା ଗାଁ ମୁଖିଆଙ୍କର ଯୁକ୍ତି ଥିଲା, “ଉଭୟ ପକ୍ଷର କଥା ଶୁଣିଲା ପରେ ଓ ସେମାନଙ୍କ ଅବସ୍ଥା ବୁଝିବା ପରେ ଯାହା ନ୍ୟାୟ ଓ ଯୁକ୍ତିସଙ୍ଗତ ତାହା ହିଁ ଆମେ ନିଷ୍ପତ୍ତି ନେଇଛୁ । ଗାଁର ସମ୍ମାନ ଓ ଉଭୟ ପରିବାରର ମାନମହତକୁ ଆଖିରେ ରଖି ଗାଁ ବାଲାଏ ନିଷ୍ପତ୍ତି ନେଇ ସାରିଥିବାରୁ ତାକୁ ବଦଳେଇବାର ପ୍ରଶ୍ନ ଉଠୁନାହିଁ । ଆପଣମାନେ ସହରୀ ପୁଣି ସରକାରୀ ଲୋକ-। ଆପଣଙ୍କ ବିଚାର ଦୁସରା ହୋଇପାରେ, ସେଥିରେ ଆମର କିଛି କହିବାର ନାହିଁ ।”

 

“ଆପଣ ଏଇଟାକୁ ନ୍ୟାୟ ଓ ଯୁକ୍ତିସଙ୍ଗତ ବୋଲି କହୁଛନ୍ତି ?” ସୁଲତା ଚିଡ଼ିଯାଇଥିଲା । ସେ ନିଜକୁ ଯଥାସମ୍ଭବ ସଂଯତ ରଖି କହିଲା, “ଏମିତି କ’ଣ କୋଉଠି ନ୍ୟାୟ ହୁଏ ? କମଳା ଯଦି ଆପଣଙ୍କର ନିଜ ଝିଅ କି ଭଉଣୀ ହୋଇଥାଆନ୍ତା, ତା’ହେଲେ କ’ଣ ଆପଣ ଏହି ପ୍ରକାର ନିଷ୍ପତ୍ତି ନେଇ ଥାଆନ୍ତେ ?”

 

ସୁଲତାର କଥା ଶୁଣି ଲୋକଟି ତାକୁ ଏମିତି ଚାହିଁଲା ଯେମିତି ଆଖିରେ ଆଖିରେ ସେ ସୁଲତାକୁ ପୋଡ଼ି ପକେଇବ । ଲୋକଟି ପିନ୍ଧିଥିଲା ଖଣ୍ଡେ ମଇଳା ଧୋତି ଓ କାନ୍ଧରେ ପକେଇଥିଲା ନାଲି ଗାମୁଛା । ଫୁଙ୍ଗୁଳା ପେଟଟି ତା’ର ବାହାରକୁ ଓହଳି ପଡ଼ିଥିଲା । ଦେହହାତ ସାରା ମଇଁଷି ପରି ଲୋମ ସାଲୁବାଲୁ । ତା’ ଦୁଇ କାନପୁଡ଼ା ଭିତରୁ ଲୋମଗୁଡ଼ା ଦୁଇକେରା ଦୂବ ପରି ଦିଶୁଥିଲା-। ଉଭୟ ବାହାରେ ଚିତାଚଇତନ । କପାଳରେ ସିନ୍ଦୂରକଲି । ତାକୁ ଘେରି ବସିଥିଲେ ଆଉ ଚାରିଜଣ । ସେମାନଙ୍କ ଉପସ୍ଥିତିରେ ବାହାରୁ ଆସିଥିବା ଏହି ଝିଅଟି ତାକୁ ଏମିତି କଡ଼ା କଡ଼ା କଥା କହୁଥିବାରୁ ଲୋକଟି ଟିକେ ଅପ୍ରତିଭ ବୋଧ କରୁଥିଲା । ସୁଲତାକୁ ଆଉ କିଛି ପଚାରିବାକୁ ନ ଦେଇ ଲୋକଟି କହିଲା, “ତମକୁ ଯଦି ତମ ଗେରସ୍ତ ଛାଡ଼ିଦିଏ, କି ତମେ ତମ ଗେରସ୍ତକୁ ଛାଡ଼ିଦିଅ, ତା’ହେଲେ ସେଥିରେ ଗାଁବାଲା କ’ଣ କରିବେ ? ଆପଣା ସଂସାର ଆପଣାକୁ ସମ୍ଭାଳିବାକୁ ପଡ଼ିବ ନା ନାଇଁ ? କ’ଣ କହୁଛ ପଧାନେ!”

 

ଉପସ୍ଥିତ ସେ ଚାରିଜଣଙ୍କ ମଧ୍ୟରୁ ପଧାନ ସାଙ୍ଗିଆଧାରୀ ଲୋକଟି ଆଗକୁ ମୁଣ୍ଡ ଝୁଙ୍କେଇ କହିଲା, “ହଁ, ତା’ ନୁହେଁ ଆଉ କ’ଣ ?” ଅନ୍ୟ ତିନିଜଣ ପ୍ରସଙ୍ଗର ଚଟୁଳତା ଓ ଗାଁ ମୁଖିଆର ଯୁକ୍ତି କରିବା ଢଙ୍ଗକୁ ପ୍ରଶଂସା କରିବା ପରି ଚାହିଁଥିଲେ ।

 

ପରିବେଶଟା କ୍ରମେ ଅସହ୍ୟ ହେଉଥିଲା ସୁଲତାର । କି ଅଦ୍ଭୁତ ଲୋକ ଏମାନେ ? ଏତେବଡ଼ ଗୋଟାଏ ଅନ୍ୟାୟକୁ ମଧ୍ୟ ଏମାନେ ପରିହାସରେ ଉଡ଼େଇ ଦେଇପାରୁଛନ୍ତି ।

 

ସୁଲତା ମୁହଁ ଫେରେଇ ଆଣିଲା । ଆସିବାବେଳେ ସନ୍ଦୀପ ଠିକ୍‌ କହୁଥିଲେ । ଲୋକମାନେ ନ ବଦଳିଲେ କିଛି ବଦଳିବ ନାହିଁ । କିନ୍ତୁ ଏମାନଙ୍କୁ ବଦଳେଇବ କିଏ ? ସନ୍ଦୀପ ଏଇନେ ସାଙ୍ଗରେ ଥିଲେ ସୁଲତା ଲାଜରେ ମୁହଁଟେକି ପାରି ନ ଥାନ୍ତା ।

 

ସୁଲତାର ଏଇ ମୁହୂର୍ତ୍ତରେ ଇଚ୍ଛା ହେଉଥିଲା, ତା’ ହାତରେ କ୍ଷମତା ଥାଆନ୍ତା କି, ସେ ଏ ସମସ୍ତଙ୍କୁ ଗିରଫ କରି ନେଇଯାଆନ୍ତା । ତା’ହେଲେ ଏମାନେ ବୁଝନ୍ତେ ନ୍ୟାୟ କ’ଣ, ଅନ୍ୟାୟ କ’ଣ-? ନିଜକୁ ନିଜେ ଟିକେ ଶାନ୍ତ କଲା ସୁଲତା । ପ୍ରଥମେ ସାକ୍ଷ୍ୟ ପ୍ରମାଣ ଓ ତା’ପରେ କମଳାଠୁଁ ଦସ୍ତଖତ ନେଇସାରିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଉଚିତ ହେବ ।

 

: ମୋ ନାଁ ସୀମାଞ୍ଚଳ ପାତ୍ର । କେବଳ ସୀମାଞ୍ଚଳ କିମ୍ବା ପାତ୍ର ଯାହା ଡାକିଲେ ବି ଚଳିବ-। –ସୀମାଞ୍ଚଳ କହିଲା ।

: ଆଚ୍ଛା ପାତ୍ରବାବୁ, କମଳାର କେସ୍‌ ବାବଦରେ ଆପଣ କ’ଣ ଜାଣିଛନ୍ତି କହିଲେ ?

: କ’ଣ କହିବି ଆଜ୍ଞା । ଆମର ଇଏ ଜଙ୍ଗଲୀ ଅଞ୍ଚଳ । ଆଗେ ବାଘ ଭାଲୁ ଥିଲେ । ସେମାନଙ୍କର ଚାରିଟା ଲେଖା ଗୋଡ଼ ଥିଲା । ଏବେ ସେମାନଙ୍କର ଗୋଡ଼ ଦିଇଟା ହାତ ଦିଇଟା ହୋଇଯାଇଛି । ସେମାନଙ୍କଠାରୁ ଆଉ ଅଧିକ କ’ଣ ଆଶା କରାଯାଆନ୍ତା ?

ସୀମାଞ୍ଚଳ ଫୁଲବାଣୀରୁ ପ୍ରକାଶ ପାଉଥିବା ଏକ ଅନିୟମିତ ସାପ୍ତାହିକୀର ରିପୋର୍ଟର । କାଁ ଭାଁ ସେ କାଗଜରେ ତା’ର ରିପୋର୍ଟ ଛପାଯାଏ । ତା’ ପାଖକୁ କାଗଜ ଆସେ ନାହିଁ । ଖବର ଛପାଯାଇଛି ବୋଲି ଶୁଣିବା ପରେ ସେ ସେଦିନର କାଗଜ ଖଣ୍ଡକ ଯୋଗାଡ଼ କରେ । ତା’ ବ୍ୟାଗରେ ପୁରୁଣା ତାରିଖର ପୁଳାଏ ଖବରକାଗଜ ଓ ଖଣ୍ଡେ ଟିପାଖାତା । ଶାନ୍ତିନିକେତନୀ ବ୍ୟାଗ୍‌ଟା ଓହଳିଛି ବାଁ କାନ୍ଧରେ ।

: ତମେ କ’ଣ ଗାଁ ସଭା ବେଳେ ସେଇଠି ଥିଲ ? –ସୁଲତା ପଚାରିଲା ।

: ନିଶ୍ଚୟ ଥିଲି । ଗଲା ପନ୍ଦର ଦିନ ହେଲା ଏଇଟା ତ ଆମ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ।

: କମଳା ଏବେ କେଉଁଠି ରହୁଛି, କହିପାରିବ ?

: କାହିଁକି ? ସେଇ ମିସ୍ତ୍ରି ଘରେ ତ ସେ ରହୁଥିଲା । ସେଠି ଏବେ ରହୁନାହିଁ କି ?

: ନା, ଆମେ ସେଆଡ଼େ ଯାଇନାହୁଁ । କାଳେ ତମେ ଜାଣିଥିବ, ସେଇଥିପାଇଁ ପଚାରିଲି-। ତମେ ତ ଏଠିକାର ସ୍ଥାନୀୟ ଲୋକ ନା ?

: ହଁ ସ୍ଥାନୀୟ ବୋଲି କହିପାରନ୍ତି । ଏଇ ମାଳ ଅଞ୍ଚଳରେ ତ ଆମର ଜୀବନ ବିତିବ । ଆମର ବା କୋଉ କ୍ୟାରିୟର ଅଛି ?

ସୀମାଞ୍ଚଳ ତା’ ନିଜ ସମସ୍ୟା ବାବଦରେ କିଛି ସେମାନଙ୍କ ଆଗରେ କହିବାକୁ ଚାହୁଁଥିଲା । ସେ ପଢ଼ାଶୁଣା କରିଛି, ସୁଯୋଗ ପାଇଥିଲେ ହୁଏତ ଉପରକୁ ଉଠିଥାନ୍ତା । କିନ୍ତୁ ଆଜିକା ଯୁଗରେ କିଏ କାହା କଥା ବୁଝୁଛି ?

ସୁଲତା ହାତରେ କିନ୍ତୁ ସମୟ ନ ଥିଲା । ସେ କମଳା ବାବଦରେ ଯେତେ ବେଶି ସମ୍ଭବ ସେତେ ତଥ୍ୟ ସଂଗ୍ରହ କରିବାକୁ ଚାହୁଁଥିଲା । ସେ କହିଲା, “ସୀମାଞ୍ଚଳ, ତମେ ଟିକେ ମୂଳରୁ କହିଲେ ମୁଁ ଟିପି ନିଅନ୍ତି ।”

ସୀମାଞ୍ଚଳ କହିଲା :–

କମଳାର ବାପା ଭୂପାଳକୁ ଘରଜୋଇଁଆ କରିଥିଲା । ଖୁବ୍‌ କଞ୍ଚା ବୟସରୁ ଭୂପାଳ କାମ କରିବାକୁ ଆସି କମଳା ବାପା ପାଖେ ରହିଯାଇଥିଲା । ବୁଢ଼ା ତା’ କାମକୁ ପସନ୍ଦ କରୁଥିଲା । ତାରି ଘରେ ଭୂପାଳ ଖାଉଥିଲା, ରହୁଥିଲା । ତା’ ନିଜ ଘର କୋରାପୁଟ ଜିଲ୍ଲାର କୁଆଡ଼େ । କମଳା ହେଲା ବୁଢ଼ାର ଗୋଟିଏ ବୋଲି ଝିଅ । ବୁଢ଼ାର ସ୍ତ୍ରୀ ଆଗରୁ ମରିଯାଇଥିଲା । ବୁଢ଼ାର ବି କ୍ଷୟକାଶ ବେମାରି ଥିଲା । ସେଇଥିପାଇଁ ସେ ଝିଅ ବାହାଦେଇ ଘରଜୋଇଁଆ ରଖିବାକୁ ତରତର ହେଉଥିଲା-। ଭୂପାଳକୁ ତା’ ଜମି, ଦି’ ବଖରା ଘର, କୂଅ ଓ କଳାଡିହ ଦେଇଥିଲା ।

 

: କମଳା ସେ ବାହାଘରରେ ରାଜି ହୋଇଥିଲା ?

 

: ଆପଣ ଅଦ୍ଭୁତ ପ୍ରଶ୍ନ ପଚାରିଲେ ଆଜ୍ଞା ! ଆମ ଏପଟେ ଝିଅର ରାଜି ଅରାଜି ଲୋଡ଼ାଯାଏ ନାହିଁ । ସେ ବାହାହେବ, ପିଲା ଜନ୍ମ କରିବ, ଘରସଂସାର କରିବ । ତା’ର ପୁଣି ରାଜି ଅରାଜି କ’ଣ ?

 

: ହୁଁ ।

 

: ଭୂପାଳ ମିସ୍ତ୍ରି ଆଜ୍ଞା ପକ୍‌କା ରସିକ । ତା’ ଚେହେରାଟି ଭଲ । ମଫସଲ ଗାଁରେ ବି ଊଣା ଫେସନ ନୁହେଁ ତା’ର । ସଦାବେଳେ ଟ୍ରାଞ୍ଜିଷ୍ଟରଟେ କାନ୍ଧରେ ଝୁଲିଥିବ । ସେ କ’ଣ କମ୍‌ କି !

 

: କମଳା ସାଙ୍ଗରେ ତା’ର କ’ଣ ଅପଡ଼ ଥିଲା ?

 

: କହୁଛି । କମଳାକୁ ବାହାଘର ବେଳକୁ ଚଉଦ ପନ୍ଦର ବର୍ଷ ବୟସ । ଭୂପାଳକୁ ସେତେବେଳକୁ ତିରିଶ ନିଶ୍ଚେ ଟପିଥିବ । ବାପ ହାତ ଧରେଇ ଦେଇ ଆଖି ବୁଜିଲା । ତା’ ଅନ୍ତେ କମଳା ଭଲରେ ରହିଲା କି ଭେଲରେ ରହିଲା ସିଏ ତ ଜାଣୁନାହିଁ ! ଛାଡ଼ନ୍ତୁ, କମଳା ଖୁବ୍‌ ଭଲ ଝିଅ । ଭୂପାଳକୁ ଭାରି ଭଲପାଏ । ପିଲାଛୁଆଙ୍କ କଥା ବୁଝି ତା’ ସ୍ୱାମୀ ପାଇଁ ଖାଇବା ନେଇ କାମ ଜାଗାକୁ ଯାଏ ।

 

: ତା’ର ପିଲାପିଲି କେତୋଟି ?

 

: ଚାରିଟି । ତିନିଟି ଝିଅ, ଗୋଟିଏ ପୁଅ । ଦିଇଟା ପିଲା ପୁଣି ମରିଛନ୍ତି । ବଡ଼ଟାର ଦଶ ଏଗାର ବର୍ଷ ହେବ । ସାନଟାର ଏଇ... ବର୍ଷେ କି ଦେଢ଼ ହେଲେ ଢେର୍‌ ।

 

ସୁଲତା ବିରକ୍ତିରେ ମୁହଁ ମୋଡ଼ିଦେଲା ‘ହୁଁ !’

 

: ମୋତେ କିଛି କହିଲେ ଆଜ୍ଞା ?

 

: ନାଇଁ, ତୁମେ କୁହ । ଖରାଟା ବଡ଼ ଟାଣ ହେଉଛି ।

 

ସୀମାଞ୍ଚଳକୁ ତା’ କଥା ଶୀଘ୍ର ସାରିବା ପାଇଁ ପରୋକ୍ଷରେ ସୁଲତା କହିଲା ।

 

: ମୁଁ କ’ଣ କହୁଥିଲି କି, ଆପଣ ଯଦି କିଛି ମନେ ନ କରନ୍ତି ତାହାହେଲେ ଛକଯାଏ ଯାଇ ଟିକେ ଚା’ ପିଅନ୍ତେ । ଆମର ତ ବଣଜଙ୍ଗଲର ଜାଗା, ଆଉ କ’ଣ ଆପଣଙ୍କୁ ଦେଇ ପାରିବୁ-?

 

ଆକାଶରେ ଦ୍ୱିପ୍ରହରର ସୂର୍ଯ୍ୟ । ପାହାଡ଼, ମୁଣ୍ଡିଆ ସବୁ ତାତିଗଲାଣି । କାମର ବ୍ୟସ୍ତତା ଯୋଗୁ ସୁଲତା ଡ୍ରାଇଭରର କଥା ବିଲ୍‌କୁଲ ଭୁଲିଯାଇଥିଲା । ସେ ବି ଚା’ କପେ ଲୋଡ଼ୁଥିବ । ସୁଲତା ସୀମାଞ୍ଜଳର ପ୍ରସ୍ତାବରେ ରାଜିହେଲା ।

 

ଡ୍ରାଇଭର ଜିପ୍‌ ଷ୍ଟାର୍ଟ କଲା । ସୀମାଞ୍ଚଳ ଖପ୍‌କରି ଡେଇଁପଡ଼ି ପଛ ସିଟରେ ବସିପଡ଼ିଲା-। ଡ୍ରାଇଭର କହିଲା, “ଝାଡ଼ିକି ବସନ୍ତୁ, ଧୂଳି ଜମିଥିବ ।” କିନ୍ତୁ ସେତେବେଳକୁ ସୀମାଞ୍ଚଳ ବସି ସାରିଥିବାରୁ ଆଉଥରେ ଉଠିପଡ଼ି ସିଟ୍‌ ଉପରେ ଜମିଥିବା ନାଲିଆ ଧୂଳିରେ ଦୁଇ ହାତ ନାଲି କରିବା ଛଡ଼ା ଅଧିକ କିଛି କରିପାରିଲା ନାହିଁ । କହିଲା, “ଚାଲନ୍ତୁ, ଆମର ତ ଏ ନିତିଦିନିଆ କଥା-।”

 

ଏପଟେ ଅନେକ କାଜୁ ଗଛ ତ ? ଡ୍ରାଇଭର ଅନେକ ବେଳ ହେଲା କାହା ସାଙ୍ଗେ କଥା ହୋଇ ନ ଥିବାରୁ ସୀମାଞ୍ଚଳ ସାଙ୍ଗେ ଗପିବାକୁ ଚାହୁଁଥିଲା ।

 

: ହଁ, କାଜୁ ଆଉ ପଥର ପାଇଁ ପାହାଡ଼ପଡ଼ା ଅଞ୍ଚଳର ନାଁ ଅଛି । –ସୀମାଞ୍ଚଳ କହିଲା ।

 

ସୁଲତା ଆଗକୁ ଚାହିଁ ବଙ୍କାତେଢ଼ା ପାଣିଧାର ପରି ଲମ୍ବିଯାଇଥିବା ରାସ୍ତାକୁ ଦେଖୁଥାଏ-। ମନ ଭିତରେ କମଳାର ଚିନ୍ତା ହିଁ ଥାଏ । ଏତେ ବଡ଼ ଅନ୍ୟାୟ ହୋଇଯିବ, ସେ କ’ଣ କିଛି କରିପାରିବ ନାହିଁ ! ସନ୍ଦୀପଙ୍କର ପରିହାସ ବି ତା’ର ମନେ ପଡ଼ୁଥାଏ । ସ୍ତ୍ରୀଲୋକମାନେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରିବେ, ଏ ନେଇ ସନ୍ଦୀପଙ୍କର ଆସ୍ଥା ନାହିଁ । ପୁରୁଷର ମାନସିକତା ଭୟଙ୍କର ଭାବରେ ରକ୍ଷଣଶୀଳ । ସେ ସ୍ୱାମୀ ହେଉ, ପିତା ହେଉ କି ପୁତ୍ର ହେଉ । ସୁଲତା ତା’ ନିଜ ଭିତରୁ ଖୁଣ୍ଟିନାଣ୍ଟି ବିଶ୍ୱାସତକ ସଂଗ୍ରହ କରୁଥିଲା । ପ୍ରତ୍ୟୟ ଓ ସାହସ ସଞ୍ଚୟ କରୁଥିଲା-

 

କମଳାର ବର ଭୂପାଳ ଯେ ଜଣେ ମତଲବୀ ଲୋକ ଏକଥା ସୀମାଞ୍ଚଳ ନ କହିଲେ ବି ସୁଲତା ଜାଣିପାରିଥିଲା । ତା’ ନହେଲେ ନିଜର ସ୍ତ୍ରୀ ଓ ପିଲାଛୁଆଙ୍କୁ ଛାଡ଼ି କିଏ କ’ଣ ଆଉ ଜଣକୁ ବାହା ହୋଇପଡ଼େ ? ଭୂପାଳର ଯେଉଁ ଘରବାଡ଼ି, ସେସବୁ ପ୍ରକୃତରେ କମଳାର । ତା’ ବାପା ତା’ର ଭବିଷ୍ୟତର ନିରାପତ୍ତା ପାଇଁ ତାଙ୍କୁ ଦେଇଯାଇଥିଲା । ସେତକ ତ ଭୂପାଳକୁ ସନ୍ତୁଷ୍ଟ କରିଥାଆନ୍ତା ! ଦେହମନରୁ ମଜୁରା ମେଣ୍ଟିଗଲେ ସ୍ତ୍ରୀ କିଏ, ପିଲାଛୁଆ କିଏ ?

 

ସୁଲତା ଭାବୁଥିଲା, କମଳା ନିଶ୍ଚୟ ପ୍ରତିବାଦ କରିଥିବ । କିନ୍ତୁ ତା’ କଥା ପ୍ରତି କେହି ଏଠି ଗୁରୁତ୍ୱ ଦେଇ ନ ଥିବେ । ଗାଁ ମୁଖିଆର ମତିଗତି ଯୋଉଠି ଏହି ଧରଣର, ସେଠି ବେଶି କିଛି ଆଶା କରିବା ବୋକାମି ।

 

କ’ଣ ଗୋଟାଏ ଉନ୍ନୟନ ନିଗମର ରଙ୍ଗଛଡ଼ା ସାଇନବୋର୍ଡ ପାର ହେବା ପରେ ସୀମାଞ୍ଚଳ କହିଲା, “ଏଇଠୁ ଟିକିଏ ଡାହାଣକୁ ମୋଡ଼ିଗଲେ ଦୋକାନଟା ପଡ଼ିବ । ଆପଣ ଏଇ ଗଛତଳେ ଗାଡ଼ି ରଖନ୍ତୁ । ମୁଁ ଚା’ ନେଇ ଆସୁଛି ।”

 

: କାହିଁକି, ଆମେ ଚାଲିଯିବା ।

 

ସୀମାଞ୍ଚଳ ସୁଲତାକୁ ଚାହିଁଲା, “ଦୋକାନରେ ତ ଲୋକମାନେ ଥିବେ । ତା’ଛଡ଼ା ଖରା-।”

 

ସୀମାଞ୍ଚଳ ଠିକ୍‌ କହୁଥିଲା । ବେଶି ଲୋକଙ୍କ ଆଗରେ ସେ କିଛି କଥା ହୋଇପାରିବ ନାହିଁ । ସୁଲତା ଜିପ୍‌ରୁ ଓହ୍ଲେଇ ଗୋଟେ ଝଙ୍କା ଗଛ ଛାଇରେ ଯାଇ ଛିଡ଼ାହେଲା ।

 

ଚା’ ପିଉ ପିଉ ସୀମାଞ୍ଚଳ କହିଲା, “ଏଇ ଛଅ ମାସ ତଳେ କମଳା ବେମାର ପଡ଼ିଲା ।” ଭୂପାଳ ତା’ର ଚିକିତ୍ସା କରିବ କ’ଣ ତାକୁ ଓଲଟି ବାଡ଼ାପିଟା କରି ପଳେଇଗଲା । ସେଇଠୁ ତ ସେ ନାଏକ ଝିଅ ସାଙ୍ଗେ... ।”

 

: ବାଡ଼ାପିଟା କଲା କାହିଁକି ?

 

: ସ୍ୱାର୍ଥପର ଲୋକଟା ଆଜ୍ଞା । ଛଅ ମାସ ତଳୁ ନାଏକ ଝିଅ ରଙ୍ଗ ସାଙ୍ଗରେ ତା’ର ଭାବନାବ ହେବା ପାଖରୁ ସେ କମଳା ଉପରେ ଚିଡ଼ିଚିଡ଼ି ହେଉଥିଲା । ଆଗରୁ ଯେ ଭଲପାଉଥିଲା ତାହା ଅବଶ୍ୟ ନୁହେଁ, କିନ୍ତୁ ଏବେ ଏସବୁ ବେଶି ହେଲା । ସଞ୍ଜବୁଡ଼େ ଠେକିଏ ଦେଶୀ ତେଣ୍ଡି ଦେଇ ଆସିବ, ମାଇପକୁ ବାଡ଼େଇବ । ଚାରି ଚାରିଟା ଛୁଆ ଅନେଇଥିବେ, ବାପ ମାଆର ଚୁଟି ଘୋଷାରି ବାଡ଼େଇ ଚାଲିଥିବ । ତାକୁ କୁଆଡ଼େ ନାଇକ (ଜ୍ୟୋତିଷ) କହିଥିଲା, ସେ ଖୁବ୍‌ ବଡ଼ଲୋକ ହୋଇଥାଆନ୍ତା । ତା’ କୋଷ୍ଠୀରେ ସେମିତି ସବୁ ଥିଲା । କମଳାର ବାପା ଫୁସୁଲେଇ ତା’ ସାଙ୍ଗରେ କମଳାକୁ ଛନ୍ଦି ଦେଇଛି । କମଳାଟା ଖରାପ ଝିଅ । ଫି ବର୍ଷ ଛୁଆ ଜନମ କରୁଛି । ବେମାର ପଡ଼ୁଛି-। ତା’ ଚେହେରାଟା ପେତିନୀ ପରିକା । ସବୁବେଳେ ଘୁଅମୂତରେ ଘାଣ୍ଟି ହେଇ ଗନ୍ଧଉଛି । ତାକୁ ଭଲ ଖାଇବାକୁ ଦେଉ ନାହିଁ ।”

 

: ଛୁଆ ଜନମ କରୁଛି ମାନେ ? ତା’ ମା’ କ’ଣ ଏକା ସେପାଇଁ ଦାୟୀ ?

 

: ମାତାଲ ସାଙ୍ଗରେ କିଏ ଯୁକ୍ତି କରିବ ଆଜ୍ଞା !

 

: କିନ୍ତୁ ତୁମେ ଏତେସବୁ କଥା ଜାଣିଲ କେମିତି ସୀମାଞ୍ଚଳ ?

 

: ଗୋଟିଏ ଗାଁରେ ଘର । ପିଲାଦିନୁ ମୁଁ ତାକୁ ଜାଣେ । ଭୂପାଳର ଅଭିଯୋଗଗୁଡ଼ା ସତ ନୁହେଁ । ଅସଲ କଥା ହେଲା ସେ ରଙ୍ଗକୁ ଦ୍ୱିତୀୟ ହେବାକୁ ଚାହୁଁଥିଲା । ଆଗରୁ କଥା ଚପି ରହିଥିଲା । ରଙ୍ଗର ତିନିମାସ ଗର୍ଭ ହେଲାରୁ ତା’ ଘରେ ଏକଥା ଜାଣିଲେ । ସେଇଠୁ ଏ ସମସ୍ୟା ।

 

: ହୁଁ ।

 

ଗାଁବାଲାଏ କୁହାକୁହି ହେଲେ । ରଙ୍ଗ ନାଏକର ବାପ ନିଶାପ ପକେଇଲା । ସବୁ ଶୁଣି ନିଷ୍ପତ୍ତି ନେଲା ଗାଁ ମୁଖିଆ । ‘କମଳା ବି ଏଇ ଗାଁ ଝିଅ, ରଙ୍ଗ ବି ଏହି ଗାଁର ଝିଅ । ରଙ୍ଗ କମଳାର ସାନ ଭଉଣୀ ପରି । ସେ ଭଲମନ୍ଦ ହେଜି ପାରିଲା ନାହିଁ । ଭୂପାଳ ମିସ୍ତ୍ରି ପୁରୁଷ ପିଲା, ଚଞ୍ଚଳ ସ୍ୱଭାବ । ଏସବୁ କଥାକୁ ଝୁଅ ପିଲାଏ ସିନା ଦେଖିଥାଆନ୍ତେ ?’

 

: ଭଲ ଯୁକ୍ତି ତ ! –ସୁଲତା ମନ୍ତବ୍ୟ ଦେଲା ।

 

: ଭୂପାଳ ଭଦ୍ରଲୋକ ପରିକା ଛିଡ଼ା ହୋଇଥିଲା । କମଳା ବି ଗୋଟାଏ ମୁଣ୍ଡରେ ତା’ ପିଲାଛୁଆଙ୍କ ସହିତ ହାତଯୋଡ଼ି ବସିଥିଲା । ମୁଁ ନିଜେ ସେ ନିଶାପ ବେଳେ ଥିଲି ।

 

: ସେଇଠୁ କ’ଣ ସ୍ଥିର ହେଲା ?

 

: ସେଇ କଥା । ଗୋଟାଏ ଫଳକୁ ଦି’ଜଣ କେମିତି ଭୋଗ କରିବେ ? କମଳା ଢେର୍‌ ଦିନ ଭୋଗ କଲାଣି, ତା’ ପିଲାଏ ପାରିଗଲେ ତା’ର ଚିନ୍ତା ରହିବ ନାହିଁ । ରଙ୍ଗ ସାନ ପିଲା, ସେ ଭାସିଯିବ ।

 

: କମଳା ରାଜି ହେଲା ?

 

: ନିଶାପ ଶୁଣି ସେ ଭୋ କିନା କାନ୍ଦି ପକେଇଲା । ତା’ର ସେ ଯୋଉ କାନ୍ଦ, ଆଉ ବନ୍ଦ ହେବାର ନୁହେଁ । ପଥରରେ ମୁଣ୍ଡ ବାଡ଼େଇଲା, ଛାତିକି ବିଧା, ଚାପୁଡ଼ା ମାରିଲା ଓ କାନ୍ଦିଲା । ବିଧବା ହୋଇ ଯାଇଥିଲେ ବି ଏତେ ଦୁଃଖ ସେ ପାଇ ନ ଥାନ୍ତା...

 

: ତମେ ଏକଥା କହୁଛ, ତମ ଗାଁ ଲୋକ ସେକଥା ଚିନ୍ତା କଲେ ନାହିଁ ?

 

: ଭୂପାଳ ପାଁଶହ ଟଙ୍କା ଜରିମାନା ଦେଲା । କହିଲା, ଖରାଦିନ ଭିତରେ ବଖରେ ଘର କରିଦେବ । ସେଇଠି କମଳା ତା’ ପିଲାଛୁଆଙ୍କୁ ନେଇ ରହିବ... ।

 

ସୁଲତାର ତଳ ଓଠ କୋଉ କାଳୁ ଦାନ୍ତରେ ଚାପି ହୋଇଯାଇଥିଲା । କ୍ରୋଧ ଓ ଅସହାୟତା ତାକୁ ବିବଶ କରି ପକାଉଥିଲା । ସୀମାଞ୍ଚଳକୁ ଧନ୍ୟବାଦ ଜଣଉ ଜଣଉ ସୁଲତା କହିଲା, “ମୁଁ କମଳାକୁ ଭେଟିବି । ଏଭଳି ଅନ୍ୟାୟ ମୁଁ କୋଉଠି ଦେଖିନାହିଁ । ଦରକାର ହେଲେ ତମ ସାହାଯ୍ୟ ବି ଲୋଡ଼ିବି ।”

 

ଡ୍ରାଇଭର ପଚାରିଲା, ‘କୋଉବାଟେ ଯିବୁ ?’

 

ସୀମାଞ୍ଚଳ ହାତ ଦେଖେଇ ରାସ୍ତା ବତେଇଦେଲା ।

 

: ମଣ୍ଡପ ପାଖରୁ ବୁଲିଗଲେ ଗାଁ ମୁଣ୍ଡରେ ଭୂପାଳ ମିସ୍ତ୍ରିର ଘର । ସେଇଠି କମଳା ଥିବ-

 

ସୁଲତାର କ୍ରୋଧ ଛପି ପାରୁ ନ ଥିଲା । ସେ ଡ୍ରାଇଭରକୁ କହିଲା, ‘ଶୀଘ୍ର ଗାଡ଼ି ଚଳାଅ । ଆମକୁ ସନ୍ଧ୍ୟା ପୂର୍ବରୁ ଫେରିବାକୁ ପଡ଼ିବ ।’

 

ବେଶି ଦୂର ଯିବାକୁ ପଡ଼ିଲା ନାହିଁ । ଗାଁ ମଣ୍ଡପଠୁଁ ଟିକିଏ ଦୂରଛଡ଼ା ହୋଇ ଲମ୍ବା ତଳ ବଖରା ଘର । ମାଙ୍କଡ଼ା ପଥରର କାନ୍ଥ, ଚାଳ ଛପର । ସତର ଅଠର ବର୍ଷର ଯୁବତୀଟେ ପିଣ୍ଡାରେ ଗୋଡ଼ ଲମ୍ବେଇ ଚାଉଳ ବାଛୁଥିଲା । ପେଟଟି ବଢ଼ିଛି । ଇଏ ରଙ୍ଗ ହୋଇଥିବ–ସୁଲତା ଅନୁମାନ କଲା ।

 

ପଥର ପିଣ୍ଡାର ଗୋଟେ କୋଣକୁ ହେଁସଟେ ଡେରା ହୋଇ ପଲା ପରି ଦିଶୁଥିଲା । ସେଇ ଡେରା ପାଖକୁ କମଳାର ବଡ଼ ଝିଅ ତା’ ସାନ ଭାଇକୁ ବସି ଖେଳଉଥିଲା । ଝିଅଟି ଖଣ୍ଡେ ଛିଣ୍ଡା ଗାମୁଛାରେ ଛାତି ଘୋଡ଼େଇ ଥାଏ ।

 

ସୁଲତା ରଙ୍ଗକୁ କିଛି ନ ପଚାରି ସେ ଝିଅଟିକୁ ପଚାରିଲା, “ମା’ କାହିଁ ?”

 

ସୁଲତାର ଜିପ୍‌ ଦେଖି ରଙ୍ଗ ମୁଣ୍ଡର ଓଢ଼ଣା ଆଉ ଟିକେ ତଳକୁ ଟାଣିଦେଇ ଘର ଭିତରକୁ ପଳେଇଗଲା ।

 

କମଳାର ଝିଅ ନିରୁତ୍ତର ରହିବା ଦେଖି ସୁଲତା ପୁଣିଥରେ ତାକୁ ପଚାରିଲା, “ତୁ କମଳାର ଝିଅଟି ?”

 

କୋଳର ସାନ ଭାଇକୁ ତଳେ ବସେଇ ଦେଇ ଝିଅଟି ଛିଡ଼ାହେଲା । ଧୀର ସ୍ୱରରେ କହିଲା, ‘ହଁ ।’

 

: ମା’ କାହିଁ ?

 

: କାଠ ପାଇଁ ଯାଇଚି ।

 

: ଓହୋ ! ତମେମାନେ ଏଇଠି ରହୁଛ ?

 

: ନା, ସେ-ଇ-ଠି । ସେ ଘର ପଛପଟ ଢେଙ୍କିଶାଳକୁ ଦେଖେଇଦେଲା ।

 

ଖରା ନଇଁଗଲାଣି । କମଳା ସାଙ୍ଗରେ ଦେଖାହେବା ସବୁଠୁ ଜରୁରୀ କାମ । ତା’ପରେ ଥାନା ହୋଇ ସୁଲତା ତା’ ସହରକୁ ଫେରିଯିବ ।

 

ଡ୍ରାଇଭର ପଚାରିଲା, ‘ଏଇଠି ଅପେକ୍ଷା କରିବା ?’ ସେତିକିବେଳେ କମଳାର ଝିଅ ବଡ଼ପାଟିରେ କହିଲା, “ଏଇ, ବୋଉ ଆସିଲାଣି ।”

 

ସୁଲତା ଚାହିଁଲା । ବର୍ଷାରେ ରାତିସାରା ତିନ୍ତିଥିବା ଅର୍କ୍ଷିତ କାଉଟେ ପରି ଦିଶୁଥିଲା କମଳାର ଚେହେରା । ଭୂପାଳ ଗୋଟିଏ କଥା ଠିକ୍‌ କହିଛି, କମଳା ଦିଶୁଛି ପେତିନୀଟେ ପରି । ଦାରିଦ୍ର୍ୟ, ଅନାଦର, ଘୃଣା ଓ ଉପେକ୍ଷା ଏସବୁ ମିଶିମାଶି ତାକୁ କଙ୍କାଳରେ ପରିଣତ କରିଦେଇଛି । ବୟସ ଖୁବ୍‌ ବେଶି ହେଲେ ଛତିଶ କି ସଇଁତିରିଶ ହେବ । ଅଧାଜୀବନ ବି ବିତିନାହିଁ । କିନ୍ତୁ ଦିଶୁଛି ବୁଢ଼ୀଟେ ପରି । ସୁଲତା ମନେ ମନେ ଗାଁ ମୁଖିଆର କଥା ମନେ ପକେଇଲା । କୋଉ ଫଳ ଖାଇ ସଇଁତିରିଶ ବର୍ଷର କମଳାର ପେଟ ପୂରିଗଲା ଯେ ସେଥିରୁ ଭାଗ ବସେଇବା ପାଇଁ ଦରକାର ପଡ଼ିଲା ଆଉ ଗୋଟେ ସତର ଅଠର ବର୍ଷର ଯୁବତୀ । ସେଇ ଫଳ ଯେ ସ୍ତ୍ରୀ ଥାଉଁ ଥାଉଁ ଆଉ ଗୋଟେ ଝିଅକୁ ପାପଗର୍ଭ କରିଦେଲା, ତା’ର ଦୋଷ ହେଲା ନାହିଁ । ବଡ଼ ବିଚିତ୍ର ଏଠିକା ବିଚାର !

 

କମଳା କାଠଗୋଛାକ ମୁଣ୍ଡରୁ ଖସେଇ ତଳେ ଥୋଇଲା । କାନିର ଠେକା ଖୋଲି ବେକରେ ଗୁଡ଼େଇଦେଲା ଓ ଖୁଣ୍ଟକୁ ଆଉଜି ଛିଡ଼ାହେଲା । ତା’ ପାଖକୁ ତା’ର ପିଲାମାନେ ଲାଗିଆସିଲେ ।

 

ସୁଲତା ମୁହଁ ଖୋଲିଲା, “ଆମେ ତମରି କଥା ବୁଝିବାକୁ ଆସିଥିଲୁ । ମୁଁ ସବୁ ଶୁଣିଲିଣି-। ତମେ ଏହି ଦରଖାସ୍ତରେ ଦସ୍ତଖତ କର । କହିବ ଯଦି ପଢ଼ି ଶୁଣେଇଦେବି ।”

 

କମଳା ଚାହିଁଲା । ଖୁବ୍‌ କରୁଣ ଦିଶୁଥିଲା ତା’ର ଆଖି ଯୋଡ଼ିକ । କିନ୍ତୁ ସେ ଆଖିରେ କ୍ରୋଧ ଓ ଘୃଣା ଖୋଜି ସୁଲତା ବିଫଳ ହେଉଥିଲା । ଲୁଗାକାନିରେ ତା’ କୋହ ଚାପି ରଖିବାକୁ ଚେଷ୍ଟା କରୁଥିଲା କମଳା । ଆଖିରୁ କେତେବେଳୁ ଲୁହ ନିଗିଡ଼ି ସାରିଲାଣି ।

 

ସୁଲତା ସାନ୍ତ୍ୱନା ଦେଲା । ‘ସବୁ ଠିକ୍‌ ହୋଇଯିବ । ତମେ ଥୟ ଧର । ନିଅ, ଏଇଥିରେ ଦସ୍ତଖତ କରିଦିଅ । ଟିପ ଦେଲେ ବି ଚଳିବ ।’

 

: ଏଥିରେ କୋଉ କଥା ଲେଖା ଅଛି ଦିଦି ?

 

: ତମରି କଥା । ତମେ ଭୂପାଳ ନାଁରେ କେସ୍‌ କରିବାକୁ ଚାହୁଁଛ । ତମେ ଥାଉ ଥାଉ ସେ ଆଉ ଥରେ ବାହାହେଇଛି । ଏଇଟା ଅନ୍ୟାୟ । ତମକୁ କମିଶନ୍‌ ସବୁ ରକମର ସାହାଯ୍ୟ କରିବ ।

 

କମଳା ଟିକେ ଦୂରକୁ ଘୁଞ୍ଚିଗଲା । ଏଥର ତା’ ଆଖିରୁ ପଢ଼ିହେଉଥିଲା କାରୁଣ୍ୟ ସାଙ୍ଗରେ କିଛି ବିସ୍ମୟ । ବଡ଼ ଝିଅ ହାତରୁ କୋଳଛୁଆଟିକୁ ନେଇ କାଖଉ କାଖଉ କହିଲା, ‘ଦରଖାସ୍ତ ଲେଖି କ’ଣ ଲାଭ ଦିଦି ? ଯୋଉ ମନ ଥରେ ଭାଙ୍ଗିଗଲାଣି ସେ ମନ କ’ଣ ଆଉ ଅଠାରେ ଯୋଡ଼ିହେବ ? କୋର୍ଟ କଚିରି ଧାଇଁଲେ ମନ ତ ଯୋଡ଼ିହେବ ନାହିଁ !’

 

: ସୁଲତା ସ୍ତବ୍‌ଧ ହୋଇଗଲା । ଏ କ’ଣ କହୁଛି କମଳା ?

 

କମଳା କହିଲା, “ମୋର ଗୋଟିଏ ମାଗୁଣି । ମଲାଯାଏଁ ତାଙ୍କରି ପାଦତଳେ ଯେମନ୍ତେ ପଡ଼ି ରହିଥାଏ । ତାଙ୍କୁ ଛାଡ଼ି କୁଆଡ଼େ ଯିବି ? କାହା ପାଖେ ଚାରି ଚାରିଟା ଛୁଆଙ୍କୁ ନେଇ ଗୁଞ୍ଜିବି-?”

 

ସୁଲତା ବଡ଼ ପାଟିରେ କହିଲା, “ସେଇ କଥା ତ ମୁଁ କହୁଛି । ତୁମେ ଇଆଡ଼ୁ ସିଆଡ଼ୁ କ’ଣ ଗପୁଛ ? ସେ ଲୋକଟା ଶାସ୍ତି ପାଇବା କଥା ନା ନୁହେଁ ?”

 

କମଳା ଆଖିରୁ ଲୁହପୋଛି କହିଲା, “ତାଙ୍କର କ’ଣ ଦୋଷ ଦିଦି ? ସେ ପୁରୁଷ ପୁଅ, ସେ କ’ଣ ଗୋଟାଏ ଖୁଣ୍ଟରେ ବନ୍ଧା ହେଇ ରହନ୍ତେ ? ମୁଇଁ ପୋଡ଼ାମୁହୀଁ, ମାଆକୁ ଖାଇଲି, ବାପକୁ ଖାଇଲି । ବେମାର ପଡ଼ିଲି । ତାଙ୍କର ଦୋଷ କ’ଣ ? ରଙ୍ଗ ସାନ ପିଲାଟା । ତା’ ଜୀବନ ମାଟି ହେଇଯାଇଥାଆନ୍ତା ନେଇଁ ? ମାଇପି ଜନମ ପାଇ କୁଆଡ଼କୁ ବା ସେ ଯିବ ? କର୍ମ ଆଦରି ଏଇଠି ତ ପଡ଼ି ରହିବ ।”

 

: କିନ୍ତୁ ତମ କଥା ?

 

: ସେତକ ମାଗୁଣି ମୋର । ଟିକେ କିଏ ତାଙ୍କୁ ବୁଝେଇ ଦିଅନ୍ତା । ମୋର କିଛି ଲୋଡ଼ା ନାହିଁ । କାମ କରିବି, ମୋ ପିଲାଙ୍କୁ ପୋଷିବି । ଖାଲି ଏଇଠି ତାଙ୍କ ପାଖରେ ଟିକେ...

 

ସୁଲତାର ଆଉ କିଛି ଶୁଣିବାର ଧୈର୍ଯ୍ୟ ନ ଥିଲା । ସେ ଦରଖାସ୍ତ କାଗଜଟାକୁ ମୋଡ଼ି ମକଚି ଦେଲା ଓ ଜିପ୍‌ ପାଖକୁ ଯାଇ ଡ୍ରାଇଭରକୁ କହିଲା, “ଚାଲ, ଭୁବନେଶ୍ୱର ।”

 

ପଛରୁ କମଳା କହୁଥିଲା, “ତାଙ୍କ ନାଁରେ ସମସ୍ତେ ସତ ମିଛ ଜୁଟେଇ କହୁଛନ୍ତି । ମୋ ଛୁଆ ରାଣ, ସେ ସେମିତିଆ ଜମାରୁ ନୁହନ୍ତି । ତାଙ୍କର କିଛି ଦୋଷ ନାଇଁ ।”

 

ରାତି ଏଗାରଟା ହେଲାଣି । ସୁଲତା ତଥାପି ଶୋଇପାରୁ ନାହିଁ ।

 

ସନ୍ଦୀପ ପଢ଼ା ବହିଟା ଟି-ପୟ ଉପରେ ରଖି ଲାଇଟ୍‌ ଲିଭଉ ଲିଭଉ ପଚାରିଲେ, “ତମେ ପରା କୋଉ ସ୍ତ୍ରୀଲୋକର କେସ୍‌ ନେଇ କେଉଁଠିକି ଯାଇଥିଲ ! କ’ଣ ହେଲା ?”

 

: କିଛି ନାହିଁ ।

 

: ମାନେ ? ପାହାଡ଼ପଡ଼ାର ସେ କମଳା ନାଇକ ?

 

: ‘ସେ ନାଆଁରେ କୌଣସି ଗାଁ କି ସେ ନାଁରେ କୌଣସି ସ୍ତ୍ରୀଲୋକ ନାହାନ୍ତି । ଫେରି ଆସିଲି ।’ ସୁଲତା କାନ୍ଥ ଆଡ଼କୁ ମୁହଁ ବୁଲେଇ ନେଉ ନେଉ ଉତ୍ତର ଦେଲା ।

𗰵𗰵𗰵

 

ଚିହ୍ନା ଅଚିହ୍ନା

 

ପଉଷ ସନ୍ଧ୍ୟାର ଆକାଶରେ ସଞ୍ଜୁଆ ତାରା ଚିକ୍‌ଚିକ୍‌ କରୁଥିଲା । ପିଲାଦିନେ ଏମିତି ଗୋଟିକିଆ ତାରା ଦେଖିଲେ ସେଇଟା ଅଶୁଭ ବୋଲି ମନକୁ ମନ ଆଶଙ୍କା ସୃଷ୍ଟି ହେଉଥିଲା । ଆଖି ପହଁରୁଥିଲା ଆଉ ଗୋଟେ ତାରାର ଦର୍ଶନ ପାଇଁ । ଚନ୍ଦ୍ରମାଧବ ଆକାଶ ପାଖରୁ ଆଖି ଫେରେଇ ଆଣି ଚାରିପଟକୁ ଚାହିଁଲେ । କଟକରୁ ଠିକ୍‌ ସମୟରେ ଛାଡ଼ିଥିବା ଗାଡ଼ି ଠିକଣା ସମୟରେ ଏଠି ପହଞ୍ଚିଥିଲେ ଚନ୍ଦ୍ରମାଧବ କୋଉକାଳୁ ସୁନାପୁରରେ ପହଞ୍ଚିସାରନ୍ତେଣି । କିନ୍ତୁ ଏଇ ସରକାରୀ ବସ୍‌ଟା କଇଁଛ ଗତିରେ ଯେ ଖାଲି ଚାଲୁଥିଲା ତାହା ନୁହେଁ, ମଝିରେ ମଝିରେ ସେଇ କଇଁଛ-ଠେକୁଆ ଦୌଡ଼ ଗପର ଅପରିଣାମଦର୍ଶୀ ଠେକୁଆ ପରି ବିନା କାରଣରେ ଶୋଇଯାଉଥିଲା-

 

ସମ୍ପୂର୍ଣ୍ଣ ଅନ୍ଧାର ହୋଇ ନାହିଁ । ଚନ୍ଦ୍ରମାଧବ ଟିକିଏ ଆଶ୍ୱସ୍ତ ହେଲେ । କୋଉ କୋଡ଼ିଏ ବର୍ଷ ତଳେ ଯାହା ସେ ଆସିଥିଲେ ସୁନାପୁରକୁ ବରବେଶ ହୋଇ ଓ ତା’ପରେ ଥରେ ଜୋଇଁ ଡାକରା ଖାଇ । ଏହା ଭିତରେ ଆଉ ଆସିନାହାନ୍ତି । ବାହାଘର ବେଳେ ବି ହୁଏତ ସେ ସୁନାପୁର ଆସି ନଥାନ୍ତେ । ଶ୍ୱଶୁର ରହୁଥିଲେ ରାଜଧାନୀରେ । ସେଇଠି ସେ ସରକାରୀ କ୍ୱାର୍ଟରରେ ଝିଅ ବାହାଘର କରେଇପାରିଥାନ୍ତେ । ଜେଜେ ଶ୍ୱଶୁର ଜିଦ୍‌ ଧରିଥିଲେ । ଗାଁରେ ନାତୁଣୀ ବାହାଘର ନ ହେଲେ ତାଙ୍କ ନାକ କଟିଯିବ । ଗୋଟିଏ ବୋଲି ନାତୁଣୀ, ଆଗକୁ ନାହିଁ କି ପଛକୁ ନାହିଁ ! ସାହିଭାଇଙ୍କୁ ଗଣ୍ଡିଏ ଖାଇବାକୁ ନ ଦେଲେ କଥାଟା ଅସୁନ୍ଦର ହେବ । ସେ କଥାଟାକୁ ବି ଟାଳିବାକୁ ଚେଷ୍ଟା କରିଥିଲେ ଚନ୍ଦ୍ରମାଧବଙ୍କ ଶ୍ୱଶୁର । ରାଜଧାନୀରେ ବାହାଘର ହୋଇଯାଉ, ପଛକୁ ଦିନେ ଆସି ଗାଁରେ ଭୋଜିଟେ ଦେଇଦେବେ । ଜେଜେ ଶ୍ୱଶୁର ରାଜି ହେଲେ ନାହିଁ । ଇଏ ତ ପୁଅ ବାହାଘର ନୁହେଁ, ଝିଅ ବାହାଘର । ବାହାଘର ସରିଲା ପରେ ଝିଅ ଉପରେ ଆଉ ବାପଘରର କି ଅଧିକାର ? ତା’ ଶ୍ୱଶୁରଘର ତାକୁ ସାଙ୍ଗରେ ନେଇ ଚାଲିଯିବେ । ପୁଅ ବାହାଘର ହୋଇଥିଲେ ସିନା ପଛକୁ ପୁଅବୋହୂ ଥରେ ଏକାଠି ଗାଁକୁ ଆସି ଭୋଜି ଦେଇଥାଆନ୍ତେ । ଶେଷକୁ ତାଙ୍କରି କଥା ରହିଲା । ପ୍ରତିମାଙ୍କ ବାବା ମା ବାହାଘରର ସାତଦିନ ଆଗରୁ ଆସି ସୁନାପୁରରେ ବାହାଘର ଆୟୋଜନ କରିଥିଲେ । ଚନ୍ଦ୍ରମାଧବଙ୍କୁ ଆସିବାକୁ ପଡ଼ିଥିଲା ବର ହୋଇ ଏହି ସୁନାପୁରକୁ ।

 

ଏହା ଭିତରେ କୋଡ଼ିଏ ବର୍ଷ ବିତିଗଲାଣି । ସୁନାମୁହୀଁ ନଈରେ କେତେ ଶହ ଥର ଜୁଆର ଉଠି ପୁଣି ଦରିଆକୁ ଫେରି ଗଲାଣି । ରାସ୍ତାଘାଟ, ଦୋକାନ ବଜାର ସବୁ ବଦଳିଗଲାଣି ଏହା ଭିତରେ । ସେଦିନ ବର ହୋଇ ଆସିବାବେଳେ ଅବଶ୍ୟ ଚାରିଆଡ଼ ବୁଲାବୁଲି କରି ଏସବୁ ଦେଖିବାର ସୁଯୋଗ ଜୁଟି ନଥିଲା । ବରଯାତ୍ରୀର ସ୍ୱାଧୀନତା ବରର ନ ଥାଏ । ତା’ ସତ୍ତ୍ୱେ ସେ ଯେତିକି ଯାହା ସୁନାପୁରର ଚେହେରା ଦେଖିଥିଲେ ତାହା ଏହା ଭିତରେ ଢେର୍‌ ବଦଳିଛି ।

 

ସୁନାପୁର ବସ୍‌ଷ୍ଟାଣ୍ଡ୍‌ରୁ ସୁନାପୁର ଗାଁକୁ ଯିବାକୁ ପଡ଼ିବ । ଆସିବାବେଳେ ପ୍ରତିମା ତାଙ୍କୁ ଧାରଣା ଦେଇଥିଲେ ଯେ ତାଙ୍କ ଘରଟା ବସ୍‌ଷ୍ଟାଣ୍ଡ୍‌କୁ ଲାଗି, ଏକଦମ୍‌ ପାଖରେ । କିନ୍ତୁ ଏହା ଭିତରେ ଗାଁଟା ଘୁଞ୍ଚିଗଲାଣି କି ହାଟବଜାର ଗାଁ ଭିତରକୁ ପଶି ଗ୍ରାମୀଣ ଚେହେରାକୁ ତଡ଼ିନେଲାଣି ଢେର୍‌ ଦୂର, ସେ କଥା ଚନ୍ଦ୍ରମାଧବ ଜାଣିପାରିଲେ ନାହିଁ । ମନେ ମନେ ସେ ପ୍ରତିମାଙ୍କୁ ଦି’ ଚାରି ପଦ ମୃଦୁ ଭର୍ତ୍ସନା କଲେ । ଝିଅମାନେ ଏମିତି । ନିଜ ବାପଘର କଥା କହିଲାବେଳେ ସେମାନେ ବାବଦୂକ ହୋଇପଡ଼ନ୍ତି । ‘ଯାହାକୁ ପଚାରିଦେଲେ ଆମ ଘର ଠିକଣା କହିଦେବ । ସାଙ୍ଗେ ସାଙ୍ଗେ ରିକ୍ସା ନ ହେଲେ କୁଲି ପାଇଯିବ ।”–ଏମିତି କଥା ସବୁ ପ୍ରତିମା କହିଥିଲେ । କିନ୍ତୁ ରିକ୍ସା କାହିଁ ନା କୁଲି କାହିଁ ? ଚନ୍ଦ୍ରମାଧବ ବିଷଣ୍ଣ ହୋଇପଡ଼ୁଥିଲେ । ସକାଳ ସାତଟାରେ ସେ ବସିଥିଲେ ବସରେ, ଏବେ ଆସି ସନ୍ଧ୍ୟା ହେଲାଣି ।

 

ଚନ୍ଦ୍ରମାଧବଙ୍କର ବଡ଼ ଅସୁବିଧା ହେଲା ତାଙ୍କର ଦ୍ୱିତୀୟ ବ୍ୟାଗ୍‌ । ଛୋଟ ବ୍ୟାଗ୍‌ଟା ନିଜେ ଧରି ସେ ଅନେକ ଦୂର ଯାଇପାରିବେ । କିନ୍ତୁ ଏହି ବଡ଼ ଆଟାଚି ଖଣ୍ଡକ ଉଠେଇ ଦଶ ପାଦ ଯିବା ମୁସ୍କିଲ । ପିଲାଦିନେ ଡାହାଣ ହାତଟା ଭାଙ୍ଗିଯାଇଥିଲା । ପିଣ୍ଡା ଉପରୁ ଉଦୟ ମାମୁ ଝିଙ୍କି ଦେଇଥିଲେ ଯେ କହୁଣି ପାଖରୁ ହାତ ହାଡ଼ ଖସିଯାଇଥିଲା । ମଫସଲର ଅନାଡ଼ି ଚିକିତ୍ସାରେ ହାତଟା ବିଳମ୍ବରେ ଭଲ ହେଲା ସିନା, ସବୁଦିନ ପାଇଁ ତାଙ୍କ ମନ ଭିତରେ ଗୋଟିଏ ଡର ଛାଡ଼ିଗଲା । କେହି ଜଣେ ଜୁଟନ୍ତା କି, ଏହି ବ୍ୟାଗ୍‌ଟା ଟିକେ ଧରିନେଲେ ସେ ଚାଲି ଚାଲି ଯାଇପାରନ୍ତେ ।

 

ସୁନାପୁର ଗାଁଟା ରାସ୍ତା ସେପାଖେ, ବସ୍‌ଷ୍ଟପ୍‌ ଏପାଖରେ । ଆଖପାଖରେ ଆଉ କୌଣସି ଗାଁ ନ ଥିବାରୁ ବସ୍‌ଷ୍ଟପ୍‌ର ନାଁ ବି ହୋଇଛି ସୁନାପୁର । ଅନ୍ୟ ଗାଁଗୁଡ଼ାକ ବେଶ୍‌ ଦୂରରେ । ଏଠି ଗାଁଟା ଅଧେ କିଲୋମିଟର ଦୂର, କିନ୍ତୁ ବଡ଼ ଗାଁ ହୋଇଥିବାରୁ ଚନ୍ଦ୍ରମାଧବଙ୍କ ଶ୍ୱଶୁରଘର ବସ୍‌ଷ୍ଟପ୍‌ରୁ ଗୋଟିଏ କିଲୋମିଟରରୁ ବେଶୀ ଦୂର ହେବ ।

 

ସେତିକିବେଳେ ଦୈବପ୍ରେରିତ ଦେବଦୂତ ପରି କେହି ଜଣେ ପଚାରିଲା, “ସୁନାପୁର ଯିବ କି ବାବୁ ?”

 

ଚନ୍ଦ୍ରମାଧବ ଚାହିଁଲେ । ଦେବଦୂତ ନୁହେଁ, ଜଣେ ପ୍ରୌଢ଼ା ଏ ପ୍ରଶ୍ନଟି ତାଙ୍କୁ ପଚାରୁଥିଲା-। ସେ ଅନ୍ୟମନସ୍କ ଭାବରେ କହିଲେ, “ହଁ” ।

ତାଙ୍କ ତୁଣ୍ଡରୁ କଥା ସରିନାହିଁ, ପ୍ରୌଢ଼ା ଜଣକ ବଡ଼ ଆଟାଚିଟାକୁ ରାସ୍ତା ଉପରୁ ଉଠେଇ ମୁଣ୍ଡ ଉପରେ ଥୋଇଲା ପାଣି ମାଠିଆ ଧରିଲା ପରି ଓ ଆର ବ୍ୟାଗ୍‌ଟି ପାଇଁ ହାତ ବଢ଼େଇଲା । ଚନ୍ଦ୍ରମାଧବ ଏପରି ପରିସ୍ଥିତି ପାଇଁ ପ୍ରସ୍ତୁତ ନ ଥିଲେ । ସେ ଛୋଟ ବ୍ୟାଗ୍‌ ଖଣ୍ଡିକ ଧରିଥିବା ହାତକୁ ଘୁଞ୍ଚେଇ ଆଣି କହିଲେ, “ନାଇଁ ଥାଉ ।”

ସ୍ତ୍ରୀଲୋକଟି ‘ଆସ’ ବୋଲି କହି ଆଗେ ଆଗେ ଚାଲିବାକୁ ଲାଗିଲା । ଚନ୍ଦ୍ରମାଧବଙ୍କର ଆଉ କିଛି କରିବାର ନଥିଲା । ସେ ତାକୁ ଅନୁସରଣ କଲେ ।

ସୁନାପୁର ବଜାର ଯୋଉଠି ସରିଛି ସେଇଠୁ ଡାହାଣହାତି ଯାଇଥିବା ରାସ୍ତା ମୋଡ଼ରେ ସ୍ତ୍ରୀଲୋକଟି ପଚାରିଲା, “କାହା ଘରକୁ ଯିବ ବାବୁ ?”

: ଈଶ୍ୱର ମହାପାତ୍ରଙ୍କ ଘରକୁ ।

ସ୍ତ୍ରୀଲୋକଟି ଚମକି ପଡ଼ିଲା ପରି କହିଲା, “ତାଙ୍କ ଦେହ ତ ଭାରି ଅସୁଖ । ତମେ କ’ଣ ଅପରେସନ୍‌ ଡାକ୍ତର ବାବୁ କି ?”

: ନା, ମାଉସୀ । ମୁଁ ତାଙ୍କର ଜ୍ୱାଇଁ । କଟକରୁ ଆସୁଛି ।

ସ୍ତ୍ରୀଲୋକଟି ଡାହାଣ ହାତରେ ନିଜର ଲୁଗାକାନିଟା ନେଇ ଦାନ୍ତରେ କାମୁଡ଼ି ଧରିଲା । ରାସ୍ତାପାଖ ବତିଖୁଣ୍ଟର କୃପଣ ଆଲୁଅରେ ଚନ୍ଦ୍ରମାଧବ ଦେଖିଲେ ସ୍ତ୍ରୀଲୋକଟି ହଠାତ୍‌ କେମିତି ଲଜ୍ଜାଶୀଳା ହୋଇପଡ଼ିଲା । କିନ୍ତୁ କାହିଁକି ? ସେ ତ ତାକୁ ଚିହ୍ନନ୍ତି ନାହିଁ ?

: କିଛି ଭାବିବନି ଜୋଇଁ ବାବୁ ! ବୁଢ଼ୀ ହେଲିଣି, ଆଖିକୁ ଭଲ ଦିଶୁନାହିଁ । ସେଇ ଲାଗି ଚିହ୍ନିପାରିଲି ନାହିଁ ।

ଚନ୍ଦ୍ରମାଧବ ଆଶ୍ଚର୍ଯ୍ୟ ହେଲେ । ବାହାଘର ପରେ ଥରୁଟେ ଆସିଥିଲେ । ସର୍ବମୋଟ ଛତିଶ ଘଣ୍ଟା ହୁଏତ ସେ ଏ ଗାଁରେ ଥିଲେ । ସେ ପୁଣି କୋଡ଼ିଏ ବର୍ଷ ତଳର କଥା ହେଲାଣି, ଏହା ଭିତରେ ଯୁବକ ବୁଢ଼ା ଓ ଯୁବତୀ ବୁଢ଼ୀ ହୋଇ ସାରିବେଣି । କିଏ ବା କାହାକୁ ଚିହ୍ନିବ କେମିତି ?

: ତମେ ଜୋଇଁପୁଅ ଚିହ୍ନିହେଉନ । ହଁ, ସେ କ’ଣ କାଲି ନା ଆଜି କଥା ହେଇଛି ! ଗୋଟେ ଯୁଗ ତ ଗଲାଣି ।

ସ୍ତ୍ରୀଲୋକଟି ଆଗେ ଆଗେ ଚାଲିଛି ପରିଚିତ ରାସ୍ତାରେ । ଚନ୍ଦ୍ରମାଧବ ସାନ ବ୍ୟାଗ୍‌ଟିକୁ ବାଁ ହାତ ଡାହାଣ ହାତ କରି ପଛେ ପଛେ ଚାଲିଛନ୍ତି । ସୁନାପୁର ଗାଁଟା ଅଧାଚନ୍ଦ୍ର ପରି ରାସ୍ତାପାଖରୁ ବାହାରି ପୁଣି ମଝିରୁ ବାଙ୍କିଯାଇଛି । ଗାଁର ସେ ମୁଣ୍ଡରେ ସୁନାମୁହୀଁ ନଈ । ଶୁକ୍ଳପକ୍ଷର ଜହ୍ନ ସଫା ଦିଶିଲାଣି । ରାସ୍ତା ଦି’ କଡ଼ରେ ଡେଙ୍ଗା ନଡ଼ିଆ ଓ ତାଳଗଛ । ମଝିରେ ମଝିରେ ସେହି ଗଛର ଛାଇ ସବୁ ଅଶରୀରୀ ପରି ଲମ୍ବି ଆସିଛି ରାସ୍ତା ଉପରକୁ । ଏପଟ ରାସ୍ତାରେ ଆଉ ବିଜୁଳି ବତି ନାହିଁ ।

ଚନ୍ଦ୍ରମାଧବ କହିଲେ, “ମୁଁ ତମକୁ ଚିହ୍ନିପାରିଲି ନାହିଁ, ମାଉସୀ ।”

: କାହିଁକି ଚିହ୍ନିବ ! ତମେ ତ ସହର ବଜାର ଲୋକ । ବଡ଼ବଡ଼ିଆଙ୍କ ସାଙ୍ଗରେ ତମର କାରବାର । ଆମ ପରି ଗରିବଗୁରୁବାଙ୍କ କଥା ତମର କାହିଁକି ମନେ ପଡ଼ିବ ?

 

ହଠାତ୍‌ ସ୍ତ୍ରୀଲୋକଟିର ଏହି ଅଭିମାନଭରା କଥାରୁ ଚନ୍ଦ୍ରମାଧବ କୋଡ଼ିଏ ବର୍ଷ ତଳର ଗୋଟେ ମୁଖରା ସ୍ତ୍ରୀଲୋକର ଅବା ପରିଚୟ ପାଇଗଲେ ! ସେ ତଥାପି ସଂଶୟଭରା ସ୍ୱରରେ ପଚାରିଲେ, “ତମେ କ’ଣ ସପନି ମା’ ନୂଆବୋଉ ?”

 

ସ୍ତ୍ରୀଲୋକଟି କୃତକୃତ୍ୟ ହୋଇପଡ଼ିଲା । ପଥଶ୍ରମ ଓ ମୁଣ୍ଡ ଉପରର ଓଜନିଆ ବୋଝର ଦାୟିତ୍ୱ ସତ୍ତ୍ୱେ ସେ କହିଲା, “ମୁଁ ପରା ଜାଣିଥିଲି, ଜୋଇଁ ପୁଅ ଦେଖିଲାକ୍ଷଣି ଚିହ୍ନିପାରିବେ । ଆଲୋ, କିଏ ଗାଈଗୋରୁ, ଛେଳିମେଣ୍ଢା ଚରଉଥିଲେ, ଆମ ଜୋଇଁ ବାବୁ ମଣିଷ ଚରଉଛନ୍ତି । ଏ ସୁନାପୁର ଗାଁରେ ଈଶ୍ୱର ମହାପାତ୍ରଙ୍କ ଜୋଇଁ ଭଳିଆ ଆଉ କାହାର ଭଲା ହାକିମ ଜୋଇଁ ଅଛି ବା-!” ତା’ପରେ ସେ ପାଟିର ପାନପିକ ରାସ୍ତାକଡ଼କୁ ଫିଙ୍ଗିଦେଇ କହିଲା, “ଶ୍ୱଶୁରଙ୍କ ଖବର ପାଇ ଆସିଛ ବୋଧହୁଏ ?”

 

ଚନ୍ଦ୍ରମାଧବ ଅନ୍ୟମନସ୍କ ହୋଇପଡ଼ିଥିଲେ । ଭିତରେ ଭିତରେ ସେ କୋଡ଼ିଏ ବର୍ଷ ପଛକୁ ଫେରିଯାଉଥିଲେ । ସପନି ମା’ ନୂଆବୋଉଙ୍କର ହଠାତ୍‌ ଏ ଅବସ୍ଥା ହେଲା କାହିଁକି ? କାହିଁକି ମହାପାତ୍ର ଘରର ସ୍ତ୍ରୀଲୋକଟେ ମୁଖଲଜ୍ଜା ଓ ବଂଶମର୍ଯ୍ୟାଦାକୁ ଆଡ଼େଇ ବସ୍‌ଷ୍ଟାଣ୍ଡ୍‌ର ଏ କୁଲିଗିରିକୁ ଆପଣେଇ ନେଲା ? ସେମିତି ଦୁର୍ଦ୍ଦଶା ପଡ଼ି ନଥିଲେ ତ ସପନି ମା’ ନୂଆବୋଉ କଦାପି ଏ କାମ କରି ନ ଥାନ୍ତେ !

 

ପୁରୁଣା କଥା ମନେପଡ଼ୁଥିଲା । ବାହାଘର ପରେ ପଖାଳଖିଆ ସାରି ସେମାନେ ଫେରିଆସିଥାଆନ୍ତେ । କିନ୍ତୁ ଦୂରବାଟ ଯୋଗୁ ପ୍ରତିମାଙ୍କ ଘରଲୋକ ସେଦିନ ବାଧ୍ୟ କରିଥିଲେ–ଦ୍ୱିପହର ଭାତ ଖାଇ ବାହାରିଯିବ । ଓଃ, ସେଦିନର ସେ ଯୋଉଁ ହଟହଟା, ଆଜି ବି ମନେପଡ଼ିଲେ ଚନ୍ଦ୍ରମାଧବଙ୍କ ମୁହଁ ନାଲି ପଡ଼ିଯାଏ ।

 

ଗୋଟେ ପଦ୍ମଫୁଲ ଆକାରରେ ବଢ଼ାହୋଇଥିଲା ଥାଳି ମଝିରେ ଅରୁଆ ଭାତ । ଥାଳି ଚାରିପଟେ ନଅଟି ଗିନାରେ ନଅ ରକମର ବ୍ୟଞ୍ଜନ । ପ୍ରତିମାଙ୍କର ନିଜ ଭଉଣୀ ନଥିଲେ ବି ଶାଳୀମାନଙ୍କର ଅଭାବ ନ ଥିଲା ସୁନାପୁରରେ । ମାମୁ ଝିଅ, ଦାଦି ଝିଅ ହୋଇ ଲେଖାଯୋଖାରେ ଢେର୍‌ ଶାଳୀ ଥିଲେ ତାଙ୍କର । ଶାଶୂ ତାଙ୍କର ଲଜ୍ଜାଶୀଳା, ସେ ଚୁପ୍‌ଚାପ୍‌ ଆରପଟୁ ଚାହିଁଥାଆନ୍ତି କାଳେ କ’ଣ ଅସୁବିଧା ହେବ । ସାହିର ବୟସ୍କ ମହିଳାମାନେ ଟିକେ ଦୂରରୁ ଯେ ଯାହାର ସୁବିଧାରେ ନିଜ ନିଜକୁ ଲୁଚେଇ ଶତ୍ରୁର ଗତିବିଧି ଉପରେ ସୈନିକମାନେ ନିଘା ରଖିଲା ପରି ଚନ୍ଦ୍ରମାଧବଙ୍କ ଉପରେ ନିଘା ରଖିଥାଆନ୍ତି ।

 

ଚନ୍ଦ୍ରମାଧବ ଥାଳି ଉପରକୁ ନଇଁପଡ଼ି ଗୁଣ୍ଡାଏ ଭାତ ଉଠେଇବାକୁ ଚେଷ୍ଟା କରୁଥିଲେ । ଗୋଟିଏ କଠିନ ବସ୍ତୁରେ ତାଙ୍କର ହାତର ନଖଗୁଡ଼ିକ ବାଜି ଫେରି ଆସିଲା । ଭାତଗୁଣ୍ଡାଟା ବିଞ୍ଛିହୋଇଗଲା ଥାଳି ଚାରିପଟେ । ସେପଟରୁ ଚାପା ହସ ଲହରେଇ ଆସିଲା । ଚନ୍ଦ୍ରମାଧବ ଜାଣିପାରିଲେ, ଏହା ଭିତରେ ଷଡ୍‌ଯନ୍ତ୍ର ଅଛି । ସେ ଆଙ୍ଗୁଳିରେ ଉପର ଭାତତକ ଆଡ଼େଇ ଦେଖିଲେ ତାଙ୍କ ଅନୁମାନ ଠିକ୍‌, ଭାତ ଥାଳି ମଝିରେ ଗିନାଟିଏ । ଗିନାଟିକୁ ବଲ୍‌ ଉଠାଇବା ପରି ସେ ଧୀରେ ଉଠେଇ ଆଣୁଥିଲେ । ମାତ୍ର ଆଗରୁ ଘିଅରେ ବୋଳାହୋଇ ଚିକ୍କଣ ହୋଇଥିବା ଗିନାଟା ଚଟ୍‌କରି ଖସିଗଲା, ଗାଧୁଆଘରେ ସାବୁନ୍‌ ଖସିଗଲା ପରି । ଭାତ, ତରକାରି, ଡାଲି ସବୁ ଛିଟିକି ପଡ଼ିଲା ଚନ୍ଦ୍ରମାଧବଙ୍କ ମୁହଁ ଉପରେ । ତାଙ୍କର ଧୋବଫରଫର ଲୁଗାପଟା ସବୁ ନଷ୍ଟଭ୍ରଷ୍ଟ ହୋଇଗଲା । କଟା ଘା’ରେ ଲୁଣଛିଟା ଦେଲାପରି ଦର୍ଶକ ମହଲରୁ ହସ ଓ ବ୍ୟଙ୍ଗ ବିଦ୍ରୂପ ଚାଲିଲା ଯେ ଚାଲିଲା, ଆଉ ତାହା ବନ୍ଦ ହେବାର ନୁହେଁ । ଶାଶୂ ଆସି ସେମାନଙ୍କୁ ଘଉଡ଼େଇ ପୁଣିଥରେ ଅଲଗା ଥାଳି ମଗେଇବା ପର୍ଯ୍ୟନ୍ତ ସେ ଲୀଳା ଚାଲିଥିଲା । ଚନ୍ଦ୍ରମାଧବ ରାଗ ଓ ଲାଜରେ ନାଲି ପଡ଼ିଯାଇଥିଲେ ।

 

ପଛକୁ ସେ ବୁଝିଥିଲେ, ଏସବୁ ଥିଲା ସପନି ମା’ ନୂଆବୋଉଙ୍କର ଷଡ଼ଯନ୍ତ୍ର । ସେ ନିଜେ ସକାଳୁ ପିତ୍ତଳ ଗିନାକୁ ତେନ୍ତୁଳିରେ ମାଜି ଚିକ୍କଣ କରି ରଖିଥିଲେ ଓ ତା’ ଉପରେ ଘିଅ ମାଖି ଭାତ ଥାଳି ଭିତରେ ଭର୍ତ୍ତି କରିଦେଇଥିଲେ ।

 

ଚନ୍ଦ୍ରମାଧବଙ୍କ ସ୍ୱଳ୍ପ ରହଣି ଭିତରେ ଏଇଟା ଅବଶ୍ୟ ସପନି ମା’ ନୂଆବୋଉଙ୍କର ଏକମାତ୍ର ଷଡ଼ଯନ୍ତ୍ର ନଥିଲା । ତାଙ୍କର କୋମଳ ଉପଦ୍ରବମାନ ଚନ୍ଦ୍ରମାଧବଙ୍କ ପାଇଁ ସେତେବେଳେ ଅତ୍ୟନ୍ତ କଠୋର ହୋଇପଡ଼ିଥିଲା । ଶ୍ୱଶୁରଙ୍କ ଘରେ ବାଥ୍‌ରୁମ୍‌ ନାହିଁ । ବାଡ଼ିପଟକୁ ନଡ଼ିଆତାଟି ଘେରା ଅସ୍ଥାୟୀ ଗାଧୁଆଘରେ ଗାଧୁଆ ପର୍ବ ଶେଷ କରି ଉଠିଲାବେଳକୁ ଧୋତିଟିଏ ଅଠରଗୁଡ଼ା ହୋଇ ଗୋଟିଏ ଥାଳିରେ ରହିଛି । ସେହି ଧୋତିଟାକୁ ଖୋଲି ପିନ୍ଧିବା ଉପଯୋଗୀ କରିବାକୁ ଚନ୍ଦ୍ରମାଧବଙ୍କୁ ଲାଗିଗଲା ଅଧଘଣ୍ଟେ । ଦେହ ଶୁଖିଗଲା, ଓଦା ଲୁଗା ବି ଦେହରେ ଦେହରେ ଶୁଖିଲା ଲୁଗା ହୋଇଗଲା, ଅଥଚ ସପନି ମା’ ନୂଆବୋଉଙ୍କ ହାତରେ ଗଣ୍ଠି ପଡ଼ିଥିବା ଧୋତି ସହଜରେ ଖୋଲି ନ ଥିଲା ।

 

ସପନି ମା’ ନୂଆବୋଉ ସେଦିନ ଥିଲେ ଏଭଳି କାମରେ ଓସ୍ତାଦ । ପାନ ଭିତରେ ଲଙ୍କା ମଞ୍ଜିକୁ ଧନିଆ କରି ଦେଇଦେବା, ନୂଆ ନୂଆ ଢଗଢମାଳି କହି ପ୍ରତିପକ୍ଷକୁ ହରେଇଦେବା, ଅଲଣା ଡାଲି ଓ ଲୁଣିଆ ସନ୍ତୁଳା ପରଶି ଅଧାପେଟରେ ଖାଇବା ଜାଗାରୁ ଉଠେଇଦେବା ଥିଲା ତାଙ୍କର ଗୋଟେ ଗୋଟେ ଫିସାଦ । ଏଥିରେ ଚନ୍ଦ୍ରମାଧବ ବ୍ୟସ୍ତ ହୋଇପଡ଼ୁଥିଲେ ସତ, କିନ୍ତୁ ସେସବୁ ଅନ୍ତରାଳରେ ଲୁଚିଥିବା ଗ୍ରାମୀଣ ପ୍ରୀତି ଓ ସରଳ ସୌହାର୍ଦ୍ଦ୍ୟର ଅଠାପଣ ତାଙ୍କୁ ବାନ୍ଧି ପକଉଥିଲା । ବାହାଘର ପର କନ୍ୟା ବିଦାବେଳକୁ ଏହି ନୂଆବୋହୂଟି ମଥାପିଟି ଓ ହାତଛାଟି କାନ୍ଦିଲା ବେଳେ ତାଙ୍କର ସେ କରୁଣ କାନ୍ଦଣା ଲହରୀ ସମସ୍ତଙ୍କ ଆଖିପତା ଓଦା କରିଦେଇଥିଲା । ପ୍ରତିମାଙ୍କୁ ନୂଆବୋଉଙ୍କ ବିଷୟରେ ପଚାରି ବସିଲେ ତାଙ୍କ କଥା ଆଉ ସରେ ନାହିଁ । ଅଜବ ସେଇ ଭୁଆସୁଣୀ ନୂଆବୋଉ ଆଜି ଏ ବସ୍‌ଷ୍ଟାଣ୍ଡ୍‌ର ଜଣେ ମାମୁଲି କୁଲି । ଘଟଣାର ନାଟକୀୟ ମୋଡ଼ବୁଲାଣିକୁ ଆଦୌ ସ୍ୱାଭାବିକ ଭାବେ ଗ୍ରହଣ କରିପାରୁ ନ ଥିଲେ ଚନ୍ଦ୍ରମାଧବ ।

 

ଶ୍ୱଶୁରଘର ପାଖ ହୋଇ ଆସୁଥିଲା । କ’ଣ କହିବେ ଓ କେତେ ଟଙ୍କା ଦେବେ, ତାହା ଚନ୍ଦ୍ରମାଧବ ସ୍ଥିର କରିପାରୁ ନ ଥିଲେ । ସେମାନଙ୍କର ସମ୍ପର୍କ ଭିତରେ ଏହି ପାଞ୍ଚଦଶ ଟଙ୍କାର ଦେଣନେଣ ବ୍ୟାପାରଟା ଲାଗୁଥିଲା ଅତ୍ୟନ୍ତ ଅଳୀକ ଓ ଅସ୍ୱସ୍ତିକର । ସେ ତରବରରେ ଖଣ୍ଡିଏ କୋଡ଼ିଏ ଟଙ୍କା ନୋଟ୍‌ ନୂଆବୋଉ ହାତରେ ଗୁଞ୍ଜିଦେଇ କହିଲେ, “ନିଅ, ନୂଆବୋଉ । ସକାଳେ ଦେଖାହେବ ।”

 

ଚନ୍ଦ୍ରମାଧବ ପହଞ୍ଚିଲାବେଳକୁ ଶ୍ୱଶୁରଙ୍କ ଦେହ ଟିକେ ଭଲ ହୋଇଆସିଲାଣି । ଚନ୍ଦ୍ରମାଧବ ଆଶ୍ୱସ୍ତ ହେଲେ । ସ୍ଥିର କଲେ ସକାଳୁ ଫେରିଯିବେ । ପ୍ରତିମା ତେଣେ ବ୍ୟସ୍ତ ହେଉଥିବ-

 

ସମୟ ପାଇ ସେ ପ୍ରତିବେଶୀ ଓ ଦୂରସମ୍ପର୍କୀୟ ମଧୁସୂଦନକୁ ପଚାରିଥିଲେ ସପନି ମା’ ନୂଆବୋଉଙ୍କ କଥା । କୋଉ କୋଡ଼ିଏ ବର୍ଷ ତଳେ ଛାଡ଼ିଯାଇଥିବା କଥାରୁ ଖିଅ ବାହାର କରି ବର୍ତ୍ତମାନ ସାଙ୍ଗରେ ଯୋଡ଼ିବା ପାଇଁ ତରୁଣ ମଧୁସୂଦନଙ୍କୁ ଢେର୍‌ କଥା କହିବାକୁ ପଡ଼ିଥିଲା । ପନ୍ଦର ବର୍ଷ ହେଲା ନୂଆବୋଉଙ୍କ ସ୍ୱାମୀ ଦଶରଥ ଦେଶାନ୍ତରୀ । ଜିଇଛନ୍ତି କି ନାହିଁ, ଆଉ କୋଉଠି ଘରସଂସାର କଲେଣି ନା ଅସୁବିଧାରେ ପଡ଼ି ଅଟକି ରହିଛନ୍ତି ତାହା ଜଣାନାହିଁ । ଏକମାତ୍ର ପୁଅ ସପନି ବା ସ୍ୱପ୍ନେଶ୍ୱର ଏବେ ପୂର୍ଣ୍ଣଯୁବକ । ସେ ତା’ ସ୍ତ୍ରୀକୁ ନେଇ ଘରେ ରହୁଛି ସତ, କିନ୍ତୁ ମା’କୁ ପଚାରୁ ନାହିଁ । ବାଧ୍ୟହୋଇ ସପନି ମା’ ପୁଅର ଓଳି ତଳେ ପଡ଼ିଛି । ମା’ ପୁଅଙ୍କ ଭିତରେ ପ୍ରାୟ କିଛି ସମ୍ପର୍କ ନାହିଁ । ଗଲା ଚାରି ବର୍ଷ ହେଲା ସପନି ମାଆ କୁଲିକାମ କରି ନିଜ ପେଟ ପୋଷୁଛି ।

 

ଚନ୍ଦ୍ରମାଧବ ଯେମିତି ଗୋଟିଏ ଉତ୍ତୁଙ୍ଗ ପାହାଡ଼ ଚୂଡ଼ାରୁ ଖସି ପଡ଼ୁଥିଲେ । ନୂଆବୋଉଙ୍କ ଗିନା ଭର୍ତ୍ତି ଭାତପରଶା, ଯୋଡ଼ଧୋତିର ଭାଙ୍ଗ, ସୁଲଳିତ କଣ୍ଠର ଅଜସ୍ର ଢଗଢମାଳି ମନେପଡ଼ିଯାଉଥିଲା । ସେହି ହସକୁରୀ, ଚଳଚଞ୍ଚଳା, ଶ୍ରଦ୍ଧାଶୀଳା ନାରୀଟି ଭାଗ୍ୟରେ ଥିଲା ଏତେ ନିର୍ଯାତନା !

 

ସକାଳେ ଶାଶୂ କହିଲେ, “କାଲି କୁମୁଦିନୀ ପାଖେ ଖୁଚୁରା ଟଙ୍କା ନ ଥିଲା । ସକାଳୁ ଆସି ପନ୍ଦର ଟଙ୍କା ଦେଇଯାଇଛି, ନିଅ ।”

 

ଚନ୍ଦ୍ରମାଧବ କିଛି କହିପାରିଲେ ନାହିଁ । ଟଙ୍କାତକ ନେଇ ପକେଟରେ ରଖିଲେ ।

 

କଟକ ବସ୍‌ ଧରିବା ଆଗରୁ ଚନ୍ଦ୍ରମାଧବଙ୍କୁ ପ୍ରାୟ କୋଡ଼ିଏ ମିନିଟ୍‌ ସୁନାପୁର ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିବାକୁ ପଡ଼ିଥିଲା । ସୁନାପୁର ବସ୍‌ଷ୍ଟାଣ୍ଡ୍‌ ବା କେତେବଡ଼ ବଜାର ! ଅନେକ ଯାତ୍ରୀ ନିଜ ନିଜ ବ୍ୟାଗ୍‌ପତ୍ର ନିଜେ ବୋହି ନିଅନ୍ତି । କାଁ ଭାଁ କେତେବେଳେ ବାବୁଭୟା କେହି ଓହ୍ଲେଇଲେ କିମ୍ବା ସ୍ଥାନୀୟ ଲୋକ କେହି ସେଆଡ଼ୁ ବେଶି କିଛି ଜିନିଷପତ୍ର ଆଣିଥିଲେ କୁଲି ମୋଟିଆଙ୍କ ଦରକାର ପଡ଼େ । ଚନ୍ଦ୍ରମାଧବ ଦେଖିଲେ ଗୋଟିଏ କ୍ୟାବିନ୍‌ ପାଖରେ ମୁଣ୍ଡରେ ଶାଢ଼ିର କାନିକୁ ଠେକା ପରି ସଜାଡ଼ି ସପନି ମାଆ ନୂଆବୋଉ ଛିଡ଼ା ହୋଇଛନ୍ତି, ଗାଡ଼ିରୁ ଓହ୍ଲାଉଥିବା ଯାତ୍ରୀଙ୍କୁ ଅପେକ୍ଷା କରି ।

 

ଚନ୍ଦ୍ରମାଧବ ଆଗେଇ ଯାଇ କହିଲେ, “ନୂଆବୋଉ, ଓଳଗି । ଗୋଟେ କଥା ତମକୁ କହିବାର ଥିଲା ।”

 

ସପନି ମା’ ନୂଆବୋଉ ହସିଲେ । ପାନପିକବୋଳା ତାଙ୍କର ସେ ଓଠରେ ହସଟା ଚମତ୍କାର ଦିଶୁଥିଲା ।

 

ଚନ୍ଦ୍ରମାଧବ କହିଲେ, “ତମେ ତ ଏକଲା ମଣିଷ । ବାର୍ଦ୍ଧକ୍ୟଭତ୍ତା ପାଇଁ ଦରଖାସ୍ତ ଖଣ୍ଡେ କରୁନ । ସରକାର ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି । ତା’ ନ ହେଲେ ତମେ ଯଦି ସହରକୁ ଯାଆନ୍ତ, ତାହାହେଲେ ବି କିଛି ଗୋଟେ ବ୍ୟବସ୍ଥା କରିହୁଅନ୍ତା । ଭଲ ଘରେ ରହିଲେ ସେମାନେ ତମକୁ ଅଶ୍ରଦ୍ଧା କରନ୍ତେ ନାହିଁ ।”

 

ସପନି ମା’ ନୂଆବୋଉ ହସିଲେ । ନିଜର ଦୁଇ ହାତକୁ ଦେଖେଇ କହିଲେ, “ମୋର କ’ଣ ହାତଗୋଡ଼ ଅଚଳ ହେଲାଣି କି ଜ୍ୱାଇଁ ବାବୁ ? ମୁଁ କାହିଁକି ସରକାରୀ ଭତ୍ତା ନେବି ? ସତ, ଏଇ ଗାଁରେ ଆଗରୁ କେହି ଏ କାମ କରୁ ନ ଥିଲେ । ମୁଁ ତ ଲୋକଙ୍କ ସେବା କରୁଛି । କ୍ଷତି କ’ଣ-? ଆଉ ଗାଁ ଛାଡ଼ି ଯିବା କଥା କହୁଛ ଯେ କାହାକୁ ଏ ଘରଜଞ୍ଜାଳ ବୁଝେଇ ଯିବି ! ସପନାଟା ଦୁଷ୍ଟ, ନିର୍ବୁଦ୍ଧିଆ । ପୁଣି କୋଉଦିନ ଯଦି ସେ ଆସି ଦେଖିବେ, ମୁଁ ତାଙ୍କ ଘରବାଡ଼ି ଆଉ ପିଲାଙ୍କୁ ଛାଡ଼ି ପଳେଇଛି, ସେ କ’ଣ ମୋତେ ରଖିବେ ? ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି-।”

 

ବସ୍‌ର ଘର୍‌ଘର୍‌ ଶବ୍ଦରେ ସପନି ମା’ ନୂଆବୋଉଙ୍କ କଥାର ଶେଷଭାଗ ସ୍ପଷ୍ଟ ଶୁଣାଗଲା ନାହିଁ । ଚନ୍ଦ୍ରମାଧବ ତରବରରେ ବସ୍‌କୁ ଉଠିପଡ଼ି ଦ୍ୱିତୀୟ ବ୍ୟାଗ୍‌ଟା ଗୋଟେଇ ନେଲାବେଳେ ନୂଆବୋଉ ଆସି ହାତ ବଢ଼େଇଲେ । “ମୁଁ ଉଠେଇ ଦେଉଛି ଜ୍ୱାଇଁ ବାବୁ, ତମେ ଭିତରକୁ ଯାଇ ସିଟ୍‌ ଦେଖ ।”

 

ବସ୍‌ ଛାଡ଼ିଦେଲା । ଝରକା ପାଖ ସିଟ୍‌ ଦେହରେ ପିଠି ଆଉଜେଇ ଚନ୍ଦ୍ରମାଧବ ଦେଖୁଥିଲେ, ଦରବୁଢ଼ୀ ନୂଆବୋଉ ଆଉ କାହାର ବ୍ୟାଗ୍‌ ଓ ବିଛଣା ମୁଣ୍ଡେଇ ଗାଁ ଆଡ଼କୁ ମୁହାଁଇଛନ୍ତି ।

𗰵𗰵𗰵

 

ବାଲିଘର

 

ଟିକେଟ୍‌ ପାଇଁ ପଇସା ବଡ଼ଉଥିବାବେଳେ କଣ୍ଡକ୍ଟରଟି ତା’ ହାତରୁ ପଇସା ନ ନେବା କଥାରୁ ଉଷାର ଟିକେ ସନ୍ଦେହ ହୋଇଥିଲା । ତା’ ସତ୍ତ୍ୱେ ନିଶିକାନ୍ତ ଯଦି ନିଜ ଆଡ଼ୁ ନିଜର ପରିଚୟ ଦେଇ ନ ଥାନ୍ତା ଉଷା ତାକୁ ଆଦୌ ଚିହ୍ନିପାରି ନ ଥାନ୍ତା । କାହିଁ କେତେ ବର୍ଷ ତଳେ ନିଶିକାନ୍ତ ନାଉଗାଁ ସ୍କୁଲରେ ପଢ଼ୁଥିବାବେଳେ ତା’ର ଶ୍ରେଣୀ ସାଙ୍ଗ ଥିଲା । ଏହା ଭିତରେ ଗୋଟାଏ ଯୁଗ ବିତିଗଲାଣି । ନିଶିକାନ୍ତର ଚେହେରା ଓ ସ୍ୱର ଉଭୟ ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି । ଏକଦା ସାଙ୍ଗ ହୋଇ ପଢ଼ୁଥିବା ନିଜ ଗାଁ ପାଖ ପିଲାଟିକୁ ଚିହ୍ନି ପାରି ନଥିବାରୁ ସେ ନେଇ ଉଷା ପ୍ରଥମେ ଲାଜେଇ ଯାଇଥିଲେ ମଧ୍ୟ ଚେହେରା ଓ ସ୍ୱରରେ ଏତେ ଅସାମଞ୍ଜସ୍ୟ କାହାର ଆଖିରେ ଧରାପଡ଼ିବ ନାହିଁ, ଏ ବାବଦରେ ସେ ନିଶ୍ଚିତ ଥିଲା ।

 

ଗାଡ଼ିଟା ତା’ ରହିବା ଜାଗାରେ ଠିଆ ହୋଇସାରିଥିଲା । ବାଟ ମୁହଁଟାରେ ଛିଡ଼ା ହୋଇଥିଲା ଉଷା । ଡ୍ରାଇଭର ପଛପଟକୁ ପିଠି ଆଉଜେଇ ନିଶିକାନ୍ତ ତା’ ବ୍ୟାଗ୍‌ରୁ ଲୋଚାକୋଚା ନୋଟ୍‌ଗୁଡ଼ିକ ବାହାର କରି ସଜାଡ଼ି ରଖୁଥିଲା । ଉଷା ନିଶିକାନ୍ତକୁ କଥା ପଦେ କହିବାକୁ ମୁହଁ ଖୋଲିଚି, ଠିକ୍‌ ସେତିକିବେଳେ ଉଭୟଙ୍କ ମଝି ଦେଇ ଯାତ୍ରୀ ଜଣେ ଓହ୍ଲେଇଗଲା । ସେ ନିଶିକାନ୍ତକୁ ଦେଖିପାରିଲା ନାହିଁ, କଥା ବନ୍ଦ ରଖିଲା । ଆଉ କିଛି ସମୟ ଛାଡ଼ି ସେ ପୁଣି ମୁହଁ ଖୋଲି ଆସୁଥିଲା, ଏଥର ବି ପୂର୍ବ ପରି ଆଉ ଜଣେ ଯାତ୍ରୀ ନିଜକୁ ଚଳମାନ କାନ୍ଥଟେ କରିଦେଇ ସେ ଦୁହିଁଙ୍କ ମଝିରେ ଏପଟ ସେପଟ ହେଲା । ଲୋକଟି ସିଟ୍‌ ତଳେ ରଖିଥିବା ଏକ ଛୋଟକାଟର ଦୋକାନକୁ ନେଇ ତଳେ ରଖିଦେଇ ଆସୁଥିଲା ଓ ସେଇଥିପାଇଁ ତାକୁ ବାରମ୍ବାର ତଳ ଉପର ହେବାକୁ ପଡ଼ୁଥିଲା । ଦୁଇ ଦୁଇ ଥର କଥା କହିବାକୁ ପାଟି ଖୋଲି ସେ କିଛି କହିପାରି ନ ଥିବାରୁ ଉଷା ଲାଜେଇଗଲା ଓ ତା’ର ଏ ଅପ୍ରସ୍ତୁତ ଭାବ ନିଶିକାନ୍ତ ଜାଣିପାରି ହସିଦେଲା ।

 

ଆଉ ଦିନେ । ମାସର ଦ୍ୱିତୀୟ ଶନିବାର । ସରକାରୀ ଦପ୍ତର ସବୁ ଛୁଟି । ଉଷାର ବ୍ୟାଙ୍କ କାମ ଦିନ ଦୁଇଟାରେ ସରିଲା । ଟିକିଏ ଡେରି ହୋଇଥିଲେ ସେ ନିଶିକାନ୍ତର ବସ୍‌ଟାକୁ ହରେଇଥାଆନ୍ତା । ବସ୍‌ ଭିତରକୁ ଉଠିପଡ଼ି ଉଷା ନିଶିକାନ୍ତକୁ ଖୋଜିହେଲା । କିନ୍ତୁ ନିଶିକାନ୍ତ ସେଦିନ ଗାଡ଼ିରେ ନ ଥିଲା । ତା’ ବଦଳରେ ଆଉ ଜଣେ ଯୁବକ ଟିକେଟ୍‌ କାଟୁଥିଲା । ଉଷା ତାକୁ ପଇସା ବଢ଼େଇଦେଲା ଓ ନୂଆ କଣ୍ଡକ୍ଟର ତାକୁ ଟିକେଟ୍‌ ବଢ଼େଇଦେଲା । ନିଶିକାନ୍ତ ଥିଲେ ତାକୁ ବସିବା ପାଇଁ କହିଥାଆନ୍ତା । ତାକୁ ଦେଖି ଟିକିଏ ହସିଥାଆନ୍ତା । ଏ କଣ୍ଡକ୍ଟରଟି ସେଭଳି କିଛି କହିଲା ନାହିଁ । ଉଷା ନିଜେ ପଛକୁ ଯାଇ ଗୋଟେ ଝର୍କା ପାଖ ସିଟ୍‌ ଦେଖି ବସିପଡ଼ିଲା ।

 

ନିଶିକାନ୍ତ ଏଇ ଗାଡ଼ିର କଣ୍ଡକ୍ଟର ତ ! ଉଷା ଆଉ ଥରେ ବସ୍‌ ଭିତରଟାରେ ନଜର ବୁଲେଇ ଆଣିଲା । ହଁ, ତାରିଣୀ, ଜଗନ୍ନାଥ ଓ ଶାରଳା ଏକାଠି ସେହି ଜାଗାରେ ହିଁ ଅଛନ୍ତି ଓ ତଳକୁ ‘ଧୂମ୍ରପାନ ନିଷେଧ’ରୁ ପାନ ଶବ୍ଦଟି ଲିଭିଯାଇଛି । ସେଇ ବସ୍‌ । କିନ୍ତୁ ନିଶିକାନ୍ତ ନାହିଁ କାହିଁକି ? ତା’ର ଇଚ୍ଛା ହେଲା, ନୂଆ କଣ୍ଡକ୍ଟରକୁ ଡାକି ସେକଥା ପଚାରିବ । କିନ୍ତୁ ସଙ୍କୋଚ ଯୋଗୁଁ ପଚାରି ପାରିଲା ନାହିଁ । ଥାଉ, କାଳେ କିଏ କ’ଣ ଭାବିବ ?

 

ନିଶିକାନ୍ତ ଥାଉ ନ ଥାଉ ଏହି ବସ୍‌ଟି ପ୍ରତି ଉଷାର କେମିତି ଆଦର ଭାବଟେ ସୃଷ୍ଟି ହୋଇ ଯାଇଥିଲା । ଗାଁ ପିଲାଟି ଅଛି, ସୁବିଧା ଅସୁବିଧାରେ ସାହାଯ୍ୟ କରିବ, ଏମିତି ଆଶାଟେ ତା’ ଭିତରେ ଗଢ଼ି ହୋଇ ଯାଇଥିଲା ।

 

ସେଦିନ ପୁଣି ଦେଖାହେଲା ନିଶିକାନ୍ତ । ଉଷା କିଛି ପଚାରିବା ଆଗରୁ ନିଶିକାନ୍ତ କହିଲା, “ନାଁକୁ ସିନା ଚାକିରି କରିଛି; ନ ହେଲେ ମାଲିକ ମୋତେ ତା’ ଭାଇଠୁ ଅଧିକ ସ୍ନେହ କରେ-। ମୋ ଉପରେ ସବୁ ଦାୟିତ୍ୱ । ଯୁଆଡ଼େ ନ ଯିବି ସିଆଡ଼େ କାମ ଅଚଳ । ତାଙ୍କର ଚାରିଖଣ୍ଡ ବସ୍‌-। ମୁଁ ରାଉରକେଲା ଟ୍ରିପରେ ଚାଲିଯାଇଥିଲି । ମୋତେ ତ ପୁଣି ସବୁଆଡ଼କୁ ନଜର ଦେବାକୁ ହେବ-। ଟାଉନ୍‌ବସରେ ବେଶି ରୋଜଗାର ନାହିଁ । ଅନେକ ଯାତ୍ରୀ ଠକିଦିଅନ୍ତି । କଲେଜ ଟୋକାଙ୍କ କଥା ଛାଡ଼ । ସେମାନେ ପଇସା ତ ଦେବେ ନାଇଁ, ଓଲଟି ଝଗଡ଼ା ଲଗେଇବେ ।”

 

ଉଷା ନିଶିକାନ୍ତକୁ ଦେଖୁଥିଲା । କଳା ହୋଇ ନହକା ପିଲାଟିଏ । କେତେ ଡଗଡଗ କରି କଥାଗୁଡ଼ା କହିଯାଉଛି ! କୁଆଡ଼େ ଯାଇ ବୁଲି ଆସୁଛି । ତରବରରେ ଟିକେଟ୍‌ କାଟି ଯାଉଛି । ଚଳନ୍ତା ଗାଡ଼ିରେ ବି ଦେହର ଭାରସାମ୍ୟ ରଖି ଛିଡ଼ା ଛିଡ଼ା ପଇସା ଗଣୁଛି, ନେଉଛି, ଫେରଉଛି । ଅନେକ ବର୍ଷ ପରେ ସମ୍ପର୍କହୀନ ଏଇ ସହରରେ ତା’ର ଜଣେ ପରିଚିତ ଲୋକ ଦେଖା ହେଇଥିଲା-। ସେଇ ପ୍ରଥମ ଦିନ ଯାହା ଟିକେଟ୍‌ ପଇସା ଯାଚିଥିଲା, ତା’ପରେ ଯାଚି ନାହିଁ । କେତେ ବା ପଇସା ! ସେ ନିଶିକାନ୍ତର ଶ୍ରଦ୍ଧାକୁ ଅପମାନ ଦେବାକୁ ଚାହୁଁ ନ ଥିଲା ।

 

ବେଳେବେଳେ ଉଷା ଭାବେ, ନିଶିକାନ୍ତକୁ ପଚାରନ୍ତା ତା’ ବାପାବୋଉଙ୍କ କଥା । ତା’ ଘରସଂସାର କଥା । ତା’ ପିଲାପିଲିଙ୍କ କଥା । କେତେ ଦରମା ପାଏ, କୋଉଠି ରହେ । ଏଇ ଚାକିରିଟାର ଭବିଷ୍ୟତ କ’ଣ । ପଚାରନ୍ତା ସ୍କୁଲଦିନଗୁଡ଼ିକର କଥା ତା’ର ମନେପଡ଼େ କି ନାହିଁ । ଯୋଉ ସ୍କୁଲର ନୁଆଁଣିଆ ଆଜବେଷ୍ଟସ୍‌ ଘରେ ବସୁଥିବା ଓ ଘରୁ ପଖାଳ, ତେନ୍ତୁଳି ଖାଇ ଆସୁଥିବା ପୁଅପିଲାମାନେ ବଡ଼ ହେଲେ ଭାରତର ପ୍ରଧାନମନ୍ତ୍ରୀ ହେବେ ବୋଲି ତର୍କ ପ୍ରତିଯୋଗିତାରେ ଭାଷଣ ଦିଅନ୍ତି । କୋଳି, ଆଚାର, କମଳାଲେମ୍ବୁ ଓ ଯାବତୀୟ ଆଚାରର ପାଇକାରି ଏଜେଣ୍ଟ୍‌ ସାଜିଥିବା ଝିଅମାନେ ବଡ଼ ହୋଇ ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ ନ ହେଲେ ଇନ୍ଦିରା ଗାନ୍ଧୀ ହେବେ ବୋଲି ଲାଜେଇ ଲାଜେଇ କହନ୍ତି । ସେ ପଚାରନ୍ତା ନିଶିକାନ୍ତକୁ, ଝିଅମାନଙ୍କର ଭାଗ୍ୟ ସିନା ପରଘରେ ଚୁଲି ଜାଳିବେ ବୋଲି ସେମାନେ ଗାଁ ଛାଡ଼ି ଚାଲିଆସନ୍ତି, କିନ୍ତୁ ତମେ ପୁଅପିଲାଗୁଡ଼ାକ କାହିଁକି ଅଳ୍ପ କିଛି ଟଙ୍କା ମୋହରେ ନିଜ ଗାଁ ଗଣ୍ଡା ଛାଡ଼ି ଶହ ଶହ ମାଇଲ ଦୂରକୁ ପଳେଇ ଆସ ? ଏତେ ଦୂରରୁ ତ ଗାଁ କଥା ମନେପକେଇବାକୁ ଚେଷ୍ଟା କଲେ ମଧ୍ୟ ମନେପଡ଼େ ନାହିଁ ଗାଁର ଭୂଗୋଳ, ଡେଙ୍ଗା ଡେଙ୍ଗା ଗଛମାନଙ୍କ କୋଳରେ ସବୁବେଳେ ଉଦାସ ଓ ଗମ୍ଭୀର ଦିଶୁଥିବା ଗାଁ ସ୍କୁଲ । ତମର ମନେପଡ଼େ ଗାଁ ? ପିଲାଦିନ କଥାସବୁ ମନେପଡ଼େ ?

 

ନିଶିକାନ୍ତ ପାଖେ କଥା ହେବାକୁ ସମୟ ନ ଥାଏ । ଥରେ ଉଷା ଭାବିଥିଲା, ନିଶିକାନ୍ତକୁ ତା’ ଘରକୁ ଡାକିବ । ଗାଁ ପିଲାଟା, ଟିକେ ଚା’-ଜଳଖିଆ ଖାଇ ଆସିବ । କିନ୍ତୁ ନିଜର ଅସହାୟତା ତାକୁ ସେତିକି କରେଇ ଦିଏ ନାହିଁ । କାଳେ ଶାଶୂ କ’ଣ ଭାବିବେ ? ଇଏ ବି ଭାରି ସନ୍ଦେହୀ । ଟଙ୍କାପଇସାର ହିସାବ ମାଗିଲାବେଳେ ପାହି ପାହି ହିସାବ ବୁଝନ୍ତି । ଶାଶୂଙ୍କର ସହଜେ ଧାରଣା, ସବୁ ଟଙ୍କାପଇସା ଉଷା ତା’ ବାପଘରକୁ ପଠେଇ ଦେଉଛି । କିମିଆଁ କରି ରଖିଛି ତାଙ୍କ ପୁଅକୁ । ଏମିତି ଅବସ୍ଥାରେ ନିଶିକାନ୍ତକୁ ତା’ ଘରକୁ ଡାକିନେଲେ ସେମାନେ ଆହୁରି ସନ୍ଦେହ କରିବେ ।

 

ମଝିରେ ମଝିରେ ନିଶିକାନ୍ତ କୁଆଡ଼େ ଉଭାନ ହୋଇଯାଏ । ତା’ପରେ ଯେତେବେଳେ ଦେଖାହୁଏ ତା’ର ବାଁ କାନ୍ଧରେ କଣ୍ଡକ୍ଟର ବ୍ୟାଗ୍‌ ସାଙ୍ଗକୁ ଡାହାଣ କାନ୍ଧରେ ଝୁଲିଥାଏ ଗୋଟେ ଅଦୃଶ୍ୟ କାହାଣୀର ମୁଣା । ସେଇ ମୁଣାରୁ ସେ ଗୋଟେ ଗୋଟେ କାହାଣୀ ବାହାର କରି ଉଷା ଆଗରେ ଥୁଏ । ଉଷାର ଓହ୍ଲେଇବା ଜାଗା ଶୀଘ୍ର ଆସିଯାଏ । ବାଟ ସରିଯାଏ, ନିଶିକାନ୍ତର କାହାଣୀ ସରେ ନାହିଁ ।

 

ସ୍କୁଲ ପଢ଼ାଦିନମାନଙ୍କରେ ନିଶିକାନ୍ତ ସାଙ୍ଗରେ ଉଷାର ବେଶି ପରିଚୟ ନଥିଲା । କ୍ଲାସ୍‌ ଭିତରେ ପୁଅ ପିଲା ଝିଅ ପିଲା ଅଲଗା ଅଲଗା ବସୁଥିଲେ । ସେମାନଙ୍କର ମିଳାମିଶା ଉପରେ ଭୟଙ୍କର ବାରଣ ଥିଲା । କ୍ଲାସ୍‌ ସରିବା ଘଣ୍ଟା ବାଜିବାକ୍ଷଣି ଦୂର ଗାଁର ପିଲାମାନେ ସେ ଯାହା ଘରକୁ ଯିବା ପାଇଁ ଏତେ ବ୍ୟସ୍ତ ହୋଇ ପଡ଼ୁଥିଲେ ଯେ, ସାତ ଆଠ ମିନିଟ୍‌ ପରେ ସେମାନେ ଶାଗୁଆ ଧାନବିଲ ମଝିରେ ବିକ୍ଷିପ୍ତ ଭାବେ ବସିଥିବା ଗୋଟେ ଗୋଟେ ବଗ ପରି ଦିଶୁଥିଲେ । ସ୍କୁଲ ଅଗଣା ଫାଙ୍କା ପଡ଼ିଯାଉଥିଲା । ନିଶିକାନ୍ତ ଗରିବ ଥିଲେ ବି ଭଲ ପଢ଼ୁଥିଲା । ଉଷା ସେତେବେଳେ କହୁଥିଲା, ନିଶିକାନ୍ତ ବଡ଼ହେଲେ ଭାରତର ପ୍ରଧାନମନ୍ତ୍ରୀ ନ ହେଉ ପଛେ ଭଲ ଅଫିସର, ଲେକ୍‌ଚରର୍‌ କିମ୍ବା ଡାକ୍ତରଟେ ନିଶ୍ଚୟ ହେବ ।

 

ନିଶିକାନ୍ତ ଦିନେ କହିଲା, ତା’ ମାଲିକ କୁଆଡ଼େ ତାକୁ ଗୋଟେ ବସ୍‌ କିଣି ଦେବାକୁ ଚାହୁଁଛନ୍ତି । ତା’ ଉପରେ ସେ ଭାରି ଖୁସି, ତେଣୁ ସେ ବସଟେ କିଣିଦେବେ । ଏ କଥା କହିବାବେଳେ ତା’ ଆଖିରେ ଆନନ୍ଦ ଚିକ୍‌ମିକ୍‌ କରି ଉଠୁଥିଲା । କିନ୍ତୁ ଉଷାର ବ୍ୟାଙ୍କ୍‌ ଚାକିରି ଅଭିଜ୍ଞତା ନିଶିକାନ୍ତର କଥାକୁ ଗ୍ରହଣ କରିପାରୁ ନଥିଲା । ଏସବୁ କାରବାରରେ ସେ ଖୁବ୍‌ ସନ୍ଦେହୀ-। ସେ କହିବାକୁ ଚାହୁଁଥିଲା ଯେ, କାହା ନାଁରେ ବସ୍‌ କିଣି ଚଳେଇବା ଓ ତାକୁ ବସଟେ ଦେଇଦେବା–ଏ ଦିଇଟାଯାକ କଥା ଏକା ନୁହେଁ । ଅନେକ ଲୋକ ପର ନାଁରେ ଗାଡ଼ି-ମଟର, ଘର-ବଗିଚା ଓ ସେୟାର ସାର୍ଟିଫିକେଟ୍‌ କିଣି ରଖୁଛନ୍ତି । ତା’ ଅର୍ଥ ସେମାନେ ସେସବୁ ପରକୁ ଦେଇଦେବାକୁ ଚାହୁଁଛନ୍ତି, ନୁହେଁ । ଏସବୁ ବେନାମୀ ସମ୍ପତ୍ତି । କଳା ଟଙ୍କାକୁ ଧଳା ଟଙ୍କା କରିବାର ମଧୁର କୌଶଳ-। ନିଶିକାନ୍ତ ନାଁକୁ ମାତ୍ର ବସ୍‌ର ମାଲିକ ହୋଇ ରହିବ । ତା’ ପାଖେ କାଗଜପତ୍ର ନ ଥିବ କି ନ ଥିବ ବସ୍‌ର ଉପାର୍ଜନ । ସେସବୁ ତା’ ମାଲିକ ଅକ୍ତିଆର କରି ରଖିବ । ନିଶିକାନ୍ତ କେବଳ ଗୋଟେ ଆଳ, ବାହାନା । ଓଲଟି ସେ ବସ୍‌କୁ ନେଇ ଯେତେ ଋଣଖିଲାପ କେସ୍‌, ଆକ୍ସିଡେଣ୍ଟ୍‌ ମୋକଦ୍ଦମା କି ଗଣ୍ଡଗୋଳ ହେବ ସେସବୁ ଭିତରକୁ ନିଶିକାନ୍ତ ହିଁ ଭିଡ଼ାଯିବ । ବସ୍‌ର ଋଣ ଶୁଝା ନ ଗଲେ ହୁଏତ ନିଶିକାନ୍ତ ହିଁ ବନ୍ଧାଯିବ । ଏଠୁ ଚାକିରି ଛାଡ଼ି ସେ ଚାହିଁଲେ ବି ଆଉ କୁଆଡ଼କୁ ଯାଇପାରିବ ନାହିଁ, ଆଉ କୌଣସି ବ୍ୟାଙ୍କରୁ ଋଣ ନେଇପାରିବ ନାହିଁ । ଉଷା ଏସବୁ କଥା ନିଶିକାନ୍ତକୁ କିନ୍ତୁ କହିପାରିଲା ନାହିଁ । ହୋଇପାରେ, ନିଶିକାନ୍ତର ମାଲିକ ଜଣେ ଉଦାର ଲୋକ ହୋଇଥିବେ । ସେ ହୁଏତ ସତକୁ ସତ ସାହାଯ୍ୟ କରିବାକୁ ଚାହୁଁଥିବେ ନିଶିକାନ୍ତକୁ ।

 

ଉଷା ପାଦର ଗତି ବଢ଼େଇଲା । ଆଜି ଛୁଟି ପରେ ଅଫିସ୍‌ ଖୋଲିଛି, ବସରେ ଖୁବ୍‌ ଭିଡ଼ ହୋଇଥିବ । ନିଶିକାନ୍ତର ବସ୍‌ ଚାଲିଯାଇଥିଲେ ସେ ଛିଡ଼ା ହୋଇ ହୋଇ ଯିବ । ଟାଉନ୍‌ବସ୍‌ଗୁଡ଼ିକର ଅବସ୍ଥା ପୁଣି ଏତେ ଦୟନୀୟ ଯେ, ସେକଥା ନ କହିଲେ ଭଲ । ପୁଳାଏ ବିକୃତ ଓ ରୁଗ୍‌ଣ ମସ୍ତିଷ୍କର ଲୋକ ସବୁବେଳେ ବାଟମୁହଁଟାକୁ ଘେରି ଛିଡ଼ାହୋଇଥିବେ । ଝିଅ କି ସ୍ତ୍ରୀଲୋକଟିଏ ଦେଖିଲେ ତାଙ୍କର ବିକୃତି ବାହାରିବ । ଅଶ୍ଳୀଳ କଥାବାର୍ତ୍ତା କରିବାକୁ ଜିଭ ଖଲଖଲ ହେବ । ହାତ କହୁଣି ଓ ଆଣ୍ଠୁଗୁଡ଼ିକ ଆଉ ନିୟନ୍ତ୍ରଣରେ ରହିବେ ନାହିଁ । ବସ୍‌ର କ୍ଲିନର ଓ କଣ୍ଡକ୍ଟରମାନେ ବି ଊଣା ବଦମାସ୍‌ ନୁହନ୍ତି । ପଇସା ମାଗୁ ମାଗୁ ପିଠି କେଞ୍ଚିଦେବେ, ହାତସୁଖ ସାଧିବେ । ସେତିକିରେ ତାଙ୍କର ମନ ଶାନ୍ତି । ଏମିତି ଦୃଶ୍ୟ ଦେଖିଲେ ଉଷାର ଦେହ ଜଳିଗଲା ପରି ଲାଗେ । କେତେଥର ଭାବିଲାଣି ଆଉ ଟାଉନ୍‌ବସରେ ଯା-ଆସ କରିବ ନାହିଁ । ମହଙ୍ଗା ପଡ଼ୁ ପଛକେ ରିକ୍ସାରେ ଯିବା ଆସିବା କରିବ । କିନ୍ତୁ ମନର ନିଷ୍ପତ୍ତି କାର୍ଯ୍ୟକାରୀ କରିପାରେ ନାହିଁ । ଥରେ ଘରୁ ବ୍ୟାଙ୍କ୍‌ ଯାଏ ଗଲେ ରିକ୍ସାବାଲା ଦଶ ଏଗାର ଟଙ୍କା ନେବ । ତା’ର ହିସାବୀ ସ୍ୱାମୀ ଏ ଧରଣର ଖର୍ଚ୍ଚକୁ ଅନୁମୋଦନ କରିବେ ନାହିଁ । ସନ୍ଦେହୀ ଶାଶୂ ବିଚାରିବେ, ସେ ପଇସାତକ ବାପଘରକୁ ପଠେଇଦେଉଛି । ସବୁ କଣ୍ଡକ୍ଟର ନିଶିକାନ୍ତ ପରି ଭଦ୍ର ଓ ଅମାୟିକ ହୋଇପାରନ୍ତେ ନାହିଁ ?

 

ନିଶିକାନ୍ତର ବସ୍‌ ଆସିଗଲା । ଝରକାବାଟେ ମୁଣ୍ଡ ଗଳେଇ ନିଶିକାନ୍ତ କହିଲା, ‘ଶୀଘ୍ର ଉଠିଆସ ।’ ଉଷା କଷ୍ଟେମଷ୍ଟେ ବସ୍‌ ଭିତରକୁ ଚାଲିଆସିଲା । ଭିତରେ ଖୁବ୍‌ ଭିଡ଼ । ଖୁନ୍ଦାଖୁନ୍ଦି ମଣିଷ । କ’ଣ ଗୋଟାଏ ରାଲି ଥିଲା ରାଜଧାନୀରେ । ନିଶିକାନ୍ତ ଆଗରୁ ଆବୋରି ବସିଥିଲା ଗୋଟେ ସିଟ୍‌ । ଉଷାକୁ ଦେଖିବା ପରେ ସେ ସିଟ୍‌ରୁ ଉଠିପଡ଼ିଲା ଓ ବସିବା ପାଇଁ ଡାକିଲା । ଉଷା ସିଟଟେ ପାଇଲା ନାହିଁ ତ ଯେମିତି ରାଜ୍ୟ ଖଣ୍ଡେ । ପାଖ ଯାତ୍ରୀମାନେ ଈର୍ଷାରେ ତା’ ଆଡ଼କୁ ଚାହୁଁଥିଲେ । କିଏ କ’ଣ ଟୁପୁରୁଟାପର ହେଉଥିଲେ । ଉଷା ସେ ଆଡ଼କୁ କାନ ଦେଲା ନାହିଁ ।

 

ସେଇ ଭିଡ଼ ଭିତରେ ନିଶିକାନ୍ତ ଟିକେଟ୍‌ କାଟୁଥିଲା । ଗୋଡ଼, ଜଙ୍ଘ, କହୁଣି, ପିଠି, ଝାଳ ଓ ତମାଖୁର ଗନ୍ଧ ସବୁକୁ ଡେଇଁଡାଇଁ ସେ ଯାତ୍ରୀଙ୍କଠାରୁ ପଇସା ସଂଗ୍ରହ କରୁଥିଲା । କୋଉଠି କାହାର ବଡ଼ ବ୍ୟାଗ୍‌ଟାକୁ ଡେଇଁଯିବାବେଳେ ତା’ର ଗୋଡ଼ ଫରକଟା ହୋଇଯାଉଥିଲା ତ ହଠାତ୍‌ ଗାଡ଼ି ରହିଗଲେ ସେ ପଡ଼ି ଯାଉଯାଉ ବସ୍‌ର ରେଲିଂ ଧରି ଠିଆ ହୋଇପଡ଼ୁଥିଲା । ତା’ର ସାର୍ଟ, ପ୍ୟାଣ୍ଟ୍‌ସବୁ ମାଲଗୋଦାମ୍‌ ଟ୍ରଲିବାଲାଙ୍କ ପୋଷାକ ପରି ଲୋଚାକୋଚା ଓ ମଇଳା ଦିଶୁଥିଲା । ତା’ର ଝାମ୍ପୁରା ବାଳରେ ଅନେକ ଦିନ ହେଲା ସେ ତେଲ ଲଗେଇ ନଥିଲା ଓ ସେହିହେତୁ ରୁକ୍ଷ ଏବଂ ଟାଆଁସା ଦିଶୁଥିଲା । ତା’ କପାଳରେ କିଏ ଲଗେଇ ଦେଇଥିଲା ଲାଲ ସିନ୍ଦୂରକଲି । ହାଡ଼ୁଆ ଛାତି, ନୁଖୁରା ମୁଣ୍ଡ ଓ ସିନ୍ଦୂରକଲି ଭିତରେ ନିଶିକାନ୍ତ ଗୋଟେ ହାଡ଼ଗିଳା ତାନ୍ତ୍ରିକ ପରି ଦିଶୁଥିଲା । ଦୋହଲୁଥିବା ବସ୍‌ ଭିତର ଭିଡ଼କାଟି, କେଉଁଠି ଡାହାଣକୁ ତ କେଉଁଠି ବାଆଁକୁ ନଇଁପଡ଼ି ଓ କୋଉଠି ଡେଇଁପଡ଼ି ସେ ଟିକେଟ୍‌ କାଟି ଚାଲିଥିଲା, ପଇସା ସଂଗ୍ରହ କରୁଥିଲା ।

ଏହି ଷ୍ଟପରେ ଉଷା ଓହ୍ଲେଇବ । ବସ୍‌ଷ୍ଟାଣ୍ଡ୍‌ ପାଖ ଷ୍ଟପେଜ୍‌ଟା ହୋଇଥିବାରୁ ଏଇଠି ନିଶିକାନ୍ତର ବସ୍‌ ପାଞ୍ଚ ମିନିଟ୍‌ ରହେ । ଅଧିକ ଲୋକ ଓହ୍ଲାନ୍ତି ଏଇଠି । ବସ୍‌ ଛିଡ଼ା ହେବାକ୍ଷଣି ପ୍ରଥମେ କ୍ଲିନର୍‌ ଓ ତା’ପରେ ନିଶିକାନ୍ତ ଓହ୍ଲେଇଗଲା । ନିଶିକାନ୍ତକୁ ସେଇଠି ଅପେକ୍ଷା କରି ରହିଥିଲା ଗୋଟେ କଳା ଓ ମୋଟା ମଣିଷ । ପିନ୍ଧିଥିଲା ସିଲ୍‌କ ପଞ୍ଜାବି ଓ ଟ୍ରାଉଜର୍‌ । ନିଶିକାନ୍ତକୁ ଦେଖିବାକ୍ଷଣି ସେ ଲୋକଟା ଚଦି ଆସିଲା ଓ ତା’ର ଗୋଟାଏ ହାତ ଧରି ତାକୁ ଘୋଷାରି ନେଲା ରାସ୍ତାଧାରକୁ ।

ଉଷା ପଛେ ପଛେ ଆସୁଥିଲା । ଏ ଘଟଣା ଦେଖି ସେ ସ୍ତବ୍ଧ ହୋଇଗଲା ।

ଲୋକଟା ଚିତ୍କାର କରିଉଠିଲା, ‘ହଇରେ ଶଳା, ଭୋଷଡ଼ି, ତୋ ମାଆ..., ଶଳା ତୋର ଏତେ ସାହସ ! କଲେଜଛକରୁ ସେ ଝିଅ ଦିଇଟାଙ୍କୁ କାହିଁକି ଉଠେଇଲୁ ନାହିଁ ବେ ? ଜାଣିଛୁ ନା ନାଇଁ, ସେମାନେ ସବୁବେଳେ ଏଇ ବସରେ ଆସନ୍ତି... ।’

ଉଷା କାନରେ ହାତ ଦେଇଦେଲା । ତା’ ହାତରୁ ପର୍ସ ଓ ପର୍ସ ଭିତରୁ ଖୁଚୁରା ପଇସାଗୁଡ଼ା ଝଣଝଣ କରି ବିଛାଡ଼ି ହୋଇଗଲା ରାସ୍ତା ଉପରେ । ଆଖି ସାମ୍ନାରେ ଗୋଟେ ସୁନ୍ଦର ପୃଥିବୀ ଭୂମିକମ୍ପର ପ୍ରଚଣ୍ଡ ଆଘାତରେ ଭାଙ୍ଗିରୁଜି ଖଣ୍ଡ ଖଣ୍ଡ ହୋଇ ଖସିପଡ଼ୁଥିଲା ଯେମିତି ।

ଲୋକଟାର ପାଟି ବନ୍ଦ ହୋଇ ନଥିଲା । ସେ ଏବେ ଆହୁରି ଜୋରରେ ଚିତ୍କାର କରୁଥିଲା, “ଶଳା, ତୋ’ଠିଁ ରଡ୍‌ ପୂରେଇ ପଇସା ଆଦାୟ କରିବି । ସତିଆ ଦେଖଉଛୁ । ଚୋର ! ଖଣ୍ଟ ! ଶଳା ସେଇଥିପାଇଁ ତୋତେ ଦଶଥର ବାହାର କରିସାରିଲିଣି । ପୁଣି ଆସି ମାମଲତିକାରି ଦେଖଉଛୁ ?”

ନିଶିକାନ୍ତ ମୁଣ୍ଡ ତଳକୁ କରି, ରାସ୍ତାଦେହରେ ଆଖି ମିଶେଇଦେଇ କ’ଣ ସବୁ ଭଙ୍ଗା ଭଙ୍ଗା ଗଳାରେ କହୁଥିଲା । ସେଥିରୁ କିଛି କିଛି ଶବ୍ଦ ଶୁଣିପାରୁଥିଲା ଉଷା । “ଭିଡ଼...ଟିକେଟ୍‌ ପଇସା ଆଦାୟ କରୁଥିଲି...ଭୁଲ ହୋଇଛି... ।”

ଉଷା ଅପେକ୍ଷାରତ ବସ୍‌ଗୁଡ଼ିକର ଘର୍‌ଘର୍‌ ଇଞ୍ଜିନ୍‌ ଶବ୍ଦ, ରିକ୍ସାମାନଙ୍କର ଟିଣ୍‌ଟାଣ୍‌ କି ଲୋକଙ୍କ ହୋହଲ୍ଲା କିଛି ଶୁଣିପାରୁ ନଥିଲା । ସେ ଦାରୁଭୂତ ପରି ଛିଡ଼ାହୋଇ ସେଇ ଦୁର୍ଦ୍ଦାନ୍ତ ଲୋକଟାକୁ କେବଳ ଦେଖୁଥିଲା । ଲୋକଟା ତୁଣ୍ଡରୁ ଖଇ ଫୁଟିଲା ପରି ଅଶ୍ଳୀଳ ଶବ୍ଦଗୁଡ଼ାକ ଖେଳେଇ ହୋଇପଡ଼ୁଥିଲା । ତା’ର ହାତମୁଠା ବରାବର ଉଠିଯାଉଥିଲା ନିଶିକାନ୍ତର ମୁହଁ ପର୍ଯ୍ୟନ୍ତ । ନିଶିକାନ୍ତ ମୁହଁ ଘୁଞ୍ଚେଇ ଆଣି ଅଳ୍ପକେ ନିଜକୁ ବଞ୍ଚେଇ ନେଉଥିଲା ।

ଏହା ଭିତରେ ଅନେକଦିନ ହେଲା ନିଶିକାନ୍ତ ସାଙ୍ଗରେ ଦେଖା ହୋଇନାହିଁ ଉଷାର । ଜାଣି ଜାଣି ସାଢ଼େ ପାଞ୍ଚଟା ବେଳର ସେହି ବସ୍‌ଟାକୁ ଆଡ଼େଇ ଆସିଛି ଉଷା । ସେ ବସ୍‌ର ମାଲିକ ଶାସକଦଳର ନେତା । ତା’ର ଚାରିଟା ବସ୍‌ ଓ ତିନିଟା ସ୍ତ୍ରୀ । ତା’ ହାତରେ ସାତଟା ମଦଭାଟି ଓ ସହରର ଅନେକ କୁଖ୍ୟାତ ଗୁଣ୍ଡା । ସେ ଯାହା ଇଚ୍ଛା ତାହା କରିପାରିବ । ନିଶିକାନ୍ତକୁ ସେ ଗାଳିଦେବ, ମାରିବ ଏପରିକି ମାରିଦେଇପାରିବ । ଉଷା ସେସବୁ ସାମ୍ନା କରିପାରିବ ନାହିଁ ।

ହଠାତ୍‌ ଦେଖା ହୋଇଗଲା ନିଶିକାନ୍ତ ସାଙ୍ଗରେ । କିଛି କହିବା ଆଗରୁ ଉଷା ସେ ବସ୍‌ଟା ଭିତରକୁ ଉଠିଯାଇଥିଲା । ବସ୍‌ଟା ଫାଙ୍କା ଥିଲା । ଉଷା ନିଶିକାନ୍ତ ଆଡ଼କୁ ଆଗେଇଯାଇ ଦି’ ଟଙ୍କିଆ ନୋଟଟେ ବଢ଼େଇଦେଲା । କହିଲା, “ନିଅ, ଟିକେଟ୍‌ ପଇସା ।”

ନିଶିକାନ୍ତ ନିରବ ରହିଲା ।

 

ଉଷା ମୁହଁ ଖୋଲିଲା, ‘କାହିଁକି ସେ ଲୋକଟା କଥା ମାନି ଚଳୁନାହଁ ନିଶିକାନ୍ତ ? କାହିଁକି ତମେ ଏତେ ହଇରାଣ ହଉଛ ? ନିଅ, ଏ ପଇସା । ମୋଠୁଁ ନ ନେଲେ ତମେ କୁଆଡ଼ୁ ଆଣି ଭରଣା କରିବ ?”

 

ନିଶିକାନ୍ତର ଆଖି ଛଳଛଳ ହୋଇଯାଇଥିଲା । ତା’ର ଝାମ୍ପୁରା ବାଳ, ସିନ୍ଦୂରକଲି ଓ ରୁଢ଼ିଆ ମୁହଁର ଚେହେରା ଭିତରେ ଓଦା ଆଖି ଦୁଇଟି ବେଖାପ ଦିଶୁଥିଲା । ସେ ଉଷା ପାଖକୁ ଟିକିଏ ଘୁଞ୍ଚିଆସି କହିଲା, “ଇଏ ଗାଳିମନ୍ଦ ଏବେ ଅଭ୍ୟାସରେ ପଡ଼ିଗଲାଣି, ଆଉ କିଛି ଲାଗୁନାହିଁ । ତମଠୁଁ ଦି’ ଟଙ୍କା ନେଇଗଲେ ବି ଏ କଥାସବୁ ଶୁଣିବାକୁ ପଡ଼ିବ । ତମେ ବଡ଼ ଚାକିରି କରିଛ, ଭଲରେ ଅଛ । ତମକୁ ମୁଁ କ’ଣ ବା ଦେଇପାରିବି ? ମାଲିକ ଗାଳିଦେଲା ବୋଲି କ’ଣ ଗାଁ ପିଲାଟାଠାରୁ ବି ମୁଁ ଟଙ୍କେ ଦି’ ଟଙ୍କା ହାତ ବଢ଼େଇ ନେବି ? ସେଦିନ କଥା ମୁଁ ଭୁଲିଗଲିଣି । ପାରିବ ଯଦି, ତମେ ବି ଭୁଲିଯାଅ ।”

 

କ୍ଲିନର ପିଲାଟି ହ୍ୱିସିଲ୍‌ ବଜଉଥିଲା । ଏଇଠୁ ନିଶିକାନ୍ତର ବସ୍‌ ମୋଡ଼ ବୁଲି ପୁଣି ସହର ଭିତରକୁ ଯିବ ।

𗰵𗰵𗰵

 

ଗୁଡ଼ି

 

ମେଘମୁକ୍ତ ଉଜ୍ଜ୍ୱଳ ଆକାଶର ପିଠିରେ ଗୁଡ଼ିଟିର ଉଡ଼ାଣ ଦିଶୁଥିଲା ଚମତ୍କାର । ଦିଗ୍‌ବଳୟର ଧାରେ ଧାରେ ନଡ଼ିଆ ଓ ତାଳଗଛମାନଙ୍କର ଚେହେରା ଦିଶୁଥାଏ ପ୍ରାର୍ଥନା ସଭାରେ ନତମସ୍ତକ ଭକ୍ତମାନଙ୍କ ପରି । ପ୍ରଥମେ କଣ୍ଟାବୁଦା, ଚମ୍ପା ଓ ଚାକୁଣ୍ଡା, ତା’ପରେ ବର, ଅଶ୍ୱତ୍‌ଥ, ଝାଉଁ ଏବଂ ଶେଷରେ ତାଳ ଓ ନଡ଼ିଆ ଗଛର ଉଚ୍ଚତାକୁ ଟପି ଗୁଡ଼ିଟି ଏବେ ଆକାଶକୁ ଛୁଇଁବା ପାଇଁ ଧାଉଁଥିଲା । ପୋଖତ ଗୁଡ଼ି ଉଡ଼ାଳି କେହି ଲଟେଇର ସବୁଯାକ ସୂତା ଛାଡ଼ି ଦେଇଛି । ପବନ ବି ଅନୁକୂଳ ଅଛି ସହରର ଏଇ ମୋଡ଼ଟାରେ । ଗୁଡ଼ିଟି ଖୁବ୍‌ ଉଚ୍ଚରେ ଉଡ଼ୁଛି, ସଫେଦ ବଉଦ ଓ ଉଡ଼ାଣଖୋର ଚଢ଼େଇମାନଙ୍କ ସ୍ପର୍ଦ୍ଧାକୁ ଅସ୍ୱୀକାର କରି ।

ଗୁଡ଼ିଟିଏ ହେଉ କି ହେଉ ଚଢ଼େଇଛୁଆ, ଉପରକୁ ଉଠିବାର ମୁଦ୍ରା ଦୀପ୍ତିପ୍ରକାଶଙ୍କୁ ସବୁବେଳେ ଆନନ୍ଦ ଦିଏ । ସେ ସେମାନଙ୍କୁ ନିଃସର୍ତ୍ତ ପୃଷ୍ଠପୋଷକତା ଯୋଗାଇ ଦିଅନ୍ତି ମନେ ମନେ । ସେଇଥିପାଇଁ ଅପରିଚିତ କେଉଁ କିଶୋରର ଏହି ଗୁଡ଼ିଟି ତାଙ୍କୁ ଆତ୍ମସନ୍ତୋଷ ଦେଉଥିଲା ।

ଫାୟାରଷ୍ଟେସନ୍‌ ଘଣ୍ଟାରେ ଚାରିଟା ବାଜିଲା । ଦୀପ୍ତିପ୍ରକାଶ ଗୁଡ଼ିରୁ ଆଖି ଫେରାଇ ଆଣି ରାସ୍ତାକୁ ଚାହିଁଲେ । ଏପର୍ଯ୍ୟନ୍ତ ଲୁସି ପହଞ୍ଚି ନାହିଁ । ଅଥଚ ଏତେ ବିଳମ୍ବ ହେବାର କିଛି କାରଣ ନଥିଲା । ବାଟରେ କିଛି ଅସୁବିଧା ହେଲା ନାହିଁ ତ ?

ଦୀପ୍ତିପ୍ରକାଶ ଆଉ ଥରେ ଲୁସିର ଚିଠିଟି ଆଣି ପଢ଼ିଲେ । ତାରିଖ ଓ ଟ୍ରେନ୍‌ ନମ୍ବର ତନଖି ଦେଖିଲେ ଏବଂ ପୁଣି ବ୍ୟସ୍ତ ହୋଇପଡ଼ିଲେ । ଲୁସି ଦିଲ୍ଲୀରୁ ଚିଠି ଲେଖିଛି । ଏଥର ଦୀପ୍ତିପ୍ରକାଶଙ୍କୁ ସେ ସର୍‌ପ୍ରାଇଜ୍‌ ଦେବ । ଆଜି ଉପରଓଳି ତିନିଟା ସୁଦ୍ଧା ସେ ଆସି ପହଞ୍ଚୁଛି ।

ଅପେକ୍ଷାର ପର୍ବ ସବୁଠୁ ଯନ୍ତ୍ରଣାଦାୟକ । ଷ୍ଟେସନ୍‌କୁ ଚାଲି ଯାଇଥିଲେ ଭଲ ହୋଇଥାଆନ୍ତା । କିନ୍ତୁ ନିଜେ ଗାଡ଼ି ଚଳାଇବା ଆଉ ସମ୍ଭବ ହେଉ ନାହିଁ । ତା’ଛଡ଼ା ଲୁସି ବାରମ୍ବାର ବାରଣ କରିଥିଲା ଷ୍ଟେସନ୍‌ ଯିବାକୁ ।

 

ଅନେକ ଦିନ ହେଲାଣି ଲୁସିକୁ ସେ ଦେଖି ନାହାନ୍ତି । ଗୋଟିଏ ବୋଲି ଝିଅ, ସେ ପୁଣି ଏତେ ଦୂରରେ ଯେ ଚିଠିଟେ ତା’ ପାଖରୁ ଆସି ପହଞ୍ଚିବାକୁ ପାଞ୍ଚ ଦିନ ଲାଗିଯାଉଛି । ଦୀପ୍ତିପ୍ରକାଶଙ୍କ ଏକଲା ଜୀବନ ଲୁସିର ଅନୁପସ୍ଥିତିରେ ଦୁର୍ବିସହ ହୋଇପଡ଼େ ।

 

କିନ୍ତୁ କି ସର୍‌ପ୍ରାଇଜ ଦେବ ଲୁସି ତାଙ୍କୁ ? ଖୁସିର ଖବର ନା ଦୁଃଖର ଖବର ? ଭିତରେ ଭିତରେ ଟିକେ ଶଙ୍କି ଯାଇଥିଲେ ଦୀପ୍ତିପ୍ରକାଶ । ଚାକିରି ଖବର ? କୌଣସି ସମ୍ମାନ ପ୍ରାପ୍ତିର ଖବର ନା ବିଦେଶର କୌଣସି ବିଶ୍ୱବିଦ୍ୟାଳୟରୁ କିଛି ଗୋଟେ ଫେଲୋସିପ୍‌ ପାଇବାର ଖବର ? ଦିଲ୍ଲୀ କ’ଣ ଯଥେଷ୍ଟ ଦୂର ହୋଇ ନାହିଁ ଯେ ଆହୁରି ଦୂର ଜାଗା ଯିବା ପାଇଁ ଲୁସି ଚାହିଁବ ? ନା, ନା, ଢେର୍‌ ପାଠପଢ଼ା ହେଲାଣି । ଏଥର ଲୁସି ଆସିଲେ ସେ ଆଉ ତାକୁ ଛାଡ଼ିବେ ନାହିଁ । ଏମ୍‌.ଏ. ତ ସରିଗଲା, ଆଉ ପୁଣି ପାଠ କ’ଣ ?

 

ଲୁସିର କଥା ମନେପଡ଼ିଲେ ଦୀପ୍ତିପ୍ରକାଶ କେମିତି ସ୍ୱାର୍ଥପର ହୋଇପଡ଼ନ୍ତି । ସବୁବେଳେ ଲାଗେ, ଲୁସି ଯେମିତି ତାଙ୍କଠାରୁ ଦୂରେଇ ଯାଉଛି । ତାଙ୍କର ସୁଖ କି ଦୁଃଖ ବାଣ୍ଟିବା ପାଇଁ ପାଖରେ କେହି ଜଣେ ନାହିଁ । ସେ ନିହାତି ଏକଲା ମଣିଷଟିଏ, ରାସ୍ତା ଓ ଆକାଶକୁ ଚାହିଁ ବସିଛନ୍ତି ଅପେକ୍ଷା ମୁଦ୍ରାରେ ।

 

ଆକାଶର ଗୁଡ଼ିଟା କାହିଁ ଦିଶୁ ନାହିଁ । ପବନର ବେଗ ଟିକିଏ ବଢ଼ିଯାଇଛି । ଗୁଡ଼ିଟି ହୁଏତ ଓହ୍ଲାଇ ଆସିଥିବ ତଳକୁ ନ ହେଲେ ଲାଖିଯାଇଥିବ କୋଉ ଗଛ ଡାଳରେ ।

 

ଗୁଡ଼ିମାନଙ୍କର ଭାଗ୍ୟ ତ ଏଇଆ ।

 

ଦୀପ୍ତିପ୍ରକାଶ ଘର ଭିତରକୁ ଗଲେ । ଲୁସିର ଚିଠିଟିକୁ ଧରି ପୁଣି ଫେରି ଆସିଲେ ବାରନ୍ଦାକୁ ଓ ଚଉକି ଉପରେ ଦେହ ଅଜାଡ଼ି ବସିଲେ ।

 

ଦିନେ ଲୁସି ବାହାହୋଇ ଚାଲିଯିବ । ଝିଅ ଉପରୁ ଅଧିକାର ହରେଇ ବସିବେ । ତା’ପରେ ସେ ହୋଇପଡ଼ିବେ ସମ୍ପୂର୍ଣ୍ଣ ଏକଲା । ଲୁସି ପାଖରେ ନଥିଲେ ବି ଏବେ ସେ ତାଙ୍କ ହେପାଜତରେ ଅଛି । ବାହାହୋଇ ଗଲାପରେ ତାଙ୍କର କିଛି କର୍ତ୍ତୃତ୍ୱ ରହିବ ନାହିଁ ଝିଅ ଉପରେ । ରୋଗ ଶେଯରେ ପଡ଼ିଥିଲେ ବି ଲୁସି ତା’ ବର ଓ ଶାଶୂଶ୍ୱଶୁରଙ୍କ ଅନୁମତି ବିନା ତାଙ୍କୁ ଦେଖିବା ପାଇଁ ଆସି ପାରିବ ନାହିଁ ।

 

କ’ଣ କ୍ଷତି ହୁଏ ଲଟେଇର ସୂତା ଛିଣ୍ଡି ଗୁଡ଼ିଟି ଉଡ଼ିଗଲେ ଗୁଡ଼ି ଉଡ଼ାଉଥିବା କିଶୋରର-? କ’ଣ କ୍ଷତି ହୁଏ ତା’ ଅବର୍ତ୍ତମାନରେ ଗୁଡ଼ିଟି ତା’ କଥା ମନେପକେଇଲେ ବା ନ ପକେଇଲେ-? କିଛି ହୁଏ ନାହିଁ । ସବୁ ଠିକ୍‌ଠାକ୍‌ ଚାଲିଥାଏ ଏଇ ପୃଥିବୀରେ । କାହାରିକୁ କେହି ଅପେକ୍ଷା କରେ ନାହିଁ ।

 

ତେବେ ଆସନ୍ନ ନିଃସଙ୍ଗତା ପାଇଁ ଆଜି, ଜୀବନର ଏ ଉତ୍ତୀର୍ଣ୍ଣ ବୟସରେ ଏ ପ୍ରକାର ଭୟ କାହିଁକି ? ଅତୀତ ପାଇଁ ପଶ୍ଚାତ୍ତାପ କାହିଁକି ? ଲୁସିଠାରୁ ଏତେ ବେଶି ପ୍ରତ୍ୟାଶା କାହିଁକି ?

 

ଦୀପ୍ତିପ୍ରକାଶ ଚମକି ପଡ଼ିଲେ । ଏସବୁ ତାଙ୍କ ମନର ପ୍ରଶ୍ନ ନୁହେଁ । ଏସବୁ ସୁମିତ୍ରାର ପ୍ରଶ୍ନ । ସୁମିତ୍ରା ଠିକ୍‌ ଏହିପରି ଢଙ୍ଗରେ ପ୍ରଶ୍ନ ପଚାରି ତାଙ୍କୁ ଅସହାୟ କରିଦେଉଥିଲା । ଆଜି ଏତେ ବର୍ଷପରେ ସୁମିତ୍ରା କିପରି ପଶିଆସିଲା ତାଙ୍କ ମନର ନିବୁଜ ଦେଉଳକୁ ?

 

: ମୋତେ କ୍ଷମା କରିଦିଅ ସୁମିତ୍ରା । ତୁମେ ମୋ ଅସହାୟତା ବୁଝି ପାରି ନଥାନ୍ତ । ଗୋଟେ ବିଧବା ମା’ର ଅନୁରୋଧ ଏଡ଼ିଯିବା ଏତେ ସହଜ ନୁହେଁ ସୁମିତ୍ରା ! ପୁଅଟେ ହେବାରେ ବି ଅନେକ ଜଞ୍ଜାଳ ଅଛି । କଷ୍ଟ ଅଛି । ବାଧ୍ୟବାଧକତା ଅଛି ।

 

ଠିକ୍‌ ଠିକ୍‌ ମନେ ଅଛି ସେଦିନମାନଙ୍କର କଥା । ସୁମିତ୍ରା ଓ ଦୀପ୍ତିପ୍ରକାଶ ଉଭୟେ ସ୍ୱପ୍ନ ଦେଖିଥିଲେ । ମିଳିତ ଭାବରେ ଗୋଟେ ଭିନ୍ନ ପୃଥିବୀର ନକ୍‌ସା ଆଙ୍କିଥିଲେ । ପରସ୍ପରକୁ କଥା ଦେଇଥିଲେ, ଛାଇଲେଉଟା ଗୋଟେ ଅପରାହ୍‌ଣରେ । ନିରବ ନିଶୂନ୍‌ ଥିଲା ପରିବେଶ, କୋଉଠି ଡାହୁକଟେ କି ବଣିଟିଏ ବି ରାବୁ ନ ଥିଲା–ଉଭୟେ ଉଭୟଙ୍କ ପାଇଁ ଅପେକ୍ଷା କରିବେ ।

 

ସୁମିତ୍ରା ଅପେକ୍ଷା କଲା । ଦୀପ୍ତିପ୍ରକାଶ ଅପେକ୍ଷା କରିପାରିଲେ ନାହିଁ । କାହାକୁ କଥାଦେବା ନିମନ୍ତେ ବି ଲୋଡ଼ା ଯେଉଁ ନ୍ୟୂନତମ ଯୋଗ୍ୟତା, ସେତକ ଯୋଗ୍ୟତା ହାସଲ କରିପାରି ନଥିଲେ ଦୀପ୍ତିପ୍ରକାଶ । ଦୀପ୍ତିପ୍ରକାଶ କହିଥିଲେ, ଆମେ ସେ ନକ୍‌ସାକୁ ଚିରି ଫିଙ୍ଗିଦେବା ସୁମିତ୍ରା । ମୁଁ ନାଚାର । ମୋତେ ଭୁଲ୍‌ ବୁଝିବ ନାହିଁ ।

 

କାଗଜ ଖଣ୍ଡିକୁ ଯେତେ ଟୁକୁଡ଼ା ଟୁକୁଡ଼ା କଲେ ବି ତାହା ପୃଥିବୀରୁ ଉଦ୍ଭାନ୍‌ ହୋଇଯାଏ ନାହିଁ । ସେଇ ଟୁକୁଡ଼ାମାନେ ହିଁ ବିପର୍ଯ୍ୟୟର ଶହ ଶହ କରୁଣ ସ୍ମୃତି ହୋଇ ବରାବର ଫେରି ଆସନ୍ତି ମଣିଷ ପାଖକୁ । ‘ତମେ ତେଣୁ ଯାଅ ଦୀପ୍ତି, ସବୁପ୍ରକାର ଗ୍ଳାନି ଓ ଅପରାଧବୋଧରୁ ମୁକ୍ତ ହୋଇଯାଅ । ମାଆଙ୍କ କଥାମାନି ସଂସାର ବସାଅ ।’–ସୁମିତ୍ରା କହିଥିଲା ।

 

ଦୀପ୍ତିପ୍ରକାଶ ଫେରି ଆସିଥିଲେ । ସୁମିତ୍ରା ଫେରି ଯାଇଥିଲା । କିନ୍ତୁ ସୁମିତ୍ରା ବି ଦୀପ୍ତିପ୍ରକାଶଙ୍କ ପରି ବାହା ହୋଇପାରିଥାନ୍ତା । କାହିଁକି ସୁମିତ୍ରା ରହିଗଲା ଏମିତି ଚିରକୁମାରୀ ହୋଇ ?

 

କେତେଥର ସାହସ ସଂଗ୍ରହ କରିଛନ୍ତି ଦୀପ୍ତିପ୍ରକାଶ, ସୁମିତ୍ରାକୁ ଏକଥା ପଚାରିବେ । ନିଜଆଡ଼ୁ କ୍ଷମା ପ୍ରାର୍ଥନା କରିବେ । କିନ୍ତୁ କୌଣସି ପ୍ରଶ୍ନ ପଚାରିବା ପାଇଁ ଅବକାଶ ଦେଇନାହିଁ ସୁମିତ୍ରା ।

 

ଯେଉଁଦିନ ଲୁସିର ମା’ ଦୁଇଦିନର ଲୁସିକୁ ନର୍ସିଂହୋମରେ ଛାଡ଼ିଦେଇ ଆଖି ବୁଜିଦେଲା ସେଦିନ ଦୀପ୍ତିପ୍ରକାଶ ଆତଙ୍କିତ ହୋଇ ଉଠିଥିଲେ । ଇଏ କ’ଣ ସୁମିତ୍ରାର ଅଭିଶାପ ? ଲୁସିକୁ କୋଳରେ ଜାକିଧରି ସେଦିନ ସେ କୋଉଠି ଲୁଚିଯିବାକୁ ଚାହୁଁଥିଲେ । ତାଙ୍କର ଆଶଙ୍କା ହୋଇଥିଲା, ସୁମିତ୍ରାର ଅଭିଶାପ ତାଙ୍କୁ ଶାନ୍ତିରେ ରହିବାକୁ ଦେବ ନାହିଁ ।

 

ଅଥଚ ସମ୍ପର୍କର ପାଞ୍ଚ ବର୍ଷ ଭିତରେ ସୁମିତ୍ରା କୌଣସି ଦିନ କୌଣସି ସର୍ତ୍ତ ରଖି ନଥିଲା-। କିଛି ଚାହିଁ ନ ଥିଲା ଦୀପ୍ତିପ୍ରକାଶଙ୍କ ପାଖରୁ । ଦୀପ୍ତିପ୍ରକାଶ ହିଁ ନିଜ ଆଡ଼ୁ ବିବାହର ପ୍ରସ୍ତାବ ଦେଇଥିଲେ, ପୁଣି ନିଜ ଆଡ଼ୁ ତାହାକୁ ପ୍ରତ୍ୟାହାର କରି ଆଣିଥିଲେ ।

 

ଲୁସିର ମା’ ମରିଯିବା ପରେ ଦୀପ୍ତିପ୍ରକାଶ ଅନେକ ସାହସ ସଞ୍ଚୟ କରି ଥରେ ସୁମିତ୍ରାକୁ ଭେଟିବାର ମାନସିକ ପ୍ରସ୍ତୁତି କରିଥିଲେ । ସୁମିତ୍ରା ଯେ ତାଙ୍କର ପ୍ରସ୍ତାବ ଗ୍ରହଣ କରିବ ଏ ନେଇ ଅବଶ୍ୟ ତାଙ୍କର ବିଶ୍ୱାସ ନ ଥିଲା; ବରଂ ଆଶଙ୍କା ଥିଲା ସୁମିତ୍ରା ହୁଏତ ଭାବିବ ଯେ ଦୀପ୍ତିପ୍ରକାଶ କେବଳ ବିଛଣା ସାଙ୍ଗଟିଏ ଖୋଜୁଛି । ତା’ ନ ହେଲେ ଲୁସି ଥାଉ ଥାଉ ଦୀପ୍ତିପ୍ରକାଶ ସୁମିତ୍ରାଠାରୁ କ’ଣ ଲୋଡ଼ୁଛନ୍ତି ? ନିଜ ଝିଅ ପାଇଁ ଆୟା ନା ଅବସର ସଙ୍ଗିନୀ !

 

ସେଦିନ ଲୁସି ବଡ଼ ହେଇ ନଥିଲା । ନିଜର ବୟସ ବି ବେଶି ହୋଇ ନଥିଲା । ବନ୍ଧୁ ଓ ଆତ୍ମୀୟଙ୍କ ସହାନୁଭୂତି ଥିଲା । ଭୁଲ୍‌ଟିଏ ସଂଶୋଧନ କରିବାର ସମୟ ଅତିକ୍ରାନ୍ତ ହୋଇଯାଇ ନଥିଲା । ତା’ ସତ୍ତ୍ୱେ ସେ କାହିଁକି ଅପେକ୍ଷମାଣା ସୁମିତ୍ରାକୁ ଗ୍ରହଣ କରିପାରିଲେ ନାହିଁ ପତ୍ନୀ ରୂପେ-? କାହିଁକି ସୁମିତ୍ରାକୁ ତା’ର ପ୍ରାପ୍ୟ ଫେରେଇ ଦେଇ ପାରିଲେ ନାହିଁ ଦୀପ୍ତିପ୍ରକାଶ ? ନା, ଲୁସି ସେଦିନ ଛିଡ଼ା ହୋଇଥିଲା ଦୀପ୍ତିପ୍ରକାଶ ଓ ସୁମିତ୍ରାଙ୍କ ସମ୍ପର୍କ ମଝିରେ ପ୍ରଶ୍ନବାଚୀଟିଏ ହୋଇ-

 

ଲୁସିର ଚିଠି ଭିତରୁ ଏକୋଇଶି ବର୍ଷ ତଳର କାନ୍ଦୁରା କୁନି ପିଲାର ମୁହଁଟେ ଭାସି ଉଠୁଥିଲା । ସେଦିନ ଲୁସି କିଛି କହି ନଥିଲା । କେବଳ ତା’ ମା’ର ଫଟୋଟିକୁ ଅଲଗା କରି ସ୍କୁଲ ବ୍ୟାଗରେ ଲୁଚେଇ ଦେଇଥିଲା ।

 

ଖୁବ୍‌ ଦୁର୍ବୋଧ୍ୟ ଲାଗିଥିଲା ସେଦିନ ଏଇ ଲୁସିର ବ୍ୟବହାର । ଏ ଯେମିତି ଲୁସି ନୁହେଁ, ଲୁସି ଭିତରେ ଲୁଚି ରହିଥିବା ତା’ ମା’ର ଅଭିମାନ । ମଣିଷ କେତେ ଦୁର୍ବଳ, କେତେ ଅସହାୟ ! ଆପଣାର ଇଚ୍ଛା ବୋଲି କିଛି ନାହିଁ ?

 

ସେ ସବୁ ଏବେ ଇତିହାସ । ଲୁସିର ନିଷ୍ପତ୍ତି ସେଦିନ ହୋଇପଡ଼ିଥିଲା ଦୀପ୍ତିପ୍ରକାଶଙ୍କର ନିଷ୍ପତ୍ତି । ଜିଇବା ପାଇଁ ଗୋଟିଏ କିଛି ଅବଲମ୍ବନ ଦରକାର, ଆବଶ୍ୟକ ଗୋଟିଏ ଅର୍ଥପୂର୍ଣ୍ଣ ବାହାନା । ଲୁସି ଥିଲା ସେହି ବାହାନା, ଅବଲମ୍ବନ ।

 

ଅଥଚ ପଚିଶ ବର୍ଷ ଭିତରେ ଅନୁଭବ କରି ନ ଥିବା ଏ ନିଃସଙ୍ଗତା ଆଜି ତାଙ୍କୁ ଏକଲା ପାଇ କାହିଁକି ଗୋଡ଼େଇ ଆସୁଛି ? ଦୁର୍ବଳ ଦୀପ୍ତିପ୍ରକାଶ ଠିଆ ହୋଇପଡ଼ି ସବୁଯାକ ସ୍ୱିଚ୍‌ ଅନ୍‌ କରିଗଲେ ଗୋଟିକ ପରେ ଗୋଟିଏ । ଉଜ୍ଜ୍ୱଳ ଆଲୋକରେ ଅନ୍ଧାର ହଜିଗଲା । ଦୀପ୍ତିପ୍ରକାଶ ବାରନ୍ଦାକୁ ଫେରିଆସି ଚୌକିରେ ବସିପଡ଼ିଲେ । ଲୁସିକୁ ଅପେକ୍ଷା କରି ରହିଲେ ।

 

ପଚିଶ ବର୍ଷ ହେଲା ତାଙ୍କର କେବଳ ଦୁଇଟି ହିଁ ଉଦ୍ଦେଶ୍ୟ ଥିଲା ଜିଇବାର । ଗୋଟିଏ ଲୁସି, ଆରଟି ଚାକିରି । ଚାକିରି ସରିଯାଇଛି । ତା’ପରେ କେବଳ ଲୁସି । ଲୁସି ବ୍ୟତିରେକେ ତାଙ୍କର ବଞ୍ଚି ରହିବାର ଆଜି କୌଣସି ଅର୍ଥ ହିଁ ନାହିଁ ।

 

ଲୁସିର ସ୍କୁଲ, ତା’ର ପାଠପଢ଼ା, ତା’ର ପୋଷାକ, ତା’ର ଉତ୍ସବ, ଜନ୍ମଦିନ, ପରୀକ୍ଷା, ଖେଳ, ବହିପତ୍ରର ବରାଦ, ସାଙ୍ଗସାଥୀ, ତା’ର ଇଚ୍ଛା ଆଗ୍ରହ ଏହି ସବୁ ଦୀପ୍ତିପ୍ରକାଶଙ୍କ ଜୀବନ କ୍ୟାଲେଣ୍ଡରର ଚିହ୍ନିତ ତାରିଖ । ଲୁସି ଏବେ ବଡ଼ ହେଇଯାଇଛି । ପଢ଼ା ସାରିଦେଇଛି । ଏବେ ସେ ଘରକୁ ଫେରିଆସୁ । ମନଭର୍ତ୍ତି କରି ତାକୁ ଦେଖିବେ । ତାରି ଭିତରେ ଖୋଜିବେ ନିଜର ଯୌବନ ଓ ଜୀବନ । ନିଜର ଜୟ, ପରାଜୟ । ନିଜର ଅଶ୍ରୁ ଓ ଅସହାୟତା । କେମିତି ଲୁହ ଓ କୋହକୁ ଧରି ଖେଳେଇଛନ୍ତି, ମୁହୂର୍ତ୍ତକ ପାଇଁ ତାକୁ ମା’ର ଅଭାବ ଚିନ୍ତା କରିବାକୁ ଦେଇନାହାନ୍ତି, ତା’ର କୌଣସି ଇଚ୍ଛାକୁ ଅପୂର୍ଣ୍ଣ ରଖି ନାହାନ୍ତି ।

 

ଟେଲିଫୋନ୍‌ ବାଜି ଉଠିଲା । ବଡ଼ ଶଙ୍କିତ ଭଙ୍ଗୀରେ ରିସିଭର୍‌ ଉଠେଇଲେ ଦୀପ୍ତିପ୍ରକାଶ । ସେପଟେ ଲୁସିର ଉଚ୍ଚାଟିତ ସ୍ୱର । ମୁଁ ଲୁସି କହୁଛି ବାବା । ଟ୍ରେନ୍‌ ଛଅ ଘଣ୍ଟା ଲେଟ୍‌ ଥିଲା । ଏବେ ଷ୍ଟେସନ୍‌ରୁ କହୁଛି । ଅଧଘଣ୍ଟାଏରେ ଘରେ ପହଞ୍ଚୁଛି । ତମେ କିଛି କହୁନ କାହିଁକି ବାବା... ?

 

...ଲୁସି! ମା’ ଭଲ ଅଛୁ । ଶୀଘ୍ର ଚାଲିଆ... । ଦୀପ୍ତିପ୍ରକାଶ ଆଉ କିଛି କହିପାରିଲେ ନାହିଁ । ରିସିଭର୍‌ ରଖିଦେଲେ । ତାଙ୍କର ସ୍ୱର ଓଜନିଆ ଓ ବାଷ୍ପାକୁଳ ହୋଇ ଉଠିଥିଲା ।

 

କିନ୍ତୁ ରିସିଭର୍‌ ରଖିଦେଲା ପରେ ହିଁ ତାଙ୍କର ମନେପଡ଼ିଲା ଯେ, ଯାହା ସେ ଲୁସିକୁ ପ୍ରଥମେ ପଚାରିବା କଥା ତାହା ପଚାରିବାକୁ ଭୁଲିଗଲେ । ଲୁସିର ସେ ‘ସର୍‌ପ୍ରାଇଜ’ ଚିଜଟି କ’ଣ ? ବିଦେଶ ଯିବ ? ଚାକିରି କରିବ ? ଯାଉ, ଚାକିରି କରୁ । ଆହୁରି ଉପରକୁ ଉଠୁ । କ୍ଷତି କ’ଣ ?

 

ନିଜର ଝିଅର ବାଧ୍ୟପଣିଆରେ ଦୀପ୍ତିପ୍ରକାଶଙ୍କ ଛାତି ସବୁଦିନେ ଫୁଲି ଉଠେ । ଏତେ ବଡ଼ ଝିଅ ହେଲାଣି, ବାପାକୁ ନ ପଚାରି ଛୋଟ ଛୋଟ ନିଷ୍ପତ୍ତି ମଧ୍ୟ ନିଏ ନାହିଁ । ବେଳେ ବେଳେ ଦୀପ୍ତିପ୍ରକାଶଙ୍କର ଆଶଙ୍କା ହୁଏ, ତାଙ୍କର ଖୁବ୍‌ ବେଶୀ ବେଶୀ କର୍ତ୍ତୃତ୍ୱ ଲୁସିକୁ ଦୁର୍ବଳ ମଣିଷ କରିଦେଉ ନାହିଁ ତ ! ତାକୁ ତା’ ସମ୍ପର୍କରେ ନିଷ୍ପତ୍ତି ନେବା ବାବଦରେ ଅପ୍ରସ୍ତୁତ କରିଦେଉ ନାହିଁ ତ ! ନା, ଏଣିକି ଲୁସି ତା’ ନିଜ ବାବଦରେ ନିଜେ ହିଁ ନିଷ୍ପତ୍ତି ନେଉ । ବାପାର ଆଙ୍ଗୁଳି ଧରି ବାଟ ଚାଲିବାର ବୟସ ତା’ର ଚାଲିଗଲାଣି ।

 

ଲୁସି ନିଜ ଇଚ୍ଛାରେ କିଛି କରିବା ଆଗରୁ ଦୀପ୍ତିପ୍ରକାଶ ସେ କଥା କରିଦେଲେ ଭଲ ହୁଅନ୍ତା । ଲୁସି ନିଷ୍ପତ୍ତି ନେଇ ଶିଖନ୍ତା, ଅଥଚ ନିଜକୁ ଉପେକ୍ଷିତ ମନେ କରନ୍ତେ ନାହିଁ ଦୀପ୍ତିପ୍ରକାଶ-। ହଠାତ୍‌ ଗୋଟାଏ ବଡ଼ ସମସ୍ୟାର ସମାଧାନ ପ୍ରାପ୍ତିରେ ଦୀପ୍ତିପ୍ରକାଶ ଆଶ୍ୱସ୍ତ ହୋଇ ଉଠିଲେ । ଖୁବ୍‌ ଶୀଘ୍ର ଲୁସି ପାଇଁ ବରଟେ ଖୋଜାଯିବା ଦରକାର । ଏଇଟା ଯେ କେବଳ ଲୁସି ପାଇଁ ଗୁରୁତ୍ୱପୂର୍ଣ୍ଣ ତାହା ନୁହେଁ, ତାଙ୍କ ନିଜ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଢେର୍‌ ଦିନ ହେଲା ଏହି ଘରଟାରେ କିଛି ଉତ୍ସବ ହୋଇ ନାହିଁ । ଲୁସିର ବାହାଘର ସେଇ ପ୍ରଲମ୍ବିତ ନିର୍ଜନତାରେ ପୂର୍ଣ୍ଣଚ୍ଛେଦ ଟାଣିବ-

 

ଘର ସାମ୍ନାରେ ଟ୍ୟାକ୍‌ସିଟାଏ ରହିଲା । ଦୀପ୍ତିପ୍ରକାଶ ଘରର ଗେଟ୍‌ ପାଖକୁ ଏମିତି ନିର୍ନିମେଷ ଚାହାଣିରେ ଚାହିଁଥିଲେ ଯେ, ଗେଣ୍ଡାଟିଏ ବି ତାଙ୍କ ଦୃଷ୍ଟି ଆଡ଼େଇ ପଶି ପାରନ୍ତା ନାହିଁ । ଲୁସି ଓହ୍ଲେଇଲା ଟ୍ୟାକ୍‌ସିରୁ । ଦୀପ୍ତିପ୍ରକାଶଙ୍କ ଆଖିରେ ଝିଅ ପାଇଁ ଲୁହ ଓହ୍ଲେଇ ଅସିଲା । ବିଚାରୀ ମା’ ଛେଉଣ୍ଡ ଲୁସି । ତା’ ମା’ ଥିଲେ ଝିଅକୁ ଦେଖି ଆଜି କେତେ ଖୁସି ନ ହୁଅନ୍ତା ।

 

କିନ୍ତୁ ସାଙ୍ଗରେ ଆର ଯୁବକଟି କିଏ !

 

ଲୁସି ଧାଇଁଆସି ଦୀପ୍ତିପ୍ରକାଶଙ୍କୁ ପ୍ରଣାମ କଲା ଓ ତାଙ୍କ ଛାତିରେ ମୁହଁ ଗୁଞ୍ଜିଦେଲା । ତା’ର ଅଲରା ବାଳଗୁଡ଼ାକୁ ଦୀପ୍ତିପ୍ରକାଶ ସାଉଁଳେଇ ଦେଲେ । ଦିନତମାମ ଖରା ସହି ଲୁସି କଳାକାଠ ପଡ଼ିଯାଇଥିଲା ।

 

: ପ୍ରଥମେ ଭଦ୍ରଲୋକଙ୍କୁ ପରିଚିତ କରାଇ ଦେ ମା’ ଲୁସି !

 

: ବାବା, ୟାଙ୍କ କଥା ତ ତମକୁ ଚିଠିରେ ଲେଖିଥିଲି ।

 

: ଚିଠି ? ଏ ଭଦ୍ରଲୋକ ! ଦୀପ୍ତିପ୍ରକାଶ ମନେ ପକାଇବାକୁ ଚେଷ୍ଟା କଲେ । ତା’ପରେ ତାଙ୍କର ମନେପଡ଼ିଲା, ଲୁସି ତା’ ଚିଠିରେ ଲେଖିଥିଲା ସର୍‌ପ୍ରାଇଜଟେ ନେଇ ଆସିବ । ଅଥଚ ଏ ଭଦ୍ରଲୋକ... ? ଇଏ କ’ଣ ସେଇ ସର୍‌ପ୍ରାଇଜ୍‌ ?

 

: ହଁ ବାବା ! ଇଏ ହିଁ ସେ ସର୍‌ପ୍ରାଇଜ୍‌ ।

 

ଦୀପକ ହାତ ଯୋଡ଼ି ପ୍ରଣାମ କଲା । ଦୀପ୍ତିପ୍ରକାଶ ହସିଲେ ଓ କହିଲେ, “ଭଲରେ ରୁହ ବାବା । କିନ୍ତୁ ହାତରେ ଏ କ’ଣ ଧରିଛ ?”

 

ଦୀପକ ଅପ୍ରସ୍ତୁତ ହେଲା । ନାଇଁ ଅଙ୍କଲ୍‌, ଏ ଗୁଡ଼ିଟା ଆପଣଙ୍କ ଗେଟ୍‌ ପାଖରେ ପଡ଼ିଥିଲା । କେତେ ବଡ଼ ଗୁଡ଼ି । ଖସିପଡ଼ି ଭାଙ୍ଗିଯାଇଛି । ମୁଁ ସେଇଟାକୁ ନେଇ ଆସିଥିଲି ।

 

ଲୁସି ଓ ଦୀପକ ଭିତରକୁ ଚାଲିଗଲେ । ଦୀପ୍ତିପ୍ରକାଶ ଭଙ୍ଗା ଗୁଡ଼ିଟିକୁ ଉଠେଇ ନେଇ ଧରିଲେ । ଅନେକ ସମୟ ହେଲା ମନେ ମନେ ସେ ଏଇ ଗୁଡ଼ିଟାକୁ ହିଁ ଆକାଶରେ ଖୋଜୁଥିଲେ । ଗୁଡ଼ିଟି ଅଦୃଶ୍ୟ ହୋଇଗଲା ପରେ ସେ ତା’ କଥା ଭୁଲିଯିବାକୁ ଚେଷ୍ଟା କରିଥିଲେ । ଅଥଚ ସେଇ ଗୁଡ଼ିଟି ଯେ ଗୋଡ଼ହାତ ଭାଙ୍ଗି ତାଙ୍କରି ଘର ଫାଟକ ପାଖରେ ପଡ଼ିଛି ସେ କଥା ସେ ଜାଣିପାରି ନ ଥିଲେ ।

 

ଛାତି ଭିତରେ ଗୋଟାଏ ମୃଦୁ ଭୂମିକମ୍ପର ଶବ୍ଦ ଶୁଣି ପାରୁଥିଲେ ଦୀପ୍ତିପ୍ରକାଶ । ଲୁସି ବଡ଼ ହେଇଛି । ନିଜ ସମ୍ପର୍କରେ ନିଷ୍ପତ୍ତି ନେବାର ବୟସ ଓ ସାମର୍ଥ୍ୟ ଉଭୟ ଆସିଛି । ସେ ଯଦି ଦୀପକକୁ ପସନ୍ଦ କରିଥାଏ ତାହାହେଲେ ତ ସେଥିରେ ବାପା ହିସାବରେ ତାଙ୍କର ଆଶ୍ୱସ୍ତ ହେବାର କଥା । ଅଥଚ ସେ ଦୁଃଖୀ ହୋଇ ପଡ଼ୁଛନ୍ତି କାହିଁକି ?

 

କିନ୍ତୁ ତାଙ୍କ ନିଜର ସ୍ୱପ୍ନମାନଙ୍କର ଅବସ୍ଥା କ’ଣ ହେବ ? ସେ ଯେ ଲୁସିକୁ ନେଇ ଅନେକ ଯୋଜନା କରିଥିଲେ, ଏତେ ସବୁ ସ୍ୱପ୍ନ ଦେଖିଥିଲେ, ସେମାନଙ୍କର କ’ଣ ହେବ ? ଲୁସି ଏତେ ସ୍ୱାର୍ଥପର ହୋଇପାରିଲା କେମିତି ? ଏଇ କଥାଟିକୁ ସେ କ’ଣ ଆଗରୁ ଜଣାଇ ପାରି ନ ଥାନ୍ତା ତା’ର ବାବାକୁ ? ସେ ତ ପୁଣି ଚାରିବର୍ଷର ଲୁସିର ଜିଦରେ ଭୁଲିଯାଇଥିଲେ ନିଜର ଇଚ୍ଛା ଓ କାମନା ? ଏଭଳି ପ୍ରତିଦାନ ସେ କୌଣସି ଦିନ ଲୁସିଠାରୁ ଅପେକ୍ଷା ରଖୁ ନଥିଲେ ।

 

ଗୋଟିଏ ଜିଦ୍‌ ତାଙ୍କ ମୁଣ୍ଡ ଭିତରେ ବସା ବାନ୍ଧୁଥିଲା । ସେ ଲୁସିକୁ ପରିଷ୍କାର ସବୁ କହିଦେବେ । କହିଦେବେ ଯେ ଏ ବିବାହରେ ତାଙ୍କର ସମ୍ମତି ନାହିଁ । ତାଙ୍କ ସମ୍ମତି ବିନା ଲୁସି କାହାରିକୁ ବାହା ହେଇପାରିବ ନାହିଁ ।

 

ଲୁସି ବ୍ୟାଗ୍‌ରୁ ତା’ ଜିନିଷପତ୍ର ବାହାର କରି ଥୋଉଥିଲା । ଦୀପ୍ତିପ୍ରକାଶ କାନ ଡେରିଲେ । ଲୁସି କହୁଥିଲା, “ବାବାଙ୍କର ହୃଦୟଟା ଗୋଟେ ପ୍ରଶାନ୍ତ ମହାସାଗର ଦୀପକ । ଦେଖିବ ସେ ଆମ ପ୍ରସ୍ତାବକୁ ଖୁସିରେ ଗ୍ରହଣ କରିନେବେ । ଯାହାହେଲେ ବି ମୁଁ ତାଙ୍କର ଗେହ୍ଲାଝିଅ । ତମେ ନର୍ଭସ୍‌ ହୁଅନା ।”

 

ଦୀପ୍ତିପ୍ରକାଶ ଡାକିଲେ, “ଲୁସି !”

 

ଲୁସି ହଠାତ୍‌ ନିରବ କଣ୍ଢେଇଟେ ପାଲଟିଗଲା । ଅନ୍ୟ ଦିନମାନଙ୍କରେ କେତେ ଚଞ୍ଚଳ, କେତେ ଅସ୍ଥିର ଥାଏ ଝିଅ ତାଙ୍କର ଖଣ୍ଡିଉଡ଼ା ଦେଉଥିବା ପ୍ରଜାପତି ପରି । ଅଥଚ ଆଜି ମାଘ ସକାଳର ଚିଲିକା ହ୍ରଦ ପରି ସ୍ଥିର ଓ ଅଚଳ । ମୁହଁରୁ ଯେମିତି ଆତ୍ମବିଶ୍ୱାସ ଓ ସାହସତକ ତା’ର କିଏ ପୋଛି ଦେଇଛି ।

 

ଦୀପ୍ତିପ୍ରକାଶଙ୍କ ତୋଟି ପାଖରୁ ଶବ୍ଦମାନେ ଫେରିଗଲେ । ଲୁସିର ଆଖିଯୋଡ଼ିକ ସୁମିତ୍ରାର ଆଖି ପରି ଏତେ ଅସହାୟ, ଗମ୍ଭୀର ଓ କରୁଣ କିପରି ପାଲଟିଗଲା ? ଲୁସି କେମିତି ହୋଇପଡ଼ିଲା ଏପରି ଆଶ୍ରୟହୀନ ଓ ଭୟାଳୁ ? ଲୁସି କ’ଣ ସତରେ ଜାଣିପାରିଛି ଦୀପ୍ତିପ୍ରକାଶ କଠୋର ହୋଇପଡ଼ିବାର ସମ୍ବାଦ !

 

ସେ ଫେରି ଆସୁଥିଲେ । ଲୁସି ପଛରୁ ଡାକିଲା, ‘ବାବା !’ ଟିକିଏ ରହି କହିଲା, ‘କ’ଣ କହିବ ବୋଲି କହୁଥିଲ ଯେ !’

 

: ମୁଁ କହୁଥିଲି... ମୁଁ କହୁଥିଲି କି... ଦୀପ୍ତିପ୍ରକାଶ ଅପ୍ରସ୍ତୁତ ହୋଇପଡ଼ିଲେ ।

 

: କୁହ ବାବା ।

 

: ତୁମେ ଆଗେ ଖିଆପିଆ କର । ସକାଳେ କଥା ହେବା ।

 

ସେ ଏଥର ଲୁସି ଓ ଦୀପକକୁ ପଛ କରି ଫେରି ଆସୁଥିଲେ । ଲୁସି ପଛରୁ ପୁଣି ଡାକିଲା । ଦୀପ୍ତିପ୍ରକାଶ ମୁହଁ ଫେରେଇ ପଚାରିଲେ, “କ’ଣ କହିବୁ, କହ ।”

 

: ସେ ଭଙ୍ଗା ଗୁଡ଼ିଟାକୁ ସେତେବେଳୁ ହାତରେ କାହିଁକି ଧରିଛ ବାବା ?

 

ଦୀପ୍ତିପ୍ରକାଶ ନିଜ ହାତକୁ ଚାହିଁଲେ । ଦୀପକ ହାତରୁ ଆଣିଥିବା ସେଇ ଭଙ୍ଗା ଓ ଛିଣ୍ଡା ଗୁଡ଼ିଟା ସେତେବେଳୁ ସେ ଯେ ଧରିଛନ୍ତି ସେକଥା ସେ ଭୁଲିଯାଇଥିଲେ । ହସିଲେ ଦୀପ୍ତିପ୍ରକାଶ । ଗୋଟିଏ ହାତରେ ଗୁଡ଼ିଟାକୁ ଓ ଆର ହାତରେ ଲୁସିକୁ ଆଉଁଶି ଦେଉ ଦେଉ ସେ କହିଲେ, “ଏ ଗୁଡ଼ି ମୋ ପାଇଁ ଦୀପକର ପ୍ରଥମ ଉପହାର । ମୁଁ ଏଇଟାକୁ ପାଖରେ ରଖିବି ମା’ !”

 

ଦୀପକ ଓ ଲୁସି ଦୁହେଁ ଥରେ ଦୀପ୍ତିପ୍ରକାଶ ଓ ଆଉ ଥରେ ସେଇ ଭଙ୍ଗା ଗୁଡ଼ି ଆଡ଼କୁ ଚାହୁଁଥିଲେ ।

𗰵𗰵𗰵

 

ଚିଠି

 

ନା ଆମେ କେହି ରାହୁଳକୁ ଈର୍ଷା କରୁ ନ ଥିଲୁ । ଈର୍ଷା କଲା ଭଳି ଘଟଣା ବି ଘଟି ନଥିଲା । ବରଂ ଯାହା ଘଟିଲା ଓ ଘଟି ଚାଲିଥିଲା ତାକୁ ନେଇ ରାହୁଳକୁ ଦୟା କରାଯାଇପାରେ, ଈର୍ଷା ନୁହେଁ । ଦୁଃଖ ହେଉଥିଲା, ଶେଷକୁ ରାହୁଳ ଏମିତି ଏକ ଦୁଶ୍ଚରିତ୍ରା ଝିଅ ପାଲରେ ପଡ଼ିଗଲା-

 

ଏବେ ଆମର ଅପରାହ୍‌ଣର ଗୁଲିଖଟି ଜମିଆସିଥିଲା । ହଠାତ୍‌ ଗୋଟାଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆମମାନଙ୍କୁ ପୂର୍ବାପେକ୍ଷା ଅଧିକ ସମୟାନୁବର୍ତ୍ତୀ ଏବଂ ସତର୍କ କରି ଦେଇଥିଲା । ଚାରିଟା ବାଜୁ ନ ବାଜୁଣୁ ଆମେ ଆସି ଷ୍ଟେସନ୍‌ ରୋଡ୍‌ର କଲ୍‌ଭର୍ଟ ଉପରେ ବସି ତାକୁ ନିରୀକ୍ଷଣ କରୁଥିଲୁ-। ଏ ଦାୟିତ୍ୱଟା ଏତେ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଥିଲା ଯେ ସେ ସମୟରେ ଅନ୍ୟ କିଛି କାମ ପଡ଼ୁଥିଲେ ଆମେ ତାକୁ ଏଡ଼େଇ ଯାଉଥିଲୁ ।

 

ତରବରରେ ଢଳାଯାଇଥିବା ବିଅର୍‌ ମଗ୍‌ ପରି ଉତୁରିଲା ଉତୁରିଲା ଦିଶୁଥିଲା ମଞ୍ଜୁର ମୁହଁ । ତା’ର ମୁଣ୍ଡବାଳଗୁଡ଼ିକ ମୁହଁ ଉପରକୁ ଝୁଙ୍କିପଡ଼ୁଥାଆନ୍ତି । ଆମେମାନେ ତଳକୁ ମୁହଁ କରି ଓ ଆଖିଯୋଡ଼ିକ ଯଥାସମ୍ଭବ ଉପରକୁ ଟେକି ସେ କୁଆଡ଼କୁ ମୁହାଁଉଛି ଲକ୍ଷ୍ୟ କରୁଥିଲୁ ।

 

ମଞ୍ଜୁ ଆମ ଆଗ ଦେଇ ତରବର ପାଦରେ ଚାଲିଗଲା । ଝିଅମାନେ ପୁଣି ଏତେ ବେଗରେ ଚାଲିପାରନ୍ତି ? ମୋତେ ମଞ୍ଜୁର ଚାଲି ତ ନୁହେଁ ଧପାଲିବା ଦେଖି ହସ ମାଡ଼ୁଥିଲା । କିନ୍ତୁ ସେ ଦୂରେଇ ନ ଗଲା ପର୍ଯ୍ୟନ୍ତ ମୁଁ ହସିବାକୁ ଚାହୁଁ ନଥିଲି, କାଳେ ସେ ଶୁଣିଦେବ ।

 

: କିସ୍କିନ୍ଧ୍ୟା ସୁନ୍ଦରୀ । –ବିଷ୍ଣୁ କହିଲା ।

 

: ଲାବଣ୍ୟବତୀ ତ ! –ସୁଭାଷ ମନ୍ତବ୍ୟ ଦେଲା ।

 

: ନାଇଁ ନାଇଁ, ବ୍ଲାକ୍‌ ବିଉଟି । –ମନୋଜ କହିଲା ।

 

ଆମେ ହସିଲୁ । ହସି ହସି ଗଡ଼ିଗଲୁ । ବିଷ୍ଣୁ ଦରହସା । ତା’ର ହସ ବନ୍ଦ ହେଉ ନଥିଲା-। ସେ କଲ୍‌ଭର୍ଟର ଆରପଟକୁ ଉଠିଯାଇ ଚିତ୍‌ ହୋଇ ଶୋଇପଡ଼ିଲା ।

 

ଉଦ୍ଦେଶ୍ୟପ୍ରଣୋଦିତ ଭାବେ ଈଶ୍ୱର ନିଶ୍ଚୟ ମଞ୍ଜୁକୁ ଅସୁନ୍ଦରୀ କରି ଗଢ଼ିଥିଲେ । ତା’ର ବୟସ ପଚିଶ ଟପିଲାଣି, କିନ୍ତୁ ଶରୀରର ଆକୃତି ଦେଖିଲେ ମନେ ହେବ ସେ ଯେମିତି ଅଷ୍ଟମ କି ନବମରେ ପଢ଼ୁଛି । କଳା କିଟିମିଟି ଚେହେରା । ଯୌବନରେ ବି କୋଉଠି ଟିକେ ମାଂସ ଲାଗିନାହିଁ-। କଳା ଚେହେରା ସାଙ୍ଗକୁ କୋଉଦିନ ନାଲି ଟକ୍‌ ଟକ୍‌ ଡ୍ରେସ୍‌ ତ କୋଉଦିନ ବାଇଗଣୀ ରଙ୍ଗର ଶାଢ଼ି । ଅଦ୍ଭୁତ ତା’ର ରୁଚି । ସେଭଳି ପୋଷାକ ଭିତରେ ସେ ଦିଶେ କାଳୀ ମୂର୍ତ୍ତି ପାଖର ପ୍ରେତିନୀ ପରି । ମୁଣ୍ଡର ବାଳକେରାକୁ ଉପରକୁ ଉଠେଇ ସେଥିରେ ଗୋଟିଏ ରିବନ୍‌ ଗଣ୍ଠି ପକେଇ ଦେଇଥାଏ ମଞ୍ଜୁ । ତା’ର ସେ ଜୁଡ଼ାର ରଙ୍ଗଢଙ୍ଗ ଆମର ହସ ପାଇଁ ବେଶ୍‌ ଖୋରାକ ଯୋଗାଏ-

 

ଅନେକ ଦିନ ପର୍ଯ୍ୟନ୍ତ ଆମେ ଭାବିଥିଲୁ ମଞ୍ଜୁ ଆଦିବାସୀ ନ ହେଲେ ରିଫ୍ୟୁଜି ଝିଅ ହୋଇଥିବ । ବିଷ୍ଣୁ ଦିନେ ଷ୍ଟେସନ୍‌ରୁ ଫେରି କହିଲା, ‘ମଞ୍ଜୁ ଆଦିବାସୀ ନୁହେଁ, ତା’ ସାଙ୍ଗିଆ ମହାପାତ୍ର । ସେ ରେଳ ଷ୍ଟେସନରେ ଆନାଉନ୍‌ସର୍‌ ଅଛି । କୋଉ ଟ୍ରେନ୍‌ କେତେ ବିଳମ୍ବରେ ଆସୁଛି ଓ କୋଉ ପ୍ଲାଟ୍‌ଫର୍ମରେ ଆସୁଛି ସେଇସବୁ କଥା ମଞ୍ଜୁ ଆନାଉନ୍‌ସ୍‌ କରେ ।’ ସେ ନିଜେ ଦେଖି ଆସିଛି ।

 

ପ୍ରଭାକର କହିଲା, “ଏତେ ଟ୍ରେନ୍‌ କଥା ଜାଣୁଛି, ତା’ ନିଜ ପ୍ଲାଟ୍‌ଫର୍ମରେ କୋଉ ଟ୍ରେନ୍‌ କେତେବେଳେ ଆସିବ ସେଇଟା ସେ ଜାଣିପାରୁ ନାହିଁ ?”

 

ମନୋଜ, ବିଷ୍ଣୁ ଓ ସୁଭାଷ ହୋ ହୋ ହୋଇ ହସିଲେ । ମୁଁ ସେମାନଙ୍କୁ ବାରଣ କଲି । ଏସବୁ ପ୍ରେମ ଫ୍ରେମ ମାମଲା । ତମେ ବୁଝିପାରିବ ନାହିଁ । ବହୁତ ସିରିୟସ୍‌ କଥା ।

 

ମନୋଜ କହିଲା, ଆହା-ଚୁ-ଚୁ । ମରିଯାଉଥାଏଟି ! କିରେ ପ୍ରେମ କ’ଣ ଶାଢ଼ି ବଦଳାଇବା କାମ ହୋଇଛି ? ଆଜି ୟା ସାଙ୍ଗରେ, କାଲି ତା’ ସାଙ୍ଗରେ, ଆଁ ? ସେଇଟାର କିଛି ଗୋଟାଏ ରୋଗ ଅଛି । ନୂଆ ନୂଆ ସାଙ୍ଗ ଖୋଜିବା ତା’ର ବେମାରି । କିନ୍ତୁ ତାକୁ ଗୋଟାଏ ପରେ ଗୋଟାଏ ନୂଆ ମିଳିଯାଉଛନ୍ତି କେମିତି ? କ’ଣ ଅଛି ତା’ଠେଇଁ ?

 

: ସେଇଟା ଗହୀର କଥା । ତୁ ବୁଝିପାରିବୁ ନାହିଁ । –ସୁଭାଷ ମନ୍ତବ୍ୟ ଦେଲା ।

 

ପ୍ରାୟ ଦି’ ବର୍ଷ ହେବ ଆମେ ମଞ୍ଜୁର ଗତିବିଧି ଲକ୍ଷ୍ୟ କରିଆସୁଛୁ । ଆଗରୁ ଷ୍ଟେସନ୍‌ ସାମ୍ନା ନୀଳମଣିର ପାନ ଦୋକାନ ଆମର ଡେରା ଥିଲା । ତେବେ ଗୋଟିଏ ଜାଗାରେ ଆମର ଏ ଗୁଲିଖଟି ଅନେକଙ୍କର ଦୃଷ୍ଟିକଟୁ ହେଲା । ନୀଳମଣି ପ୍ରଥମେ ଭୟରେ କିଛି କହିପାରୁ ନ ଥିଲା, ପଛକୁ କିନ୍ତୁ ଟିକେ ଆଡ଼ଖସା ଦେଲା । ଆମ ଜରିଆରେ ତା’ର ବିକ୍ରିବଟା ସେମିତି ହୁଏ ନାହିଁ । ଦିନକୁ ଦି’ଖଣ୍ଡ ସିଗାରେଟ୍‌ କିଣାହେଲେ ଢେର୍‌ । ଆମେମାନେ ତ ପୁଣି ବେକାର ସଂଘର ଆଜୀବନ ସଭ୍ୟ, ଏହାଠୁ ଅଧିକ ପୃଷ୍ଠପୋଷକତା ନୀଳମଣିକୁ ଯୋଗାଇବା ଆମ ପକ୍ଷେ ସମ୍ଭବ ହୁଏ ନାହିଁ ।

 

ଆମେ ଶିକାରର ସନ୍ଧାନ ପାଇ ସତର୍କ ହୋଇଥିବା ଶିକାରୀ ପରି ହୁସିଆର ହୋଇଗଲୁ-। ମଞ୍ଜୁ ଲେଟର ବକ୍ସ ପାଖେ ଯାଇ ଛିଡ଼ାହେଲା । ଏଆଡ଼େ ସେଆଡ଼େ ଚାହିଁଲା କନକନ ହୋଇ-। ତା’ ଭ୍ୟାନିଟି ବ୍ୟାଗ୍‌ରୁ ଗୋଟେ ଲଫାପା ବାହାର କରି ହାତରେ ଧରିଲା । ଆଉ ଥରେ ଏପଟ ସେପଟ ଚାହିଁ ଲଫାପାଟିକୁ ଓଠରେ ଲଗେଇଲା ଓ ବାକ୍‌ସ ଭିତରେ ପକେଇଲା ।

 

ବିଷ୍ଣୁ କହିଲା, “ମହୁ ମାରି ଦେଲାରେ ?”

 

ମନୋଜ କହିଲା, “ଲହୁଣି, ଲହୁଣି ।”

 

ଆମେମାନେ ପୁଣି ବହେ ହସିଲୁ । ଆମର ସେ ହସର ଲହରୀ ତା’ ପାଖେ ପହଞ୍ଚିଲା କି ନାହିଁ କେଜାଣି ! ମଞ୍ଜୁ ଗଳିମୋଡ଼ରେ ଅଦୃଶ୍ୟ ହୋଇଯାଉଥିବା ପର୍ଯ୍ୟନ୍ତ ଆମର ହସ କିନ୍ତୁ ଜାରି ରହିଥିଲା ।

 

ମନୋଜ କହିଲା, “ଏ ଚିଠି କାହା ପାଖକୁ ଲେଖିଥିବ କି ରେ ?”

 

ମୁଁ ସୁଭାଷକୁ ଚାହିଁଲି । ସୁଭାଷ ଗୋଟେ ସହଦେବ । ଉପରକୁ ଅନେଇ କହିଲା, “ସେଇ ବ୍ୟାଙ୍କ ଟୋକା ପାଖକୁ ଲେଖିଥିବ ।”

 

ବିଷ୍ଣୁ କହିଲା, “ସେଇଟିର ନମ୍ବର ତେର ନା ଚଉଦ ?”

 

ଆମେ ପୁଣି ହସିଲୁ । ମଞ୍ଜୁର ରିଲେ ପ୍ରେମ ଉପାଖ୍ୟାନ ବାବଦରେ ଜାଣିବା ଆଗରୁ ଆମେମାନେ ତା’ ଚେହେରା ଦେଖି ତା’ ପ୍ରତି କୌତୂହଳୀ ହୋଇ ଉଠିଥିଲୁ । ଏତେ ଅସୁନ୍ଦରୀ ଝିଅ କ୍ୱଚିତ୍‌ ଆମେ ଆମ ସହରରେ ଦେଖୁଥିଲୁ । ସବୁଠୁ ସୁନ୍ଦରୀ ଝିଅ ଦେଖିବା ଯେମିତି ଗୋଟାଏ ମହାର୍ଘ ସୁଯୋଗ, ମଞ୍ଜୁ ପରି ଅସୁନ୍ଦରୀ ଝିଅ ଦେଖିବା ବି ସେମିତି ଗୋଟିଏ ମହାର୍ଘ ଦୁର୍ଯୋଗ । କୁରୂପ ସାଙ୍ଗକୁ ତା’ ଦେହକୁ ଆଦୌ ମ୍ୟାଚ୍‌ କରୁ ନ ଥିବା ପୋଷାକପତ୍ର ଯୋଗୁ ସେ ଭିଡ଼ ଭିତରେ ସବୁବେଳେ ବାରିହୋଇ ପଡ଼ୁଥିଲା ।

 

ଅନ୍ଧାର ହୋଇ ଆସିଲାଣି । ସୁଭାଷର ସିଗ୍ରେଟ୍‌ ସରିଗଲାଣି । ସେ ସିଗ୍ରେଟ୍‌ ଟୁକୁଡ଼ାକୁ ଅନ୍ଧାର ଭିତରକୁ ଫୋପାଡ଼ି ଦେଇ ଉଠିପଡ଼ିଲା ଓ କହିଲା, ‘ଯିବା ?’

 

ମନୋଜ କହିଲା, ‘କୁଆଡ଼େ ?’

 

: ଷ୍ଟେସନ୍‌ ଆଡ଼େ ଘେରାଏ ଘୂରି ଫେରିଯିବା ।

 

ଆମେ ଉଠିପଡ଼ିଲୁ । ହଠାତ୍‌ ବିଷ୍ଣୁ କହିଲା, “ମଞ୍ଜୁର ଚିଠିଟା ଆଣି ପଢ଼ିବା ?”

 

ଆମେ ଚୁପ୍‌ ରହିଲୁ । ଏଭଳି ଏକ ଆନନ୍ଦପ୍ରଦ ପ୍ରସ୍ତାବ ଆମ ପାଇଁ ଅପ୍ରତ୍ୟାଶିତ ଥିଲା । ସେଥିପାଇଁ ସାଙ୍ଗେ ସାଙ୍ଗେ ପ୍ରତିକ୍ରିୟା ପ୍ରକାଶ କରିପାରିଲୁ ନାହିଁ । ସେ କହିଲା, ‘ଏଇ ଲେଟରବକ୍ସଟାର ତଳ ଅଧା ମେଲା । ଖଣ୍ଡେ କାଠି ନେଇ ଟିକିଏ ଖେଞ୍ଚା ଖେଞ୍ଚି କଲେ ଚିଠିଟା ବାହାରି ଆସିବ ।’

 

ଆମ ଦେହରେ ଉତ୍ତେଜନାର ଲହରୀ ଖେଳିଗଲା । ସୁଭାଷର ଷ୍ଟେସନ୍‌ ବୁଲା ପ୍ରସ୍ତାବ ସାଙ୍ଗେ ସାଙ୍ଗେ ବାତିଲ୍‌ । ବିଷ୍ଣୁ କହିଲା, ‘ତମେମାନେ ଏଇଠି ଥାଅ । ସମସ୍ତେ ଗଲେ ବାଟଚଲା ଲୋକମାନେ ସନ୍ଦେହ କରିବେ । ମୁଁ ଯାଉଛି ଚିଠିଟା ନେଇ ଆସେ ।’

 

ଆମେ ତା’ କଥାରେ ରାଜି ହେଲୁ ।

 

ବିଷ୍ଣୁ ଅନ୍ଧାର ଭିତରେ ଦୂରେଇଗଲା । ମନୋଜ ପରାମର୍ଶ ଦେବା ଭଙ୍ଗୀରେ କହିଲା, ‘ବୁଝି ହୁସିଆର, କାଳେ କିଏ ଦେଖିବ ।’ ଦଶ ମିନିଟ୍‌ ଭିତରେ ବିଷ୍ଣୁ ଫେରିଆସିଲା । ଆମେମାନେ ଏତେ ଅଧୈର୍ଯ୍ୟ ହୋଇପଡ଼ିଥିଲୁ ଯେ ସେ ଆମ ପାଖେ ପହଞ୍ଚିବା ଯାଏ ଅପେକ୍ଷା କରିପାରୁ ନ ଥିଲୁ । ତିନିହେଁ ତା’ ଆଡ଼କୁ ଧାଇଁଗଲୁ । କ’ଣ ଲେଖିଛି ମଞ୍ଜୁ ତା’ ଚିଠିରେ ? ପ୍ରେମ ଚିଠି ହୋଇଥିବ ନିଶ୍ଚୟ । କାଳୀ କୋତରୀ ଟୋକୀ ଖଣ୍ଡକ ବଡ଼ ଚୁପ୍‌ସଇତାନ । ନିତି ନିତି ନୂଆ ଟୋକାଙ୍କ ସାଙ୍ଗେ ତା’ର ଭାବ ପୀରତି । ଘଣ୍ଟା ଘଣ୍ଟା ଗପସପ । ଏହା ଭିତରେ ଆଉରି ସମୟ କେତେବେଳେ ତାକୁ ମିଳୁଛି ଯେ ବସି ବସି ଏ ଚିଠି ଲେଖୁଛି ?

 

ସୁଭାଷ କହିଲା, ‘ଜାଣିଛୁ ନା, ଏଇ ପ୍ରେମଚିଠି ଲେଖା କାରବାର ଯୋଗୁ ଶତକଡ଼ା ବାର ଭାଗ ଯୁବକ ଯୁବତୀ ତାଙ୍କ କାମରେ ଗୁରୁତର ଅବହେଳା କରୁଛନ୍ତି । କିଏ ଲୁଚେଇ ଲୁଚେଇ ପ୍ରେମଚିଠି ଲେଖିଲାଣି ତ କିଏ ସମସ୍ତଙ୍କଠୁ ନଜର ବଞ୍ଚେଇ ଚିଠି ପଢ଼ି ବସିଲାଣି । ଏଣେ କାଉଣ୍ଟର ପାଖରେ ଗ୍ରାହକ ଛିଡ଼ା ହୋଇଛନ୍ତି, ଟେବୁଲ ସେପଟେ ସର୍ବସାଧାରଣ । ଯୁବକ ଯୁବତୀଙ୍କର ହୋସ୍‌ ରହୁନାହିଁ । ଯଦି କାହାର ନଜର ପଡ଼ିଗଲା, ସାଙ୍ଗେ ସାଙ୍ଗେ ସେ ଚିଠି ଚଉଭାଙ୍ଗ କରି ପକେଟରେ ପୂରେଇଦେବେ କି ଭ୍ୟାନିଟି ବ୍ୟାଗ୍‌ ଭିତରେ ଗୁଞ୍ଜିଦେଇ କହିବେ, “ଘରୁ ଆସିଥିଲା । ପର୍ସନାଲ୍‌ ।”

 

“ଏ ପ୍ରେମଚିଠି ଲେଖା ବ୍ୟାପାରକୁ ସରକାର ନିଷିଦ୍ଧ କରିବା ଉଚିତ । କେତେ ଶ୍ରମ-ଘଣ୍ଟା ଅକାରଣେ ନଷ୍ଟ ହେଉ ନାହିଁ ?” ସୁଭାଷ କହିଲା ।

 

ମୁଁ କହିଲି, “କ୍ରିକେଟ୍‌ ଖେଳ ଦେଖାଠୁଁ କମ୍‌ ।”

 

ସୁଭାଷ କହିଲା, “ହଁ ଯେ । କିନ୍ତୁ ଥରେ ଭାବ । ମଞ୍ଜୁ ମହାପାତ୍ର ତା’ର ସେ ଅନ୍ଧାରିଆ ପାରାଭାଡ଼ି ଭଳି ରୁମ୍‌ ଭିତରେ ବସି ପ୍ରେମଚିଠି ଲେଖୁଛି । ଆଗରେ ମାଇକ୍ରୋଫୋନ୍‌ ରହିଛି ଆନାଉନ୍‌ସମେଣ୍ଟ୍‌ ପାଇଁ । ଟ୍ରେନ୍‌ ଆସିବାର ସମୟ ହୋଇଗଲାଣି । ଅଥଚ ଅନ୍ୟମନସ୍କ ମଞ୍ଜୁ ମହାପାତ୍ର ସେ କଥା ଘୋଷଣା କରୁନାହିଁ । ଯାତ୍ରୀମାନେ ଜାଣିପାରୁ ନାହାନ୍ତି ଟ୍ରେନ୍‌ ଆସିବାର ଖବର । କିଏ କୁଆଡ଼େ ବୁଲୁଛନ୍ତି । ହଠାତ୍‌ ବିନା ଘୋଷଣାରେ ଟ୍ରେନ୍‌ ଆସିଯାଉଛି ପ୍ଲାଟ୍‌ଫର୍ମରେ । ଯାତ୍ରୀମାନଙ୍କ ମହଲରେ ବିସ୍ମୟ, ଦୁଶ୍ଚିନ୍ତା । ସେପଟୁ ବୁଢ଼ାଟିଏ ଓଭରବ୍ରିଜ୍‌ ବାଟେ ନ ଆସି ପ୍ଲାଟ୍‌ଫର୍ମ ଉପରେ ଚଢ଼ି ଚାଲି ଆସୁଥିଲା । ଆକସ୍ମିକ ଭାବେ ଟ୍ରେନ୍‌ଟା ଆସିଯାଉଛି ଓ ତା’ର ଚକା ତଳେ ପେଶି ହୋଇଯାଉଛି ବୁଢ଼ାଲୋକ...

 

: ଆହାଃ, କି ଦୁଃଖ କଥାଗୁଡ଼ାକ କହୁଛୁ ! ସେମିତି ହେଲେ ତ ପ୍ରତିଦିନ ଶହ ଶହ ଲୋକ ମରିଯିବେ ।

 

: ସେହି କଥା କହୁଛି । ସବୁ ମଞ୍ଜୁ ମହାପାତ୍ରର ଦୋଷ । ସେ ଠିକ୍‌ ସମୟରେ ଘୋଷଣା କଲା ନାହିଁ । ଘଣ୍ଟି ବାଜିଲା ନାହିଁ । ସିଗ୍‌ନାଲ୍‌ ପ୍ରତି କେହି ସଚେତନ ହେଲେ ନାହିଁ । ସବୁ ତା’ର ଦୋଷ ।

 

: ନା, ପ୍ରେମ ଚିଠିଟାର ଦୋଷ । ମଞ୍ଜୁ ମହାପାତ୍ର ଯଦି ପ୍ରେମଚିଠି ଲେଖୁ ନଥାନ୍ତା ତାହାହେଲେ ସେ ଅନ୍ୟମନସ୍କ ହୋଇ ନଥାନ୍ତା । ସେ ଅନ୍ୟମନସ୍କ ହୋଇ ନଥିଲେ ଆନାଉନ୍‌ସମେଣ୍ଟ୍‌ କରିବାକୁ ଭୁଲିଯାଇ ନଥାନ୍ତା । ସେ ଆନାଉନ୍‌ସମେଣ୍ଟ୍‌ କରିବାକୁ ଭୁଲି ନଥିଲେ ଲୋକମାନେ ଅସତର୍କ ହୁଅନ୍ତେ ନାହିଁ । ଲୋକମାନେ ଅସତର୍କ ହୋଇ ନଥିଲେ ଦୁର୍ଘଟଣା ଘଟନ୍ତା ନାହିଁ ।

 

: ଠିକ୍‌ ।

 

: ଠିକ୍‌ ।

 

ସବୁ ସେହି ପ୍ରେମଚିଠିର ଭୁଲ୍‌ ।

 

ମନୋଜ କହିଲା, “ଏମିତି ବି ହୋଇପାରେ । ମଞ୍ଜୁ ମହାପାତ୍ର ବସିଛି । ସାମ୍ନାରେ ସଜୀବ ମାଇକ୍ରୋଫୋନ୍‌ । ମଞ୍ଜୁ ମହାପାତ୍ର ପ୍ରେମପାଗଳୀ । ଚିଠିଟିର ଚାରି ପାଞ୍ଚ ଲାଇନ୍‌ ଦେଖିସାରିବା ଭିତରେ ସେ ଆତ୍ମବିସ୍ମୃତ ହୋଇଯାଇଛି । ତା’ପରେ ସେ ଯାହା ଯାହା କାଗଜରେ ଲେଖିଯାଉଛି ସେ ସବୁ ନିଜ ମୁହଁରେ ମଧ୍ୟ ପଢ଼ି ପଢ଼ି ଯାଉଛି । ପଢ଼ି ପଢ଼ି ଯାଉଛି ପ୍ରେମଚିଠି । ଆଗରେ ସଜୀବ ମାଇକ୍ରୋଫୋନ୍‌ । ମଞ୍ଜୁ ମହାପାତ୍ର ପଢ଼ୁଛି ନିଜ ପ୍ରେମଚିଠି... ମୋର ମେଘ ଆକାଶର ଉଜ୍ଜ୍ୱଳ ବିଜୁଳିରେଖା, ତମେ କେଉଁଠି ? କେତେ ଦୂରରେ ପ୍ରିୟତମ ! ଆସ, ତମ ପାଇଁ ରାତିସାରା ମୁକୁଳା ରହୁଛି ମୋର ଦୁଆର ଝରକା । ଉନ୍ମୁକ୍ତ ରଖିଛି ଦେହ ଦେବାଳୟ... ରାତି ପାହି ପାହି ଯାଉଛି, ତାରାମାନେ ଲୁଚି ଲୁଚି ଯାଉଛନ୍ତି । ଝରି ଝରି ଯାଉଛି ଗଙ୍ଗଶିଉଳି, ଆସ ପ୍ରିୟତମ !

 

ମୁଁ, ସୁଭାଷ, ବିଜୁ ତିନିହେଁ ମନୋଜକୁ କୁଣ୍ଢେଇ ଟେକିଧରିଲୁ । ଓ୍ୱା, ଓ୍ୱା, ତୁ ଗୋଟେ ପକ୍କା ପ୍ରେମିକରେ । କେମିତି ଡଗଡଗ କରି କହିଯାଉଛୁ ।

 

: “ଚୁପ୍‌ ।” ମନୋଜ ଟିକେ ଦମ୍‌ ନେଲା ଓ କହିଲା, “ମୁଁ ଏସବୁ କହୁନାହିଁ । ଆଗରେ ସଜୀବ ମାଇକ୍ରୋଫୋନ୍‌ । ମଞ୍ଜୁ ମହାପାତ୍ର ଚିଠି ଲେଖୁଛି ଏବଂ ନିଜେ ନିଜ ଚିଠି ପଢ଼ି ଚାଲିଛି । ଷ୍ଟେସନ୍‌ ସାରା ଲୋକେ ସ୍ତବ୍‌ଧ । ଚାରିଆଡ଼େ ବୁଲା ବିକାଳି, ଷ୍ଟେସନ୍‌ ମାଷ୍ଟର, ଟି.ଟି.ଇ ସମସ୍ତେ ଅବାକ୍‌ । ଚାରିଆଡ଼େ ଖେଳେଇ ହୋଇ ଯାଉଛି ପ୍ରିୟତମ... ପ୍ରିୟତମ... ଆସ... ପରି ଶବ୍ଦ । ପାଣିଟ୍ୟାପ୍‌ ପାଖରେ ଛିଡ଼ା ହୋଇଛନ୍ତି ବାପଝିଅ । ଯୁବତୀ ଝିଅ ଅବିବାହିତା । ତା’ କାନରେ ବାଜୁଛି ମଞ୍ଜୁ ମହାପାତ୍ରର ମୁକୁଳା ପ୍ରେମ ନିବେଦନ । ଲାଜରେ ଜୁଡ଼ୁସୁଡ଼ୁ ହୋଇ ଯାଉଛନ୍ତି ବାପଝିଅ ଦୁହେଁ । ଭାଇ ଭଉଣୀ ଲାଜେଇ ଯାଉଛନ୍ତି । ନବବିବାହିତା ଦମ୍ପତି, ଯୋଉମାନେ ଏଇ ଷ୍ଟେସନ୍‌ରୁ ଯିବେ ପୁରୀ ସମୁଦ୍ରକୂଳ, ସେମାନେ ଅବାକ୍‌ । ବାଟୋଇ ଦେବାକୁ ଆସିଥିବା ବୁଢ଼ା କିରାଣି ଓ ଯୁବକ ହାକିମ କାବ୍‌ବା । ଚାରିଆଡ଼ୁ ଅନୁସନ୍ଧିତ୍ସୁ ଭିଡ଼ର ବଳୟ ପାଖେଇ ପାଖେଇ ଆସୁଛି । ମଞ୍ଜୁ ମହାପାତ୍ରର ରୁମ୍‌ ଚାରିପଟେ ଜନାରଣ୍ୟ । ସମସ୍ତେ ସ୍ତବ୍‌ଧ ଓ ଅବାକ୍‌ ।

 

: କି ଦୁର୍ଭାଗ୍ୟ ? କି ଦୁର୍ଘଟଣା!

 

: ପ୍ରେମ ଚିଠି ଲେଖାକୁ ନିଷିଦ୍ଧ କରାଯିବା ଦରକାର । ଆଜି ରାତି ଭିତରେ ସବୁ ଡାକଘର ରେଡ୍‌ ହୋଇଯିବା ଉଚିତ । –ସୁଭାଷ ଚୂଡ଼ାନ୍ତ ରାୟ ଶୁଣାଇବା ପରି କହିଲା ।

 

ଏଇ ପ୍ରଥମ ଚିଠିରୁ ତା’ର ସୁରୁଆତ୍‌ ହେଲା ବୋଲି ଜାଣ । ବିଷ୍ଣୁ ତା’ ଛାତି ପକେଟରେ ଥିବା ଚିଠିଆଡ଼େ ଇଙ୍ଗିତ କରି କହିଲା ।

 

ମୁଁ କହିଲି, ‘ମନୋଜ କଥା ଶୁଣି ନଥିଲେ ମୁଁ ଏ ପ୍ରେମ ଚିଠିଗୁଡ଼ାକର ବିପଜ୍ଜନକ ଦିଗ ବାବଦରେ ଏତେ ସଚେତନ ହୋଇ ପାରି ନ ଥାଆନ୍ତି । ଥୋଡ଼େ ବେକାରିଆଙ୍କ କାମ ସେଗୁଡ଼ା, ମାଇଚିଆ ଟୋକାମାନେ ଚିଠି ଲେଖନ୍ତି ଓ ନାକ ସୁଁ ସୁଁବାଲୀ ଝିଅମାନେ ତାକୁ ପଢ଼ି କୁତୁକୁତୁ ହୁଅନ୍ତି-

 

ମନୋଜ କହିଲା, “କାଢ଼ ମଞ୍ଜୁ ମହାପାତ୍ରର ଚିଠି । କ’ଣ ଲେଖିଛି ସେ କାଳୀ ଟୋକୀ ଖଣ୍ଡକ ପଢ଼ିବା ।”

 

ଆମେ ସମସ୍ତେ କହିଲୁ: କାଢ଼୍‌ ।

 

ଆମ ମେଳରେ ମଞ୍ଜୁ ମହାପାତ୍ରର ଚିଠିଟା ଦିଶୁଥିଲା କୁରୁସଭାରେ ଆତଙ୍କିତା ଦ୍ରୌପଦୀ ପରି । ବିଷ୍ଣୁ ଲଫାପାଟା ସତର୍କରେ ଖୋଲି ଚିଠିଟାକୁ ବିବସ୍ତ୍ର କରିଦେଲା । ଆମେ ସମସ୍ତେ ଏକ ସମୟରେ ଚିଠିଟା ପଢ଼ିବା ପାଇଁ ଅଧୈର୍ଯ୍ୟ ହୋଇପଡ଼ିଲୁ ।

 

ରାସ୍ତା ଅନ୍ଧାର ହୋଇଗଲାଣି । କୌଣସି ବତିଖୁଣ୍ଟ ତଳକୁ ଯାଇ ଚିଠିଟାକୁ ପଢ଼ାଯାଇ ପାରନ୍ତା । କିନ୍ତୁ ସେମିତି କଲେ ଅଯଥା ସନ୍ଦେହଘେର ଭିତରକୁ ଭିଡ଼ି ହୋଇଯିବାର ଆଶଙ୍କା ଅଛି । କିଏ ନାହିଁ କିଏ ଦେଖିବ । ଚାରିଟା ଟୋକା ରାସ୍ତା ଉପରେ ଛିଡ଼ାହୋଇ କ’ଣ ପଢ଼ୁଛନ୍ତି ? ସହରଟାକୁ ଉଡ଼େଇ ଦେବାର ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି ନା କୋଉ ବ୍ୟାଙ୍କ ଡକାୟତିର ରୁଟ୍‌ ଚାର୍ଟ ନିରୀକ୍ଷଣ କରୁଛନ୍ତି ?

 

: ଜଣେ ଜଣେ ଯାଇ ଆଗ ବତିଖୁଣ୍ଟ ତଳୁ ଚିଠିଟା ପଢ଼ି ଆସ । ମୁଁ ପ୍ରସ୍ତାବ ଦେଲି ।

 

କିନ୍ତୁ କିଏ ଆଗ ମଞ୍ଜୁ ମହାପାତ୍ରର ପ୍ରେମଚିଠି ପଢ଼ିବ ସେ ନେଇ ଆମ ଭିତରେ ଚାଲିଲା ଟଣାଓଟରା । ମୁଁ ଆଗେ, ମୁଁ ଆଗେ କହି ତିନିହେଁ ବିଷ୍ଣୁ ଆଡ଼କୁ କୁଦି ପଡ଼ିଲୁ । ଭୁଲିଗଲୁ ଯେ ଏତେ କଷ୍ଟ କରି ଲେଟର୍‌ବକ୍‌ସ ଭିତରୁ ଚିଠିଟାକୁ ବିଷ୍ଣୁ ବାହାର କରି ଆଣିଛି ଓ ସେହି ଦୃଷ୍ଟିରୁ ସେ ଅନ୍ତତଃ ଚିଠିଟା ପଢ଼ିବାର ପ୍ରଥମ ସୁଯୋଗ ପାଇବା ଉଚିତ ।

 

ଆମେ କିନ୍ତୁ ସେ ଯୁକ୍ତି ଫୁକ୍ତି ଶୁଣିବା ଅବସ୍ଥାରେ ନଥିଲୁ । ବିଷ୍ଣୁ ପକେଟରେ ମଞ୍ଜୁ ମହାପାତ୍ରର ଚିଠି । ମଞ୍ଜୁ ମହାପାତ୍ର ଚିଠିରେ ଥିବ ପ୍ରେମ ଅଭିସାରର ମୁକୁଳା ଆମନ୍ତ୍ରଣ । ଥୋଡ଼ାଏ ଯୌନତା, ମାଂସ ଓ ଲାଳର ଆମନ୍ତ୍ରଣ । ଗୋଟେ ଅର୍ଦ୍ଧନଗ୍ନ ନ ହେଲେ ସମ୍ପୂର୍ଣ୍ଣ ନଗ୍ନ ଯୁବତୀ ଖଟ ଧାରରେ ବସି ତା’ର ଦୁଇ ହାତ ପ୍ରସାରି ଦେଉଥିବ । ତା’ର ଆମନ୍ତ୍ରଣ ସ୍ୱାଗତମ ମୁଦ୍ରାରେ ଝୁଲୁଥିବ ଘର ସାମ୍ନାରେ । ଜାଣି ଜାଣି ଦୁଆର ଦରଆଉଜା କରି ରଖିଥିବ । କରାଘାତ ମାତ୍ରେ ଖୋଲିଯିବ ସେ ଦୁଆର । ଆଉ ତା’ପରେ...

 

ବଣ୍ୟ ଓ ଉଦ୍ଦାମ କଳ୍ପନା ଆମ ମସ୍ତିଷ୍କ ଭିତରର ତନ୍ତ୍ରୀଗୁଡ଼ାକୁ ଖିନ୍‌ଭିନ୍‌ କରି ଦେଉଥିଲା-। ଆମ ଦେହ ଭିତରେ ଗରମ ଲାଭାର ତରଳ ସ୍ରୋତ । ଦେହହାତ ଉତ୍ତେଜନାରେ ଝାଳେଇ ଯାଇ ସାରିଥାଏ ।

 

କ’ଣ ଲେଖିଥିବ ମଞ୍ଜୁ ମହାପାତ୍ର ସେ ଚିଠିରେ ? କ’ଣ ସବୁ ଲେଖାଯାଏ ପ୍ରେମ ଚିଠିରେ ? କାହିଁକି ଏତେ ଦୀର୍ଘ ହୋଇପଡ଼େ ସବୁଯାକ ପ୍ରେମଚିଠି ? ଆମେମାନେ ଏ ବେପାରରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲୁ । ଆମର ଅଜ୍ଞତା ଆମକୁ ମଞ୍ଜୁ ମହାପାତ୍ରର ଚିଠି ପଢ଼ିବା ପାଇଁ ଅଧିକ ଆତୁର କରିପକାଉଥିଲା ।

 

ସୁଭାଷ କହିଲା, “ଆଗେ ଟିକେ ଠିକଣାଟା ଦେଖିଲୁ । କାହା ପାଖକୁ ସେ ଚିଠିଟା ଲେଖାଯାଇଛି ।”

 

ବିଷ୍ଣୁ ଜହ୍ନ ଆଲୁଅରେ ଠିକଣାଟା ପଢ଼ି କହିଲା, ‘ଆର.କେ. ପଟ୍ଟନାୟକ ।’

 

: ଠିକ୍‌ । ଏଇଟା ଶଳା ରାହୁଳ ପାଖକୁ ନିଶ୍ଚୟ ଲେଖା ଯାଇଥିବ । ତାରି ସାଙ୍ଗିଆଟା ତ ପଟ୍ଟନାୟକ ।

 

: ଆରେ ସମୁଦ୍ର ଲହରୀ ଆଉ ଝିଅଙ୍କ ପ୍ରେମ ଉପରେ କ’ଣ ଗ୍ୟାରେଣ୍ଟି ଅଛି ? ଏମାନେ ପୁଣି ଉଡ଼ାଚଢ଼େଇ । ଆଜି ଏ ଡାଳରେ ବସିଲେଣି ତ କାଲି ସେ ଡାଳରେ ।

 

: ସେ ସବୁ ସିନା ଝିଅଙ୍କ କଥା । ମଞ୍ଜୁ ମହାପାତ୍ର କୋଉ ଝିଅ ଯେ !

 

: ଅ-ବ-ଶ୍ୟ । ସୁଭାଷ ଏଥର ବି ରସିକତା କରିବା ଢଙ୍ଗରେ ମନ୍ତବ୍ୟ ଦେଲା ।

 

ମୋର କୌଣସି ପ୍ରେମଚିଠି ପଢ଼ିବାର ସାମାନ୍ୟତମ ଅଭିଜ୍ଞତା ଆଗରୁ ନ ଥିଲା । ମୁଁ ତେଣୁ ପ୍ରଥମେ ମଞ୍ଜୁ ମହାପାତ୍ରର ଚିଠି ପଢ଼ିବାକୁ ବ୍ୟସ୍ତ ହୋଇପଡ଼ୁଥିଲି । କିନ୍ତୁ ବିଷ୍ଣୁ ହାତରେ ରହିଛି ଚିଠିଟା । ସେ ସେଇଟାକୁ ଆଗେ ନ ପଢ଼ି କଦାପି ମୋତେ ଦେବ ନାହିଁ ।

 

ଆମେମାନେ କଲ୍‌ଭର୍ଟ ଉପରେ ବସିଗଲୁ । ମନୋଜ କହିଲା, “ମନୋଜ, ସୁଭାଷ ଓ ମୁଁ ବସିଛୁ । ବିଷ୍ଣୁ ଯା, ତୁ ଆଗେ ଚିଠିଟା ପଢ଼ି ଆସିବୁ ।”

 

ଆବିଷ୍ଟ ହେବା ମୁଦ୍ରାରେ ବିଷ୍ଣୁ ଉଠିପଡ଼ିଲା ଓ ଦ୍ରୁତ ପାଦରେ ବତିଖୁଣ୍ଟଆଡ଼କୁ ଆଗେଇଗଲା ।

 

ଆମେମାନେ ଅଧୈର୍ଯ୍ୟ ହୋଇ ପଡ଼ୁଥିଲୁ । ଅଦୂରବର୍ତ୍ତୀ ଷ୍ଟେସନ୍‌ର କୋଳାହଳ ଆମକୁ ଆଉ ଶୁଭୁ ନଥିଲା । ଛୋଟ ଛୋଟ ଦୋକାନଗୁଡ଼ିକରେ ଗରାଖଙ୍କ ଯା’ଆସ ସ୍ୱାଭାବିକ ରୀତିରେ ଚାଲିଥିଲା । କାଁ ଭାଁ ଗୋଟେ ସ୍କୁଟର କି ସାଇକେଲ୍‌ ଆମ ଆଗଦେଇ ଚାଲିଯାଉଥିଲା । ରିକ୍ସାରେ ବସିଥିବା କୌତୂହଳୀ ଯାତ୍ରୀ କେହି ଆମ ଆଡ଼କୁ ଚାହିଁ ପୁଣି ନଜର ବୁଲେଇ ନେଉଥିଲା । ଆକାଶରେ ଜହ୍ନଟା ଢେର୍‌ କାଳ ଘୂରାଘୂରି କରିବା ପରେ ହାଲିଆ ଶିଶୁଟେ ପରି ଏବେ ଖଣ୍ଡିଏ ମେଘ କୋଳରେ ମୁହଁ ଗୁଞ୍ଜି ଦେଇଥିଲା ।

 

ରାହୁଳ ସାଙ୍ଗରେ ଆମର ଚିହ୍ନାଜଣା ଆଦୌ ଘନିଷ୍ଠ ନୁହେଁ । ସେ ଚାକିରି କରେ ବ୍ୟାଙ୍କରେ, ଯୋଉଠିକୁ ଆମ ପରି ବେକାରମାନଙ୍କ ଯିବା ଦରକାର ପଡ଼େ ନାହିଁ । କେବେ କେମିତି କୋଉଠି ଦରଖାସ୍ତ କରିବାର ଥିଲେ ପୋଷ୍ଟାଲ୍‌ ଅର୍ଡ଼ରରେ ଆମର କାମ ଚଳିଯାଏ । କିନ୍ତୁ ତା’ ସତ୍ତ୍ୱେ ରାହୁଳ ସାଙ୍ଗେ ଟିକେ ଟିକେ ଜଣାଶୁଣା ଥିଲା । ନୀଳମଣି ପାନ ଦୋକାନର ସେଇ ଆଡ୍ଡାରେ ତା’ ସାଙ୍ଗେ ଆମର ପରିଚୟ ହୋଇଥିଲା । ଅବଶ୍ୟ କିଛିଦିନ ପରେ ରାହୁଳ ସେଠିକି ଆସିବା ବନ୍ଦ କରିଦେଇଥିଲା ।

 

ସୁଭାଷ କହିଥିଲା: ଟୋକାଟା ପ୍ରେମରେ ପଡ଼ିଯାଇଥିବ ।

 

ସୁଭାଷ ଆମ ଗୋଠର ସହଦେବ । ତଥାପି ମୁଁ ପଚାରିଲି, “ତୁ କିପରି ଜାଣିଲୁ ?”

 

ସେ କହିଲା, “ଯାହାର ଚାକିରି କି ପ୍ରେମ, ଏ ଦିଇଟାରୁ କୌଣସି ଗୋଟେ ଆଶା ନାହିଁ, ସେ ଏଇଠିକି ଆସେ । ଯେମିତି ଆମେ । ରାହୁଳ ଆଗରୁ ଚାକିରି କରିଥିଲା । ତେଣୁ ଦ୍ୱିତୀୟଥର ଚାକିରି କରିବା ପ୍ରଶ୍ନ ଉଠୁ ନାହିଁ । ବାକି ରହିଥିଲା ପ୍ରେମ ।”

 

: ମାନେ ମଞ୍ଜୁ ମହାପାତ୍ର ।–ମନୋଜ ଲମ୍ବେଇ କହିଲା ।

 

ରାହୁଳ ଶେଷକୁ ମଞ୍ଜୁ ମହାପାତ୍ର ଭଳି ଗୋଟେ ଅସୁନ୍ଦରୀ ପାଲରେ ପଡ଼ିବ, ସେକଥା ଆମେ କଦାପି କଳ୍ପନା କରି ନ ଥିଲୁ । ଆମର ଈର୍ଷା ଓ ଦୟା ଅନୁକମ୍ପାରେ ପରିଣତ ହୋଇଯାଇଥିଲା ।

 

ବିଷ୍ଣୁ ଫେରିଆସୁଛି ।

 

ମୁଁ ଚଞ୍ଚଳ ହୋଇଉଠିଲି । ଏହାପରେ ମୋ ପାଳି । ପବ୍ଲିକ୍‌ ଶୌଚାଳୟ ଆଗର କ୍ୟୁ ପରି ଆମର ଅବସ୍ଥା । ସମସ୍ତେ ତରତର । କେହି ଅଟକି ପାରିବେ ନାହିଁ । ମୁଁ କଲଭର୍ଟ ଉପରୁ ଉଠିପଡ଼ିଲି ।

 

ମନୋଜ କହିଲା, “ବସବେ । ୟା ପରେ ମୋ ପାଳି ।”

 

ମୁଁ ତାକୁ ଅନେଇଲି । ମନୋଜ ହଠାତ୍‌ ଏମିତି ରୁକ୍ଷ ହେବ ମୁଁ ଆଶା କରି ନଥିଲି ।

 

ସୁଭାଷ କହିଲା, “ନାରୀ ଯୋଉଠି, ଅନର୍ଥ ସେଇଠି । ଟୋକୀଟାର ଚିଠିକୁ ନେଇ ତ ଏତେ, ସେ ଝିଅଟା ଆସି ଯାଇଥିଲେ ତମେ ତ ପରସ୍ପରକୁ ଖୁନ୍‌ କରି ଦିଅନ୍ତ ।”

 

ମୁଁ ଅପମାନିତ ବୋଧ କରି ବସିପଡ଼ିଲି ।

 

ମନୋଜ ବିଷ୍ଣୁ ହାତରୁ ଚିଠିଟା ଝାମ୍ପି ନେଇ ପଳେଇଗଲା ବତିଖୁଣ୍ଟ ମୂଳକୁ ।

 

ମୁଁ ଓ ସୁଭାଷ ଦୁହେଁ ଇଣ୍ଟରଭ୍ୟୁର ଅପେକ୍ଷମାଣ ପ୍ରାର୍ଥୀମାନେ ସାକ୍ଷାତ୍‌କାର ସାମ୍ନାକରି ଫେରିଥିବା ପ୍ରାର୍ଥୀଟିକୁ ଯେମିତି ଘେରିଯାଆନ୍ତି ସେମିତି ଘେରିଗଲୁ । “କ’ଣ ଲେଖାଯାଇଛି, କିଭଳି ଲେଖାଯାଇଛି ? ପଦେ କହ, ଧାଡ଼ିଏ କହ ।”

 

ବିଷ୍ଣୁ କିନ୍ତୁ ଗମ୍ଭୀର ଓ ନିରବ ଥିଲା । ସେ ହଠାତ୍‌ ଏମିତି ଗମ୍ଭୀର ହୋଇ ପଡ଼ିଥିଲା ଯେ ଯେମିତି ସତକୁ ସତ ସେ କାହାର ପ୍ରେମରେ ପଡ଼ିଯାଇଛି ! ମଞ୍ଜୁ ମହାପାତ୍ର ତା’ ଚିଠିରେ ଏମିତି କ’ଣ ଲେଖିଛି ଯେ ବିଷ୍ଣୁ ପରି ଚଞ୍ଚଳ ମଣିଷକୁ ବି ସେଇଟା ଗମ୍ଭୀର କରିଦେଲା ?

 

ଆମେ ଦୁହେଁ ପୁଣି ଅଳି କଲୁ, “କହ, କହ ।”

 

ଆମେମାନେ ନିରାଶ ହେଲୁ ।

 

ରାତି ଆଠଟା ବାଜିବଣି । ସେଭେନ୍‌ ଅପ୍‌ ପୁରୀ ଏକ୍‌ସପ୍ରେସ୍‌ ଆସିବାର ଶବ୍ଦ ଶୁଣାଯାଉଛି । କଲ୍‌ଭର୍ଟର ଗୋଟିଏ ପଟେ ବିଷ୍ଣୁ ଓ ଆଉ ଗୋଟିଏ ପଟେ ଆମେ ଦୁହେଁ ବସିଛୁ, ଦୁଇ ଅଲଗା ପକ୍ଷର ମଣିଷ ପରି ।

 

ମୁଁ ଆଗକୁ ଚାହିଁଲି । ମନୋଜର ଲମ୍ବା ଛାଇଟା ଧୀରେ ଧୀରେ ଆମ ପର୍ଯ୍ୟନ୍ତ ଲମ୍ବି ଆସୁଛି । ମୁଁ ଆଉ ଚଞ୍ଚଳତା ପ୍ରକାଶ କଲି ନାହିଁ । ନିରବ ରହି ମୁଁ ମନୋଜର ରୁକ୍ଷ ବ୍ୟବହାରର ପ୍ରତିବାଦ କରିବାକୁ ଚାହୁଁଥିଲି ।

 

ଆଶ୍ଚର୍ଯ୍ୟ ! ମନୋଜ ମଧ୍ୟ ବିଷ୍ଣୁ ପରି ଗମ୍ଭୀର ଓ ଅବସନ୍ନ ଦିଶୁଥିଲା । ସୁଭାଷ ମୋତେ ଖେଞ୍ଚିଦେଇ କହିଲା, “ଶଳା ଚିଠି ପଢ଼ୁଥିଲେ ନା ମଞ୍ଜୁ ମହାପାତ୍ରକୁ ପ୍ରେମ କରୁଥିଲେ ?”

 

ମୁଁ ହସି ଉଠିଲି । ବିଷ୍ଣୁ କିନ୍ତୁ ଆମ ହସରେ ଯୋଗ ଦେଲା ନାହିଁ । ମନୋଜ ଆସି ବିଷ୍ଣୁ ପାଖରେ ହିଁ ବସିପଡ଼ିଲା ।

 

ମୁଁ ସ୍ଥିର କରିନେଇଥିଲି ଯେ ମଞ୍ଜୁ ମହାପାତ୍ରର ଚିଠି ପଢ଼ିବା ନେଇ ମୁଁ ଆଉ ବ୍ୟଗ୍ରତା ପ୍ରକାଶ କରିବି ନାହିଁ । ସବା ଶେଷରେ ମୁଁ ପଢ଼ିବି ସେ ଚିଠି ।

 

ନାଲିଗୋଡ଼ି ରାସ୍ତାର ଦି’ ପାଖରେ ଅଳ୍ପ ଅଳ୍ପ ଘାସ, ଚନ୍ଦାମୁଣ୍ଡର ବିରଳ କେଶ ପରି । ତା’ ଉପରେ ଟୋପା ଟୋପା ଶିଶିରବିନ୍ଦୁ । ଦୂରବର୍ତ୍ତୀ ବତିଖୁଣ୍ଟ ଆଲୋକରେ ସେଗୁଡ଼ିକ ଚିକ୍‌ ଚିକ୍‌ କରିଉଠୁଥିଲା ।

 

ସୁଭାଷର ଆଖି ଖରାପ । ଚଷମା ଲଗାଏ । ପ୍ରାୟ ଦଶ ମିନିଟ୍‌ ପରେ ସେ ଫେରିଲା । ମୁଁ ଦୂରରୁ ଲକ୍ଷ୍ୟ କଲି ସୁଭାଷ ସେ ଚିଠିଟାକୁ ଏପଟ ସେପଟ କରି ଢେର୍‌ ସମୟ ଚାହିଁ ରହିଲା । ତା’ପରେ ତାକୁ ଚଉଭାଙ୍ଗ କରି ପକେଟରେ ରଖି ଆମ ପାଖକୁ ଫେରି ଆସିଲା ।

 

ଆଶ୍ଚର୍ଯ୍ୟ ! ସୁଭାଷ ମଧ୍ୟ ମୋ ପଟେ ନ ବସି ସେପଟେ ଯାଇ ବସିପଡ଼ିଲା ବିଷ୍ଣୁ ଓ ମନୋଜଠାରୁ ଦୂରଛଡ଼ା ହୋଇ । ମୋତେ ସେ ତିନିହେଁ ଟେଲିଫୋନ୍‌ ତା’ର ଉପରେ ବସିଥିବା ପରସ୍ପରର ଅଚିହ୍ନା ତିନିଟି ଚଢ଼େଇ ପରି ଦିଶୁଥିଲେ ।

 

ସୁଭାଷ ମୋ ହାତକୁ ମଞ୍ଜୁ ମହାପାତ୍ରର ଚିଠିଟି ବଢ଼େଇଦେଲା । ସେହି କାଗଜଖଣ୍ଡିକୁ ଧରିବାକ୍ଷଣି ମୋ ଦେହର ଉତ୍ତେଜନା ଦି’ଗୁଣ ବଢ଼ିଗଲା । ଦ୍ରୁତ ପାଦରେ ବତିଖୁଣ୍ଟଆଡ଼କୁ ଯିବା ବାଟରେ ମୁଁ ଚିଠିଟାର ଭାଙ୍ଗ ଖୋଲି ସାରିଥିଲି ।

 

ଚିଠିଟା ପଢ଼ିବାକୁ ଆରମ୍ଭ କରିବା ଆଗରୁ ମୁଁ ଆଉ ଥରେ ଦୁଇଆଡ଼କୁ ଚାହିଁ ଦେଖିଲି । କେହି କୋଉଠି ମୋତେ ଲକ୍ଷ୍ୟ କରୁନାହିଁ ତ ? ମଞ୍ଜୁ ମହାପାତ୍ର ଲେଖିଛି, ‘ମାନନୀୟ ମଉସା ।’ ମୁଁ ଚମକି ପଡ଼ିଲି । ଏଇଟା କୋଉ ଚିଠି ? ପ୍ରେମ ଚିଠିର ପୁଣି ଇଏ କି ସମ୍ବୋଧନ ? ମୁଁ ଭୁଲ୍‌ ଚିଠି ପଢ଼ୁନାହିଁ ତ ? ପୁଣି ପଢ଼ି ଲାଗିଲି । ଚିଠି ଶେଷରେ ମଞ୍ଜୁର ନା ଲେଖା ଅଛି । ତାରି ଚିଠି ୟେ । ସେ ଲେଖିଛି ‘ମୋର ପ୍ରଣାମ ନେବେ । ମାଉସୀଙ୍କୁ ମୋ ପ୍ରଣାମ ଓ ପିଲାମାନଙ୍କୁ ସ୍ନେହ ଦେବେ ।

 

“ମଉସା, ଆଜି ସକାଳେ ଡାକ୍ତରଙ୍କ ପାଖକୁ ଯାଇଥିଲି । ସେ ଶେଷ କଥା କହିଦେଲେ-। ଆଉ କୌଣସି ଆଶା ନାହିଁ । ପୃଥିବୀର କୌଣସି ଡାକ୍ତରଖାନା ମୋତେ ଆଉ ସାହାଯ୍ୟ କରିପାରିବ ନାହିଁ । ମୁଁ ଜାଣିଛି, ଆପଣ ମୋ ପାଇଁ ଖୁବ୍‌ ବ୍ୟସ୍ତ । ଆପଣ ମୋର ବାପା ଏବଂ ବୋଉ । ଏ ଦୁନିଆରେ ଏକମାତ୍ର ସମ୍ପର୍କୀୟ । ଆପଣଙ୍କ ଋଣ ମୁଁ ଏ ଜୀବନରେ ଶୁଝିପାରିବି ନାହିଁ-। କିନ୍ତୁ ଏ ଅବସ୍ଥାରେ ମୁଁ ଆଉ କ’ଣ କରିପାରିବି ?

 

‘ଚାକିରି ମିଳିବା ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ମିଛ କହୁଥିଲି । ଚାକିରି ମିଳିଲା ପରେ ବାହା ହେବି ହେବି ବୋଲି ପ୍ରତିଶ୍ରୁତି ଦେଉଥିଲି । ମାତ୍ର ଏବେ ମୋ ମିଛ ପ୍ରତିଶ୍ରୁତି ମୁଁ ରଖିପାରୁ ନାହିଁ । ମୋତେ ଭୁଲ୍‌ ବୁଝିବେ ନାହିଁ ।’

 

‘କୌଣସି ଦିନ ଯଦି ମୁଁ ମାଆ ନ ହୋଇ ପାରିବି ତେବେ କାହାର କାଠକଣ୍ଢେଇ ହୋଇ ରହିବାରେ କି ଗୌରବ ? ସେମିତି ଜୀବନଠୁ ଏଇ ଭଲ । ଗଲାଣି ତ ଅନେକ ଦିନ, ଆଉ କିଛି ବର୍ଷ ଏମିତି ବିତିଯିବନି ?

 

‘ଆପଣ ବରାବର କହୁଥିଲେ, ମୋର ଚିହ୍ନାପରିଚିତ ଭିତରୁ ଜଣକୁ ବାଛିବା ପାଇଁ । ସବୁ ପରିଚୟ ସମ୍ପର୍କ ନୁହେଁ ମଉସା । ପୁଣି କାହାର ଦୟା, ଅନୁକମ୍ପାକୁ ନେଇ କ’ଣ ସାରା ଜୀବନ ଜିଇ ହୁଏ ?

 

‘ମୋ ପାଇଁ ଆଉ ଭାବିବେ ନାହିଁ । କାହାକୁ ଏକଥା ବି କହିବେ ନାହିଁ । ମିଛ ସହାନୁଭୂତିଠୁଁ ସତ ନିନ୍ଦା ବରଂ ଭଲ । ରହୁଛି–ଆଦରର ମଞ୍ଜୁ ।” ତଳକୁ ଠିକଣା ଆର.କେ. ପଟ୍ଟନାୟକ, ଶାଳବଣ, କେଉଁଝର ।

 

ଗୋଟାଏ ଦୀର୍ଘଶ୍ୱାସ ମୋ ଛାତି ଭିତରୁ ବାହାରିଗଲା । ମଞ୍ଜୁ ମହାପାତ୍ରର ଚିଠିଟା ମୋତେ ଖୁବ୍‌ ଓଜନିଆ ଓ ଓଦା ଓଦା ଲାଗୁଥିଲା । କିନ୍ତୁ କାହାର ଲୁହ ଇଡ଼ିଯାଇଛି ଏ କାଗଜଖଣ୍ଡ ଉପରେ ? ମଞ୍ଜୁର, ମନୋଜର, ବିଷ୍ଣୁ, ସୁଭାଷ ନା ମୋ ନିଜର ?

 

ମୋର ଏବେ ଫେରିବାର ପାଳି । ଚିଠିଟିକୁ ଚଉଭାଙ୍ଗ କରି ଲଫାପା ଭିତରେ ମୁଁ ରଖିଲି । ମଞ୍ଜୁ ମହାପାତ୍ରର ନିରବ ଚିଠିଟା ମୋତେ ଧିକ୍‌କାର କରୁଥିଲା ।

 

ମୁଁ ଧୀରେ ବିଷ୍ଣୁ ହାତକୁ ସେ ଚିଠିଟା ବଢ଼େଇଦେଲି । ଆମେମାନେ ସାଙ୍ଗହୋଇ ଲେଟର ବକ୍ସ ପର୍ଯ୍ୟନ୍ତ ଗଲୁ ଓ ଚିଠିଟାକୁ ବନ୍ଦ କରି ପୁଣି ବାକ୍‌ସ ଭିତରକୁ ପକେଇ ଦେଲୁ ।

 

ଷ୍ଟେସନ୍‌ଆଡ଼ୁ ଶୁଭୁଥିଲା, ଟେନ୍‌ ଡାଉନ୍‌ ପୁରୀ-ହାଓ୍ୱଡ଼ା ଜଗନ୍ନାଥ ଏକ୍‌ସପ୍ରେସ୍‌ ଏକ ନମ୍ବର ପ୍ଲାଟ୍‌ଫର୍ମରେ ଆସି ପହଞ୍ଚୁଛି । ଟେନ୍‌ ଡାଉନ୍‌ ପୁରୀ ହାଓ୍ୱଡ଼ା...

 

ଇଏ ମଞ୍ଜୁର ସ୍ୱର ? ହୋଇଥାଇପାରେ । ନ ହୋଇ ବି ପାରେ । ଏମିତି ଟ୍ରେନ୍‌ ଆସୁଥିବ, ପୁଣି ଷ୍ଟେସନରେ ରହି ଚାଲି ଯାଉଥିବ । ମଞ୍ଜୁ ମହାପାତ୍ର କେବଳ ସେମାନଙ୍କ ଯା-ଆସ ସମୟ ଘୋଷଣା କରୁଥିବ ମାଇକ୍ରୋଫୋନ୍‌ ଆଗରେ । ଅଥଚ ତା’ ନିଜ ଜୀବନ ପ୍ଲାଟ୍‌ଫର୍ମରେ କୌଣସି ଟ୍ରେନ୍‌ ଆସିବାର ଶବ୍ଦକୁ ସେ ଅପେକ୍ଷା କରୁ ନ ଥିବ । ଟ୍ରେନ୍‌ମାନେ ଆଗପଛ ହୋଇ ଦ୍ରୁତଗତିରେ ଧାରଣା ଉପରେ ଗଡ଼ି ଯାଉଥିବେ । କୋଳାହଳରେ ଫାଟି ପଡ଼ୁଥିବ ସେମାନଙ୍କ ପ୍ଲାଟ୍‌ଫର୍ମ ।

 

ଅଥଚ ମଞ୍ଜୁ ମହାପାତ୍ର ପଡ଼ି ରହିଥିବ ପଛରେ ଗୋଟେ ପରିତ୍ୟକ୍ତ ପ୍ଲାଟ୍‌ଫର୍ମ ପରି ।

𗰵𗰵𗰵

 

ଆତତାୟୀ

 

ଟ୍ରେନ୍‌ ଆସିବାକୁ ଅଧଘଣ୍ଟା ଡେରି ଥିଲା । ଅଗତ୍ୟା ପ୍ଲାଟ୍‌ଫର୍ମରେ ଉଦ୍ଦେଶ୍ୟହୀନ ଭାବେ ଘୂରିବୁଲିବା ଭିନ୍ନ ଅନ୍ୟ କୌଣସି ଚାରା ନାହିଁ । ଅନୁସନ୍ଧାନ କାଉଣ୍ଟରରୁ ଖବରଟି ଶୁଣିବା କ୍ଷଣି ସୁରେଖା ଚିଡ଼ିଉଠିଲା । ସକାଳୁ ଉଠି ଏତେ ତରବରରେ ତାକୁ ଜିନିଷପତ୍ର ସବୁ ବନ୍ଧାବନ୍ଧି କରିବାକୁ ପଡ଼ିଥିଲା ଯେ, ତା’ ଭିତରେ ବିଚାରୀ ଖାଇପାରି ନଥିଲା । ସକାଳୁଆ ଟ୍ରେନ୍‌କୁ ଅପେକ୍ଷା କଲେ ଏହି ଅବସ୍ଥା ଭୋଗିବାକୁ ପଡ଼େ । ତରବରରେ କାମ ସାରିହୁଏ ନାହିଁ, ଜିନିଷପତ୍ର ଆଣିବାକୁ ଭୁଲ୍‌ ହୋଇଯାଏ, ଅଯଥାରେ ଉଦ୍ବେଗ ବଢ଼ିଯାଏ ।

 

ଅଥଚ ଷ୍ଟେସନରେ ପହଞ୍ଚିବାବେଳକୁ ଟ୍ରେନ୍‌ ଅଧଘଣ୍ଟା ଲେଟ୍‌ । ଏହି ଅଧଘଣ୍ଟା ବଢ଼ି ପୁଣି ଘଣ୍ଟାଏ ଯେ ନ ହେବ କହିହେବ ନାହିଁ । ରେଳଗୁଡ଼ିକର ଏ ଅଭ୍ୟାସ ସମୟାନୁବର୍ତ୍ତୀ ଯାତ୍ରୀଙ୍କ ପାଇଁ ଶାସ୍ତି, ମଠ ଯାତ୍ରୀଙ୍କ ପାଇଁ ପୁରସ୍କାର ।

 

ମୁଁ ସୁରେଖାକୁ ପ୍ରସ୍ତାବ ଦେଲି, ‘ଚାଲ, ଓ୍ୱେଟିଂରୁମରେ ବସିବା । ଏତେଗୁଡ଼ାଏ ବ୍ୟାଗ୍‌ପତ୍ର ଧରି ବୁଲିବା ଭାରି ବିରକ୍ତିକର ।’

 

ଓ୍ୱେଟିଂରୁମ୍‌ଟି ଦିଶୁଥାଏ ଖେଳପଡ଼ିଆ କି ପାର୍କ ପରି । କୌଣସି ଜିନିଷପତ୍ର ଶୃଙ୍ଖଳିତ ଢଙ୍ଗରେ ନାହିଁ । ଦଳଦଳ ଯାତ୍ରୀ–କିଏ ବସିଛି, କିଏ ଶୋଇ ରହିଛି, କିଏ ଅଧାଶୁଆ ହୋଇ ବହି, ଖବରକାଗଜ ପଢ଼ୁଛି ତ କିଏ ବାଥ୍‌ରୁମ୍‌କୁ ଯିବା ପୋଷାକ ବଦଳାଉଛି । ସେମାନଙ୍କ ସମ୍ମିଳିତ ପାଟିତୁଣ୍ଡରେ କିଛି ଶୁଭୁନାହିଁ । ଆମେମାନେ ବ୍ୟାଗ୍‌ପତ୍ର ଗୋଟିଏ ଜାଗାରେ ଥୋଇଦେଇ ଟିକିଏ ଦମ୍‌ ନେଲୁ । ସକାଳୁ ପ୍ରଥମେ ବସ୍‌, ତା’ପରେ ଟେମ୍ପୋ ଓ ଶେଷ କିଛି ଘଣ୍ଟା ଛୋଟମୋଟ ଜିନିଷ କିଣାବିକା ପାଇଁ ସିକନ୍ଦରବାଦ ଷ୍ଟେସନରେ ଘୂରି ଘୂରି ଆମକୁ ଭୀଷଣ ଥକ୍‌କା ଲାଗୁଥିଲା ।

 

ଲୁନା କିନ୍ତୁ ଓ୍ୱେଟିଂରୁମରେ ବସିରହିବାକୁ ପ୍ରସ୍ତୁତ ନୁହେଁ । ତା’ ପାଇଁ ପ୍ଲାଟ୍‌ଫର୍ମ ଅଧିକ ଆକର୍ଷଣୀୟ । ପ୍ଲାଟ୍‌ଫର୍ମରେ ନାନାପ୍ରକାର ଦୋକାନ-ଫଳ, ମାଗାଜିନ୍‌, ପ୍ଲାଷ୍ଟିକ୍‌ ଖେଳନା, ଚକୋଲେଟ୍‌, ଚୁଇଂଗମ୍‌, ଆଇସ୍‌କ୍ରିମ୍‌, ରଙ୍ଗବେରଙ୍ଗ ବେଲୁନ୍‌–ସେସବୁର ମିଶାମିଶି ହରରଙ୍ଗୀ ଦୁନିଆର ଆକର୍ଷଣ ଏଡ଼ିବା ସହଜ ନୁହେଁ ତା’ ପକ୍ଷେ । ସେ ବରାବର ମୋ ହାତ ଭିଡ଼ୁଥାଏ । ସୁରେଖା କହିଲା, “ମୁଁ ଜିନିଷପତ୍ର ଜଗୁଛି । ତମେ ବାପ ଝିଅ ଯାଇ ବାହାରୁ ବୁଲିଆସ । ଥାର୍ଡ଼ ବେଲ୍‌ ହେଲେ ଓ୍ୱେଟିଂ ରୁମ୍‌ ସାମ୍ନାକୁ ଚାଲିଆସିବ । ଆମ ବଗି ଏଇ ପାଖାପାଖି ଲାଗିବ ନା ?”

 

ମୁଁ ତା’ କଥାରେ ମୁଣ୍ଡ ହଲାଇ ସମ୍ମତି ଜଣେଇଲି । ମୋର ବି ସିଗ୍ରେଟ୍‌ ଖଣ୍ଡେ ନିହାତି ଦରକାର ପଡ଼ୁଥିଲା । ଢେର୍‌ ସମୟ ହେଲା ସିଗ୍ରେଟ୍‌ ଖଣ୍ଡେ ଟଣାଯାଇ ନାହିଁ ।

 

ଲୁନା ମୋର ହାତ ଆଙ୍ଗୁଳି ଧରି ଭିଡ଼ୁଥିଲା । “ଆସ, ବାବା ଆସ... ସେଇ ମାଗାଜିନ୍‌ ଷ୍ଟଲ୍‌ରୁ କମିକ୍‌ସ କିଣିବା ।”

 

ସୁରେଖା ଜୀବନବୀମା ଅଫିସରେ କାମ କରେ । ଏବେ ଏବେ ସେ କମ୍ପ୍ୟୁଟର ପ୍ରୋଗ୍ରାମର୍‌ ଭାବେ ପଦୋନ୍ନତି ପାଇଛି । ଟ୍ରେନିଂ ନେବା ନିମନ୍ତେ ମାସକ ପାଇଁ ହାଇଦ୍ରାବାଦ ଆସିଥିଲା । ଆମେମାନେ ରହୁ ଓଡ଼ିଶାରେ, ଭୁବନେଶ୍ୱରରେ । ଝିଅକୁ ଛାଡ଼ି ସୁରେଖା ଏତେଦିନ ଏକାକୀ ରହିନାହିଁ । ଗୋଟିଏ ବୋଲି ପିଲା, ଏତେ ସାନ ବୟସରେ ସେ ମଧ୍ୟ ମା’କୁ ଛାଡ଼ି ମାସେ କାଳ ରହିବା ସମ୍ଭବ ନୁହେଁ । ସେଇଥିପାଇଁ ସୁରେଖା ଚିଠି ଲେଖିଥିଲା, ‘ବାପଝିଅ ସପ୍ତାହକ ପାଇଁ ଆସ । ହାଇଦ୍ରାବାଦ ବୁଲା ହୋଇଯିବ । ପରସ୍ପର ସଙ୍ଗେ ଦେଖାଚାହାଁ ବି । ଏଠି କମ୍ପାନୀ ଗେଷ୍ଟହାଉସରେ ସବୁ ସୁବିଧା ଅଛି ।” ମା’ର ଚିଠି ପାଇବାକ୍ଷଣି ଲୁନା ହାଇଦ୍ରାବାଦ ଆସିବାକୁ ପ୍ରସ୍ତୁତ ହୋଇଗଲା ।

 

ଖଣ୍ଡିଏ କମିକ୍‌ସର ପୃଷ୍ଠା ଓଲଟାଉଥିଲା ଲୁନା । ମୁଁ ମଧ୍ୟ ହାଇଦ୍ରାବାଦ ଉପରେ କିଛି ବହି କିଣିବାକୁ ଚାହୁଁଥିଲି । ଯୁଆଡ଼କୁ ଗଲେ ସେହି ସ୍ଥାନ ସମ୍ପର୍କରେ ଖଣ୍ଡେ ଦୁଇଖଣ୍ଡ ବହି କିଣିବା ମୋର ଅଭ୍ୟାସ । ଏସବୁ ବହି, ମାନଚିତ୍ର ଢେର୍‌କାଳ ସ୍ମୃତିକୁ ବଞ୍ଚେଇ ରଖନ୍ତି ।

 

ଗତ ପାଞ୍ଚଦିନ ଭିତରେ ଆମେ ଢେର୍‌ ଜାଗା ବୁଲାବୁଲି କରିଥିଲୁ । ସାଲାରଜଙ୍ଗ ମ୍ୟୁଜିୟମ୍‌, ଗୋଲକୁଣ୍ଡା ଦୁର୍ଗ, ମୋଗଲ ବାଦଶାହାଙ୍କ ସମାଧି, ହୁସେନ୍‌ ସାଗରର ସେତୁ, ତହିଁ ଉପରେ ନିର୍ମିତ ଆନ୍ଧ୍ରର ସାଂସ୍କୃତିକ ଐତିହ୍ୟ, ବିରଳା ମାର୍ବଲ ମନ୍ଦିର, ଇନ୍ଦିରା ଗାନ୍ଧୀ ପାର୍କ, ରାମକୃଷ୍ଣ ମିଶନ୍‌, ପ୍ଲାନେଟୋରିୟମ, ଚାରମିନାର ଇତ୍ୟାଦି ଅନେକ ଜାଗା । ମଝିରେ ଦୁଇଦିନ ବର୍ଷା ହୋଇ ନଥିଲେ ଆହୁରି କେତେ ଜାଗା ଘୂରିଯିବାର ଯୋଜନା ଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ସେସବୁ ବାତିଲ କରିବାକୁ ପଡ଼ିଲା । ସବୁ ଦର୍ଶନୀୟ ଜାଗା ବୁଲି ନ ପାରିବା ଯୋଗୁ ଯେତେ ନୁହେଁ ଆଉ କିଛି ଜିନିଷପତ୍ର କିଣି ନ ପାରିବା ଯୋଗୁ ସୁରେଖା ମଧ୍ୟ ମନ ଊଣା କରିଥିଲା । ସେ ଭୁବନେଶ୍ୱରରୁ ଆସିବାବେଳେ ରୀତିମତ ଗୋଟାଏ ଚିଠା ସାଙ୍ଗରେ ଆଣିଥିଲା । କାହା ପାଇଁ ମୋତିମାଳ ନେବ, କାହା ପାଇଁ ନେବ ଚାରମିନାର ଚୁଡ଼ି, ପୁଣି କାହା ପାଇଁ ରେଡ଼ିମେଡ୍‌ ପୋଷାକ ସେସବୁ ସେ ଆଗରୁ ସ୍ଥିର କରିଥିଲା । ସମୟ ଅଭାବରୁ ସବୁ କିଣାକିଣି କରି ପାରିଲା ନାହିଁ ସେ ।

 

ଯୁଆଡ଼କୁ ଗଲେ ଶଗଡ଼େ ଜିନିଷପତ୍ର କିଣି କାନ୍ଧରେ ନ ବୋହିଲେ ବୁଲିବାଟା ସୁରେଖାକୁ ବୁଲିବା ପରି ଲାଗେ ନାହିଁ । ଲୁନା କହେ, ମାଆ ଆରଜନ୍ମରେ ଓଟ ଥିଲା । ସୁରେଖା କୃତ୍ରିମ ରାଗ ପ୍ରକାଶ କରି କହେ, “ବଞ୍ଚେଇକି କାହିଁକି କହୁଛୁ ? ଗଧ ଥିଲି ବୋଲି କହୁନୁ । ବାପର ମୁହଁ ପାଇଛୁ ନା ! ମୋ ଭାଗ୍ୟ । ଆରଜନ୍ମରେ କାହିଁକି, ଏ ଜନ୍ମରେ ମୁଁ ଗଧଠୁଁ ଆଉ କ’ଣ ଭଲ ଜୀବନ ଜିଉଁଛି ଯେ ! ତମେ ଦୁହେଁ ମିଶି ତ ମୋତେ ଗଧ ବନେଇ ସାରିଲଣି ।”

 

ସୁରେଖାର ଅଭିମାନ ସମ୍ପୂର୍ଣ୍ଣ ଅମୂଳକ ନୁହେଁ । ଆମ ପରି ପରିବାରର ସ୍ତ୍ରୀଲୋକ ଚାକିରି କଲେ ଜୀବନଟା ଗଧ ଜୀବନ ପାଲଟିଯାଏ ।

 

କୋଣାର୍କ ଏକ୍‌ସପ୍ରେସ୍‌ ସମ୍ପର୍କରେ ଆଉ ଗୋଟେ ସୂଚନା । ମୁଁ କାନ ଡେରିଲି । ସିକନ୍ଦରବାଦ ରେଲଓ୍ୱେ ଷ୍ଟେସନରେ କ୍ଲୋଜସର୍କିଟ୍‌ ଟି.ଭି.ର ବ୍ୟବସ୍ଥା ଅଛି । ସୂଚନାଟି ଶୁଣିଲି ଓ ପଢ଼ିଲି । ଅଧଘଣ୍ଟା ବିଳମ୍ବ ବଢ଼ିଯାଇ ଘଣ୍ଟାଏ ହୋଇଯାଇଛି । ମିନାର ଏକ୍‌ସପ୍ରେସ୍‌ ହେଇ ବମ୍ବେରୁ ଆସୁଥିବା ଟ୍ରେନ୍‌ ଏଇଠୁ କୋଣାର୍କ ହୋଇ ଭୁବନେଶ୍ୱର ଯିବ । ଟ୍ରେନ୍‌ଟି ଆଉ ଅଧଘଣ୍ଟାଏ ପରେ ଆସି ପହଞ୍ଚିବ ।

 

ଲୁନା କମିକ୍‌ସ ଦି’ଖଣ୍ଡ କାଖରେ ଜାକି ଧରିଲା । ମୋର ସିଗ୍ରେଟ୍‌ ବି ସରି ଆସୁଥିଲା । ସୁରେଖା ଏକାକୀ ବ୍ୟସ୍ତ ହେଉଥିବ । ଆମେ ଖବରଟା ଦେଇ ପୁଣି ପ୍ଲାଟ୍‌ଫର୍ମକୁ ଫେରିଆସିବା–ଏଇ ପ୍ରତିଶ୍ରୁତି ଦେଇ ଲୁନାକୁ ନେଇ ଫେରିଲି ।

 

ଓ୍ୱେଟିଂରୁମ୍‌ ଦୁଆରେ ପହଞ୍ଚୁ ପହଞ୍ଚୁ ମୋତେ ହଠାତ୍‌ ସବୁ କିଛି ଅସ୍ୱାଭାବିକ ଲାଗିଲା । ହଲ୍‌ଟି ଭିତରେ ମଶାଣିର ନିର୍ଜନତା । ମୁଁ ଭୁଲ୍‌ ଠିକଣାରେ ପହଞ୍ଚିଯାଇନି ତ ? ହଁ, ସେହି ସେହି ଲୋକମାନେ ବସିଛନ୍ତି । ଅଥଚ ସମସ୍ତେ ଖୁବ୍‌ ଗମ୍ଭୀର ଓ ଚୁପ୍‌ଚାପ୍‌ । କିଛି ସମୟ ପୂର୍ବରୁ ଏଇ ହଲ୍‌ଟା ଏକ ଗୋରୁହାଟ ପରି ଦିଶୁଥିଲା । ହୋ-ହଲ୍ଲା ଭିତରେ କାହାରି କଥା କାହାକୁ ସ୍ପଷ୍ଟ ରୂପେ ଶୁଭୁ ନ ଥିଲା । ଅଥଚ ଏବେ ଏହି ହଲ୍‌ ଭିତରେ ସବୁକିଛି ଏତେ ଚୁପ୍‌ଚାପ୍‌ ଯେ କାଗଜ ଖଣ୍ଡିଏ ପଡ଼ିଗଲେ ବି ତା’ର ପଡ଼ିଯିବାର ଶବ୍ଦ ସ୍ପଷ୍ଟ ଶୁଣାଯିବ । ମୁଁ ଟିକିଏ ଛିଡ଼ାହୋଇ ସୁରେଖାକୁ ଠାବ କରିବାକୁ ଚେଷ୍ଟା କଲି ।

 

ସୁରେଖା ଠିକ୍‌ ସେହି ଜାଗାରେ ବସିଥିଲା, ଯେଉଁଠି ଆମେ ତାକୁ ବସେଇ ଦେଇ ଯାଇଥିଲୁ । ମୁଁ ଲୁନାକୁ ନେଇ ଧୀରେ ଧୀରେ ସୁରେଖା ପାଖକୁ ଗଲି । କ’ଣ ହେଇଛି ବୋଲି ପଚାରିବା ପୂର୍ବରୁ ସୁରେଖା ତା’ ଓଠ ଆଗରେ ଆଙ୍ଗୁଳି ଚାପିରଖି ମୋତେ ଚୁପ୍‌ ରହିବାକୁ ନିର୍ଦ୍ଦେଶ ଦେଲା । ଆମମାନଙ୍କର ଉପସ୍ଥିତିକୁ ସୁରେଖା ଅନୁମୋଦନ କରିପାରୁ ନଥିଲା । ସେ କହିବାକୁ ହୁଏତ ଚାହୁଁଥିଲା ଯେ ଆମେମାନେ ଏତେ ଶୀଘ୍ର କାହିଁକି ଫେରିଆସିଲୁ ?

 

ମୁଁ ଚୁପ୍‌ଚାପ୍‌ ତା’ ପାଖରେ ବସିପଡ଼ିଲି । ପରିବେଶଟା ଏତେ ଗମ୍ଭୀର ଲାଗୁଥାଏ ଯେ ମୋତେ କାଶିବା ପାଇଁ ମଧ୍ୟ ସଙ୍କୋଚ ହେଉଥାଏ । ଏପରି ପରିସ୍ଥିତିରେ ବସିବା ଉଠିବା କି ବହି ପଢ଼ିବା ଅସମ୍ଭବ ।

 

ଲୁନା ତା’ର କମିକ୍‌ସ ଖେଳେଇ ପଢ଼ିବାକୁ ଚେଷ୍ଟା କରୁଥିଲା । ସୁରେଖା ଚିଲ ମାଛ ଝାମ୍ପି ନେବାପରି ଲୁନା ହାତରୁ ବହି ଦି’ଖଣ୍ଡ ଛଡ଼େଇ ନେଇ ବ୍ୟାଗରେ ରଖିଦେଲା । ଲୁନା ଆଖିରେ ବିସ୍ମୟ ଓ ବିରକ୍ତି । ମୁଁ ତା’ କାନ୍ଧରେ ହାତ ଥାପୁଡ଼େଇ ପରିସ୍ଥିତିର ଅସ୍ୱାଭାବିକତା ବୁଝେଇବାକୁ ଚେଷ୍ଟା କଲି । ଲୁନା ବୁଝିଲା । ହଲ୍‌ ଭିତରେ ଉପସ୍ଥିତ ସବୁ ସାନ ସାନ ପିଲା ସେମାନଙ୍କ ମା’ କୋଳରେ ଚୁପ୍‌ଚାପ୍‌ ବସିଥିଲେ । ଯେପରି କେହି ଏ ହଲରେ ଥିବା ମଣିଷମାନଙ୍କର ସ୍ୱାଧୀନତା ପ୍ରତ୍ୟାହାର କରି ନେଇଥିଲା ।

 

ଏହି ଅସ୍ୱସ୍ତିକର ପରିବେଶ ଭିତରେ ଆହୁରି ପାଞ୍ଚ ମିନିଟ୍‌ ଗଡ଼ି ଯାଇଥିଲା । କାନ୍ଥଘଣ୍ଟାଟିର ଟିକ୍‌ ଟିକ୍‌ ଶବ୍ଦ ହାତୁଡ଼ି ପାହାର ପରି ସ୍ପଷ୍ଟ ଶୁଣା ଯାଉଥିଲା । ପ୍ଲାଟ୍‌ଫର୍ମର କୋଳାହଳ, ଟ୍ରେନ୍‌ର ହ୍ୱିସିଲ୍‌ ଶବ୍ଦ ସବୁ ଯେପରି ଆସି ଦୁଆରବନ୍ଧ ପାଖରେ ଅଟକି ରହୁଥିଲେ । ଏ ଘର ଭିତରେ ଅଜବ ଧରଣର ନିର୍ଜନତା, ଅସ୍ୱସ୍ତିକର ନିରବତା ।

 

କେହି ହାତ ହଲଉ ନାହିଁ, ହାଇ ମାରୁ ନାହିଁ, ପାଟି ଫିଟଉ ନାହିଁ କି ଅଣ୍ଟା ସଳଖୁ ନାହିଁ । କେହି ଖବରକାଗଜ ପଢ଼ୁ ନାହିଁ କି ସିଗ୍ରେଟ୍‌ ଟାଣୁ ନାହିଁ । ପିଲାମାନେ ଡିଆଁଡେଇଁ କରୁ ନାହାନ୍ତି କି ସ୍ତ୍ରୀଲୋକମାନେ ମାର୍କେଟିଂର ଅନୁଭୂତି ସମ୍ପର୍କରେ ବଖାଣୁ ନାହାନ୍ତି । ଆଉ କଥା ଥାଉ, କେହି ବାଥ୍‌ରୁମ୍‌ ପର୍ଯ୍ୟନ୍ତ ବି ଯାଉ ନାହାନ୍ତି ।

 

କାରଣ ସମ୍ପର୍କରେ କିଛି ଜାଣିପାରିବ ନାହିଁ ଓ ଅକାରଣଟାରେ ଦାରୁଭୂତ ମୁରାରୀ ପରି ବସିରହିବ–ଏପରି ଏକ ଅସ୍ୱସ୍ତିକର ଅବସ୍ଥାରେ ଛାତି ଭିତର ରୁନ୍ଧି ହୋଇଯିବା କଥା । ମୁଁ କାହାକୁ କିଛି ନ ଜଣାଇଲା ଭଳି ସୁରେଖା ଗୋଡ଼କୁ ଟିକିଏ ଚିମୁଟି ଦେଇ ଏସବୁ ମାମଲାର ରହସ୍ୟ ବାଦରେ ଜାଣିବାକୁ ଆଗ୍ରହ ପ୍ରକାଶ କଲି । ସୁରେଖାର ଶେତା ମୁହଁ ଉପରେ ଭୟ ଓ ଆତଙ୍କର ପ୍ରାଞ୍ଜଳ ଚିତ୍ର । ଉତ୍ତରରେ ସେ ଓଠ ଖୋଲିଲା ନାହିଁ । ଉତ୍ତର ଦିଗକୁ କେବଳ ଚାହିଁଲା । ମୁଁ ତା’ ଆଖି ଯୋଡ଼ିକୁ ଅନୁସରଣ କରି ସେହି ଦିଗକୁ ଚାହିଁଲି ।

 

ତିରିଶ ବତିଶ ବର୍ଷର ଶିଖ୍‌ ଯୁବକ ଜଣେ କମ୍ବଳ ଘୋଡ଼ିହୋଇ ସେଇପଟେ ବସିଥିଲା । ଲୋକଟିର ଚେହେରା ଏତେ ରୁକ୍ଷ ଓ ଭୟଙ୍କର ଯେ ଦେଖୁ ଦେଖୁ ମୁଁ ଶିହରି ଉଠିଲି । ତା’ର ଆଖି ଦୁଇଟା ରକ୍ତବର୍ଣ୍ଣ ଦିଶୁଥାଏ । ମୁହଁସାରା ଅଯତ୍ନବର୍ଦ୍ଧିତ ଦାଢ଼ି । ମୁଣ୍ଡ ଉପରେ ପଗଡ଼ି । ଲୋକଟି ସଦାଉଦ୍ୟତ ଭଙ୍ଗୀରେ ବସିଥାଏ । ଏଇ ଯେମିତି ସାମାନ୍ୟ ସୁରାକ ପାଇଲେ ସେ ଝପଟିଯିବ ଓ କାହାକୁ ଗୋଟେ ମାଡ଼ିବସିବ । ସେଇ ସୁସ୍ଥ ସବଳ ଓ ଅକାରଣରେ କ୍ରୁଦ୍ଧ ଶିଖ ଯୁବକଟିକୁ ଦେଖିବାକ୍ଷଣି ମୁଁ ଡରିଗଲି ।

 

ଲୋକଟିର ବସିବା ଭଙ୍ଗୀ, ତା’ର ଦୃପ୍ତ ଚାହାଣି ଯେମିତି ଆମମାନଙ୍କୁ ଭୟଭୀତ କରିବା ପାଇଁ ଯଥେଷ୍ଟ ନ ଥିଲା ଯେ, ସେ ପୁଣି କୋଳରେ ଥୋଇଥିଲା ଗୋଟିଏ ଷ୍ଟେନ୍‌ଗନ୍‌ । ସୁନ୍ଦର ଅଥଚ ଭୟଙ୍କର ଦିଶୁଥିବା ସେହି ଅସ୍ତ୍ରଟା ହିଁ ଥିଲା ଆମ ପାଇଁ ଭୟର ମୁଖ୍ୟ କାରଣ । ମୁଁ ଲୁନାକୁ ମୋ ପାଖକୁ ଭିଡ଼ି ଆଣିଲି । ସମ୍ଭବ ହେଲେ କଣଟାଏ ତ ମୁଣ୍ଡ ଉପରେ ଢାଙ୍କି ପକେଇ ତାକୁ ମୁଁ ଲୁଚେଇ ଦେବାକୁ ଚାହୁଁଥିଲି । ଲୋକଟା ଉପରେ କି ଭରସା ! ଯଦି ପ୍ରଥମେ ସାନ ସାନ ପିଲାଗୁଡ଼ାକୁ ମାରିବା ପାଇଁ ତା’ର ଇଚ୍ଛା ହୁଏ, ତାହାହେଲେ ଆମେ କ’ଣ ବା କରିପାରିବୁ ?

 

ଆତଙ୍କବାଦୀମାନଙ୍କ କାର୍ଯ୍ୟକଳାପ ନେଇ ଯେତେସବୁ ଚିତ୍ର ଓ ସମ୍ବାଦ ଖବରକାଗଜରେ ପଢ଼ିଥିଲି, ଯେତେ ରକମର ଦୃଶ୍ୟ ଦେଖିଥିଲି ଟେଲିଭିଜନ୍‌ ଓ ସିନେମାରେ, ଯାହାସବୁ ଶୁଣିଥିଲି ପଞ୍ଜାବରୁ ସଦ୍ୟ ପ୍ରତ୍ୟାଗତ ବନ୍ଧୁ ଅମରେଶଠାରୁ, ସେସବୁ ଏଇ ମୁହୂର୍ତ୍ତରେ ମନେ ପଡ଼ିଯାଉଥିଲା । ସେସବୁ ଲୋମହର୍ଷକ ଦୃଶ୍ୟ ଓ ଅନୁଭବ ମୋ ଭିତରର ମଞ୍ଜକୁ ଥରେଇ ଦେଉଥିଲା । ମୋର ଭାଗ୍ୟ ପାଇଁ ଭବିଷ୍ୟତକୁ ଅପେକ୍ଷା କରିବା ଭିନ୍ନ ଏହି ମୁହୂର୍ତ୍ତରେ ଆଉ କିଛି ବିକଳ୍ପ ନ ଥିଲା ମୋ ଆଗରେ ।

 

ମୁଁ କେବଳ ଭଗବାନଙ୍କୁ ପ୍ରାର୍ଥନା କରୁଥିଲି । ସେ ଲୋକଟାର ନଜର ମୋ ଉପରେ ନ ପଡ଼ୁ । ସୁରେଖା କି ଲୁନା ଉପରେ ନ ପଡ଼ୁ । ନିହାତି ଯଦି ସେ କାହାକୁ ମାରିବା ପାଇଁ ଚିନ୍ତା କରୁଥାଏ, ତା’ହେଲେ ମୋତେ ଅନ୍ତତଃ ମାରୁ, କିନ୍ତୁ ଲୁନାକୁ ସେ ଛାଡ଼ିଦେଉ । ମୁଁ ଓ ସୁରେଖା ତିରିଶ ପଇଁତିରିଶ ବର୍ଷ ପୃଥିବୀକୁ ଦେଖିଲୁଣି । ଏହାର ସୁଖ ସୁବିଧା ଭୋଗ କଲୁଣି, ଏ ସଂସାରର ରୂପ ଏବଂ ସୌନ୍ଦର୍ଯ୍ୟ ଉପଭୋଗ କଲୁଣି । ଆମେମାନେ ଚାଲିଗଲେ ବେଶି କିଛି ଦୁଃଖ କରିବାର ନାହିଁ । କିନ୍ତୁ ଲୁନା ଯେ ପାଞ୍ଚ ବର୍ଷର ଶିଶୁ ! ଏପର୍ଯ୍ୟନ୍ତ ସେ କିଛି ଦେଖିନାହିଁ । ତାକୁ ଛାଡ଼ିଦେବା ତେଣୁ ଲୋକଟି ପକ୍ଷେ ଉଚିତ ହେବ ।

 

ମୋ ସାମ୍ନାରେ ବସିଥିବା ସେ ଲୋକଟି ଇତିମଧ୍ୟରେ ମୃତ୍ୟୁର ପ୍ରତୀକ ପାଲଟିଯାଇଥିଲା । ଊଣା ଅଧିକେ ପ୍ରାୟ ସମସ୍ତେ ସେହି ଲୋକଟି ଆଡ଼କୁ ଲୁଚି ଛପି ଚାହୁଁଥିଲେ । ଅଥଚ ଲୋକଟିର ନଜର ସେମାନଙ୍କ ଉପରେ ପଡ଼ିବାବେଳକୁ ସେମାନେ ଚଟ୍‌କରି ନିଜ ନିଜର ଦୃଷ୍ଟି ପ୍ରତ୍ୟାହାର କରି ଆଣୁଥିଲେ । ଲୋକଟା ଏଇଠି ବସିରହିଛି କାହିଁକି ? ଆମ ଆଗରୁ ବସିଛି ନା ଏହା ଭିତରେ ଆସିଛି ? ଟ୍ରେନ୍‌ଟା ବି କାହିଁକି ଆଜି ଏତେ ଡେରି କରୁଛି ? ମୋତେ ଭୀଷଣ ଶୋଷ ଲାଗୁଥିଲା । ମୋର ତଣ୍ଟି ଶୁଖିଗଲା ପରି ଲାଗୁଥିଲା । ଅଥଚ ପାଣି ବୋତଲ ଖୋଲି ପିଇବାର ସାହସ ହେଉ ନ ଥିଲା । କାଳେ ମୋର ପାଣି ପିଇବାକୁ ଲୋକଟି ଅନୁମୋଦନ କରିବ ନାହିଁ ।

 

ହଁ, ଲୋକଟିର ଅନୁମୋଦନ ବିନା ଏଇ ହଲ୍‌ ଭିତରେ କୌଣସି କାର୍ଯ୍ୟ କରାଯାଇ ନପାରେ । ଏଠିକାର ଲୋକମାନେ କିପରି ବସିବେ, ସ୍ତ୍ରୀଲୋକମାନେ କିପରି କଥା କହିବେ, ପିଲାମାନେ କିଭଳି ଚୁପ୍‌ଚାପ୍‌ ରହିବେ ଏପରିକି ଏ ହଲ୍‌ ଭିତରକୁ ଆଲୋକ ଓ ପବନ କେଉଁଭଳି ଯା-ଆସ କରିବେ ସେସବୁ ପାଇଁ ମଧ୍ୟ ସେଇ ଶିଖ୍‌ ଯୁବକଟିର ଅନୁମୋଦନ ଲୋଡ଼ା । ମୁଁ ଶୋଷକୁ ସେହିପରି ରହିବାକୁ ଛାଡ଼ିଦେଇ ଚୁପ୍‌ଚାପ୍‌ ବସିଲି ।

 

ଯେତେଥର ଲୋକଟି ସମ୍ପର୍କରେ କିଛି ନ ଭାବିବାକୁ ଅଥବା ସେଆଡ଼େ ନ ଚାହିଁବାକୁ ମନେ ମନେ ନିଷ୍ପତ୍ତି ନେଉଥିଲି ସେତେଥର ସେ ନିଷ୍ପତ୍ତି ଆପଣାଛାଏଁ ଭାଙ୍ଗିଯାଉଥିଲା । ମୋ ପାଖରେ ନିଜର ସ୍ଥିତି ବେଳୁବେଳ ଦୟନୀୟ ହୋଇଯାଉଥିଲା । ଏଇ ମୁହୂର୍ତ୍ତରେ ହାଇଦ୍ରାବାଦରେ ରହଣି, ଏଠାର ସବୁ ଦର୍ଶନୀୟ ସ୍ଥାନର ସ୍ମୃତି ଶୂନ୍ୟଗର୍ଭ ମନେ ହେଉଥିଲା । କୌଣସି ଉପାୟରେ ସୁରେଖା ଓ ଲୁନାକୁ ନେଇ ଏ ହଲ୍‌ ଭିତରୁ ବାହାରି ଯାଇପାରନ୍ତି ନାହିଁ ! କିଛି ଗୋଟାଏ ସୁଯୋଗ ମିଳନ୍ତା ନାହିଁ ଜୀବନ ବଞ୍ଚେଇବା ଲାଗି !

 

ଲୋକଟା ପୂର୍ବପରି ଗମ୍ଭୀର ଭଙ୍ଗୀରେ ବସିଥିଲା । ସମୟେ ସମୟେ ଚାରିପଟେ ନଜର ବୁଲେଇ ଆଣୁଥିଲା ଓ ତା’ପରେ ଷ୍ଟେନ୍‌ଗନ୍‌ଟିକୁ ଚାହୁଁଥିଲା ସପ୍ରଶଂସ ଠାଣିରେ । କିନ୍ତୁ ଲୋକଟା ଏତେ ସମୟ ଅପେକ୍ଷା କରିବାର କାରଣ କ’ଣ ? ତା’ହେଲେ କ’ଣ ଆମମାନଙ୍କୁ ମାରିବା ତା’ ଯୋଜନାରେ ନାହିଁ ! ଆଉ କାହାକୁ ଅପେକ୍ଷା କରୁଛି ? ସେ ଲୋକଟି ଏଠିକି ଆସିବ ବୋଲି ଏହି ଯୁବକଟି କ’ଣ ଦୃଢ଼ନିଶ୍ଚିତ ! ମୁଁ ମନେ ମନେ ଆଗନ୍ତୁକଟି ପାଇଁ ସହାନୁଭୂତିଶୀଳ ହୋଇପଡ଼ିଲି । ବିଚରା ! ଆଜି ଆଦୌ ନ ଆସନ୍ତା କି ଷ୍ଟେସନ୍‌କୁ, ବଞ୍ଚିଯାଆନ୍ତା ।

 

ମୋ ଆଖିରେ ଆସନ୍ନ ଦୃଶ୍ୟମାନଙ୍କର ସମ୍ଭାବ୍ୟ ଚିତ୍ର ନାଚିଯାଉଥିଲା । ଘଣ୍ଟାରେ ବାରଟା ବାଜିବ । କୌଣସି ଗୋଟିଏ ଗୁଇନ୍ଦା ଉପନ୍ୟାସରେ ପଢ଼ିଥିଲି, ପ୍ରତିଦିନ ବାରଟା ବାଜିବାକ୍ଷଣି ସେ କଲୋନିର ଗୋଟିଏ ଲୋକକୁ ମାରିଦିଆଯାଏ । ସେଇ ସୂତ୍ରଟାକୁ ହୁଏତ ଏଇ ଯୁବକଟି ଆଜି ସିକନ୍ଦରାବାଦ ଷ୍ଟେସନରେ କାର୍ଯ୍ୟକାରୀ କରିବ । ସେଇଥିପାଇଁ ହୁଏତ ସେ ଘଣ୍ଟାରେ ବାରଟା ବାଜିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରିଛି । ବାରଟା ବାଜିବାକ୍ଷଣି ସେ କାନ୍ଧରୁ ଷ୍ଟେନ୍‌ଗନ୍‌ ଓହ୍ଲେଇ ଆଣିବ ଓ ଚାରିଆଡ଼କୁ ଗୁଳି ନାଛିଦେଇଯିବ । ପାଞ୍ଚ ମିନିଟ୍‌ ଭିତରେ ଆମେ ସମସ୍ତେ ମରିଯିବୁ । ହଲ୍‌ଟାକୁ ଗୋଟେ ରକ୍ତ ପୋଖରୀରେ ପରିଣତ କରିଦେଇ ଆତତାୟୀ ଅଦୃଶ୍ୟ ହୋଇଯିବ ।

 

ଅଥବା ଲୋକଟି ଅପେକ୍ଷା କରୁଛି ସେ ଆଗନ୍ତୁକକୁ । ସେ ଏ ହଲ୍‌ ଭିତରେ ପାଦ ଦେବାକ୍ଷଣି ବାଘ ଶିକାର ଉପରକୁ ଝାମ୍ପଦେବା ଭଳି ଏ ଲୋକଟି ତା’ ଉପରକୁ ଝାମ୍ପି ପଡ଼ିବ ଓ ତା’ ଛାତିରେ ନାଛି ଦେଇଯିବ ଆଠ ଦଶ ରାଉଣ୍ଡ୍‌ ଗୁଳି । ତା’ପରେ ପ୍ଲାଟ୍‌ଫର୍ମର ଲୋକ ଭିଡ଼ ଭିତରେ ପୋଷାକ ବଦଳେଇ ଇଏ କୁଆଡ଼େ ଅଦୃଶ୍ୟ ହୋଇଯିବ ।

 

ମଣିଷ କ’ଣ କ’ଣ ସବୁ ଭାବୁଥାଏ ! କି କି ସ୍ୱପ୍ନର ନକ୍‌ସା ଆଙ୍କିଥାଏ ମନେ ମନେ ! କେତେ ସବୁ କଳ୍ପନା ଓ ଯୋଜନାର ଖସଡ଼ା ପ୍ରସ୍ତୁତ କରିଥାଏ ନିଜ ଭିତରେ । ଅଥଚ ସେସବୁ ଏହିପରି ବିଡ଼ମ୍ବିତ ହୋଇପଡ଼ିବ, ଅଧା ରାସ୍ତାରେ ଆୟୁଷ ସରିଯିବ, ଆତତାୟୀର ଗୁଳିରେ ଭୁଶୁଡ଼ି ପଡ଼ିବ ସ୍ୱପ୍ନ ଓ କଳ୍ପନାର ତାସ୍‌ଘର, ସେକଥା କ’ଣ ମଣିଷ ଭାବିଥାଏ ?

 

ଆମେ ବି ସେମିତି କିଛି ସ୍ୱପ୍ନ ଦେଖିଥିଲୁ । ସୁରେଖା ଓ ମୋର ସେଇ ଛୋଟ ସ୍ୱପ୍ନଟି ଆଉ ସାକାର ହେବାର ଦିଶୁ ନାହିଁ । ବର୍ତ୍ତମାନ ସେସବୁ ବିଷୟରେ ମୁଁ ଆଉ କିଛି ଚିନ୍ତା ମଧ୍ୟ କରୁ ନାହିଁ ।

 

ବେଶି ଦୁଃଖ ଲାଗୁଥିଲା ଲୁନା ପାଇଁ । ତାକୁ ହାଇଦ୍ରାବାଦ ନ ଆଣିଥିଲେ ସେ ବଞ୍ଚି ଯାଇଥାନ୍ତା । ବାପ ମା' ଛେଉଣ୍ଡ ହୋଇ ହେଉ ପଛକେ ବଞ୍ଚିଥାଆନ୍ତା । ଆମ ଆଖି ସାମ୍ନାରେ ତା’ର ଏ ଶୋଚନୀୟ ପରିଣତି ଦେଖିବା ପୂର୍ବରୁ ଆତତାୟୀଟି ପ୍ରଥମେ ଆମ ଦୁହିଁଙ୍କୁ ମାରି ଦେଇଥିବ କି-! କିଏ ଜାଣେ, ସେତକ ଦୟା ସେ ଆମ ଉପରେ କରିବ କି ନାହିଁ !

 

ଅନ୍ଧାର ଭିତରେ କ୍ଷୀଣ ଆଲୋକରେଖାଟେ ମରି ମନ ଭିତରେ ଆଉ ଗୋଟିଏ ଆଶା ମୁଣ୍ଡ ଟେକୁଥାଏ । ମନ କହୁଥାଏ, ଏଇ ମୁହୂର୍ତ୍ତରେ ପୁଲିସମାନେ ଏଇ ହଲ୍‌ ଭିତରେ ହୁଏତ ଆସି ପହଞ୍ଚି ଯିବେ ଓ କୌଶଳର ସହ ଲୋକଟାକୁ କାବୁ କରିନେବେ । ଏମିତି ବି ହୋଇପାରେ, ସାଦା ପୋଷାକ ପିନ୍ଧିଥିବା ଓ ଅପେକ୍ଷମାଣ ଟ୍ରେନ୍‌ ଯାତ୍ରୀଙ୍କ ଭିତରେ ଆତ୍ମଗୋପନ କରି ଥାଇପାରନ୍ତି ନିରାପତ୍ତା ବାହିନୀର ଯବାନମାନେ । ସେମାନେ ହୁଏତ ସେହି ନିର୍ଦ୍ଧାରିତ ସମୟକୁ ଅପେକ୍ଷା କରୁଛନ୍ତି । କିନ୍ତୁ କାହିଁ, ରେଳବାଇ ପୁଲିସର ବିଲେଇ ଛୁଆଟେକୁ ବି ଓ୍ୱେଟିଂ ରୁମରେ ଦେଖିବାକୁ ମିଳୁ ନାହିଁ । ସେମାନେ ସମସ୍ତେ କ’ଣ ପ୍ରାଣ ବଞ୍ଚେଇବା ପାଇଁ ପଳେଇ ଯାଇଛନ୍ତି ?

 

ନିର୍ଦ୍ଧାରିତ ସମୟ ପୂର୍ବରୁ କୌଣସି କଥା ଠିକ୍‌ ଭାବେ କୁହାଯାଇ ପାରିବ ନାହିଁ । ହୁଏତ ଲୁନା ବଞ୍ଚିଯାଇପାରେ, ସୁରେଖା ମଧ୍ୟ ବଞ୍ଚିଯାଇପାରେ । ଏପରିକି ଆମେ ସମସ୍ତେ ମଧ୍ୟ ବଞ୍ଚିଯାଇପାରୁ ।

 

ମୁଁ ମନେ ମନେ ଗୁଇନ୍ଦା ଉପନ୍ୟାସ ପଢ଼ିବା ନେଇ ମୋର ଅଭ୍ୟାସକୁ ନିନ୍ଦା କରୁଥିଲି । ସେସବୁ ବହି ମୋ ଭିତରେ ଯାବତୀୟ ସନ୍ଦେହ ସୃଷ୍ଟି କରିବା ପାଇଁ ଦାୟୀ । ସମସ୍ତଙ୍କୁ ସନ୍ଦିଗ୍‌ଧ ଦୃଷ୍ଟିରେ ଦେଖିବା, ସମସ୍ତଙ୍କୁ ଆତତାୟୀ ବୋଲି ଭାବିବସିବା ପଛରେ ସେହିସବୁ ମହାନ ଉପନ୍ୟାସର ଲେଖକମାନେ ହିଁ ସମ୍ପୂର୍ଣ୍ଣ ଦାୟୀ । କିନ୍ତୁ ହଠାତ୍‌ ସେସବୁ ଅଭିଜ୍ଞତା ମନ ଭିତରୁ ବାହାର କରି ଫିଙ୍ଗିଦେବା ସମ୍ଭବ ହେଉ ନ ଥିଲା ।

 

ଏଣୁ ବାରଟା ବାଜିବାକୁ ହିଁ ଅପେକ୍ଷା କରିବାକୁ ପଡ଼ିବ । ମୁଁ ପୁଣି ଥରେ ହଲରେ ବସିଥିବା ଲୋକମାନଙ୍କ ଉପରେ ନଜର ବୁଲେଇ ଆଣିଲି । ସାନ ପିଲାଟିଏ ଚଟାଣରେ ମୂତି ଦେଇଥିଲା । ତା’ ମା’ ଏଥିରେ ଏତେ ଭୟଭୀତ ହୋଇଯାଇଥିଲା ଯେ ସେ ଆଖିରେ ଆଖିରେ ଯୋଡ଼ହସ୍ତ ହୋଇ ତା’ର ଏହି ନାବାଳକ ପିଲାଟିର ଦୋଷ ମାର୍ଜନା କରିଦେବା ପାଇଁ କାତର ପ୍ରାର୍ଥନା କରୁଥିଲା । ଏପରି ଏକ ଦୃଶ୍ୟଟେ ଲୁନାକୁ ଚଞ୍ଚଳ କରିଦେବା ପାଇଁ ଯଥେଷ୍ଟ । ଅଥଚ ଲୁନା ଥରେ ସେଇ ସାନପିଲାଟି ଆଡ଼େ ଚାହିଁଦେଇ ଚୁପ୍‌ ରହିଗଲା । ମୁଁ ଲୁନାକୁ ଚାହିଁଲି । ଲୁନା ମନେ ମନେ ଟୁପ୍‌ଟୁପ୍‌ କରି କ’ଣ କହୁଥିଲା । ମୁଁ ତାକୁ କିଛି କାଳ ଚାହିଁ ସେ କ’ଣ କହୁଛି ବୁଝିବାକୁ ଚେଷ୍ଟା କଲି ।

 

ସେ ତାଙ୍କ ସ୍କୁଲ ପ୍ରାର୍ଥନା ମନେ ମନେ ଆବୃତ୍ତି କରୁଥିଲା ।

 

ହାୟ, ମଣିଷ କେତେ ଅସହାୟ, କେତେ ଦୁର୍ବଳ ! ପୋକ, ମାଛି, କୁକୁଡ଼ା, ଛେଳି ଏପରିକି ପିମ୍ପୁଡ଼ିଠାରୁ ମଧ୍ୟ ଦୁର୍ବଳ । ଲୁନା କଣ୍ଠରେ ସେହି ଅସହାୟତାର ସ୍ୱର । ବଡ଼ପାଟିରେ ପ୍ରାର୍ଥନା ଆବୃତ୍ତି କରିବାର ବି ଅଧିକାର ନାହିଁ ଏଡ଼େବକଟେ ପିଲାଟିର ! କିନ୍ତୁ ତା’ର ଏ ପ୍ରାର୍ଥନା କ’ଣ ଈଶ୍ୱର ଶୁଣିବେ ? ଶିଖ ଯୁବକଟିର ଗୋଡ଼ ପାଖରେ ଗୋଟାଏ ବ୍ୟାଗ୍‌ । ସେଥିରେ କ’ଣ ଥାଇପାରେ ? ବୋମା ? ହଁ ଆତତାୟୀ ପାଖରେ ବୋମା ତ ରହିବା କଥା । ସେଇ ବୋମା ଧୂଆଁ ଭିତରେ ସେ ଅଦୃଶ୍ୟ ହୋଇଯିବ ନିଜର କାମ ଶେଷ କରି ।

 

ଢଂ-ଢଂ ହୋଇ କାନ୍ଥଘଣ୍ଟାରେ ବାରଟା ବାଜିବାକୁ ଲାଗିଲା । ମୁଁ ସୁରେଖା ଓ ଲୁନା ଦୁହିଁଙ୍କୁ ମୋ ଆଡ଼କୁ ଭିଡ଼ି ଆଣିଲି । ଆମର ଜିନିଷପତ୍ରତକ ଦୂରରେ ରହିଲାଣି । ସେ ସବୁକୁ ଜଗିବାର ପ୍ରୟୋଜନ ନାହିଁ । ମୋ ଭିତରେ ଭୂମିକମ୍ପର ତୀବ୍ର ଅନୁଭବ । କେଉଁଠି କ’ଣ ଯେପରି ଭାଙ୍ଗିପଡ଼ୁଛି, ଭଙ୍ଗା କାନ୍ଥତଳେ ଚାପିହେଇଯାଉଚି ନରମ ଶିଶୁର ନିର୍ଜୀବ ମାଂସପିଣ୍ଡ, ହାତୁଡ଼ିରେ କିଏ ପିଟି ପିଟି ଚୂନା କରିଦେଉଛି ସବୁ କଳ୍ପନା ଓ ସ୍ୱପ୍ନର ଇମାରତ । ଏକ ସମୟରେ ମନ୍ଦିର, ଚର୍ଚ୍ଚ, ଗୁରୁଦ୍ୱାର ଓ ମସଜିଦ୍‌ର ଘଣ୍ଟା ଓ ପ୍ରାର୍ଥନା ଏକତ୍ର ଭାସିଆସୁଛି । କାନ୍ଥ ଘଣ୍ଟାର ପ୍ରତିଟି ଘଣ୍ଟା ଶବ୍ଦ କ୍ରୁଶବିଦ୍ଧ ଶରୀର ଉପରେ ଆଉ ଗୋଟାଏ ତୀକ୍ଷ୍‌ଣ କଣ୍ଟା ପିଟି ହୋଇଗଲା ପରି ଲାଗୁଛି । ମୋ ଭିତରେ ଆକୁଳ ପ୍ରାର୍ଥନା–ମୋତେ ବଞ୍ଚିବାକୁ ଦିଆଯାଉ, ବଞ୍ଚିବାକୁ ଦିଆଯାଉ ।

 

ସେ ଲୋକଟି ସତକୁ ସତ ଚଞ୍ଚଳ ହୋଇପଡ଼ିଲା । ବାରଟା ବାଜିସାରିଛି । ଏବେ ତା’ର ସତର୍କ ହେବାର ସମୟ । ଯେ କୌଣସି ମୁହୂର୍ତ୍ତରେ ଆସି ପହଞ୍ଚିଯିବ ଆତତାୟୀର ଶିକାର । କମ୍ବଳ ଭିତରେ ତା’ର ହାତଗୋଡ଼ ଖୁଜୁବୁଜୁ ହେଉଛି । ସେ ପ୍ରସ୍ତୁତ ହେଉଛି । ପ୍ରଥମେ ସେ ବୋମା ଫିଙ୍ଗିବ, ତା’ପରେ ଷ୍ଟେନ୍‌ଗନ୍‌ । ନା, ବୋମାଟା ସେ ଯାଉ ଯାଉ ଫିଙ୍ଗିଦେଇ ଯିବ ।

 

ଅନେକ ଦୂରରେ ଆମ ଘର, ଅନେକ ଦୂରରେ ଆମର ପରିବାର । ଅନେକ ଦୂରରେ ପୁରୀ ଶ୍ରୀମନ୍ଦିରର ବିପଦଭଞ୍ଜନ ନେତ । କେହି ଜାଣିବେ ନାହିଁ, କେହି ଶୁଣିବେ ନାହିଁ ଆମର ଏଠି ମରିଯିବାର ସମ୍ବାଦ । ଯଦି କେବେ କୌଣସିଦିନ ସରକାରୀ ଭାବେ ଆମ ମୃତ୍ୟୁର ଖବର ପ୍ରକାଶ ପାଏ ତାହା କେବେହେଲେ ଆମ ଗାଆଁରେ ପହଞ୍ଚି ପାରିବ ନାହିଁ । କାହିଁକି ସୁରେଖା ଚାକିରି କଲା-? କାହିଁକି ତାକୁ ହାଇଦ୍ରାବାଦ ଆସିବାକୁ ପଡ଼ିଲା ? ଆମେମାନେ ଏଠିକି ବୁଲି ନ ଆସିଥିଲେ କ’ଣ ଚଳି ନ ଥାନ୍ତା ? ଅନ୍ତତଃ ଭୁବନେଶ୍ୱରରେ ଥିଲେ ଆମ୍ଭେମାନେ ବଞ୍ଚିଯାଇ ପାରିଥାଆନ୍ତୁ ।

 

ଜଣେ ବୁଢ଼ାଲୋକ ସାଙ୍ଗରେ ନଅ ଦଶ ବର୍ଷର ପିଲାଟିକୁ ଧରି ଓ୍ୱେଟିଂରୁମ୍‌ ଭିତରକୁ ପଶି ଆସିଲା । ମୁହୂର୍ତ୍ତକ ପାଇଁ ମୁଁ ସୁରେଖା ଓ ଲୁନା କଥା ଭୁଲିଯାଇ ମରିବାକୁ ଯାଉଥିବା ଏଇ ବୁଢ଼ା ମଣିଷ ଓ ତା’ ସାଙ୍ଗରେ ଥିବା କୁନି ପିଲାଟି ପାଇଁ ବିଚଳିତ ହୋଇପଡ଼ିଲି । ଏଇ ତା’ହେଲେ ଆତତାୟୀର ଶତ୍ରୁ, ତା’ର ଟାର୍ଗେଟ୍‌ ? କିନ୍ତୁ ଏମାନେ ବା ତା’ର କି କ୍ଷତି କରିଥାଇ ପାରନ୍ତି ! ଏମାନଙ୍କୁ ମାରିବା ପାଇଁ କୌଣସି ସଂଗଠନ କାହିଁକି ନିଷ୍ପତ୍ତି ନେଲା ?

 

ସେଇ ସାନ ପିଲାଟି ହାତରେ ଧରିଥିଲା ଗୋଟିଏ ରଙ୍ଗିନ ବେଲୁନ୍‌ । ବେଲୁନ୍‌ଟିକୁ ଧରି ସେ ନାଚିଯାଉଥିଲା । ଆହା, ଆଉ କେତେ ସମୟ ବା ନାଚିବ ? ଏଡ଼େ ବକଟେ ପିଲା, ତା’ ଭାଗ୍ୟରେ ପୁଣି ଏ ପ୍ରକାର ଦଶା ଥିଲା ? ସୁରେଖା ଆଡ଼କୁ ଚାହିଁଲି । ତା’ର ଆଖି ଯୋଡ଼ିକରେ ବି ଉକୁଟି ଉଠିଛି ସେଇ ଏକା ପ୍ରକାରର ବିସ୍ମୟ, ଏକା ପ୍ରକାରର ଭୟ ଓ ଆତଙ୍କ ।

 

ବୁଢ଼ାଲୋକଟି ଆତତାୟୀ ପାଖକୁ ଗଲା । ଧନ୍ୟ ସେ ବୁଢ଼ାଟିର ସାହସ ! ମୁଁ ଆଖି ବୁଜିଦେଲି । କାରଣ ମୁଁ ଜାଣିପାରୁଥିଲି, ବର୍ତ୍ତମାନ କ’ଣ ସବୁ ଘଟିବାକୁ ଯାଉଛି । କି ଦୃଶ୍ୟ ଅଭିନୀତ ହେବାକୁ ଯାଉଛି ଏଇ ସିକନ୍ଦରାବାଦ ଷ୍ଟେସନ୍‌ର ଓ୍ୱେଟିଂରୁମରେ, ତାହା ମୁଁ ବହୁ ପୂର୍ବରୁ ଜାଣିଥିଲି । ମୁଁ ଆଖିବୁଜି କେବଳ ସେଇ ନୃଶଂସ ଘଟଣାକୁ ଅପେକ୍ଷା କରୁଥିଲି । କାନଡେରି ଶୁଣିବାକୁ ଚାହୁଁଥିଲି ମୃତ୍ୟୁର ପାଦ ଶବ୍ଦ । ସେସବୁକୁ ଆଖିମେଲି ଦେଖିବାର ସାହସ ମୁଁ ଅନେକବେଳୁ ହରେଇ ସାରିଥିଲି ।

 

ପ୍ରାୟ ଦୁଇ ମିନିଟ୍‌ ମୁଁ ଆଖି ବୁଜି ଦେଇଥିଲି । ଏକାସାଙ୍ଗରେ ଗୋଛାଏ ଚିତ୍କାର ହଲ୍‌ଟାକୁ ଓଲଟପାଲଟ କରିଦେଉଥିଲା । ମୁଁ ଏପ୍ରକାର ଚିତ୍କାର ଶୁଣିବା ପାଇଁ ପ୍ରସ୍ତୁତ ଥିଲି । କିନ୍ତୁ ସେ ଚିତ୍କାର ସାଙ୍ଗରେ ମିଶିରହିବା କଥା କିଛି ଆର୍ତ୍ତନାଦ, ‘ମରିଗଲି’, ‘ରକ୍ଷାକର’, ‘ବଞ୍ଚାଅ’ ପରି ଶହ ଶହ ଅସହାୟ ଶବ୍ଦ । ସୁରେଖା ମୋତେ ଠେଲି ଉଠେଇ ଦେଲା । ମୁଁ ସୁରେଖାକୁ ଦୟା କଲି । ହଠାତ୍‌ ହଜିଯାଇଥିବା ସାହସ ଯେପରି ଫେରି ପାଇଛି । ମୁଁ କିନ୍ତୁ ତାକୁ ଜଣେଇ ଦେବାକୁ ଚାହୁଁଥିଲି, ଇଏ ମଧ୍ୟ ଆତତାୟୀର ଗୋଟାଏ ଚାଲ୍‌ । ସେ ହୁଏତ ତୁମମାନଙ୍କୁ ଧାରଣା ଦେଉଛି ଯେ ସେ ତୁମର କୌଣସି କ୍ଷତି କରିବ ନାହିଁ । ତୁମେମାନେ ନିଜ ନିଜ ମୁଣ୍ଡ ଉପରୁ ଆସନ୍ନ ମୃତ୍ୟୁ ଫେରିଯାଉଥିବା ଦେଖି ଖୁସି ହେଉଥିବ, ହସୁଥିବ, ନାଚୁଥିବ । ଠିକ୍‌ ସେଇ ସମୟରେ ଆତତାୟୀ ତା’ର ଷ୍ଟେନ୍‌ଗନ୍‌ରୁ ଗୁଳି ବର୍ଷିଦେଇଯିବ ଅଦିନ ବର୍ଷାପରି । ତୁମେମାନେ, ମୁହୂର୍ତ୍ତକ ଆଗରୁ ହସୁଥିବା, ନାଚୁଥିବା, ହୋ-ହଲ୍ଲା କରୁଥିବା ପୁରୁଷ, ସ୍ତ୍ରୀ, ବୁଢ଼ା, ବୁଢ଼ୀ ଓ ପିଲାମାନେ ଲୋଟିପଡ଼ିବେ କଟା କଦଳୀଗଛ ପରି । ମୁଁ କିନ୍ତୁ ଏକଥା ଜାଣିଥିଲି । କାରଣ ଏକାଧିକ ହିନ୍ଦୀ ସିନେମା ମାଧ୍ୟମରେ ମୁଁ ଆତତାୟୀମାନଙ୍କର ଏ ପ୍ରକାର ନିଷ୍ଠୁର ପରିହାସ ସହ ପରିଚିତ ଥିଲି ।

 

ଏଥର କିନ୍ତୁ ସୁରେଖା ଜବରଦସ୍ତ ଧକ୍‌କାଟେ ଦେଇଥିଲା ମୋତେ । ମୁଁ ଆଖି ଖୋଲିଦେଲି ଓ ପ୍ରଥମେ ଚାହିଁଲି, ମୋ ଚାରିପଟର ପୃଥିବୀ ପୂର୍ବ ପରି ଅଛି କି ଅଚିହ୍ନା ପାଲଟିଯାଇଛି । ଟ୍ରେନ୍‌ ଆସିସାରିଥିଲା । ମୁଁ ସାମ୍ନାକୁ ଚାହିଁ ଦେଖିଲି, ଲୋକମାନେ ଯେ ଯାହାର ଜିନିଷପତ୍ର ଧରି ଟ୍ରେନ୍‌ ଆଡ଼କୁ ଧାଉଁଛନ୍ତି । ମୁଁ ଭିଡ଼ ଭିତରେ ମୁହଁ ଗଳେଇ ସେ ଆତତାୟୀ ଶିଖ ଯୁବକଟିକୁ ଠାବ କରିବାକୁ ଚେଷ୍ଟା କରୁଥିଲି । କିନ୍ତୁ ସେ ଯୁବକଟି କାହିଁ ? କୁଆଡ଼େ ଚାଲିଗଲା ସେ-? ପୁଲିସ ତାକୁ ଗିରଫ କରିନେଲା କି ?

 

ସୁରେଖା ମୋତେ ଭିଡ଼ିନେଲା । ଓ୍ୱେଟିଂରୁମ୍‌ ସାମ୍ନାରେ ସେଇ ନଅ ଦଶ ବର୍ଷର ସାନପିଲାଟି ଷ୍ଟେନ୍‌ଗନ୍‌ଟି ଧରି ଛିଡ଼ା ହୋଇଥିଲା । ସେଇଟା ଥିଲା ଖେଳନା ଷ୍ଟେନ୍‌ଗନ୍‌ଟାଏ ! ବୁଢ଼ା ଲୋକଟିର ପଛେ ପଛେ କମ୍ବଳ ଘୋଡ଼ିହୋଇ ଆତତାୟୀ ବୋଲି ଆମେ ଭାବୁଥିବା ସେହି ଶିଖ ଯୁବକଟି ଧୀରେ ଧୀରେ ଚାଲିଥିଲା । ଲୋକଟି ଟ୍ରେନ୍‌କୁ ଚଢ଼ିବାବେଳେ ତା’ କାନ୍ଧରୁ କମ୍ବଳଟି ହଠାତ୍‌ ଖସିପଡ଼ିଲା । ସୁରେଖା ଚିତ୍କାର କରି ମୁହଁ ବୁଲେଇ ଆଣିଲା ଓ ମୋ ଛାତିରେ ମୁଣ୍ଡ ଆଉଜେଇ ଦେଲା ।

 

କ୍ଷଣକ ପୂର୍ବରୁ ଆତଙ୍କ ଓ ଅସ୍ୱସ୍ତିର ପୃଥିବୀ ଇତିମଧ୍ୟରେ ରଙ୍ଗ ବଦଳେଇ ସାରିଥିଲା । ବୁଢ଼ା ବାପ ଓ ପୁଅ ମଝିରେ ଧୀରେ ଧୀରେ ଚାଲିଥିବା ସେହି ଯୁବକଟିର ଦୁଇଟିଯାକ ହାତ କହୁଣି ପାଖରୁ ଅଦୃଶ୍ୟ ହୋଇ ଯାଇଥିଲେ । ଆଗରେ ଯାଉଥିବା ବୁଢ଼ାଲୋକଟି ତଳକୁ ଓହ୍ଲେଇ ଆସି କମ୍ବଳଟିକୁ ଗୋଟେଇ ନେଲା ଓ ଯୁବକଟିକୁ ଘୋଡ଼େଇ ଦେଲା ।

𗰵𗰵𗰵

 

ମାଟି କଣ୍ଢେଇ

ପାପ

 

ଲିଟୁ କହିଲା, ‘‘ତୁମେମାନେ ଡର ନାହିଁ । ମୁଁ ହଷ୍ଟେଲ୍‌ରୁ ଆସିବାବେଳେ ବାଟରେ ଶଙ୍ଖଚିଲ ଦେଖିଚି । ଏଇଟା ଶୁଭ । ପୁଣି ସବୁ କଥାରେ ଡରିଲେ ତମେ ଜୀବନରେ କିଛି କରିପାରିବ ନାହିଁ, ଜାଣିଲ ?’’

 

ଲିଟୁର କଥା ଶୁଭୁଥିଲା ନେତାଙ୍କ ଭାଷଣ ପରି । ନଣ୍ଡା, ବଗୁଲି ଓ ଆଳୁଆ ତିନିହେଁ ଲିଟୁ ମୁହଁକୁ ଅନେଇଥିଲେ । କେବଳ ଗଛଚଢ଼ା ଓ କଙ୍କିଧରା କାମ ବ୍ୟତୀତ ଅନ୍ୟ ସବୁଥିରେ ପଛୁଆ ଆଳୁଆ କିନ୍ତୁ ଲିଟୁର କଥା ମାନିବାକୁ ପ୍ରସ୍ତୁତ ନଥିଲା । ସେ କନକନ କରି ଏଆଡ଼େ ସେଆଡ଼େ ଚାହିଁ କହିଲା, ‘ମୋତେ ଡର ମାଡ଼ୁଛି ।’

 

ବଗୁଲି ଉହୁଙ୍କି ଆସିଲା । ‘ତୁଟା ମାଇଚିଆ, ଖାଲି କଙ୍କିଧରା ଜାଣିଛୁ । ସେଇଟା ଝିଅପିଲାଙ୍କ କାମ, ଜାଣିଲୁ ? ମୁଁ କହୁଛି ଲିଟୁର ଯାହା ମତ ସେଇଆ ହେଉ ।’

 

ନଣ୍ଡା ଓ ଆଳୁଆ ଗୁଁ ଗୁଁ ହେଇ ରହିଲେ ।

 

ଲିଟୁ ତା’ ପକେଟ୍‌ରୁ ବାହାର କଲା ଖଣ୍ଡିଏ ପାଞ୍ଚଟଙ୍କିଆ ନୋଟ୍‌ । ‘ଏଇଟା ଆଡ୍‌ଭାନ୍‌ସ୍‌-। ଜିନିଷ ଆଣିଲାବେଳେ ବାକି ପଇସା ଦେବା, ହେଲା ?’

 

ନଣ୍ଡା କହିଲା, ‘ରାନ୍ଧିବା କୋଉଠି ?’

 

ଲିଟୁ ଉପରକୁ ଚାହିଁଲା । ଏଇଟା ପ୍ରକୃତରେ ଗୋଟିଏ ସମସ୍ୟା । ଏ ପର୍ଯ୍ୟନ୍ତ ସେମାନେ ଯୋଉ ଭୋଜି କରୁଥିଲେ ସେ ଭୋଜିରେ ଅସୁବିଧା କିଛି ନ ଥିଲା । ଭାତ, ଡାଲମା ନ ହେଲେ ପୁରି, ଆଳୁଦମ୍‌ । ଅଣ୍ଡା କି ମାଛ ରାନ୍ଧିଲେ ସେମାନେ ଖୁବ୍‌ ହୁସିଆରିରେ ସେ କାମ କରନ୍ତି-। କିନ୍ତୁ ଏକାଥରକେ ଯାଇ କୁକୁଡ଼ାରେ ପହଞ୍ଚିବା ପ୍ରକୃତରେ ଥିଲା ଦୁଃସାଧ୍ୟ କାର୍ଯ୍ୟ ।

 

ବଗୁଲି କହିଲା, ‘ଲିଟୁ, ତୁ ତୋ ବୋଉକୁ କହି ଢିଙ୍କିଶାଳ କୁଞ୍ଚିଟା ନେଇ ଆସୁନୁ ! ଲଣ୍ଠନ ଓ କୁଞ୍ଚି ନେଇଆ । ଆମେ ରାତିସାରା ଏଇଠି ପାଠ ପଢ଼ିବା ।’

 

ଲିଟୁ ବଗୁଲିକୁ ଚାହିଁ ତା’ ବୁଦ୍ଧିକୁ ତାରିଫ କଲା । ପାଠ କଥା କହିଲେ ବୋଉ ଢିଙ୍କିଶାଳ କ’ଣ ଠାକୁରଘର ଚାବି ବି ଦେଇଦେବ ।

 

ବଗୁଲି କହିଲା, ‘‘ଡାଲମା ଖାଇ ଖାଇ ଅରୁଚି ଲାଗିଲାଣି । ଚିକେନ୍‌ ରାନ୍ଧିବା ସେମିତି କିଛି କଷ୍ଟ କାମ ନୁହେଁ । ମୁଁ ମୋ ବାପାଙ୍କ ସାଙ୍ଗରେ ଯାଇ କଟକରେ ଚିକେନ୍‌ ରନ୍ଧା ଦେଖିଛି । ଭାରି ସହଜ ।’’

 

‘‘ବଗୁଲିଙ୍କର ବୈଷ୍ଣବ ଘର ନୁହେଁ । ସେ ଚିକେନ୍‌ ରନ୍ଧା ଦେଖିଥିବ, ଖାଇଥିଲେ ବି ତା’ର ଦୋଷ ନାହିଁ । ଆମର ଗୁରୁ ଗୋସେଇଁ ରାଗିବେ । ପାପ ହେବ । ତୁ କୁକୁଡ଼ା କଥା ଛାଡ଼ିଦେ, ଆମେ ମାଛ ତରକାରି କରିଦେବା ।’’ ଲିଟୁର ପ୍ରସ୍ତାବକୁ ଯେନତେନ ପ୍ରକାରେଣ କାଟିବା ପାଇଁ ଆଳୁଆ କହିଲା ।

 

ଲିଟୁ କହିଲା, ‘ଆରେ କେହି ବି ଟେର୍‌ ପାଇବେ ନାହିଁ ।’ ତା’ପରେ ସେ ନିଜ ମୁଣ୍ଡକୁ ଦେଖେଇ ଦେଇ କହିଲା, ‘ଭେଜା ଥିଲେ ସିନା ହେବ! ଦେଖିବ ମୁଁ କେମିତି ସବୁ ଫିଟ୍‌ କରିଦେବି ।’

 

ସେ ଦିନସାରା ଉତ୍ତେଜନା ଭିତରେ ବିତିଲା । ଆଳୁଆ ଉପରେ ଦାୟିତ୍ୱ ଥିଲା ବେହେରାଘର ବୁଢ଼ୀଠୁ ଯାଇ କୁକୁଡ଼ା ଆଣିବ । ସକାଳେ ସେ ରାଜି ହୋଇଥିଲା, ଉପରଓଳି ମନା କରିଦେଲା । ସେ କହିଲା ଲିଟୁ ହଷ୍ଟେଲ୍‌କୁ ପଳେଇବ । ବଗୁଲି ତ ଚାରି ଦଉଡ଼ି କଟା । ଶେଷକୁ ଯଦି ସେ ଧରା ପଡ଼ିଯାଏ ! ନଣ୍ଡା ଥିଲା ଆଳୁଆଠୁ ଆହୁରି ଡରକୁଳା । ସେ ମୂଳରୁ ମନା କରିଦେଲା । କୁକୁଡ଼ା କ’ଣ ମାଛ ପରି ନିରୀହ ପ୍ରାଣୀ ହେଇଛି ଯେ ତୁନି ପଡ଼ି ରହିବ । ସେଇଟା ଖାଲି କକ୍‌ କକ୍‌ ହେବ । ଛାଟିପିଟି ହେବ । ମୁଁ ପାରିବି ନାହିଁ । ସେ କହିଲା ଓ ଶେଷକୁ ରୁଷିଲା, ‘ମୋତେ ଭୋଜିରେ ନ ମିଶେଇଲେ ପଛେ ନ ମିଶାଅ ।’

 

ବଗୁଲି ଦୁହିଁଙ୍କୁ ଗାଳିମନ୍ଦ କଲା ଓ ନିଜେ ସେ ଦାୟିତ୍ୱ ନେଲା । ଖରାବେଳେ ବୁଲିଲା ବୁଲିଲା ହୋଇ ସେ ବେହେରା ଘର ବୁଢ଼ୀ ସାଙ୍ଗେ କୁକୁଡ଼ାର ଦର ଛିଣ୍ଡେଇ ଆସିଥିଲା । ସଞ୍ଜବୁଡ଼େ ନେଇଆସି ସିଧା ନଈକୂଳ କିଆବୁଦା ତଳକୁ ଚାଲିଗଲା । ସେଇଠୁ ସେ କାମ ବଢ଼େଇ ଫେରିଲା । ସଞ୍ଜବେଳଟାରେ ନଈକୂଳ ନିଛାଟିଆ । କାହାରି ଜାଣିବାର ଉପାୟ ନାହିଁ ।

 

ଲିଟୁ ଆଖିମିଟିକା ମାରି କହିଲା, ‘‘ବୋଉ ତା’ କାନିରୁ କୁଞ୍ଚିକାଠି ଖୋଲି ଦେବାବେଳେ ବାରମ୍ବାର କରି କହିଛି, ସେଇଠି ପୂନେଇଁ ଅମିସାରେ ଚୂନା କୁଟା ହଉଛି । ବଡ଼ବଡ଼ୁଆଙ୍କ ପାଇଁ ସେ ଭୋଗ ବାଢ଼ୁଛି । ଭାତ ଡାଲମା କଲେ ବି ଗୋଟେ କୋଣକୁ ରାନ୍ଧିବ । ଘରଟା ସଙ୍କୁଡ଼ି କରିବ ନାହିଁ-। ବୁଝି ଖବରଦାର ! ଆଇଁଷ ଯେମିତି ସେଠିକି ନ ପଶେ ।’’

 

ବଗୁଲି କହିଲା, ‘‘ତୁ ଦେଖିବୁ ନେଇଁ । କେହି ଜାଣିପାରିବେ ନାହିଁ ବା ! ମୁଁ ସବୁ ଧୋଇଧାଇ ସଫା କରିଦେବି । ତୋ ବୋଉ କେମିତି ଜାଣିବ ?’’

 

ଲଣ୍ଠନ ଆଲୁଅରେ ନଣ୍ଡା ଉଠାଚୁଲା ତିଆରି କରିଦେଲା ତିନିଟା ଢିମା ପଥର ପକେଇ । କୁକୁଡ଼ା ତରକାରି ସିଝିଲାଣି କି ନାହିଁ ଦେଖିବା ପାଇଁ ସେ ଆଉ ଥରେ ଲଣ୍ଠନ ଟେକି ଧରିବା ବେଳକୁ ଲିଟୁ ଉହୁଙ୍କି ଆସିଲା, ‘ବେକୁବ୍‌, ଟୋପେ କିରାସିନି ପଡ଼ିଗଲେ ଆଉ ସୁଆଦ ରହିବଟି ?’ ବଗୁଲି ତା’ ଓଠ ଉପରେ ଆଙ୍ଗୁଳି ରଖି ଲିଟୁକୁ ତୁନି ପଡ଼ିବାକୁ ଇସାରା ଦେଲା, ‘ଚୁପ୍‌, କିଏ ଶୁଣିବ ତ...-!’

 

ଆଳୁଆ କଦଳୀପତ୍ର କାଟି ଆଣିଲା । ହାତମୁହଁ ଧୋଇ ଲିଟୁ, ନଣ୍ଡା, ବଗୁଲି ଓ ଆଳୁଆ ଚାରିହେଁ ବସିଗଲେ । ମଝିରେ କୁକୁଡ଼ା ତରକାରି ଭର୍ତ୍ତି କଡ଼େଇ । ଖାଇସାରିବା ବେଳକୁ ବଗୁଲି କହିଲା, ‘ଦେଖିଲୁ ? କେହି ବି ଟେର୍‌ ପାଇଲେ ନାହିଁ । ଏଣିକି ମଝିରେ ମଝିରେ ଚିକେନ୍‌ କରିବା ।’

 

ରାତିର ଏତେସବୁ ସତର୍କତା ସତ୍ତ୍ୱେ ସକାଳକୁ ସେମାନେ ଧରାପଡ଼ିଯିବେ ବୋଲି ଲିଟୁ କଦାପି ଆଶଙ୍କା କରି ନଥିଲା । ସେ ପୋଖରୀ ହୁଡ଼ାରୁ ଫେରିବାବେଳେ ବାଟ ଆଗୁଳିଲା ପରି ସାମ୍ନାରେ ଠିଆହାଇ ଯିଏ ତାକୁ ଏକଥା ପଚାରିଲେ, ସିଏ ଥିଲେ ନଟଦାଦି ।

 

: କ’ଣ, କେତେ ରାତିରେ କାମ ବଢ଼ିଲା ? ନଟଦାଦି ପଚାରୁଥିଲେ ।

 

ଲିଟୁର ଛାତି ଉପରେ କିଏ ଯେମିତି ହାତୁଡ଼ିରେ ପାହାରେ କଷିଦେଲା । ସେ ଛେପଢୋକି ପଚାରିଲା, ‘କୋଉ କାମ ?’

 

: କୁ-କୁ-ଡ଼ା । ହେଁ । ହେଁ । ଆଉ କୋଉ କାମ !

 

: କୋଉ କୁକୁଡ଼ା ?

 

: ସେଇ କୁକୁଡ଼ା । ଯୋଉଟା ବଗୁଲି ବେହେରା ଘର ବୁଢ଼ୀଠୁ ଯାଇ ଆଣିଥିଲା । ତମେ ଭାବିଛ ମୁଁ କିଛି ଜାଣିନାହିଁ । ସବୁ ଜାଣିଛି ମୁଁ । ଦଶ ଟଙ୍କା ଦେଇ କୁକୁଡ଼ା ଆଣିଲ । କାଶିଆ ଦୋକାନରୁ ଆଳୁ, ତେଲ, ମସଲା । ବଗୁଲି କିଆବୁଦା ମୂଳେ କୁକୁଡ଼ା ମାରି ପର ଛଡ଼େଇ ନେଇ ଆସିଲା । ଆଳୁଆ ମସଲା ବାଟିଲା । ନଣ୍ଡା ତା’ ପକେଟରେ ତାଙ୍କ ଘରୁ ଗରମ ମସଲା ଲୁଚେଇ ଆଣିଥିଲା । କ’ଣ ଠିକ୍‌ ନା ନୁହେଁ ? ପରୀକ୍ଷା ପାଇଁ ପାଠ ପଢ଼ିବୁ ବୋଲି କହି ପରା ଢିଙ୍କିଶାଳ କୁଞ୍ଚିକାଠି ନେଇଥିଲୁ ? ରୁହ, ରୁହ, ଏକଥା ଗାଁରେ ନିଶାପ ନ କରେଇ ମୁଁ ଛାଡ଼ୁନାହିଁ । ଧର୍ମକର୍ମ ବୋଲି କିଛି ଏ ବୈଷ୍ଣବ-ସାହିରେ ଅଛି ନା ନାହିଁ ?

 

ହେ ଭଗବାନ ! ଏ ଲୋକଟି କ’ଣ ସର୍ବଜାଣ ! ତା’ ଆଖିରେ କ’ଣ ଆଲୁଅ ଅଛି ? ସେ ଅନ୍ଧାରରେ ବି କ’ଣ ଘୂରି ଘୂରି ସବୁ ଦେଖିପାରେ ? ନ ହେଲେ କିଏ କହିଲା ଏତେ ସବୁ କଥା ? ଲିଟୁ ଖାଲି ଏପଟ ସେପଟ ଚାହୁଁଥାଏ । ଅନ୍ୟ କେହି ସେ ଦିହିଙ୍କ କଥା ଶୁଣୁନାହିଁ ତ ? ଭିତରେ ଭିତରେ ଭୟ ଓ ଅପମାନରେ ସେ କାନ୍ଦ କାନ୍ଦ ହୋଇଯାଇଥିଲା, ତା’ ଗୋଡ଼ ହାତ ଥରୁଥିଲା । ହାତମୁଠା ଝାଳେଇ ଯାଉଥିଲା । ସେ ତରବରରେ ନଟଦାଦିକୁ ପିଠି କରି ପଳାଇ ଆସିଲା ।

 

ବଗୁଲି, ନଣ୍ଡା କି ଆଳୁଆ କାହାକୁ କିଛି ନ କହି ସେ ସକାଳ ଦଶଟା ବେଳକୁ ଲିଟୁ ହଷ୍ଟେଲ୍‌କୁ ଚାଲିଗଲା । ‘ହଠାତ୍‌ କାହିଁକି ସ୍କୁଲ୍‌ ବାହାରିଲୁ, ଛୁଟି ତ ସରିନାହିଁ’, ବୋଲି ବୋଉ ପଚାରୁଥିଲା । କିନ୍ତୁ ଏସବୁ କଥାରେ ବୋଉକୁ ବୁଝେଇବା ଲିଟୁ ପକ୍ଷେ ମାନସାଙ୍କ କଷିବା ପରି ସହଜ । ବାପା ଘରକୁ ଫେରିବା ଆଗରୁ ଲିଟୁ ଚାଲିଯାଇଥିଲା ହଷ୍ଟେଲ୍‌କୁ । ସେ ଜାଣିଥିଲା ଯେ ବୈଷ୍ଣବ ଘରେ କୁକୁଡ଼ା ରାନ୍ଧି ଖାଇବା ମହାପାପ । ଏକଥା ଜାଣିବା କ୍ଷଣି ବାପା ତା’ ପିଠିରୁ ଚମଡ଼ା ଉତାରି ଦେବେ ।

 

ଏଥର ପୂଜା ଛୁଟିକୁ ନେଇ ଲିଟୁ ମନରେ ଆଗ୍ରହ ନଥିଲା । ଏହି କେତେ ମାସ ସେ କେବଳ ନଟଦାଦିଙ୍କ ଚିନ୍ତାରେ ହିଁ କଟେଇଛି । ସବୁବେଳେ ଗୋଟାଏ ଆଶଙ୍କା, ନଟଦାଦି ସେମାନଙ୍କ ଲୁଚାଛପା କୁକୁଡ଼ା ଭୋଜି କଥା ଗାଁରେ ପ୍ରଘଟ କରିଦେବେ । ତା’ପରେ ସେଠି କି ଅବସ୍ଥା ସୃଷ୍ଟି ହେବ ! ଗାଁରେ କେତେ ସୁନାମ ଥିଲା ଲିଟୁର । ଭଲ ପଢ଼େ, ଭଲ ଖେଳେ, ସ୍ୱର ଧରି ପୁରାଣ ବୋଲେ । ଅଥଚ ନଟଦାଦିଙ୍କଠୁଁ ଏସବୁ କଥା ଶୁଣିବା ପରେ ପ୍ରଶଂସାଗୁଡ଼ିକ ନିନ୍ଦାରେ ବଦଳିଯିବ । ସମସ୍ତେ ଛି, ଛି କହିବେ । ବାପା ବୋଉଙ୍କ ମୁହଁ ତଳକୁ ହୋଇଯିବ । ବାପା କହିବେ କୁଳାଙ୍ଗାର । ବୈଷ୍ଣବ ଘରର ବଡ଼ ପୁଅ ହୋଇ କୁକୁଡ଼ା ଖାଉଛି । ଆଉ କ’ଣ କ’ଣ କରୁଥିବ କିଏ ଜାଣେ ?

 

ଦିନେ ଯୋଉ ପାଦ ଯୋଡ଼ିକ ହାଟ ଡେଇଁଲେ ଚକ ପରି ଚଞ୍ଚଳ ହେଇ ଯାଉଥିଲେ ଆଜି ସେ ଦୁଇଟି ନିଦା ପଥର ପାଲଟିଗଲା ପରି ଲିଟୁ ଅନୁଭବ କରୁଛି । ବାପାଙ୍କ ରାଗ ବିଷୟ ତାକୁ ଅଜଣା ନୁହେଁ । ପୁଣି ସବୁଠୁ ଦୁଃଖ ଲିଟୁର ଯେ, ତା’ ବାପା ତା’ ବିରୋଧରେ ଯୋଉଠୁ ଯାହା ଶୁଣିଲେ ବି ବିଶ୍ୱାସ କରିପକାନ୍ତି । ବଗୁଲିର ବାପା କେତେ ଭଲ ! ତାକୁ ସେ ହାତ ଉଠେଇ ମାରନ୍ତି ନାହିଁ, ଗାଳି ଦିଅନ୍ତି ଯାହା କେବଳ ।

 

ଲିଟୁ ଉପରକୁ ଅନେଇ ଦେଖିଲା ମାଟିଆ ଚିଲଟେ ନୂଆ ପୋଖରୀ ଉପରେ ଚକ୍କର କାଟୁଛି । ଅମଙ୍ଗଳ ସୂଚନା ଦେଖି ତା’ର ପାଦର ଗତି ଆଉରି ଧିମେଇ ଗଲା । ସେ ଡରିଗଲା ।

 

ନଟଦାଦି, ନଟଦାଦି । ଲିଟୁ ନିଜ ଉପରେ ନିଜେ ଚିଡ଼ିଗଲା । କାହିଁକି ସେ ବରାବର ନଟଦାଦି କଥା ଖାଲି ଚିନ୍ତା କରୁଛି ! କାହିଁକି ସମସ୍ତେ ନଟଦାଦି କଥାକୁ ବିଶ୍ୱାସ କରିବେ ? ନଟଦାଦି କୋଉ ଭଲ ଲୋକ କି ? ତାଙ୍କ ନାଁରେ ତ କିଏ କେତେ ପ୍ରକାର କଥା କହନ୍ତି । ସେ କାହିଁକି ରାତି ଅନିଦ୍ରା ରହି ଲିଟୁ ହେରିକାଙ୍କ ଭୋଜି ଉଣ୍ଡୁଥିଲେ ? ଯଦି କଥା ପଡ଼େ, ସିଏ ବି ଛାଡ଼ିବ ନାହିଁ । ତା’ର ବଦନାମ ହେଲେ ହେବ, ନଟଦାଦିଙ୍କ ମୁହଁରେ ବି ଚୂନକାଳି ବୋଳାଯିବ ।

 

ଆଉ କାହାର ଭୁଲ୍‌ ଦେଖେଇ ଦେଲେ ଆପଣା ଭୁଲ୍‌ଟା ଠିକ୍‌ ହୋଇଯାଏ ନାହିଁ, ଏକଥାଟା ବୁଝିବା ବୟସରେ ଲିଟୁ ପହଞ୍ଚି ନଥିଲା ।

 

‘ନଟଦାଦି ଗଞ୍ଜୋଡ଼’, ଲିଟୁ ନଟଦାଦିଙ୍କ ସବୁ ଦୋଷ ଦୁର୍ଗୁଣକୁ ମନେ ମନେ ଟିପିବାକୁ ଲାଗିଲା । ‘ସେ ସବୁବେଳେ ଗଞ୍ଜେଇ ଭିଡ଼ନ୍ତି । ତାଙ୍କର ମା’ ବାପା, ସ୍ତ୍ରୀ ପିଲା କେହି ବୋଲି କେହି ନାହାନ୍ତି । ତଥାପି ସେ ଅନେକ ସମୟରେ କବାଟ କିଳି ଘର ଭିତରେ ପଶିଥାଆନ୍ତି କାହିଁକି ?’ ନଟବର ଦାସ ଓରଫ ନଟଦାଦି ପରମ ବୈଷ୍ଣବ ଭାବେ ଆଖପାଖ ଗାଁମାନଙ୍କରେ ପରିଚିତ । ମଝିରେ ମଝିରେ ବିଭିନ୍ନ ଜାଗାରୁ ଅଷ୍ଟପ୍ରହରୀ ସଂକୀର୍ତ୍ତନ ପାଇଁ ତାଙ୍କୁ ଡାକରା ଆସେ । ତାଙ୍କ ସ୍ୱରଟି ମିଠା । ତା’ଛଡ଼ା ସେ କୁଆଡ଼େ ‘(ଭଜ) ନିତାଇ ଗୌର ରାଧେଶ୍ୟାମ, (ଜପ) ହରେକୃଷ୍ଣ ହରେ ରାମ’ ଏହି ପଦଟିକୁ ଶହେ ଆଠ ଭଙ୍ଗୀରେ ବୋଲି ପାରନ୍ତି । ସେଇଥିପାଇଁ ନଟଦାଦିଙ୍କର ବେଶ୍‌ ଡାକ । ବେଳେବେଳେ ନଟଦାଦି ଭଜନ ବୋଲୁ ବୋଲୁ ପାଗଳାଙ୍କ ପରି ହୋଇଯିବା ଲିଟୁ ଦେଖିଛି । ଆଖିରୁ ଦି’ଧାର ଲୁହ ବୋହୁଥିବ । ଗଳା ଶୁଭୁଥିବ ଭାରୀ ଭାରୀ । ନାମ ଧରୁ ଧରୁ ମଝିରେ ପାଟି ଆଁ ଥାଇ ସେ ତୁନି ପଡ଼ିଯିବେ । ଆକାଶକୁ କୋଳ କରିବା ଭଙ୍ଗୀରେ ହାତ ଦିଇଟି ଟେକି ହୋଇ ରହିଥିବ । ଲୁହ ଜୁଡ଼ୁସୁଡ଼ୁ ଆଖିଯୋଡ଼ିକ ଚଉଁରା କୋଳର କେଉଁ ମୂର୍ତ୍ତି ଉପରେ ଅଟକି ରହିଥିବ । ଏଭଳି ଅବସ୍ଥା ଦେଖି ଲିଟୁ ହେରିକାଙ୍କୁ ହସ ଲାଗେ । ବଗୁଲି କହେ, ‘ନଟଦାଦି ଡ୍ରାମା କରୁଛନ୍ତି ହୋ ! ସେ ଏଭଳି ଅନେକ ‘ଆକ୍‌ସନ’ କଟକ ସିନେମା ଘରେ ଦେଖିଛି । ଗାଁ ଲୋକଙ୍କୁ ନଟଦାଦି ଭଣ୍ଡଉଛି ।’

 

ଦରବୁଢ଼ା ମଣିଷଟେ ଭଜନ ବୋଲୁ ବୋଲୁ ଏମିତି ସୁଆଙ୍ଗ କରିବା ଲିଟୁର ବି ପସନ୍ଦ ହୁଏ ନାହିଁ । ତାକୁ ନଟଦାଦିର ଭଜନ ବେଶି କାଳ ଅଟକେଇ ରଖେ ନାହିଁ । ତା’ର ମନ ଥାଏ ଦହିହାଣ୍ଡି ଭଙ୍ଗା ନଗର କୀର୍ତ୍ତନରେ । ନଗର କୀର୍ତ୍ତନରେ ସେମାନେ ଗାଁଟା ସାରା ବୁଲନ୍ତି । ନଟଦାଦି ଥାଆନ୍ତି ଆଗରେ । ଧାଉଁଥାନ୍ତି ସେ । ତାଙ୍କ ପଛେ ପଛେ ପାଳି ଧରି ଅନ୍ୟ କୀର୍ତ୍ତନିଆ । ସବା ପଛରେ ଲିଟୁ, ବଗୁଲି, ନଣ୍ଡା ଓ ଆଳୁଆମାନେ । ନଗର କୀର୍ତ୍ତନରୁ ଫେରିଲେ ଦହିହାଣ୍ଡି ଭଙ୍ଗାଯାଏ । ସାଙ୍ଗେ ସାଙ୍ଗେ ପୋଖରୀରୁ ଗରା ଗରା ପାଣି ଆସି ଢଳାଯାଏ । ଗାଁ ଦାଣ୍ଡର ଧୂଳିମାଟି ପଙ୍କ କାଦୁଅ ହେଇଯାଏ । ସଂକୀର୍ତ୍ତନିଆମାନେ ସେଇ ପାଣିରେ ଗଡ଼ନ୍ତି, ଲଟରପଟର ହୋଇ କୀର୍ତ୍ତନମଣ୍ଡପ ଚାରିପଟେ ଘୂରି ଆସନ୍ତି । ଲିଟୁକୁ ସଂକୀର୍ତ୍ତନର ଏହି ଭାଗଟା ମଜା ଲାଗେ । ତା’ପରେ ସମସ୍ତେ ଗାଧୋଇବା ପାଇଁ ପୋଖରୀରେ ଯାଇ ପଡ଼ନ୍ତି ଦୁଲ୍‌ଦାଲ୍‌ ହୋଇ ।

 

ଗାଁ ଦିଶିଲାଣି । ଲିଟୁ ମନକୁ ଦମ୍ଭ କଲା । ସେ ନଟଦାଦିଙ୍କୁ ଡରିବ ନାହିଁ । ସେ ଜଣେ ହେଲେ ଏମାନେ ଚାରିଜଣ । କୁକୁଡ଼ା ଭୋଜି କଥା ତ କୋଉ କେତେଦିନ ତଳର କଥା ହେଲାଣି । ପାପ ହୋଇଥିଲେ ତ ତାଙ୍କ ସାହିର କିଏ ମରିଥାନ୍ତା, ନହେଲେ ପଘାରେ ଗାଈ କି ବାଛୁରୀ ମାରା ପଡ଼ିଥାନ୍ତେ । କିଛି ସେମିତି ଦୁର୍ଘଟଣା ଘଟିନାହିଁ । ନଟଦାଦି ବେଶି ହଇରାଣ କଲେ ସେ ସିଧା ପଚାରିବ, ‘‘ତୁମେ କ’ଣ କରୁଥିଲ ଏତେ ରାତିରେ ? ସବୁଦିନ ରାତିରେ ତମେ କାହିଁକି ଗାଁ ଦାଣ୍ଡରେ ଟହଲ ମାର ?’’

 

ନିଜର ବୁଦ୍ଧିକୁ ଲିଟୁ ନିଜେ ଟିକେ ପ୍ରଶଂସା କଲା । ଟିକିଏ ହାଲୁକା ଲାଗିଲା ତା’ ଛାତି ଭିତରଟା । ଚାରିଆଡ଼କୁ ବେକ ଟେକି ଚାହିଁଲା । ନୂଆ ପୋଖରୀ ଆଡ଼ିରେ ଗାଈଗୋରୁ ଚରୁଛନ୍ତି । ଚାରିଆଡ଼େ ଧାନ ବିଲ । ଧାନ ବିଲ ଉପରେ ଶାଗୁଆ ଢେଉ । ଆଗ ରୁଆ ଧାନଗଛଗୁଡ଼ାକ କଳା ବୁଲି ଆସିଲାଣି । ଯୋର ଧାରରେ ବଗଟାଏ ଗୋଡ଼ ଟେକି ଏକ ଧ୍ୟାନରେ ପାଣିକୁ ଅନେଇଛି । ହେଇ, ଚନ୍ଦ୍ରଶେଖର ମହାଦେବ ମନ୍ଦିରର ଚୂଡ଼ା ଦିଶିଲାଣି ।

 

ପୁଣି ମନେପଡ଼ିଲେ ନଟଦାଦି । କେମିତି କଉଶଳ କରି ନଟଦାଦିଙ୍କୁ ମନେଇ ହୁଅନ୍ତା ନାହିଁ ! ଲୋକଟି ତ ଏତେ ରାଗୀ ନୁହେଁ । ବେଳେବେଳେ ଭାରି ହସ କଥା କୁହେ । ଲିଟୁର ମନେପଡ଼ିଲା, ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ବାହାରିଲା ପରେ ନଟଦାଦି ତାକୁ ଗୋଟେ କଲମ ଦେଇଥିଲେ । ସ୍କୁଲ୍‌ରୁ ଫେରିବା ବାଟରେ ପୋଖରୀ ହୁଡ଼ାରେ ନଟଦାଦି ଲିଟୁକୁ ଡାକି ତା’ ମୁଣ୍ଡବାଳ ଆଉଁଶି ଦେଇଥିଲେ । ତା’ ମୁଣ୍ଡରେ ହାତରଖି କହିଥିଲେ, ତୁ ଆହୁରି ଭଲ ପଢ଼ିବୁ । ଲିଟୁ କଲମଟାକୁ ପ୍ୟାଣ୍ଟ୍‌ ପକେଟରେ ପୂରେଇ ଦଉଡ଼ି ଦଉଡ଼ି ଘରକୁ ପଳେଇ ଆସିଥିଲା । ନଟଦାଦି କଲମ ଦେଇଥିବା କଥାଟା ଶୁଣି ଲିଟୁର ବୋଉ କିନ୍ତୁ ଖୁସି ହୋଇ ନଥିଲେ । ଓଲଟି ମୁହଁ ମୋଡ଼ି ଚାଲି ଯାଇଥିଲେ ।

 

ଲୋକଟିକୁ ସମସ୍ତେ ଏମିତି ଘୃଣା କରନ୍ତି କାହିଁକି ? ସେ କ’ଣ ଖୁବ୍‌ ଗୋଟେ ଖରାପ ଲୋକ ? ନଟଦାଦି କ’ଣ ଗୋଟେ ଛୁଆଧରା ? ସାନ ସାନ ପିଲାଙ୍କୁ ନେଇ ବିକି ଦିଅନ୍ତି କି ? ବଳି ପକେଇ ଦିଅନ୍ତି କି ମଶାଣିରେ ? ସେମିତି ଟାଣ ତ ଜଣାପଡ଼େ ନାହିଁ ଲୋକଟି । ଦେହସାରା ଚିତାଚଇତନ । ବେକରେ ତୁଳସୀମାଳ ଓ ତା’ ତଳକୁ ଆଉ ଗୋଟେ ରୁଦ୍ରାକ୍ଷମାଳ । ହାଡ଼ୁଆ ଛାତିସାରା ବୋଳା ହୋଇଥାଏ ଚିତା । ଲଣ୍ଡାମୁଣ୍ଡ ପଛକୁ ଝୋଟ ପୁଳାଏ ପରି ଗଣ୍ଠି ପଡ଼ିଥିବା ଚୁଟି-। ସେ କାହିଁକି ଛୁଆଧରା ହେବେ ?

 

ତା’ହେଲେ ସମସ୍ତେ ନଟଦାଦି ବାବଦରେ ଏତେ ଉଦାସୀନ କାହିଁକି ? ସେ ଗରିବ ବୋଲି ? ନା ତାଙ୍କର ଚରିତ୍ର ଖରାପ ?

 

ସବୁଥର ପରି ଏଥର ଲିଟୁ ଦାଣ୍ଡଦରଜା ବାଟେ ଘରକୁ ପଶିଲା ନାହିଁ । ବାଡ଼ି ଦୁଆର ଦେଇ ଘରକୁ ଯିବାବେଳେ ପିଜୁଳି ଗଛ ଡାଳ ଉପରୁ ଆଳୁଆ କୁହାଟ ଛାଡ଼ିଲା, ‘ହେଇ ! ଲିଟୁ ଆସିଲାଣି !’

 

ଲିଟୁ ନିଜ ଓଠ ଉପରେ ଆଙ୍ଗୁଳି ରଖି ଇସାରା କଲା, ‘ଚୁଉପ୍‌ ।’

 

ଆଳୁଆ ମାଙ୍କଡ଼ ପରି ଖପ୍‌ଖାପ୍‌ ଡେଇଁ ଗଛରୁ ତଳକୁ ଓହ୍ଲେଇ ଆସିଲା ଓ ମୁହୂର୍ତ୍ତକ ଭିତରେ ଲିଟୁ ପାଖରେ ପହଞ୍ଚିଗଲା ।

 

ଲିଟୁ କହିଲା, ‘ନଟଦାଦିଙ୍କ ଖବର କ’ଣ ? ସେ କ’ଣ ଆମ କଥା ଗାଁରେ କହି ଦେଇଛନ୍ତି କି ?’

 

ଆଳୁଆ ସବୁ କଥା ଭୁଲିସାରିଥିଲା । ସେ ଓଲଟି ପଚାରିଲା, ‘କୋଉ କଥା ?’

 

‘ଆଚ୍ଛା, ନଟଦାଦି ଆଜି ଗାଁରେ ଅଛନ୍ତି ନା ନାହାନ୍ତି ତୁ ଜାଣିଛୁ ?’

 

ଆଳୁଆ ଏଥର ଟିକେ ବିଷଣ୍ଣ ଦିଶିଲା । କହିଲା–ତୁ ଜାଣିନଉଁ ପରା, ତାଙ୍କ ଦେହ ଭାରି ଖରାପ । ସେ ସାତଦିନ ହେବ ଭଦ୍ରକ ଡାକ୍ତରଖାନାରେ... ।

 

ନଟଦାଦିଙ୍କ ଅସୁସ୍ଥତା ସମ୍ବାଦ ଲିଟୁକୁ ଲାଗିଲା ସ୍କୁଲ ଛୁଟି ହୋଇଯିବା ଖବର ପରି ଖୁସି ଖବର । ସେ ତା’ ମୁହଁକୁ ଆଳୁଆ କାନ ପାଖକୁ ନେଇ ପଚାରିଲା, ‘ଆମ ଭୋଜି କଥା ନଟଦାଦି ଗାଁରେ କହିନାହାନ୍ତି ତ ?’

 

ଲିଟୁ ଛାତି ପକେଟରେ ଚକ୍‌ଚକ୍‌ କରୁଥିବା କଲମଟାକୁ ଝାମ୍ପିନେଇ ନିଜ ହାତ ଚକିରେ ଗାରାଗାରି କରୁ କରୁ ଆଳୁଆ ବଡ଼ ନିର୍ଲିପ୍ତ କଣ୍ଠରେ କହିଲା, ‘ନା’ ।

 

ମାର୍ଚ୍ଚ ମାସ ସନ୍ଧ୍ୟା । ଦିନସାରା ଗୁଳୁଗୁଳି ଯୋଗୁଁ ଲିଟୁ କିଛି ପଢ଼ାପଢ଼ି କରିପାରି ନ ଥିଲା । ଶପଟେ ପାରି ସ୍କୁଲ୍‌ ହଷ୍ଟେଲ୍‌ ବାରନ୍ଦାରେ ବସି ସେ ଇଂରାଜୀ କବିତାର ସାରାଂଶ ମୁଖସ୍ଥ କରୁଥିଲା । ଆର ସୋମବାରଠୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ । ଏଇ ପରୀକ୍ଷାଟି ସବୁଠୁ ଉଚ୍ଚା ହିଡ଼ ବୋଲି ସବୁ ସାର୍‌ କହୁଛନ୍ତି । ତା’ପରେ ଆଉ ଚିନ୍ତା ନାହିଁ । ଆଗରେ ଲଣ୍ଠନଟିଏ ଥରି ଥରି ଜଳୁଛି । ରବିବାର ବୋଲି ଆଖପାଖ ଗାଁର ପିଲାମାନେ ନିଜ ନିଜ ଘରକୁ ଯାଇଛନ୍ତି । ହଷ୍ଟେଲ୍‌ ଟିକେ ଶୂନ୍‌ଶାନ୍‌ ଜଣାପଡ଼ୁଛି ।

 

ଜୋରରେ ଦମକାଏ ପବନ ବୋହିଲେ ଲଣ୍ଠନର ଆଲୁଅ ଏପଟ ସେପଟ ହେଇ ଯାଉଛି । କାଚର ଉପରପଟ କଳା ପଡ଼ି ଆସିଲାଣି । ରୁମରେ ଲିଟୁ ଏକା । ସାଙ୍ଗ ଅକ୍ଷୟ ଗାଁରୁ ଫେରିନି । ପୋଖରୀ ପାଖ ଘରଟା ଯୋଗୁଁ ପବନ ଥଣ୍ଡା ଲାଗୁଛି । ଉଶ୍ୱାସ ଲାଗୁଛି ଫଗୁଣ ସଞ୍ଜ ।

 

ଚେଁ ଚେଇଁଆ ଗଳାରେ କିଏ ଜଣେ ପାହାଚ ତଳୁ ଡାକୁଥିଲା, ‘ଲିଟୁ ଅଛୁ କିରେ !’

 

ଲିଟୁ ଚମକିପଡ଼ିଲା । ଇଏ ତ ନଟଦାଦିଙ୍କ ସ୍ୱର ! କିନ୍ତୁ ସେ ଏଠି ଏ ସଞ୍ଜବେଳେ କାହିଁକି ?

 

‘‘ଏପଟେ ରାମପୁର କୀର୍ତ୍ତନକୁ ଆସିଥିଲି । ଚାରିଦିନ ହେଲା ସେଇଠି ଥିଲି । ଭାବିଲି ଲିଟୁର ସ୍କୁଲ ତ ଏଇ ପାଖରେ । ଟିକେ ବୁଲିଦେଇ ଯାଏ ।’’

 

ଲିଟୁ ଛାତି ଭିତରେ ସେଇ ପୁରୁଣା ଧଡ଼ପଡ଼ । ନଟଦାଦି ପ୍ରକୃତରେ ଜଣେ ଖରାପ ଲୋକ । ନ ହେଲେ କ’ଣ ଏତେବାଟ ଚାଲି ଚାଲି କେହି ଆସେ ଗାଁ ପିଲାଟିକୁ ଡରେଇବାକୁ ? ଲିଟୁର ମନ ଖରାପ ହୋଇଗଲା ।

 

ନଟଦାଦି ତାଙ୍କ ଝୁଲାମୁଣାଟା କାନ୍ଧରୁ କାଢ଼ି ଖଟ ଉପରେ ଥୋଇଲେ । ଲିଟୁ ତାଙ୍କୁ ପୋଖରୀ ଯାଏ ବାଟ କଢ଼େଇନେଲା । ନଟଦାଦି ଗୋଡ଼ହାତ ଧୋଇସାରି କାନ୍ଧ ଗାମୁଛାରେ ପୋଛାପୋଛି ହେଲେ । ଲଣ୍ଡା ମୁଣ୍ଡରେ ପାଣି ଥାପିଲେ ଓ ଖଟ ଉପରେ ବସିପଡ଼ି କହିଲେ, ‘ଭାରି ଗୁଳୁଗୁଳି ।’

 

ଲିଟୁ ଛିଡ଼ା ହୋଇଥାଏ ।

 

: ଛିଡ଼ା ହେଇଛୁ କାହିଁକି, ବସୁନୁ ।

 

: ନାଇଁ ବସିବି ଯେ ! ତମ ପାଇଁ ମିଲ୍‌ ପକେଇବାକୁ କହି ଆସେ ।

 

: ଶୁଣ୍‌ ଲିଟୁ ! –ନଟଦାଦି ଲିଟୁକୁ ପାଖକୁ ଡାକିଲେ । ତା’ କାନ ପାଖକୁ ତାଙ୍କ ମୁହଁ ଘୁଞ୍ଚେଇ ଆଣି ଫିସ୍‌ଫିସ୍‌ ଗଳାରେ କହିଲେ, ‘ମୋ ଆତ୍ମା ଡାକୁଛି, ଟିକେ କୁକୁଡ଼ା ଝୋଳ ଖାଆନ୍ତି...-।’

 

ମୁଣ୍ଡ ଉପରେ ଚଡ଼ଚଡ଼ିଟେ ପଡ଼ିଗଲା ଅବା ! ଲିଟୁ ସ୍ତବ୍ଧ ହୋଇଗଲା । ଇଏ ସେ କ’ଣ ଶୁଣୁଛି ? ପରମ ବୈଷ୍ଣବ ନଟଦାଦି ଖାଇବେ କୁକୁଡ଼ା ଝୋଳ ? ପିଆଜ, ରସୁଣ ଛୁଉଁ ନ ଥିବା ମଣିଷଟେ କୁକୁଡ଼ା ଖାଇବାକୁ ମାଗୁଛି ? ଇଏ ନଟଦାଦି ନା ତାଙ୍କର ପ୍ରେତ ! ଆରଥର ଗାଁକୁ ଯାଇଥିବାବେଳେ ନଟଦାଦିଙ୍କ ଦେହ ଖରାପ ବୋଲି ଆଳୁଆ ତାକୁ କହିଥିଲା । ତାହେଲେ କ’ଣ ନଟଦାଦି ମରିଯାଇଛନ୍ତି ଓ ତାଙ୍କର ପ୍ରେତ ଆସିଛି ସଞ୍ଜ ପହରଟାରେ ତାକୁ ଡରେଇବା ପାଇଁ ?

 

ସେତିକିବେଳେ ଜୋର୍‌ ଦଲକାଏ ପବନ ପଶି ଲଣ୍ଠନଟାକୁ ନିଭେଇ ଦେଲା । ବାରନ୍ଦା, ଘର ଓ ବାହାର ସବୁଠି ଅନ୍ଧାର ।

 

ଲିଟୁ ଡରିଗଲା ।

 

ନଟଦାଦି ଗଳାଝାଡ଼ି କହିଲେ, ‘ଏଇ ବଜାର ଛକରେ ଗୋଟେ ହୋଟେଲ ଅଛି । ସେଇଠୁ ଦି’ପ୍ଲେଟ୍‌ କୁକୁଡ଼ା ତରକାରି ଆଣୁନୁ । ସେ ଭାରି ବଢ଼ିଆ ରାନ୍ଧେ । ମୁଁ ପଇସା ଦେଉଛି, ନେ-।’

 

: କିନ୍ତୁ ତମେ ପରା ବୈଷ୍ଣବ ? ଏ ଘୋର ପାପ କଥା କେମିତି କହୁଛ ? ମୁଁ ତମ ପାପରେ ଭାଗୀ ହୋଇପାରିବି ନାହିଁ ।

 

ନଟଦାଦି ଟିକେ ଗୁମ୍‌ ହୋଇଗଲେ । ତା’ପରେ ସେ ବିଳିବିଳେଇଲା ପରି କହିଲେ, ‘‘ମୁଁ ବଇଷିମ ଫଇଷିମ କିଛି ନୁହେଁରେ, ଡାଆଣା, କୋଢ଼ିଆଟାଏ । ଛାଡ଼୍‍, ଛାଡ଼୍‍ ତୁ ପିଲାଲୋକ । ସେ ଭେଦ ତୁ ବୁଝିବୁ ନେଇଁ । ତମ କୁକୁଡ଼ା ଭୋଜି ଦିନ ମୁଁ କମ୍‌ ଆଉଟୁ ପାଉଟୁ ହୋଇଛି ? ସାରା ରାତି ଚେଇଁଥିଲି, କାଳେ ମୋତେ ଡାକିବ । ଛାଡ଼, ଡାକିଲ ତ ନାହିଁ, ମୋର ଆଶା ରହିଗଲା । କିନ୍ତୁ ତୋତେ ମାନିବାକୁ ହେବ ଲିଟୁ, ତୋର ସାହସ ଅଛି । ସେଇଯୋଗୁ ତୋତେ ମୋ ମନ କଥା ଖୋଲି କହିଲି ।’’

 

ଲିଟୁ ଟ୍ରଙ୍କ୍‌ ସନ୍ଧିରୁ ଦିଆଶିଲି ବାହାର କରି ଲଣ୍ଠନ ଲଗଉ ଲଗଉ କହିଲା, ‘‘ନା ନଟଦାଦି, ଘୋର ପାପ ହେବ ।’’

 

ନଟଦାଦି ହସିଲେ । ସେ ହସ ଖୋଲା ଝରକା ସେପଟ ପୋଖରୀର କୁନି କୁନି ଢେଉମାନଙ୍କ ସାଙ୍ଗରେ କିଛି ବେଳ ରହି ପୁଣି କଇଥ ଗଛ ସନ୍ଧିରେ ଉଭେଇଗଲା । ନଟଦାଦି ତାଙ୍କ ଗାଞ୍ଜିଆରୁ ଟଙ୍କା ବାହାର କରି ଦେଉ ଦେଉ କହିଲେ, ‘ରିପୁ ଦମନ ଭାରି କଷ୍ଟ କଥା । ବହୁତ ରୋକିଲି ଲିଟୁ । କିନ୍ତୁ ଏ କୁଳର ହେଲି ନା ସେ କୁଳର ହେଲି ? ମଣିଷ ପ୍ରକୃତି ତ ! ମଶାଣି ଯାଏ ଗୋଡ଼େଇ ଗୋଡ଼େଇ ଯିବ । ଯଦି କିଛି ପାପ ହେବ ମୋର ହେବ । ତୁ ତ ସାନ ପିଲାଟା । ଶୁଣ୍‌, ଏକଥା ଗାଁରେ କେବେ କାହାକୁ କହିବୁ ନାହିଁ । ମୁଁ କ’ଣ ତମ ଭୋଜି କଥା କାହାକୁ କହିଛି କି ?’

 

ବଜାର ଛକ ‘ନିଉ ଇଣ୍ଡିଆ ହୋଟେଲ୍‌’ରୁ ଚାରି ପ୍ଲେଟ୍‌ ଭାତ ଓ ଦି ପ୍ଲେଟ୍‌ କୁକୁଡ଼ା ଝୋଳ ନେଇ ଆସିଲା ଲିଟୁ । ନଟଦାଦି ପରମ ଆଗ୍ରହରେ ଖାଇଲେ ଓ ଖାଇସାରି ପୋଖରୀକୁ ଯାଇ ଗାଧୋଇ ଆସିଲେ । ତାଙ୍କ କୋଥଳିରୁ ତୁଳସୀମାଳ ବାହାର କରି ପୁଣି ବେକରେ ପିନ୍ଧିଲେ ।

 

ପରଦିନ ସକାଳୁ ଲିଟୁ ଉଠିବାବେଳକୁ ନଟଦାଦି ଚାଲିଯାଇଥିଲେ । ଘର ଚଟାଣରେ ଅଇଁଠା ଦାଗର ଅବଶେଷ ନଥିଲେ ଲିଟୁ ଗତ ରାତିରେ ଘଟଣାକୁ ସ୍ୱପ୍ନ ବୋଲି ଧରି ନେଇ ଥାଆନ୍ତା । ଏବେ ସେ କିନ୍ତୁ ନିଜକୁ ବେଶ୍‌ ହାଲୁକା ମଣୁଥିଲା । ଭଲ ହେଲା, ତା’ ଛାତି ଉପରୁ ଗୋଟେ ପଥର ହଟିଗଲା । ଆଉ ନଟଦାଦିଙ୍କୁ ଡର ନାହିଁ ।

 

ପୋଷ୍ଟକାର୍ଡ଼ଟି ଦେଖୁ ଦେଖୁ ଲିଟୁ ଚିହ୍ନିପାରିଲା ଏଇଟା ଆଳୁଆର ହସ୍ତାକ୍ଷର । ଚିଠିଟା ପଢ଼ିସାରି ଦୁଲ୍‌କରି ଖଟ ଉପରେ ବସିପଡ଼ିଲା ।

 

ଆଳୁଆ ଲେଖିଥିଲା, ‘ରାମପୁର କୀର୍ତ୍ତନରୁ ଫେରିବା ପରଦିନ ନଟଦାଦି ମରିଗଲେ । ରାତିରେ କୁଆଡ଼େ ବାଉଳି ଚାଉଳି ହେଉଥିଲେ । ସଞ୍ଜବୁଡ଼େ ଭଲ ଥିଲେ । ସକାଳୁ କିନ୍ତୁ ବଗୁଲି ବାପା କୀର୍ତ୍ତନ ପାଇଁ କଥାବାର୍ତ୍ତା କରିବାକୁ ଯାଇ ଦେଖିଲେ, ନଟଦାଦି ମରି ପଡ଼ିଛନ୍ତି । ଆଉ ସବୁ ସେଇପରି । ତୁ ଜଲ୍‌ଦି ଆସିବୁ ।’

 

ଲିଟୁର ସବୁଯାକ ଭାବନା ଏପଟ ସେପଟ ହୋଇଗଲା । ସେ ଜାଣିଥିଲା, ନଟଦାଦି ରାମପୁର କୀର୍ତ୍ତନରୁ ନୁହେଁ, ତାଆରି ପାଖରୁ ଫେରିଗଲା ପରେ ମରିଯାଇଥିଲେ । ତାକୁ ଲାଗୁଥିଲା ସେ ହୁଏତ ଜାଣିଛି ନଟଦାଦିଙ୍କର କ’ଣ ହେଇଥିଲା । ସେ ଜାଣିଛି ନଟଦାଦି କି ପାପ କରିଥିଲେ । ଏଭଳି ଘୋର ପାପ କରି କେହି କ’ଣ ବଞ୍ଚି ପାରିଥାନ୍ତା ? କିନ୍ତୁ ନଟଦାଦିଙ୍କୁ ପାପ କରିବାରେ ସେଇ ତ ସାହାଯ୍ୟ କରିଥିଲା ! ସେଇ ପ୍ରଥମେ ବୈଷ୍ଣବ ସାହିରେ କୁକୁଡ଼ା ରାନ୍ଧି ଅନର୍ଥକୁ ଗାଁ ଭିତରକୁ ଡାକି ଆଣିଥିଲା । ତାହାହେଲେ ନଟଦାଦିଙ୍କ ମରଣ ପାଇଁ କ’ଣ ନିଜେ ସେ ଦାୟୀ ?

 

ଯୋଉ ଦୁଶ୍ଚିନ୍ତା ଓ ଆଶଙ୍କାର ପଥରକୁ ନିଜେ ନଟଦାଦି ଆସି ତା’ ଛାତି ଉପରୁ କାଢ଼ିଦେଇ ଯାଇଥିଲେ ଏବେ ସେଇଟି ଆହୁରି ଓଜନିଆ ହୋଇ ଲିଟୁକୁ ମାଡ଼ି ବସିଥିଲା । ସେ ଜାଣିପାରୁ ନଥିଲା, ଏବେ ତା’ର କ’ଣ କରିବା ଉଚିତ । ସବୁ କଥା ତା’ର ଗାଁରେ କହିଦେବା ଉଚିତ କି ? ମାତ୍ର ଏକଥା ଭାବିଲାବେଳକୁ ତାକୁ ଭୟ ଲାଗୁଥିଲା । ନା, ସେକଥା ସେ କାହାକୁ କହିବ ନାହିଁ, ସେ କହିପାରିବ ନାହିଁ । କାରଣ ନଟଦାଦିଙ୍କୁ ସେ କଥା ଦେଇଛି ।

 

କାହାର ବାର୍ତ୍ତା ହୁଡ଼ିବା ପାପ । ପୁଣି ମଲାଲୋକର ବାର୍ତ୍ତା ହୁଡ଼ିବା ତ ମହାପାପ !

𗰵𗰵𗰵

 

ସେ ଏତେ ହସୁଛି କିପରି

 

ଗୋଟିଏ ଘଡ଼ଘଡ଼ି ଶବ୍ଦ ପରି କାହାର ଚିତ୍କାର ଧସେଇ ପଶି ଆସୁ ଆସୁ ଅଟକି ଯାଇଥିଲା କରିଡରରେ, ଠିକ୍‌ ସନ୍ଦୀପର ଦପ୍ତର ସାମ୍ନାରେ ।

 

ସନ୍ଦୀପର ମିଜାଜ୍‌ ଗରମ ହୋଇଗଲା । ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ ଧରି ସେ ଷ୍ଟେନୋକୁ ଶ୍ରୁତଲିଖନ ଡାକୁଥିଲା । ଗତକାଲିଠାରୁ ସେ କାଠେଚୋରି ଓ ଜଙ୍ଗଲ ସୁରକ୍ଷା ବାବଦରେ ବିଧାନସଭାରେ ଉଠିଥିବା ପ୍ରଶ୍ନର ଉତ୍ତର ପ୍ରସ୍ତୁତି ନେଇ ବ୍ୟସ୍ତ ଅଛି । ଆଜି ଅଫିସ୍‌ ଆସୁ ଆସୁ ସେ ସେହି କାମଟି ପ୍ରଥମେ ସାରିବାକୁ ବସିଥିଲା । ଚିଠାଟିର ଦୁଇଟି ବାକ୍ୟ ବି ସମ୍ପୂର୍ଣ୍ଣ ଡାକିସାରି ନାହିଁ, ଏଇ ଚିତ୍କାର ! କରିଡରରେ କେହି ଜଣେ ତା’ ପିଅନ ସାଙ୍ଗରେ ଯୁକ୍ତି କରୁଛି । ଦିହିଙ୍କ ଭିତରେ କଥା କଟାକଟି ଚାଲିଛି । ଆର ଲୋକଟିର ସ୍ୱର ଟିକେ ଟିକେ ଚିହ୍ନା ଲାଗୁଛି । କିନ୍ତୁ ଲୋକଟି ଗାଳିମନ୍ଦ କଲାଭଳି ଚିତ୍କାର କରୁଛି କାହିଁକି ? ଆଉ ଟିକିଏ ଧୀର ଗଳାରେ କ’ଣ ସେହି କଥା କୁହାଯାଇ ପାରନ୍ତା ନାହିଁ ।

 

ଷ୍ଟେନୋଗ୍ରାଫର ନୀଳିମାର ଓଠରେ ଲିପ୍‌ଷ୍ଟିକ୍‌ର ତରଳ ପ୍ରଲେପ । ତା’ ଓଠରେ ସିଲିଂ ପଙ୍ଖାର ଛବି ବି ଦିଶିଯାଉଛି । ସନ୍ଦୀପ ନୀଳିମାକୁ ଚାହିଁ ନ ଥିଲା । ବାହାରର କଥାବାର୍ତ୍ତା ଶୁଣିବା ଲାଗି କାନ ଡେରିବା ଭିତରେ ତା’ର ଆଖିଯୋଡ଼ିକ ନୀଳିମା ଓଠ ଉପରେ ଯାଇ ସ୍ଥିର ହୋଇଯାଇଥିଲା ।

 

–ସାର୍‌ ଡିକ୍ଟେସନ୍‌ ଡାକୁଛନ୍ତି । –ପିଅନ କହୁଛି ।

 

–ଡାକନ୍ତୁ, ମୋର ଖାଲି ଗୋଟିଏ ମିନିଟ୍‌ର କାମ । ଯିବି, ଆସିବି । ତୁମେ ଆଗେ ଯାଇ ମୋ ନାଁଟା ତ କୁହ ।

 

–ଆଜ୍ଞା ପର୍‌ମିସନ୍‌ ନାହିଁ । ଡିକ୍ଟେସନ୍‌ ସରିଲେ ଯିବେ ।

 

–ରଖ ହୋ ତୁମ ପର୍‌ମିସନ୍‌ । ଏ ଡିକ୍ଟେସନ୍‌, ସେମିନାର, କନଫରେନ୍‌ସରୁ ଅଶ୍ୱଡିମ୍ବ ଛଡ଼ା ଆଉ କିଛି ମିଳେ ନାହିଁ । ତୁମେ ଯାଇ ମୋ ନାଁ କୁହ ।

 

–ଆଜ୍ଞା, ମୋ ଉପରେ ରାଗୁଛନ୍ତି କାହିଁକି ? ସ୍ଲିପ୍‌ଟେ ତ ଲେଖିଦିଅନ୍ତୁ ।

 

–ମୋ ପାଖରେ କାଗଜ ନାହିଁ କି କଲମ ନାହିଁ । ତମ ପାଖରେ ଅଛି ?

 

ତା’ପରେ ଟିକେ ନିରବତା । ବୋଧହୁଏ ପିଅନ କଲମ ପାଇଁ ଯାଇଥିଲା । ସନ୍ଦୀପ ମୁହଁ ବୁଲେଇ ଦେଖିଲା, ଇତ୍ୟବସରରେ ସେହି ଘଡ଼ଘଡ଼ିର ବ୍ୟକ୍ତିରୂପ ସ୍ୱୟଂ କବାଟ ଖୋଲି ତା’ ସାମ୍ନାରେ ହାଜର ।

 

–ହାଏ, ମୁଁ ନିରଞ୍ଜନ । ଏଫ୍‌.ଏମ୍‌.ରେ ସାଙ୍ଗ ହୋଇ ପଢ଼ୁଥିଲେ । ଜେନେରାଲ୍‌ ସେକ୍ରେଟାରୀ ପଦ ପାଇଁ ଲଢ଼ି ଖଣ୍ଡିଏ ଭୋଟ୍‌ ପାଇଁ ଚିତ୍‌ପଟାଙ୍ଗ ମାରିଥିଲି ଅଠସ୍ତରୀରେ । ହା-ହା, ମନେଅଛି ତ ? ଆଚ୍ଛା, ଏବେ ବସିପାରେ କି ?

 

ଅନୁମତି କିମ୍ବା ଉତ୍ତରକୁ ଅପେକ୍ଷା ନ କରି ଧଡ଼୍‌କରି ଗୋଟାଏ ଚଉକି ଭିଡ଼ିନେଇ ସେ ବସିପଡ଼ିଲା ଓ ପୁଣି ଚଉକିଟାକୁ ଟେବୁଲ ପାଖକୁ ଘୋଷାଡ଼ି ଆଣି ହ୍ୟାଣ୍ଡସେକ୍‌ କରିବାକୁ ସନ୍ଦୀପ ଆଡ଼କୁ ହାତ ବଢ଼େଇଦେଲା ।

 

ଗତ କିଛି ମିନିଟ୍‌ ଧରି ଚାଲିଥିବା ଏସବୁ ଚିତ୍କାର ଓ ହୋ-ହାଲ୍ଲାରେ ବିବ୍ରତ ସନ୍ଦୀପ କାହିଁକି କେଜାଣି ନିରଞ୍ଜନକୁ କିଛି କହିପାରିଲା ନାହିଁ । ଅନାସକ୍ତ ଭାବେ ସେ ତା’ର ହାତ ବଢ଼େଇଦେଲା ।

 

ନିରଞ୍ଜନ ମୁହଁ ଖୋଲିଲା । “ହା-ହା, ଆଉ ସବୁ ଭଲ ?”

 

ସନ୍ଦୀପ ଗମ୍ଭୀର ହୋଇପଡ଼ିଲା । ଏମିତି କ’ଣ କାହାର ଭଲମନ୍ଦ ପଚରାଯାଏ ? ପୁଣି, କୋଉ ଭଲମନ୍ଦ କଥା ପଚାରୁଛି ନିରଞ୍ଜନ ! ସନ୍ଦୀପକୁ ଲାଗିଲା, ନିରଞ୍ଜନ ତା’ର ଭଲମନ୍ଦ ପଚାରିବାବେଳେ ନୀଳିମା ଆଡ଼କୁ ଲକ୍ଷ୍ୟ କରି ବୋଧହୁଏ ଆଖିମିଟିକା ମାରିଲା ।

 

ନୀଳିମା ଅପ୍ରତିଭ ବୋଧ କରୁଥିଲା । ସେ ଉଠିପଡ଼ି କହିଲା, ‘ମୁଁ ଟିକିଏ ଛାଡ଼ି ଆସୁଛି ସାର୍‌’ ଓ ଦୁଆର ଆଡ଼କୁ ପାଦ ବଢ଼େଇଲା । ସେଠି ଦୁଆର ସେପଟେ କଲମଟି ଧରି ଛିଡ଼ା ହୋଇଥିଲା ବୁଢ଼ା ପିଅନ । ନୀଳିମା ଯାଇ ପିଅନ ସାଙ୍ଗରେ ପିଟି ହୋଇଗଲା ଓ ପିଅନଟି ତଳେ ପଡ଼ି ଯାଉ ଯାଉ କାନ୍ଥରେ ହାତଭରା ଦେଇ ଅଟକିଗଲା ।

 

ନିରଞ୍ଜନ ପଛକୁ ମୁହଁ ବୁଲେଇ ହସିଉଠିଲା, ହୋ-ହୋ, ହା-ହା ।

 

ସନ୍ଦୀପ ତା’ର ରାଗ ପିଅନ ଉପରେ ଶୁଝେଇବାକୁ ମୁହଁ ଖୋଲିଲା । “ତୁମେ ସେଠି କ’ଣ କରୁଥିଲ, ଶୁଣେ ?”

 

ପିଅନ କିଛି କହିବା ଆଗରୁ ନିରଞ୍ଜନ କହିଲା, ‘ମୋ’ପାଇଁ କଲମ ଆଣିବାକୁ ଯାଇଥିଲେ’ ଓ ତା’ପରେ ପିଅନକୁ ଉଦ୍ଦେଶ୍ୟ କରି ‘ଆଉ ଦରକାର ନାହିଁ । ମୁଁ ତ ଆସିଗଲିଣି, ଯାଅ’ ।

 

ତା’ପରେ ସେ କଣ୍ଠସ୍ୱର ନରମ କରି କହିଲା, “ଭଦ୍ରମହିଳା ବେଶ୍‌ ସୁନ୍ଦରୀ ତ ?”

 

ସନ୍ଦୀପ ଦେହରେ କିଏ ଯେମିତି ଅଧାଜଳା ସିଗ୍ରେଟ୍‌ଟିଏ ଗେଞ୍ଜିଦେଲା । ନିରଞ୍ଜନର ସଂସ୍କାର ବୋଲି କିଛି ନାହିଁ । ହଳିଆଙ୍କ ଭଳି କଥାବାର୍ତ୍ତା, କୁଲି ସର୍ଦ୍ଦାର ପରି ବ୍ୟବହାର । ସ୍ଥାନ-କାଳ-ପାତ୍ରର ଭେଦାଭେଦ ତା’ ପାଖରେ କିଛି ନାହିଁ ।

 

ସନ୍ଦୀପ ଟେବୁଲ୍‌ କାଚ ଉପରେ ଦୃଷ୍ଟି ସ୍ଥିର ରଖି ଡାହାଣପଟ ଫାଇଲ୍‌ଟା ନିଜ ଆଡ଼କୁ ଭିଡ଼ିନେଲା ଓ ଫାଇଲ୍‌ର ଡୋର୍‍ ଖୋଲୁ ଖୋଲୁ ପଚାରିଲା, “ଆଉ ନିରଞ୍ଜନବାବୁ, କେମିତି ଅଛନ୍ତି-? କ’ଣ କାମ ଥିଲା ?”

 

ନିରଞ୍ଜନ ହସିଲା ହୋ ହୋ ହୋଇ । ପୂର୍ବପେକ୍ଷା ଅଧିକ ଖୋଲା ଓ ଅଧିକ ଶବ୍ଦମୟ ଥିଲା ସେ ହସ । ଅଫିସ୍‌ର ଛାତ ଯେପରି ଫାଟିଯିବ ।

 

ସେ କହିଲା, “ବାଃ ଭାଇ, ନିରଞ୍ଜନବାବୁ ! ତମେ ତ ପୂରା ସାହେବ ପାଲଟି ସାରିଲଣି-।”

 

: ଭାଇ ଆମେ ବାବୁ ଫାବୁ କିଛି ହୋଇନାହୁଁ ହୋ । ଆମକୁ ଖାଲି ନିରଞ୍ଜନ କୁହ ।

 

ସନ୍ଦୀପ ହାତଘଣ୍ଟାକୁ ଚାହିଁଲା । ସମୟ ଜାଣିବାକୁ ଯେତେ ନୁହେଁ, ତା’ ପାଖେ ସମୟ ନାହିଁ ବୋଲି ନିରଞ୍ଜନକୁ କହିଦେବାକୁ ସେତେ ବେଶି । ଏଭଳି ଲୋକମାନଙ୍କୁ ସେ ଖୁବ୍‌ ଚିହ୍ନେ । ଟିକିଏ କଅଁଳ ହେଲେ ନାନା ଫରମାସି କରିବେ । ଶଳାର ବଦଳି, ଭାଇର ପ୍ରମୋସନ୍‌, ଭିଣୋଇର ପୋଷ୍ଟିଂ ଇତ୍ୟାଦି ନାନା ଜଞ୍ଜାଳ ଆଣି ଥୋଇବେ । କେଉଁ ଯୁଗ ଗୋଟାଏ ତଳେ ସାଙ୍ଗ ହୋଇ ପଢ଼ୁଥିଲେ ବୋଲି ସେହି ସମ୍ପର୍କକୁ ପୁଞ୍ଜି କରି କ’ଣ କେହି ଆସେ ?

 

ନିରଞ୍ଜନ ସେହିଭଳି ଆଦେଶ ଦେବା ଠାଣିରେ କହିଲା, “କ’ଣ ଭାଇ, ଏତେ ବର୍ଷ ପରେ ଦେଖା । କମ୍‌ ସେ କମ୍‌ କପେ ଚା’ ତ ମିଳୁ ।”

 

: ଓ–ସିଓର । ସନ୍ଦୀପ ନିଜ ଇଚ୍ଛା ବିରୋଧରେ ଏତିକି କହିପକେଇଲା । ତା’ପରେ ତା’ର ମନେହେଲା ଯେ ସେ ଏହି ଲୋକଟିଦ୍ୱାରା ପ୍ରଭାବିତ ହୋଇପଡ଼ିବା ଠିକ୍‌ ହେଲା ନାହିଁ । ତେବେ ଔପଚାରିକତା ଦୃଷ୍ଟିରୁ ଚା’ କପେ ମଗେଇବା ସେମିତି କିଛି ଦୁର୍ବଳତା ନୁହେଁ । ସେ ବେଲ୍‌ ସ୍ୱିଚ୍‌ ଟିପିଲା । ଏଥର ସେଇ ପିଅନଟି ପୁଣି ଆସିଲା । ନିରଞ୍ଜନକୁ ଆରାମରେ ଚୌକି ଉପରେ ଦେହ ଢାଳି ବସିଥିବାର ଦେଖି ସେ ଟିକିଏ ରୁଷ୍ଟ ହେଲା । ସନ୍ଦୀପ କିଛି କହିବା ପୂର୍ବରୁ ନିରଞ୍ଜନ ପଛକୁ ମୁହଁ ବୁଲେଇ କହିଲା, “ଦି କପ୍‌ ଚା’ ଓ ଖଣ୍ଡେ ସିଗ୍ରେଟ୍‌ । ଯେ କୌଣସି ଫିଲ୍‌ଟର ଚଳିବ ।”

 

ସନ୍ଦୀପ କ’ଣ କହିବ ବୋଲି ଓଠ ଖୋଲିଥିଲା, ଆପେ ଆପେ ଚୁପ୍‌ ହୋଇଗଲା । ତା’ଠୁଁ ତା’ର ଆଧିପତ୍ୟ ନିରଞ୍ଜନ ଛଡ଼େଇ ନେଇଥିଲା ପରି ସେ ଅନୁଭବ କରୁଥିଲା ।

 

ନିରଞ୍ଜନ କହିଲା, “ତମେ ଦିଲ୍ଲୀରୁ ଫେରି ଏଠି ଜଏନ୍‌ କରିବା କଥା ଶୁଣିଲି । ଗୋଟିଏ କାମରେ ଆସିଥିଲି କଟକ । ଭାବିଲି ଘେରାଏ ବୁଲିଯାଏ । ହା- ହା, ଆମେ ଭୁଲିବା ଲୋକ ନୋହୁଁ ତମ ପରି ।”

 

ଚା’ ପିଇସାରି ନିରଞ୍ଜନ ସିଗ୍ରେଟ୍‌ ଲଗେଇଲା । ଟେବୁଲ ଉପରେ ଆସଟ୍ରେ ଖୋଜିଲା ଓ ନ ପାଇ ଚା’ କପ୍‌ ଭିତରେ ଜଳନ୍ତା ଦିଆଶିଲି କାଠିଟାକୁ ପକେଇଦେଲା । ସନ୍ଦୀପ ଆଡ଼କୁ ଚାହିଁ କହିଲା, “ତମର ବୋଧହୁଏ ନୋ ମାଇନର ଭାଇସେସ୍‌ ? ହା-ହା, ଆମର ମାଇନର, ମେଜର ସବୁ ଚଳେ । ଜୀବନଟା ଭାଇ ନିଜର, ଯେମିତି ଚାହିଁବ ସେମିତି ଜିଇଁବ । ନା କ’ଣ ? ହା-ହା ।”

 

ସେ ସିଗ୍ରେଟରେ ଟାଣ ଶୋଷ ଦେଲା ଓ ଚଉକିରୁ ଉଠିପଡ଼ି କହିଲା, “ହଉ ଭାଇ, କଟକ ଚାଲିଲି । ପୁଣି ଦେଖାହେବ । ବାଏ ।” ସେ ଆଉ ଥରେ କରମର୍ଦ୍ଦନ କରିବା ପାଇଁ ହାତ ବଢ଼ାଇଲା ଓ ସନ୍ଦୀପ ଏଥର ବି ଉଠିପଡ଼ି ନିରଞ୍ଜନ ଆଡ଼କୁ ହାତ ବଢ଼େଇଦେଲା ।

 

ନିରଞ୍ଜନ ଯେମିତି ଝଡ଼ ପରି ଆସିଥିଲା ସେମିତି ଝଡ଼ ପରି ଚାଲିଗଲା । ତା’ ପଛେ ପଛେ କବାଟଟା ଧାଏଁକିନା ବାଡ଼େଇ ହୋଇ ବନ୍ଦ ହୋଇଗଲା । ସନ୍ଦୀପ ଗୋଟେ ଦୀର୍ଘଶ୍ୱାସ ନେଲା ।

 

ନିରଞ୍ଜନର ହାତ କେତେ ଟାଣ ! ହ୍ୟାଣ୍ଡସେକ୍‌ କରୁଥିଲା ନା ପଞ୍ଝା ଲଢ଼େଇ...!

 

ପିଅନ ଆସିଲା । ନିରଞ୍ଜନର ହାତ ବାଜି ଟେବୁଲ ଉପରେ ବିକ୍ଷିପ୍ତ ହୋଇପଡ଼ିଥିବା ପିନ୍‌-କୁସନ୍‌, କଲମଦାନି, ପେପରଓ୍ୱେଟ୍‌ ଓ କଲମଗୁଡ଼ିକୁ ସଜାଡ଼ି ଦେଲା । ସନ୍ଦୀପ କିନ୍ତୁ ଲୋଡ଼ୁଥିଲା କିଛି ସମୟର ନିର୍ଜନତା । ତା’ର ଏକାଗ୍ରତା ଇତିମଧ୍ୟରେ ସମ୍ପୂର୍ଣ୍ଣ ଚହଲି ଯାଇଥିଲା । କିଛି ସମୟ ଚିନ୍ତା କଲା ପରେ ସେ ଷ୍ଟେନୋକୁ ଡକେଇ ପଠେଇବ ।

 

ଟେଲିଫୋନ୍‌ଟା ସେତିକିବେଳେ ବାଜି ଉଠିଲା । ସନ୍ଦୀପ ରିସିଭର ଉଠେଇଲା । ସେପଟୁ ଜଣେ କର୍କଶ କଣ୍ଠରେ ପଚାରିଲେ, “ଏଇଟା ହିନ୍ଦୁସ୍ଥାନ ଗ୍ୟାସ୍‌ ଏଜେନ୍ସି ?” ସନ୍ଦୀପ ଚିଡ଼ିଗଲା ଓ ‘ରଙ୍ଗ୍‌ ନମ୍ବର’ କହି ଫୋନ୍‌ଟାକୁ ଚଟ୍‌ କରି ଥୋଇଦେଲା ।

 

ଏଥର ସେ ଜଙ୍ଗଲ ସମ୍ପଦର ସୁରକ୍ଷା ବିଷୟ ଚିନ୍ତା କରିବାକୁ ଲାଗିଲା । କିନ୍ତୁ କାହିଁକି କେଜାଣି ତା’ର ଫାଇଲ ଘାଣ୍ଟିବାକୁ ଇଚ୍ଛା ହେଉ ନ ଥିଲା । ବାରମ୍ବାର ତା’ର ନିରଞ୍ଜନ କଥା ହିଁ ମନେ ପଡ଼ିଯାଉଥିଲା ।

 

ନିରଞ୍ଜନ ପ୍ରକୃତରେ ଆସିଥିଲା କୁଆଡ଼େ ? କେବଳ ସୌଜନ୍ୟ ଖାତିରରେ କେହି କ’ଣ ଏଠିକି ଆସେ ? ତାହାହେଲେ ନିରଞ୍ଜନ କିଛି କହିଲା ନାହିଁ କାହିଁକି ? ସେ ନିଜେ କ’ଣ ଖୁବ୍‌ ବେଶୀ ଫର୍ମାଲ୍‌ ହୋଇପଡ଼ିଲା ? ଆଉ ଟିକେ ସହଜ ହେବା ଦରକାର ଥିଲା କି ତା’ ପକ୍ଷେ ?

 

ବାଲେଶ୍ୱରରେ ବି.ଏ. ପଢ଼ୁଥିବାବେଳେ ଯେଉଁ ଦି’ଜଣଙ୍କ ସାଙ୍ଗେ ତା’ର ପରିଚୟ ଘନିଷ୍ଠ ହୋଇଥିଲା ସେ ଦିହିଙ୍କ ଭିତରୁ ଆଗେ ପରିଚିତ ହୋଇଥିଲା ନିରଞ୍ଜନ ଓ ପରେ ନିରଞ୍ଜନ ମାଧ୍ୟମରେ ମନିକା । କିନ୍ତୁ ନିରଞ୍ଜନକୁ ସନ୍ଦୀପ ନିଜେ ଭୁଲିଗଲା ଓ ମନିକା ତା’ ଆଡ଼ୁ ଭୁଲିଗଲା ସନ୍ଦୀପକୁ ।

 

ଅଠସ୍ତରୀର କଲେଜ ଇଲେକ୍ସନ୍‌ କଥା ମନେପଡ଼ିଲା । ନିରଞ୍ଜନ ଛିଡ଼ା ହୋଇଥିଲା ସେକ୍ରେଟେରୀ ପଦ ପାଇଁ । ସେତେବେଳକୁ ସନ୍ଦୀପ ଓ ମନିକାଙ୍କ ପ୍ରେମର ଚର୍ଚ୍ଚା କଲେଜ କରିଡରରେ ବେଶ୍‌ ଚହଳ ସୃଷ୍ଟି କରିସାରିଥିଲା । ୟୁନିଅନ୍‌ ଇଲେକ୍ସନ୍‌ ଦିନ କ୍ଲାସ୍‌ ସବୁ ବାତିଲ ହୋଇଯାଇଥିଲା । ହତା ବାହାରେ ଫୁଟୁଥିଲା ଭାଷଣର ଆତସବାଜି । ସନ୍ଦୀପ ଓ ମନିକା ଏସବୁ ଭିଡ଼ଭଡ଼କା ଭିତରୁ ମୁକୁଳି ଚାଲିଯାଇଥିଲେ ଚାନ୍ଦିପୁର । ମନିକାର କୋମଳ ପାପୁଲି ଥିଲା ସନ୍ଦୀପର ହାତମୁଠାରେ । ଝାଉଁବଣ ଛାଇରେ ସମୁଦ୍ରକୁ ଚାହିଁ ସେମାନେ ବିତେଇ ଦେଇଥିଲେ ସାରା ଦିନ । ନିରଞ୍ଜନ ଇଲେକ୍ସନ୍‌ ଜିତିବା ଥିଲା ଅବଶ୍ୟମ୍ଭାବୀ । କିନ୍ତୁ ହଷ୍ଟେଲ୍‌କୁ ଫେରି ସନ୍ଦୀପ ଶୁଣିଥିଲା, ନିରଞ୍ଜନ ହାରିଯାଇଛି ମାତ୍ର ଗୋଟିଏ ଭୋଟରେ । ପ୍ରଚଣ୍ଡ ଅପରାଧବୋଧରେ ମନିକା ଓ ସନ୍ଦୀପ କେହି କାହାକୁ ଚାହିଁ ପାରି ନ ଥିଲେ ଢେର୍‌ ସମୟ ।

 

ସପ୍ତାହେ ପରେ ନିରଞ୍ଜନ ସାଙ୍ଗରେ ଦେଖାହେଲା । ଇଲେକ୍ସନ୍‌ ପରଦିନ ସେ କେଉଁଝର ପଳେଇ ଯାଇଥିଲା । କିଏ କହୁଥିଲା, ନିରଞ୍ଜନ ପ୍ରେମିକାର ଘର କେଉଁଝରରେ । ସେ ସେଠି କୋଉ ସ୍କୁଲର ମାଷ୍ଟ୍ରାଣୀ । ସନ୍ଦୀପ ସତ ମିଛ ବୁଝିବାକୁ ଚେଷ୍ଟା କରି ନ ଥିଲା । ସେ ଯାଇ ଶାଳନ୍ଦୀ ମେସରେ ପହଞ୍ଚିବାବେଳକୁ ଢୁ ଢୁ ବର୍ଷା ହେଉଥିଲା । ନିରଞ୍ଜନ ଗୋଟାଏ ବରଗଛର ଡାଳ ହାଣି ଘୋଷାରି ଘୋଷାରି ମେସ୍‌ ଭିତରକୁ ଟାଣିଆଣୁଥିଲା । ମେସ୍‌ ଚାରିପଟ ଫାଙ୍କା ଜାଗାରେ ସେସବୁକୁ ସେ ପୋତୁଥିଲା ସେଦିନ ।

 

ସନ୍ଦୀପକୁ ଦେଖି ନିରଞ୍ଜନ ପଚାରିଥିଲା ମନିକା କଥା । ସନ୍ଦୀପ ଭୁଲ୍‌ ମାଗିବାକୁ ଯାଇଥିଲା । ନିରଞ୍ଜନ କିନ୍ତୁ ସେସବୁ ଶୁଣିବାକୁ ଆଦୌ ପ୍ରସ୍ତୁତ ନ ଥିଲା । କହିଥିଲା, ଏସବୁ ଫାଲ୍‌ତୁ କଥାଠାରୁ ପ୍ରେମ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ସେକ୍ରେଟାରୀ ପାଇଁ ଲଢ଼ିଥିଲି, ଆରଥରକୁ ସଭାପତି ପଦ ପାଇଁ ଲଢ଼ିବି । ସୋ ହ୍ୱାଟ୍‌ ? ହା-ହା ।

 

ସେ ବର୍ଷ ଦୀପାବଳିକୁ ମନିକାକୁ ଶାଢ଼ିଟେ ଉପହାର ଦେବା ପାଇଁ ସନ୍ଦୀପ ନିରଞ୍ଜନଠୁ ଉଧାର ଆଣିଥିଲା ତିନିଶ ଟଙ୍କା । ନିରଞ୍ଜନ ଟଙ୍କା ଯୋଗାଡ଼ ପାଇଁ ଚବିଶ ଘଣ୍ଟାର ମହଲତ ମାଗିଥିଲ । ତା’ପରେ ନିଜେ ଆସି ହଷ୍ଟେଲରେ ସନ୍ଦୀପକୁ ଦେଇଥିଲା ଟଙ୍କା । ସନ୍ଦୀପ ସେହି ଟଙ୍କାରେ ମନିକା ପାଇଁ କିଣିଥିଲା ସମ୍ବଲପୁରୀ ଶାଢ଼ି । ସେ ଟଙ୍କା ସେ ଫେରେଇ ପାରି ନାହିଁ ଆଜି ସୁଦ୍ଧା ।

 

ମନିକାକୁ ଭଲ ଲାଗୁଥିଲା ସମ୍ବଲପୁରୀ ଶାଢ଼ି, ପଥରବସା ମୁଦି, ଚାନ୍ଦିପୁରର ବେଳାଭୂଇଁ; କିନ୍ତୁ ତାକୁ ସନ୍ଦୀପର ଦାରିଦ୍ର୍ୟ, ତା’ର ପ୍ରାଇମେରୀ ସ୍କୁଲ ଶିକ୍ଷକ-ବାପା, ରୋଜଗାରହୀନ ବଡ଼ଭାଇ ଭଲ ଲାଗୁ ନଥିଲେ । ତାକୁ ଭଲ ଲାଗୁ ନଥିଲା ସନ୍ଦୀପର ମଟାଳ ଚିକିଟା ମାଟିର ମଫସଲ ଗାଁ । ସେ ଦାରିଦ୍ର୍ୟକୁ ଘୃଣା କରୁଥିଲା, ଦୟା କରୁଥିଲା ।

 

ଦିନେ ମନିକା ଉଡ଼ା ଚଢ଼େଇ ପରି ଉଡ଼ି ଚାଲିଗଲା କଲିକତା । ତା’ର ଜଜ୍‌ ବାପା ତାକୁ ପଠେଇ ଦେଲେ ଦିଲ୍ଲୀ । ସନ୍ଦୀପ ତା’ପରେ ଅନେକ ଚିଠି ଲେଖିଥିଲା । ମନିକା କିନ୍ତୁ କୌଣସି ଗୋଟାଏ ଚିଠିର ଉତ୍ତର ବି ଫେରେଇ ନଥିଲା ।

 

କାଲି ପୁଣି ଆସିଥିଲା ନିରଞ୍ଜନ ।

 

ସେହି ଠୋ ଠୋ ହସ, ଦୁମ୍‌ ଦୁମ୍‌ ଚାଲି । ‘ହୁ କେୟାର୍ସ’ ଠାଣିରେ ସମସ୍ତଙ୍କୁ ଦୟା ବାଣ୍ଟିଲା ପରି କଥାବାର୍ତ୍ତା ।

 

ପୂର୍ବଦିନ ଅପେକ୍ଷା ଗତକାଲି ସନ୍ଦୀପ ଟିକେ ସହଜ ହୋଇଯାଇଥିଲା । ଦିନେ ଦି ଦିନ ପାଇଁ ନିରଞ୍ଜନ ଆସିଛି । ପଦେ ଭଲକରି କଥାବାର୍ତ୍ତା ହୋଇଗଲେ କ’ଣ ବା କ୍ଷତି ହୋଇଯିବ !

 

କିନ୍ତୁ ନିରଞ୍ଜନ ଏତେ ହସୁଛି କିପରି ? କଲେଜ ପଢ଼ା ବୟସରେ ଯେମିତି ଥିଲା ସେମିତି ଅଛି । ତା’ଠୁଁ ଆହୁରି ଖିଆଲୀ ହୋଇପଡ଼ିଛି । କାଲି ସେ ଏଇଠୁ ମନ୍ତ୍ରୀ ବଟକୃଷ୍ଣ ଜେନାଙ୍କ ସାଙ୍ଗରେ କଥାହେଲା । ସେ ଯେମିତି ରାଜ୍ୟର ମୁଖ୍ୟମନ୍ତ୍ରୀ କି ବିରୋଧୀ ଦଳର ନେତା, ସେହିପରି ଢଙ୍ଗରେ କଥା କହୁଥିଲା । ସେ ଏତେ ଦୁଃସାହସୀ ଓ ଦୁର୍ବିନୀତ ହୋଇପାରୁଛି କିପରି ? କ’ଣ ହୋଇପାରିଥାଏ ନିରଞ୍ଜନ ଖୁସି ରହିବାର ଗୋପନ ରହସ୍ୟ ?

 

ନିରଞ୍ଜନ ଦିନାକେତେ କବିତା ଲେଖୁଥିଲା । ପ୍ରେମ କରୁଥିଲା । କଲେଜ ଇଲେକ୍ସନରେ ଲଢ଼ୁଥିଲା । ରାଜନୀତିରେ ମିଶିବ ବୋଲି ଅଣ୍ଟା ଭିଡ଼ୁଥିଲା । ତା’ପରେ ବାଲେଶ୍ୱର ଛାଡ଼ିବା ପରେ ନିରଞ୍ଜନ ସାଙ୍ଗରେ ଦେଖାସାକ୍ଷାତ୍‌ ଆଉ ହୋଇ ନଥିଲା । ସନ୍ଦୀପ ବାଲେଶ୍ୱରରୁ ଗଲା ଦିଲ୍ଲୀ । ତା’ପରେ ଚାକିରି । ଏହା ଭିତରେ ଆଉ ପୁରୁଣା ସମ୍ପର୍କମାନଙ୍କର ଖବର ସେ ରଖିପାରି ନାହିଁ ।

 

ଅଥଚ ଦିନେ ସନ୍ଦୀପ ଭାବୁଥିଲା, ବାଲେଶ୍ୱର, ମନିକା, ନିରଞ୍ଜନ ଓ ଶାଳନ୍ଦୀ ମେସ୍‌ମାନଙ୍କୁ ଭୁଲିବା କଷ୍ଟ । ଖୁବ୍‌ କଷ୍ଟ ।

 

ମନେ ପଡ଼ିଲା, ନିରଞ୍ଜନ କେମିତି ବନ୍ଧୁ-ଦୁର୍ବଳ ଏବଂ ଦାୟିତ୍ୱ ସଚେତନ ଥିଲା । ଥରେ ତା’ ପାଖକୁ ମିଛରେ ସେମାନେ ପଠେଇ ଦେଇଥିଲେ ଗୋଟେ ଟେଲିଗ୍ରାମ । ସନ୍ଦୀପର ଦେହ ଖରାପ, ଶୀଘ୍ର ଆସ । ନିରଞ୍ଜନ ପ୍ରେମିକାକୁ ଛାଡ଼ି, ଗୋଟେ ଟ୍ରକ୍‌ ଡାଲାରେ ବସି କେଉଁଝରରୁ ବାଲେଶ୍ୱର ପଳେଇ ଆସିଥିଲା ରାତାରାତି । ଖୁବ୍‌ ମଜା ହୋଇଥିଲା ସେଦିନ ।

 

ନିରଞ୍ଜନ ପରି ସାଙ୍ଗମାନଙ୍କ ପାଇଁ ସନ୍ଦୀପର ଅଭିଧାନରେ ସେଦିନ ଗୋଟେ ଶବ୍ଦ ଥିଲା–ଇମୋସନାଲ୍‌ ଫୁଲ୍‌ । ଏଇମାନେ ହିଁ ଜୀବନରେ ବିଫଳ ହୋଇଥାଆନ୍ତି ।

 

ସନ୍ଦୀପର କହିବାକୁ ଖୁବ୍‌ ଇଚ୍ଛା ହେଉଥିଲା, “ଦେଖ ନିରଞ୍ଜନ, ତୁମେ ଯୋଉଠି ଥିଲ, ଆଜି ଷୋଅଳ ବର୍ଷ ପରେ ବି ସେଇଠି ଅଛ । ଖୁସି କ’ଣ, ଆନନ୍ଦ କ’ଣ ତାହା ତୁମେ ଜାଣନାହିଁ । ମୋତେ ଦେଖ ! ମନିକା ନ ହେଲା ନାହିଁ ଦୀପା ଅଛି । ଦୀପା ଖୁବ୍‌ ସୁନ୍ଦରୀ । ସେ ଉପାର୍ଜନକ୍ଷମ । ସେ ଏକାକୀ ଯେତିକି ଉପାର୍ଜନ କରେ ତୁମେ ଓ ତୁମର ମାଷ୍ଟ୍ରାଣୀ ସ୍ତ୍ରୀ ଉଭୟେ ସେତିକି ଉପାର୍ଜନ କରୁ ନଥିବ । ମୋ ସ୍ତ୍ରୀର କଟକ ଭୁବନେଶ୍ୱର ଛାଡ଼ି କୁଆଡ଼େ ଯିବା ଦରକାର ପଡ଼େନି । ତା’ କଲେଜର ପ୍ରିନ୍‌ସପାଲ୍‌ମାନେ ତାକୁ ଦେଖିଲେ ଆଗତୁରା ନମସ୍କାର କରନ୍ତି । ସେ ଭୁବନେଶ୍ୱରରୁ କାରରେ ଯାଏ ଓ କ୍ଲାସ୍‌ ସାରି ସେଇ କାରରେ ଫେରେ । ମୋ ଶ୍ୱଶୁର କଟକ ବିଡ଼ାନାସୀରେ ମୋତେ ଦେଇଛନ୍ତି କଟକୀ ଆଠଗୁଣ୍ଠ ଜମି । ମୁଁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଗୋଟେ ଏଚ୍‌.ଆଇ.ଜି. ଫ୍ଲାଟ୍‌ ଓ ପଳାଶପଲ୍ଲୀରେ ଆଉ ଗୋଟେ ଡ୍ୟୁପ୍ଲେକ୍ସ ଘର କରିଛି । ନିଜେ ରହୁଛି ଫରେଷ୍ଟପାର୍କ ଏଇଟ୍‌ ଆର ସରକାରୀ ବଙ୍ଗଳାରେ । ଆମର ସରକାରୀ ବେସରକାରୀ ଗାଡ଼ି, ଚାକର, ମାଳୀ, ପିଅନ ସମସ୍ତେ ଅଛନ୍ତି । ମୋ ପଳାଶପଲ୍ଲୀ ଘରର ବାଥ୍‌ରୁମରେ ଯେତିକି ଟଙ୍କାର କେବଳ ଟାଇଲ ଓ ଫିଟିଙ୍ଗସ୍‌ ଲାଗିଛି, ସେତିକିରେ ତମ ପରି ମଣିଷଙ୍କର ତିନି ବଖରା ଘର ତିଆରି ହୋଇଯାଉଥିବ । ତା’ ସତ୍ତ୍ୱେ ତମେ ସବୁବେଳେ ହସୁଛ । କାରଣ ତମେ ବୋକା, ବୋକାମାନେ ନିଜକୁ ସୁଖୀ ଭାବିଥାଆନ୍ତି । ସେମାନେ ଉଚ୍ଚତାର ଉଚ୍ଚତ୍ୱ ଓ ଗଭୀରତାର ଗହୀରପଣିଆ ବାବଦରେ ଜାଣନ୍ତି କ’ଣ ?

 

ଅଥଚ ସେ ଏସବୁ କିଛି କହିପାରିଲାନି ନିରଞ୍ଜନକୁ । ନିରଞ୍ଜନ ସବୁବେଳେ ହସୁଥାଏ । ହସି ହସି ଉଡ଼େଇଦିଏ ସବୁ କଥା ।

 

ତିନି ଦିନ ତଳର ସେହି ସ୍ୱପ୍ନଟା ସନ୍ଦୀପର ମୁଡ୍‌ ଏକଦମ୍‌ ଖରାପ କରି ଦେଇଥିଲା । ଏହି ସମୟରେ ସନ୍ଦୀପ ଶିମିଳିପାଳ ବୁଲିଯିବ ବୋଲି ଆଗରୁ ଯୋଜନା କରିଥିଲା । ଅଥଚ ସେଇ ସ୍ୱପ୍ନଟା ସବୁ ବିଗାଡ଼ିଦେଲା ।

 

ସ୍ୱପ୍ନଟା ଥିଲା ଏହିପରି । ଜଙ୍ଗଲ ଭିତର ରାସ୍ତାରେ ସେ ଏବଂ ଦୀପା ସାଙ୍ଗ ହୋଇ ଯାଉଥିଲେ । ହଠାତ୍‌ ଗୋଟେ ବାଘ ସେମାନଙ୍କ ବାଟ ଓଗାଳି ବସିଲା । ପାଖଆଖରେ କେହି ନାହାନ୍ତି । ପଛକୁ ଧାଇଁ ପଳେଇବାର ଚେଷ୍ଟା କଲେ ବାଘ ମାଡ଼ି ବସିବ । ବାଘ ଚାହିଁଲା ଦି’ଜଣଙ୍କ ଭିତରୁ ଜଣକୁ କେବଳ ସେ ମାରି ଖାଇବ । ସନ୍ଦୀପର ବାଘ ମୁହଁରେ ଆହାର ହେବାର ଆଦୌ ଇଚ୍ଛା ନଥିଲେ ବି ଦୀପା ପରି ସୁନ୍ଦରୀ ପତ୍ନୀକୁ ଆଉ ଗୋଟେ ପୁରୁଷ (ହେଉ ପଛେ ବାଘ) ହାତରେ ସମର୍ପଣ କରିଦେବା ପାଇଁ ଚାହୁଁ ନଥିଲା । ତା’ଠାରୁ ଉତ୍ତର ପାଇବାରେ ବିଳମ୍ବ ଦେଖି ବାଘ ବିରକ୍ତ ହୋଇଥିଲା ଓ ସେହି ଏକା ପ୍ରଶ୍ନ ଦୀପାକୁ ପଚାରିଥିଲା । ଦୀପା ଥରୁଟେ ବି ସନ୍ଦୀପ ଆଡ଼େ ନ ଚାହିଁ କହିଥିଲା ଯେ ବାଘ ସନ୍ଦୀପକୁ ନେଇଯାଇପାରେ । ତା’ ପାଟିରୁ କଥା ନ ସରୁଣୁ ବାଘ ସନ୍ଦୀପ ଉପରକୁ ଝାମ୍ପି ପଡ଼ିଥିଲା ।

 

ସ୍ୱପ୍ନଟା ସେଇଠି ଭାଙ୍ଗିଯାଇଥିଲା । ସନ୍ଦୀପ ସେଇ ନିଦରେ ହିଁ ବାଘ କବଳରୁ ରକ୍ଷା ପାଇବା ପାଇଁ ଡେଇଁ ପଡ଼ିଥିଲା । ଦୀପାର ନିଦ ଭାଙ୍ଗିଲା ବେଳକୁ ସନ୍ଦୀପ ଖଟତଳେ ପଡ଼ି ପିଠି ଆଉଁଶୁଥିଲା । ଦୀପା ତା’ ପ୍ରତି ସହାନୁଭୂତି ପ୍ରକାଶ କରିଥିଲେ ମଧ୍ୟ ଦେହ ଏବଂ ହୃଦୟ ଭିତରୁ ନାରୀ କେବଳ ଦେହକୁ ହିଁ ଚାହେଁ ବୋଲି ମନେ ମନେ ସନ୍ଦୀପ ନିଶ୍ଚିତ ହୋଇଯାଇଥିଲା । ମନିକା ଓ ଦୀପା ଉଭୟେ ଏକାପରି ବୋଲି ସନ୍ଦୀପର ଧାରଣା ହୋଇଥିଲା ।

 

ଦୀପା ବରାବର କହିଥିଲା ଯେ ସ୍ୱପ୍ନଟା ସନ୍ଦୀପ ଦେଖିଥିବାରୁ ସ୍ୱପ୍ନବାଘ ସନ୍ଦୀପକୁ କ’ଣ କହିଲା ନ କହିଲା ସେ ବାବଦରେ ତା’ର କିଛି ମୁଣ୍ଡ ଖେଳେଇବାର ନାହିଁ । ହୁଏତ ପ୍ରକୃତ ବାଘ କେବେ ତାକୁ ସେଭଳି ପ୍ରଶ୍ନ ପଚାରିଲେ ସେ ହିଁ ପ୍ରଥମେ ବାଘ ମୁହଁକୁ ଚାଲିଯିବ ଓ ତଦ୍ଦ୍ୱାରା ଏ ଯନ୍ତ୍ରଣାରୁ ସେ ମୁକ୍ତି ପାଇଯିବ ବୋଲି ମଧ୍ୟ ଦୀପା ଚିଡ଼ିଯାଇ କହିଲା । ମାତ୍ର ତା’ ସତ୍ତ୍ୱେ ସନ୍ଦୀପ ଦୀପାକୁ କହିଦେଲା ଯେ ପ୍ରତ୍ୟେକ ନାରୀ ଗୋଟେ ଗୋଟେ ବାଘୁଣୀ ଓ ପ୍ରତି ପୁରୁଷକୁ ପ୍ରତି ରାତିରେ ବାଘ ପରି ଅବିଶ୍ୱସ୍ତ ପ୍ରାଣୀ ପାଖେ ରାତି ବିତେଇବାକୁ ପଡ଼ୁଛି ।

 

କଥା ଅନେକ ଦୂର ଚାଲିଯାଇଥିଲା । ସେ ରାଗି ଘରୁ ପଳେଇ ଆସିଥିଲା ।

 

ଟେବୁଲ୍‌ ଉପରେ ଫୋନ୍‌ ବାଜି ଉଠିଲା ।

 

ସନ୍ଦୀପ ଫୋନ୍‌ ଉଠେଇଲା । ସେପଟୁ ନିରଞ୍ଜନ ଫୋନ୍‌ କରୁଥିଲା । ସନ୍ଦୀପ କହିଲା, “ମୋ ପାଖରେ ?” ଓ ଶେଷରେ ‘ହଉ, ଆସ’ କହି ସେ ଫୋନ୍‌ ରଖିଦେଲା ।

 

ବାଘ ସ୍ୱପ୍ନ କଥା ଭୁଲି ସନ୍ଦୀପ ନିରଞ୍ଜନ କଥା ଭାବିଲା । ନିରଞ୍ଜନର ଉପସ୍ଥିତି ସଙ୍ଗେ ବାଘ ସ୍ୱପ୍ନର କିଛି ସମ୍ପର୍କ ଅଛି କି ବୋଲି ମଧ୍ୟ ଭାବିହେଲା । ଏତେ ବର୍ଷ ପରେ ହଠାତ୍‌ ନିରଞ୍ଜନ ତା’ ପାଖକୁ ଆସିଲା କାହିଁକି ? ସେ ଅନୁଭବ କରୁଥିଲା ଯେ ନିରଞ୍ଜନ ସାଙ୍ଗରେ ଦେଖାହେବା ପରଠାରୁ ସେ ଟିକିଏ ଅସ୍ୱସ୍ତି ବୋଧ କରୁଛି । ଆଜି ସକାଳେ ସେଇଥିପାଇଁ ସେ ଡାକ୍ତର ପଣ୍ଡାଙ୍କ କ୍ଲିନିକ୍‌ ଯିବାକୁ ଚାହିଁଥିଲା । ପୁଣି ମନେ ପଡ଼ିଥିଲା ଯେ ଦୀପା ମଧ୍ୟ ମିସେସ୍‌ ପଣ୍ଡାଙ୍କ ପେସେଣ୍ଟ୍‌ । ଏଠି ଯାହା କିଛି କଥାବାର୍ତ୍ତା ହେଲେ ବି ଦୀପା ସେସବୁ ଜାଣିପାରିବ । ସେ ଗାଡ଼ି ବୁଲେଇ ଫେରି ଆସିଥିଲା ।

 

ଆଜିକାଲି କୌଣସି କଥା ଗୋପନ ହୋଇ ରହୁନାହିଁ ।

 

ନା, ଏଥର ସେ ନିରଞ୍ଜନକୁ ଭଲ କରି ଦି’ପଦ କହିଦେବ । ତା’ର ହସ ବନ୍ଦ କରିଦେବ ସବୁଦିନ ପାଇଁ । ତାକୁ ଦେଖେଇ ଦେବ, ବାବୁ, ସେଇଟା ତମର ଆସନ, ଇଏ ନୁହେଁ । ତାକୁ ଗାଡ଼ିରେ ବସେଇ ତା’ ଚନ୍ଦ୍ରଶେଖରପୁର ଓ ପଳାଶପଲ୍ଲୀ ଘର ଦେଖେଇ ଆଣିବ । ଫରେଷ୍ଟପାର୍କ ସରକାରୀ ଘରର ଡ୍ରଇଂରୁମ୍‌ ସାଜସଜ୍ଜା ସହ ପରିଚିତ କରେଇ ଦେବ । ପୃଥିବୀର ବିଭିନ୍ନ ଦେଶର ସୌଖୀନ ଚିଜମାନଙ୍କରେ ସୁସଜ୍ଜିତ ତା’ର ସେହି ଘରଟି ଛୋଟ ମ୍ୟୁଜିୟମଟିଏ । ନିରଞ୍ଜନ ଦେଖିଲେ ତା’ ଆଖି ଖୋସି ହୋଇଯିବ । ନିରଞ୍ଜନ ହେଜିବ, ସନ୍ଦୀପ କୋଉଠି, ଆଉ ସେ କୋଉଠି !

 

କରିଡରରେ ପୁଣି ଥରେ ସେହି ‘ହା-ହା, ହୋ-ହୋ’ର ଘଡ଼ଘଡ଼ି ଶବ୍ଦ । ନିରଞ୍ଜନ । ସନ୍ଦୀପ ସଳଖି ବସିଲା । ନିରଞ୍ଜନ ମେରୁଦଣ୍ଡରେ ସେ ଆଜି ଦେବ ଶକ୍ତ ପାହାରେ । ତା’ ମୁହଁରୁ ହସ ଉଦ୍ଭାନ୍‌ ହୋଇଯିବ । ପଚାରିବ ସିଧାସଳଖ, କି ଚାକିରି କରିଛୁ ? ତୋ ସ୍ତ୍ରୀ କେତେ ଟଙ୍କା ଉପାର୍ଜନ କରେ ? ତୁ ସାଇକେଲରେ ଅଫିସ୍‌ ଯାଉ ନା ଚାଲି ଚାଲି ? ଭୁବନେଶ୍ୱର ଆସିଲେ ଧର୍ମଶାଳାରେ ରହୁ ନା କୋଉ ଏମ୍‌.ଏଲ୍‌.ଏ. ବାରନ୍ଦାରେ ?

 

ନିରଞ୍ଜନ ମୁହଁରୁ ହସ ଉଡ଼ିଯିବ । ସେତିକିବେଳେ ସନ୍ଦୀପ ହସିବ, ଜୋରରେ ହସିବ । ସେ ହସରେ ସେ ମିଶେଇଥିବ କିଛି ବିଦ୍ରୂପ ଓ କିଛି ସହାନୁଭୂତି ।

 

ଦମକାଏ ଝାଞ୍ଜି ପବନ ପରି ପଶିଆସିଲା ନିରଞ୍ଜନ । ପିନ୍ଧିଛି ଗୋଟେ ଧଳା ବ୍ୟାନିଅନ୍‌ ଓ ନୀଳ ପ୍ୟାଣ୍ଟ୍‌ । କାନ୍ଧରେ ଓହଳିଛି କଳା ଚମଡ଼ା ବ୍ୟାଗଟେ । ଅସମ୍ଭବ ଭାବରେ ସ୍ମାର୍ଟ ଦିଶୁଛି ସେ-। ସନ୍ଦୀପ କ’ଣ ପଚାରିବାକୁ ଯାଉଥିଲା ପଚାରି ପାରିଲା ନାହିଁ । ସେ ତା’ର ଦାମୀ ସଫାରି, ଟାଇଟାନ୍‌ ଓ୍ୱାଚ୍‌, ଦାମୀ ଚଷମା ଓ ବାତାନୁକୂଳ ଦପ୍ତରର ସହଯୋଗ ସତ୍ତ୍ୱେ ନିରଞ୍ଜନ ସାମ୍ନାରେ ନର୍ଭସ୍‌ ହୋଇପଡ଼ୁଥିଲା ।

 

: ହେ-ଲୋ, ସାହେବ ! ଖୁବ୍‌ ଗମ୍ଭୀର ଦିଶୁଛ ଯେ ? ସୀମାନ୍ତ ସୁରକ୍ଷିତ ତ ?

 

: ସୀମାନ୍ତ ? କୋଉ ସୀମାନ୍ତ ?

 

: ଆରେ ତମ ସାହାବାଣୀଙ୍କ କଥା ପଚାରୁଛି । ଏଇଟା କୋଡ୍‌ ଓ୍ୱାର୍ଡ଼ । ଯେମିତି ଭାରତ-ପାକିସ୍ଥାନ ସୀମା ସୁରକ୍ଷିତ ଥିଲେ ଆମ ପ୍ରଧାନମନ୍ତ୍ରୀ ନିଶ୍ଚିନ୍ତ, ସେମିତି ଘରଣୀ ଖୁସି ରହିଲେ ହାକିମ ସ୍ୱାମୀମାନେ ନିଶ୍ଚିନ୍ତ । ବୁଝିପାରିଲ ?

 

: ବାପରେ, କି ସ୍ମାର୍ଟ ଲାଗୁଛି ନିରଞ୍ଜନ ? ତା’ ବ୍ୟାନିଅନ୍‌ଟାର ଦାମ୍‌ କେତେ ? ପ୍ୟାଣ୍ଟ୍‌ଟା ବି ସୁନ୍ଦର ମାନୁଛି ତାକୁ । ଦେହରେ ଏତେ ଟିକେ ଚର୍ବି ନାହିଁ । କାଠ ପରି ନିଦା ଚେହେରା । ସାନ ପିଲାଙ୍କ ପରି ଚଞ୍ଚଳ, ରାଜାରାଜୁଡ଼ାଙ୍କ ପରି ବେଖାତିର କଥାବାର୍ତ୍ତା, କଲେଜ ଟୋକାଙ୍କ ପରି ଠାଣିବାଣୀ ।

 

: ତମ କଥା କିଛି ତ କହିଲ ନାହିଁ ନିରଞ୍ଜନ ?–ସନ୍ଦୀପ ପଚାରିଲା ।

 

ନିରଞ୍ଜନ ସିଧା ଚାହିଁଲା ସନ୍ଦୀପକୁ । ତା’ର ଆଖି ଦିଶୁଥିଲା ଶକ୍ତିଶାଳୀ କ୍ୟାମେରାର ଲେନ୍‌ସ ପରି । ସନ୍ଦୀପ ମୁହଁ ବୁଲେଇନେଲା । ନିରଞ୍ଜନ ତା’ ବ୍ୟାଗ୍‌ରୁ କାଢ଼ି ଖଣ୍ଡିଏ ସିଗ୍ରେଟ୍‌ ଲଗେଇଲା ଓ ସିଧା ବସି କହିଲା, “ଗୋଟିଏ ଘରୋଇ ସଂସ୍ଥାରେ କିରାଣି ଅଛି । ଏବେ ସସପେଣ୍ଡ୍‌ ହୋଇଛି । ବୃତ୍ତିଗତ ଝାମେଲା । ଆମ ୟୁନିଅନ୍‌ର ମୁଁ ସେକ୍ରେଟାରୀ । ଚଉଦ ଜଣ ସସପେଣ୍ଡ୍‌ ହୋଇଥିଲୁ । ମୋତେ ଛାଡ଼ି ଆଉ ସମସ୍ତେ ରିଇନଷ୍ଟେଟ୍‌ ହୋଇ ସାରିଲେଣି । ମୁଁ ବି ହୋଇଯିବି ।”

 

ଚାକିରିରୁ ନିଲମ୍ବିତ ଗୋଟେ କିରାଣି ପୁଣି ଏମିତି ହସିପାରେ ? ଖୁସି ରହିପାରେ ? ପାଗଳ !

 

“ବନଲତା କଥା ତମେ ଜାଣ । ସେଇ... ହଁ, ପଚାଶ ମାଇଲ ଦୂର ଗୋଟେ ସ୍କୁଲର ମାଷ୍ଟ୍ରାଣୀ ଥିଲା । ଏବେ ତମ ସରକାର ତାକୁ ଆଉ ଚାଳିଶ କିଲୋମିଟର ଦୂରକୁ ପଠେଇ ଦେଇଛନ୍ତି । ହା-ହା, ଭଲ । ପାଖରେ ଥିଲେ ଅଯଥା ମୋର ଏ ସସପେନ୍‌ସନ୍‌ ମାମଲାକୁ ନେଇ ବ୍ୟସ୍ତ ହୋଇଥାଆନ୍ତା ।

 

: ଆଉ ପିଲାପିଲି ?

 

: ଗୋଟିଏ ଝିଅ । ସେ ତା’ ମା ପାଖରେ ।

 

: କୁଆଡ଼େ ଆସିଥିଲ ?

 

: ଏଇ ତମକୁ ଭେଟିବାକୁ । ବାପାଙ୍କୁ ବି କଟକରେ ଟିକେ ଡାକ୍ତରଙ୍କୁ ଦେଖେଇବାର ଥିଲା ।

 

: କ’ଣ ହୋଇଥିଲା ?

 

: କିଛି ନାହିଁ । ଦିନେ ଦି’ଦିନ ଭିତରେ ଫେରିଯିବୁ ।

 

: ଆଉ ତମର ପିଲାପିଲି ?–ନିରଞ୍ଜନ ପଚାରିଲା ।

 

: ଗୋଟେ ପୁଅ । ମାଡ୍ରାସରେ ତ୍ରିବେଣୀ ଏକାଡେମୀରେ ପଢ଼ୁଛି । ଝିଅ କନଭେଣ୍ଟରେ, ଏଇଠି ।

 

: ହା-ହା, ବହୁତ ଆଗେଇଛ । ଭଲ, ଭଲ । ମୋର ବି ଗୋଟେ ପୁଅ ହେଇଥିଲା । ସାତ ଆଠଦିନ ରହିଲା, ତା’ପରେ ସିଧା... । ନିରଞ୍ଜନ ଆଙ୍ଗୁଳି ଇସାରାରେ ଉପରକୁ ଦେଖେଇ ଦେଲା ।

 

ସନ୍ଦୀପ ଏଥର ଟିକେ ଖୁସି ହେଲା । ଅଛି, ଦୁଃଖ ଅଛି । ନିରଞ୍ଜନର ଦୁଃଖ ଅଛି । ସେ ତାଠୁଁ କଥା ଆଦାୟ କରିବା ପାଇଁ କହିଲା, “ବସ, ବସ, ଚା’ ମଗଉଛି ।”

 

ନିରଞ୍ଜନ ବସିଲା । “ମଗାଅ, ଚା’ଟା ତ ଜାତୀୟ ପାନୀୟ । ତା’ର ଅମର୍ଯ୍ୟାଦା କରିବା ଉଚିତ ନୁହେଁ ।”

 

ସନ୍ଦୀପ ଚାହୁଁଥିଲା ନିରଞ୍ଜନର ଦୁଃଖସବୁକୁ ସେ ଜାଣନ୍ତା । ଖୋଳିତାଡ଼ି ଟିକିନିଖି କରି ସେଗୁଡ଼ିକର ବ୍ୟବଚ୍ଛେଦ କରନ୍ତା । ପଚାରନ୍ତା, ଏତେସବୁ ଜଞ୍ଜାଳ ସତ୍ତ୍ୱେ ସେ କେମିତି ଦାୟିତ୍ୱହୀନ ପରି ହସିପାରୁଛି । ସେ ତାକୁ କହନ୍ତା, “ଦେଖ ନିରଞ୍ଜନ, ତୁମର କିଛି ବୋଲି କିଛି ନାହିଁ । ତମ ସ୍ତ୍ରୀ ସବୁଦିନେ ଦାରିଦ୍ର୍ୟ ଭିତରେ ଶଢ଼ୁଥିବ ତମଠୁଁ ଦୂରରେ ରହି । ସ୍ୱାମୀସୁଖକୁ ଝୁରି ଝୁରି ବୁଢ଼ୀ ହେଉଥିବ ଦିନକୁ ଦିନ । ଅଥଚ ତମେ ହସୁଛ । ମୁଁ ମୋର ନାମୀ ଚାକିରି, ଦାମୀ ସର୍କଲ୍‌, ବିଳାସ ଓ ପ୍ରାଚୁର୍ଯ୍ୟ, ଗୁରୁତ୍ୱପୂର୍ଣ୍ଣ କଣ୍ଟାକ୍ରୁସ ସତ୍ତ୍ୱେ ଖୁସି ହେଉନାହିଁ । କାରଣ ମୁଁ ତୁମ ପରି ବୋକା କିମ୍ବା ପାଗଳ ନୁହେଁ ।

 

ପଚାରିଲା, “କୁହ, ମୋ ପାଖେ କ’ଣ କାମ ଥିଲା ?”

 

ନିରଞ୍ଜନ କହିଲା, “ଆଜି ଆମ ଜିଲ୍ଲା ବିଧାୟକମାନଙ୍କର ବୈଠକ ଥିଲା । ମନ୍ତ୍ରୀଙ୍କ ସାଙ୍ଗେ ଦେଖାହେଲା । ତମକୁ କଲେକ୍ଟର କରିନେବାରେ ତାଙ୍କର ଘୋର ଆପତ୍ତି । ତମ କଥା ପଡ଼ିବାରୁ ମୁଁ ଟିକେ ଆଗ୍ରହୀ ହେଲି । କହିଲି, ମୁଁ ସନ୍ଦୀପ ମହାପାତ୍ରଙ୍କୁ ଜାଣେ । ସେ ଖୁବ୍‌ ସଚ୍ଚୋଟ ଅଫିସର । ସେଭଳି ଦକ୍ଷ ଅଫିସର ଓଡ଼ିଶାରେ ଖୁବ୍‌ କମ୍‌ ଥିବେ । ମନ୍ତ୍ରୀ କ’ଣ ନିଷ୍ପତ୍ତି ନେବେ ନ ନେବେ ଅଲଗା କଥା । ତେବେ ଏଥର ଜଣେ ଭଲ କଲେକ୍ଟରଙ୍କୁ ପୋଷ୍ଟିଂ ନ କଲେ ଆମ ସେଠି ଜନଆନ୍ଦୋଳନ ହେବ, ନିଆଁ ଜଳିବ ।

 

: ନିଆଁ ? ନିଆଁ କାହିଁକି ?

 

: ଦଳେ ବତିପେଲା ରାଜନୀତିଆ ଓ ଅସାଧୁ ଅଫିସର୍‌ ମିଶି ହରିଜନ ଆଦିବାସୀ ଉନ୍ନତି ନାଁରେ ହରିଲୁଟ୍‌ କରି ଚାଲିଛନ୍ତି । ଜିଲ୍ଲାଟା ଏବେ ବିହାରୀ ଠିକାଦାର ଓ ଭଣ୍ଡ ଧର୍ମଗୁରୁମାନଙ୍କ ଆଡ୍‍ଡା ହୋଇଗଲାଣି । ଉନ୍ନତି ନାଁରେ ସଭାଟେ କରି ଆଦିବାସୀମାନେ ସରଳ ଓ ଶାନ୍ତିପ୍ରିୟ କହିଦେଲେ ସରକାରଙ୍କ କାମ ସରିଯାଉଛି । ତମେ ଥରେ ସେଠିକି ଯାଅ, ଦେଖିବ ସେମାନେ କି ଦୁର୍ଦ୍ଦଶାରେ ଅଛନ୍ତି ! ସହରର ଏଇ ସ୍ୱଚ୍ଛନ୍ଦ ଜୀବନଟା ପ୍ରକୃତରେ ଠିକ୍‌ ନା ସେମାନେ ଯେମିତି ଗଛ ଓ ପଥରକୁ ନେଇ ବଞ୍ଚି ଆସିଛନ୍ତି ସେଇଟା ଠିକ୍‌, ସେ ନେଇ ଏବେ ତାଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି । କାଠର ପ୍ରାସାଦ ତୋଳିବେ ସହରୀ ମଣିଷ, କାଠ ଚୋରି ଅପରାଧରେ ବନ୍ଧାଯିବେ ଆଦିବାସୀ । ଦେଶୀମଦ କାରବାର ମୁନାଫାରେ ତମେ ଚଳେଇବ ରାଜନୀତି ଆଉ ମରିବେ ସେଇମାନେ, ବନ୍ଧାହେବେ ସେମାନଙ୍କ ମରଦ ମାଇପେ । ତମରି ରାଜନୀତି ଗୁରୁମାନେ ସେଠି ହରିଜନ-ଆଦିବାସୀ ଭିତରେ ମହାଭାରତ ଯୁଦ୍ଧ ଲଗେଇ ଏଠି ନିଜ ନିଜର ଲାଭ ତଉଲୁଛନ୍ତି । ଶଳେ, ସବୁ ହିପୋକ୍ରାଟ୍‌ସ୍‌, ଭଣ୍ଡ !

 

ନିରଞ୍ଜନ ଭିତରେ ତଥାପି ନିଆଁ ଜଳୁଛି । ଏଫ୍‌.ଏମ୍‌. କଲେଜ ଛାତ୍ରସଂସଦ ନିର୍ବାଚନରେ ଭାଷଣ ଦେଲାବେଳେ ଯେମିତି ଭାଷଣ ଦେଉଥିଲା ଆଜି ବି ସେମିତି ଦେଇପାରୁଛି । ସନ୍ଦୀପକୁ ଆଶ୍ଚର୍ଯ୍ୟ ଲାଗୁଥିଲା, ସେ ନିରଞ୍ଜନର ଭାଷଣରେ ପ୍ରଭାବିତ ହୋଇପଡ଼ୁଛି କାହିଁକି ? କଣଟା ବା ସେ ନୂଆକଥା କହୁଛି ? ସନ୍ଦୀପ ପଚାରିଲା: କ’ଣ କାମ ଥିଲା ପରା ?

 

ନିରଞ୍ଜନ କହିଲା: ଏଇ କଥାଟା ତମକୁ ଜଣାଇଦେବାକୁ ଇଚ୍ଛା ହେଲା । ଯଦି ତମେ ଆମ ଜିଲ୍ଲାର କଲେକ୍ଟର ହୋଇ ଆସନ୍ତ, ତାହାହେଲେ ଖୁବ୍‌ ଭଲ ହୁଅନ୍ତା । ତମ ଉପରେ ମୋର ଖୁବ୍‌ ବିଶ୍ୱାସ ଅଛି । ତମେ ଚାହିଁଲେ ଅନେକ କିଛି କରିପାରିବ ।

 

ସେ ତା’ପରେ ଆଉ ଖଣ୍ଡେ ସିଗ୍ରେଟ୍‌ ଲଗେଇଲା ଓ ଉଠିପଡ଼ିଲା । ଓଠରେ ସିଗ୍ରେଟ୍‌ଟା ଚାପିରଖି ସନ୍ଦୀପର ଡାହାଣ ହାତକୁ ତା’ର ଦୁଇ ହାତ ମୁଠାରେ ଜାବୋଡ଼ି ଧରିଲା । କେତେ ଟାଆଁସା ପୁଣି କେତେ ଉଷୁମ ନିରଞ୍ଜନର ହାତ ! ସନ୍ଦୀପର ଶୀତଳ ହାତ ଝାଳେଇ ଯାଉଥିଲା ।

 

: ବାଏ....

 

ନିରଞ୍ଜନ ସେହିପରି ହୋ-ହୋ ହସ ହସି, ଚଟି ଘୋଷାରି କବାଟ ଖୋଲି ରୁମ୍‌ରୁ ବାହାରିଗଲା । ତା’ର ପାଦଶବ୍ଦ ଅନେକ ସମୟ ଯାଏ ଶୁଭୁଥିଲା ସଚିବାଳୟର କରିଡରରେ ।

 

ସନ୍ଦୀପ ବସି ରହିଥିଲା । ତା’ ଶ୍ୱଶୁର ତା’ର କଲେକ୍ଟର ପୋଷ୍ଟିଂ ପାଇଁ ବହୁତ ଚେଷ୍ଟା କରିଛନ୍ତି । ସେ ହୁଏତ ନିରଞ୍ଜନର ଜିଲ୍ଲାକୁ କଲେକ୍ଟର ହୋଇ ଯାଇପାରେ । କିନ୍ତୁ ନିରଞ୍ଜନ ଯେଉଁ କହିଗଲା ଯେ, ତା’ର ‘ସାଧୁତା’ ପାଇଁ ସେ କଲେକ୍ଟର ହେବା ଉଚିତ, ସେଇଟା କ’ଣ ସମ୍ପୂର୍ଣ୍ଣ ଠିକ୍‌ ?

 

ଫୋନ୍‌ ବାଜି ଉଠିଲା । ନିରଞ୍ଜନର ହୋଇଥିବ କି ? ସେ ଖାଲି କହିଦିଅନ୍ତା, “ତମେ ମୋ ଉପରେ ବହୁତ ଭରସା ରଖୁଛ । କାରଣ ଏତେ ଭରସା କାହା ଉପରେ ରଖିବା କେବଳ ତମମାନଙ୍କ ପରି ଲୋକଙ୍କ ପକ୍ଷେ ସମ୍ଭବ । ତମକୁ ଯାହା ପଚାରିବାର ଥିଲା ମୁଁ ସେ କଥା ସିଧାସଳଖ ପଚାରି ପାରିଲି ନାହିଁ । ଯାହାସବୁ ପଚାରିଲି ସେସବୁ ହୁଏତ ପଚାରିବାକୁ ମୁଁ ଚାହୁଁ ନଥିଲି । ତମେ ଆଉଥରେ ଆସ ନିରଞ୍ଜନ ।”

 

ଫୋନ୍‌ଟା ବାଜିଉଠିଲା । କଟକରୁ କେହି ଜଣେ ଫୋନ୍‌ କରି ପଚାରୁଥିଲେ–

 

: ଆଜ୍ଞା ଏଇଟା ଫୋର୍‌ ଜିରୋ ଏଇଟ୍‌ ଏଇଟ୍‌ ଥ୍ରୀ ସିକ୍ସ ?

 

: ହଁ ।–ସନ୍ଦୀପ କହିଲା ।

 

: ଆଜ୍ଞା, ନାୟକ ବାବୁ ଅଛନ୍ତି କି ?

 

ସନ୍ଦୀପ ଚିଡ଼ିଗଲା । “କୋଉ ନାୟକ ବାବୁ ? ଏଠି ନାୟକ ବାବୁ ଫାୟକ ବାବୁ କେହି ନାହାନ୍ତି ।” ସେ ଫୋନ୍‌ଟା ରଖିଦେବାକୁ ଯାଉଥିଲା ଆରପଟୁ ଲୋକଟି ପଚାରିଲା, “ଆଜ୍ଞା ନିରଞ୍ଜନ ନାୟକ । ସେ କହିଥିଲେ ଯଦି କିଛି ଦରକାର ପଡ଼େ, ଏଇ ଫୋନ୍‌କୁ ଖବର ଦେଇ ଜଣେଇଲେ ସେ ଖବର ପାଇଯିବେ ।”

 

: ନିରଞ୍ଜନ–ଓହୋ କୁହନ୍ତୁ । କ’ଣ ହେଲା ?

 

: ସେ ସେଠି ଅଛନ୍ତି ?

 

: ନାଇଁ, ଏବେ ଏବେ ଚାଲିଗଲେ ।

 

: ଆଜ୍ଞା ତାଙ୍କ ବାପା ଏଇ ତିନିଟା ପଇଁଚାଳିଶରେ ଚାଲିଗଲେ । ମୁଁ ମେଡ଼ିକାଲ ଭିତରୁ ଗୋଟେ ଔଷଧ ଦୋକାନରୁ କହୁଛି । ଦେଖାହେଲେ କହିବେ, କରୁଣି ଫୋନ୍‌ କରିଥିଲା ।

𗰵𗰵𗰵

 

ଦୂର ଆକାଶର ପକ୍ଷୀ

 

ବାବୁଠୁଁ କିଛି ଚିଠି ଆସିନାହିଁ ? ଆଉ ଥରେ ସେଇ ପୁରୁଣା ପ୍ରଶ୍ନଟି ପଚାରି, ଉତ୍ତରକୁ ଅପେକ୍ଷା ନ କରି ଶୋଇବା ପାଇଁ ଚେଷ୍ଟା କଲେ ରୁଦ୍ରମାଧବ । ଦୁଃଖରେ, ଅଭିମାନରେ ଓ ଅପମାନରେ ତାଙ୍କ ଦୁଇ ଆଖିପତା ଚିପୁଡ଼ି ହୋଇଯାଉଥିଲା । ଲୁହ ଦି’ଧାର କୋଉକାଳୁ ବୋହି ଶୁଖିଗଲାଣି । କଡ଼ ଲେଉଟାଇବାକୁ ଚେଷ୍ଟା କରୁଥିଲେ ସେ । ହଠାତ୍‌ ବେକ ହାଡ଼ ବିନ୍ଧିଉଠିଲା । ସେ ଯନ୍ତ୍ରଣାରେ ଚିତ୍କାର କରିଉଠିଲେ ।

 

ସେହି ଚିତ୍କାର ଶୁଣି ରୋଷେଇଘରୁ ଅନ୍ନପୂର୍ଣ୍ଣା ଧାଇଁ ଆସିଲେ । ରୁଦ୍ରମାଧବଙ୍କ ଅଣ୍ଟାତଳ ତକିଆଟି ଘୁଞ୍ଚେଇ ଆରପଟକୁ କଡ଼ ଲେଉଟେଇ ଦେଲେ । ଶାଢ଼ି କାନିରେ ରୁଦ୍ରମାଧବଙ୍କ ଦୁଇ ଆଖିକୋଣରୁ ଲେଞ୍ଜରା ଓ ଲୁହଦାଗ ପୋଛିଦେଲେ । ମୁଣ୍ଡପଟ ତକିଆଟି ସଜାଡ଼ି ଦେଉ ଦେଉ କହିଲେ, “ହରି ମଳିକ କତରାଲଗା ହେଇଗଲାଣି । ଆଉ ବୋଧେ ବଞ୍ଚିବ ନାହିଁ ।”

 

ରୁଦ୍ରମାଧବ ଡାହାଣ ହାତଟି ଉପରକୁ ଉଠେଇବାର ଚେଷ୍ଟା କରୁ କରୁ କହିଲେ, “ସବୁ କପାଳ ।”

 

ଅନ୍ନପୂର୍ଣ୍ଣା ରୁଦ୍ରମାଧବଙ୍କ ସାନ ଭଉଣୀ । ବାର ବର୍ଷ ବୟସରେ ସେ ବାହା ହୋଇଥିଲେ ଓ ବାଇଶ ବର୍ଷରେ ତାଙ୍କ ସ୍ୱାମୀ ମରିଯାଇଥିଲେ । ସେହିଦିନଠୁଁ ସେ ଆସି ବାପଘରେ ଅଛନ୍ତି । ଶାଶୂଘରେ ଯେଉଁ ଦଶବର୍ଷ ବିତେଇଥିଲେ ସେ ବିଷୟରେ ପଚାରିଲେ ଏବେ ବେଶି କିଛି ମନେପଡ଼େ ନାହିଁ ।

 

ରୁଦ୍ରମାଧବଙ୍କ ବାମ ପକ୍ଷ ଛଅ ମାସ ହେଲା ଅଚଳ । ଏହି ଖଟଟି ଏବେ ତାଙ୍କର ପୃଥିବୀ । ଡାହାଣ ପକ୍ଷରେ ଯାହା କିଛି ଚଳପ୍ରଚଳ ହେଉଛନ୍ତି ।

 

: ଟିକେ ଉଷୁମ କ୍ଷୀର ଆଣିଦେବି ଭାଇ ! ସକାଳୁ କିଛି ଖାଇନ ।

 

ରୁଦ୍ରମାଧବ ଚିଡ଼ିଉଠିଲେ । ସବୁବେଳେ ଖାଲି ଖାଇବା, ପିଇବା ଚିନ୍ତା । ସାନପିଲାଙ୍କ ପରି ଜୋରରେ ମୁଣ୍ଡ ହଲେଇ କହିଲେ, ‘ନା’ ।

 

ଅନ୍ନପୂର୍ଣ୍ଣା କିଛି କହିଲେ ନାହିଁ । ଖଟ ଧାରକୁ ଲାଗି ପଡ଼ିଥିବା ଟୁଲ୍‌ ଉପରେ ବସିପଡ଼ିଲେ ।

 

ରୁଦ୍ରମାଧବ ପୁଣି କଡ଼ ଲେଉଟେଇବାକୁ ବ୍ୟସ୍ତ ହୋଇପଡ଼ିଲେ । ଅନ୍ନପୂର୍ଣ୍ଣା ଆଡ଼କୁ ବେକଭାଙ୍ଗି ପଚାରିଲେ, “ପୁଅ ଆସିନାହିଁ ଅନୁ ? ଚିଠି କି ତା’ର ଆସିନାହିଁ ?”

 

ଅନ୍ନପୂର୍ଣ୍ଣାଙ୍କ ଆଖିରେ ଲୁହ ଜକେଇ ଉଠିଲା । କେତେଥର ସେ ସେହି ଗୋଟିଏ ଉତ୍ତର ଦେଉଥିବେ ? ରୁଦ୍ରମାଧବଙ୍କ ପିଠି ଆଉଁଶି ଦେଉ ଦେଉ କହିଲେ, “କାଲି ସଞ୍ଜବେଳେ ଫୋନ୍‌ କରିଥିଲା । ଛୁଟି ମିଳିଗଲେ ସେ ଆସିବ ।”

 

–“ବାବୁ ଫୋନ୍‌ କରିଥିଲା ?’’ ରୁଦ୍ରମାଧବଙ୍କ କଣ୍ଠରେ ବ୍ୟସ୍ତତା ଫୁଟି ଉଠିଲା ।

 

–“ହଁ ।”

 

–“କେତେବେଳେ ?”

 

–“କାଲି ଡାକଘରୁ ଫେରି ପରା ତମକୁ କହିଥିଲି । ତମର କିଛି ମନେ ରହୁନାହିଁ । ରଘୁ ଆସି ଖବର ଦେଲା । ମୁଁ ତମକୁ କହିକି ପରା ଗଲି ।”

 

ରୁଦ୍ରମାଧବ ମୁହଁ ଗୁଞ୍ଜିଦେଲେ ତକିଆ ଦେହରେ । ଅନୁ ଠିକ୍‌ କହୁଛି । ତାଙ୍କର ବିସ୍ମରଣ ଆରମ୍ଭ ହୋଇଗଲାଣି । କିଛି କଥା ମନେ ରହୁନାହିଁ । କିନ୍ତୁ ବାବୁ ଆସୁନାହିଁ କାହିଁକି ? ଫୋନରେ କ’ଣ କାହା ଦେହପା ଖବର ବୁଝିହୁଏ ! ଟେଲିଫୋନରେ କ’ଣ ଦେଖିହୁଏ ବାପର ମୁହଁ ?

 

–“ଏଥର ବାବୁ ଫୋନ୍‌ କଲେ, ମୋତେ ଡାକି ନେଇଯିବୁ ଅନୁ । ମୁଁ ତା’ ସାଙ୍ଗେ କଥା ହେବି । କ’ଣ ତା’ର ମନ, ମୁଁ ସେଇଠି ତାକୁ ପଚାରି ବୁଝିବି ।”

 

ଅନ୍ନପୂର୍ଣ୍ଣା ଥରେ ଚଳତ୍‌ଶକ୍ତିହୀନ ଭାଇଙ୍କୁ ଚାହିଁଲେ ଓ ଆଉ ଥରେ ଗାଁ ରାସ୍ତାକୁ । ରୁଦ୍ରମାଧବଙ୍କ ଯେଉଁ ଅବସ୍ଥା, ରଘୁଆ ନଥିଲେ ଖଟରୁ ଓହ୍ଲେଇ ତାଙ୍କ ନିତ୍ୟକର୍ମ ସାରିବା ବି କାଠିକର ପାଠ ହୋଇଯାଆନ୍ତା । ଏ ଅବସ୍ଥାରେ ସେ ଡାକଘରଯାଏ ଯିବେ ବୋଲି କହୁଛନ୍ତି କେମିତି ? ପୁଣି ବାବୁ କେତେବେଳେ ଫୋନ୍‌ କରିବ ସିଏ ନିଜେ ଜାଣନ୍ତି ନାହିଁ । ଫୋନରେ କ’ଣ ସେ ଏତେ ସମୟ ଅପେକ୍ଷା କରିବ ? ବାପ ପରି ଭାରି ଚିଡ଼ିଚିଡ଼ା ସେ ଟୋକା ଖଣ୍ଡକ ।

 

ରୁଦ୍ରମାଧବ ଆଖିବୁଜି ଶୋଇଥିଲେ । କେତେ ବର୍ଷ ହେଲାଣି ସେ ବାବୁକୁ ଟିକେ ଭଲକରି ଆଉଁଶି ଦେଇନାହାନ୍ତି । ତାକୁ ଗେଲ କରିନାହାନ୍ତି । ତା’ ମୁଣ୍ଡବାଳ ସଜାଡ଼ି ଦେଇନାହାନ୍ତି-। ଭାରି ସୁକୁମାର ତାଙ୍କ ବାବୁ । ଟିକିଏ ଥଣ୍ଡା କି ଗରମ ଊଣା ବେଶି ହେଲେ ତା’ର ଦେହ ଖରାପ ହୋଇଯାଏ । ମା’ ଥିବା ଯାଏ ସିନା ଗୋଡ଼େ ଗୋଡ଼େ ତାକୁ ଜଗୁଥିଲା । ମା’ ଗଲାପରଠୁ ସେ ତା’ ପାଇଁ କିଛି କରିପାରିନାହାନ୍ତି । ପୁଣି ବାବୁର ବି ସେ କ’ଣ କରିପାରିଥାଆନ୍ତେ-! ପୁରୁଷ ପିଲା । ଚାକିରି କଲା, ବାହାରକୁ ଗଲା । ସବୁବେଳେ ସିଏ ତ ଆଉ ଘରକୋଣରେ ତାଙ୍କ ପାଖେ ପାଖେ ରହି ନଥାନ୍ତା ।

 

: ଅନୁ ! ଅନୁ ! ଶୋଇପଡ଼ିଲୁଣି କି ? –ରୁଦ୍ରମାଧବ ପାଟିକରି ଉଠିଲେ ।

 

ଅନ୍ନପୂର୍ଣ୍ଣା ବସି ବସି ଭାଇର ଅବସ୍ଥା ଦେଖୁଥିଲେ । ଆଖିରେ ଆଉ କୋଉ ନିଦ ଅଛି ଯେ ସେ ଦିନବେଳାଟାରେ ଶୋଇପଡ଼ିବେ !

 

–“କ’ଣ ହେଲା ?”

 

–“ବାବୁର ସେ ଚିଠିଟା ଟିକେ ଆଣିଲୁ ।”

 

ଅନ୍ନପୂର୍ଣ୍ଣା ଚିଠିଟା ଆଣିବା ପାଇଁ ଉଠିଗଲେ । ଭାଇ ବିଛଣାରେ ପଡ଼ିବା ଦିନଠାରୁ ଚିଡ଼ିଚିଡ଼ା ହୋଇଯାଉଛନ୍ତି । ନୂଆବୋଉ ଯିବା ପରେ ଭାଙ୍ଗିପଡ଼ିଥିଲେ । ବାବୁର ଯା-ଆସ ବନ୍ଦ ହେଲା ପରଠୁ ତାଙ୍କ ଅବସ୍ଥା ଏମିତି ହୋଇପଡ଼ିଛି । ଏକଲା ବୁଢ଼ୀ ମଣିଷ ସେ କ’ଣ କରିବେ ! ଘର ସମ୍ଭାଳିବେ ନା ଭାଇଙ୍କ କଥା ବୁଝିବେ ?

 

ଅନ୍ନପୂର୍ଣ୍ଣାଙ୍କର ପିଲାପିଲି ନାହାନ୍ତି । ଦଶ ବର୍ଷର ଶାଶୂଘର ଜୀବନ, ବାଷଠି ବର୍ଷ ଆୟୁଷ ଭିତରେ ଆଞ୍ଜୁଳାଏ ସ୍ମୃତି ପରି । ବିଧବା ହେବା ପରେ ବାପଘର ଚାଲିଆସିଥିଲେ ଭାଇ ପାଖକୁ । ପଛକୁ ଆସିଲେ ଭାଉଜ । ମା’ଠୁଁ ବଳି ସ୍ନେହୀ ମଣିଷ । ଅନ୍ନପୂର୍ଣ୍ଣାଙ୍କ ଫୁଙ୍ଗୁଳା ହାତ ଓ ଶୂନ୍ୟ କପାଳ ଦେଖି ସେ କାନ୍ଦିପକେଇଥିଲେ ।

 

ବାବୁର ପୋଷ୍ଟ୍‌କାର୍ଡ଼ଟା ଖୋଜିବାରେ ବେଶି ସମୟ ଲାଗିଲା ନାହିଁ । ବରାବର ଭାଇ ଏ ଚିଠିଟାକୁ ଖୋଜି ହୁଅନ୍ତି ବୋଲି ସେ ତାକୁ ଗୋଟିଏ ଜାଗାରେ ସାଇତି ରଖିଛନ୍ତି । ଅନ୍ନପୂର୍ଣ୍ଣା କାନିରେ ଧୂଳି ଝାଡ଼ି ପୋଷ୍ଟ୍‌କାର୍ଡ଼ଟା ନେଇ ଭାଇଙ୍କ ହାତରେ ଧରେଇଦେଲେ ।

 

ଚିଠିଖଣ୍ଡିକୁ ଧରି ରୁଦ୍ରମାଧବ କେତେ କ’ଣ ଭାବିଗଲେ । ଚିଠି ନୁହେଁ, ପୁଅ ଯେମିତି ବସିଛି ତାଙ୍କ କୋଳରେ । ସେ ସେହି ଚିଠିଟାକୁ ତାଙ୍କ ଛାତି ଉପରେ ରଖିଦେଲେ । ହଠାତ୍‌ ବାବୁ ସାନ ପିଲାଟେ ହୋଇ ତାଙ୍କ ପେଟ ଓ ଛାତି ଉପରେ କୁଦିହେଲା ପରି ତାଙ୍କୁ ଲାଗିଲା । ସେ ବାବୁକୁ ପଚାରିଲେ, “ତୁ ବଡ଼ ହେଲେ କ’ଣ ହେବୁ ?”

 

–ଡାକ୍ତର ହେବି ।

 

–ଡାକ୍ତର କାହିଁକି ହେବ ଆମ ବାବୁ ?

 

–ଡାକ୍ତର ହୋଇ ଲୋକଙ୍କ ସେବା କରିବି ।

 

ରୁଦ୍ରମାଧବଙ୍କ ଛାତି କୁଣ୍ଢେମୋଟ ହୋଇଯାଏ । ସେଇଠୁ ଥାଇ ସେ ଡାକ ପକାନ୍ତି “ଶୁଣୁଛ କି ହେ, ମୋ ପୁଅ କଥା ଶୁଣୁଛ ? ସେ ବଡ଼ ହେଲେ ଡାକ୍ତର ହେବ, ଗରିବ ଲୋକଙ୍କ ସେବା କରିବ ।”

 

ରୋଷେଇ କି ପାନଭଙ୍ଗା ଛାଡ଼ି ସୁରମା ଉଠିଆସନ୍ତି । ବାପପୁଅଙ୍କ ସୁଆଙ୍ଗ ଦେଖି ଲାଜେଇ ଯାଆନ୍ତି । ଭିତରେ ଭିତରେ ଫୁଲିଉଠନ୍ତି । ଉପରକୁ କହନ୍ତି, “ଦି’ ବର୍ଷର ଦୁଧଖିଆ ଛୁଆଟାର କଥା ଉପରେ ବାପର କି ଭରସା ! ଠାକୁରେ ତାକୁ ବଞ୍ଚିଲୋଡ଼ି ରଖିଥାଆନ୍ତୁ । ମଲାବେଳେ ପାଣିଟୋପେ ଦେବ । ସେଇ ଢେର୍‌ ।”

 

ରୁଦ୍ରମାଧବ ପୁଣି ନିଜର ଜରା ଓ ବ୍ୟାଧିର ଖଟ ପାଖକୁ ଫେରିଆସିଲେ । ସୁରମା ମଲାବେଳର ଦୃଶ୍ୟ ତାଙ୍କର ମନେପଡ଼ିଲା । ବିଚାରୀ କେତେ ଆଶା କରିଥିଲା, ଶେଷବେଳକୁ ପୁଅବୋହୂଙ୍କୁ ଟିକେ ଦେଖିବ । ‘ମୋ ପୁଅ ମୋ ବୋହୂ’ କହି କେତେ ଅଣ୍ଡାଳି ହେଇଥିଲା ରାତି ଅନ୍ଧାରରେ । ସ୍ୱପ୍ନ ଦେଖିଲା ପରି ଉଠିପଡ଼ୁଥିଲା । ସାରାରାତି ରୁଦ୍ରମାଧବ ଚେଇଁ ତା’ ପାଖରେ ବସି ରହିଥିଲେ । ସୁରମାର ମୁହଁ ଶୁଖି ଘଷିଫଡ଼େ ପରି ଦିଶୁଥିଲା । ଆଖି ଦିଇଟା କାହିଁ କେତେ ଭିତରକୁ ପଶିଯାଇଥିଲା । ବାବୁ ଆସିଲା ନାହିଁ ।

 

ସୁରମା ରୁଦ୍ରମାଧବଙ୍କ ହାତଧରି ନେହୁରା ହୋଇଥିଲେ, “ମୋ ରାଣ । ପୁଅ ଉପରେ ରାଗିବ ନାହିଁ । ତମକୁ ମୋର ଭାରି ଡର, ଭାରି ଚିଡ଼ିଚିଡ଼ା ତମେ । ପିଲାଲୋକ ସେ, ଦୁନିଆ ହାଲ୍‌ କ’ଣ ଜାଣିଛି ?”

 

ରୁଦ୍ରମାଧବଙ୍କ ଆଖିରୁ ଟପ୍‌ ଟପ୍‌ ହୋଇ ଦି’ଟୋପା ତତଲା ଲୁହ ଝରିପଡ଼ିଥିଲା । ସୁରମା ସ୍ୱାମୀଙ୍କ ଆଖିଲୁହ ପୋଛିଦେବେ ବୋଲି ଲୁଗାକାନି ଉଠେଇଥିଲେ । ଅଧବାଟରୁ ହାତ ଥମ୍‌କରି ତଳେ ଖସି ପଡ଼ିଥିଲା । ଆଉ ସେ ହାତ ଉଠି ନଥିଲା ।

 

ଡାକ୍ତର କହିଥିଲେ, ଖୁବ୍‌ ଭାବପ୍ରବଣ ହୋଇପଡ଼ିଥିଲେ ବୁଢ଼ୀ । ସେଭଳି ଆଘାତ ସହିବା ଖୁବ୍‌ କଷ୍ଟ । ଯଦି ସାଙ୍ଗେ ସାଙ୍ଗେ ଚାଲିଯାଇ ନଥାନ୍ତେ ତାହାହେଲେ କିଏ କହିବ, ଅବଶିଷ୍ଟ ଜୀବନ ସେ ପକ୍ଷାଘାତ ରୋଗୀ ହୋଇ ଜିଇ ରହିଥାନ୍ତେ ।

 

ସେହିଦିନ ରୁଦ୍ରମାଧବଙ୍କ ହୃତ୍‌ପିଣ୍ଡ ଉପରେ ହୋଇଥିଲା ପ୍ରଥମ ଶକ୍ତ ଆଘାତ ।

 

ପୋଷ୍ଟ୍‌କାର୍ଡ଼ଟିକୁ ଆଉ ଥରେ ସାଉଁଳେଇ ଆଣିଲେ ରୁଦ୍ରମାଧବ । ହାତରେ ସେଇଟିକୁ ଧରି ଆଖି ବନ୍ଦ କଲେ ।

 

ପୁଣି ସେଇ ସ୍ୱପ୍ନ । ଆଗେ ଆଗେ ବାବୁ ଚାଲିଛି । ଟିକିଏ ପଛରେ ରୁଦ୍ରମାଧବ । ସୁରମା ଅନେଇଛନ୍ତି ଦାଣ୍ଡବନ୍ଧ ପାଖରୁ । ବାବୁ ଖୁବ୍‌ ଦୁଷ୍ଟ । ତାକୁ ଏକଲା ଛାଡ଼ି ଘଡ଼ିଏ ପାଇଁ ବି ସାହିପଡ଼ିଶାକୁ ଯାଇପାରନ୍ତି ନାହିଁ ସୁରମା । ତା’ କାମ ସାରି ସ୍କୁଲ୍‌କୁ ପଠେଇଦେଲେ ଯାଇ ସେ ଟିକେ ନିଶ୍ଚିନ୍ତ ହୁଅନ୍ତି । ସକାଳୁ ଉଠିବାକୁ ବାବୁର ଡେରି । ଗାଧୋଇବାକୁ ଅମଙ୍ଗ, ଦାନ୍ତ ଘଷିବା ପାଇଁ ଲଗେଇବ ଘଣ୍ଟେ । ଖାଇବା ପାଖରେ ନାନା ଅଭିଯୋଗ । ଗଣ୍ଡିଏ ଅଧିକ ଖୁଆଇଲେ ଭକ୍‌କରି ସବୁ ବାନ୍ତି କରିଦେବ । ଆଠ ବର୍ଷ ପର୍ଯ୍ୟନ୍ତ ସୁରମା ବାବୁକୁ ହାତରେ ନିଜେ ଖୁଆଇ ଦେଉଥିଲେ ।

 

ରୁଦ୍ରମାଧବ କହନ୍ତି, “ତମେ ଯେମିତି କରୁଛ, ବୁଢ଼ା ହେବାଯାଏ ସେ ପର ହାତରୁ ଭାତ ଖାଇବ । ନିଜେ ନିଜ କାମ କଲେ ସିନା ସେ ଶିଖନ୍ତା ! ଏତେ ବଡ଼ ପିଲା ହେଲାଣି... ।’’

 

ରୁଦ୍ରମାଧବଙ୍କ ବାକି କଥା ଅପୂର୍ଣ୍ଣ ରହିଯାଏ । ତାଙ୍କ ପୁଅକୁ ‘ଏତେ ବଡ଼’ କହିଦେଲେ ସୁରମା ସହିପାରନ୍ତି ନାହିଁ । ସେଦିନ ବି ସେ କଟମଟ କରି ଚାହିଁଥିଲେ ସ୍ୱାମୀଙ୍କୁ । ସୁରମାଙ୍କ ଏହି ଆଖିଯୋଡ଼ିକକୁ ରୁଦ୍ରମାଧବଙ୍କର ଆଦର ଯେତିକି, ଭୟ ତା’ଠୁଁ ବେଶି ।

 

ସେଦିନ କିନ୍ତୁ ସ୍କୁଲ୍‌ ଫାଟକ ପାଖେ ବାବୁ କହିଥିଲା, “ତମେ ଏଇଠୁ ଚାଲିଯାଅ ବାପା । ମୁଁ ଏକା ଏକା ଚାଲିଯିବି । ସବୁଦିନେ ତମ ହାତ ଆଙ୍ଗୁଳି ଧରି ସ୍କୁଲ୍‌କୁ ଯାଉଛି ବୋଲି ମୋତେ ସମସ୍ତେ ଚିଡ଼ଉଛନ୍ତି ।”

 

ଏକା ଏକା ଶହେ ଫୁଟ୍‌ ରାସ୍ତା ପାରି ହୋଇଯିବ ତାଙ୍କ ପୁଅ ! ବାପାର ଆଙ୍ଗୁଳି ଧରିବା ଲୋଡ଼ା ପଡ଼ିବନି ତା’ର ? ରୁଦ୍ରମାଧବଙ୍କ ଭିତରୁ କିଏ ଗୋଟାଏ କ’ଣ ଯେମିତି ଛଡ଼େଇ ନେଉଥିଲା । ଛଡ଼େଇ ନେଇଯାଉଥିଲା ତାଙ୍କର ଆଧିପତ୍ୟ । ବାବୁକୁ ସ୍କୁଲ୍‌ ବାରନ୍ଦାରେ ଛାଡ଼ିଆସିବାବେଳେ ସବୁଦିନେ ସେ ଆଉ ଥରେ ତାକୁ ଭୂଇଁରୁ ଉଠେଇନେଇ ଗେଲ କରିଦିଅନ୍ତି । ତା’ ମୁଣ୍ଡବାଳ ସଜାଡ଼ି ଦିଅନ୍ତି । ସେଦିନ କିନ୍ତୁ ବାବୁ ଚଙ୍ଗମଙ୍ଗ ହୋଇଥିଲା । ସ୍କୁଲ୍‌ଟାରେ ବାପା ପାଖରୁ ଗେଲ ହେବା ପାଇଁ ତା’ର ଖୁବ୍‌ ସଙ୍କୋଚ । ସେ ବଡ଼ ପିଲା । ସେ ସବୁଦିନେ ସାନ ହୋଇ ରହିବ ନାହିଁ । କୌଣସିମତେ ଛାଟିପିଟି ହୋଇ ସେ ରୁଦ୍ରମାଧବଙ୍କ ପାଖରୁ ପଳେଇ ଯାଇଥିଲା । ରୁଦ୍ରମାଧବଙ୍କ ହାତ ଦୁଇଟି ଶୂନ୍ୟରେ ଝୁଲିରହି ପୁଣି ଆପଣା ଜାଗାକୁ ଫେରିଆସିଥିଲା ।

 

ସେଦିନ ରାତିରେ ରୁଦ୍ରମାଧବ ସୁରମାକୁ କହିଥିଲେ, “ଶୁଣୁଛ, ମୋତେ କାହିଁକି ଡର ମାଡ଼ୁଛି ।”

 

ଚମକି ପଡ଼ିଥିଲେ ସୁରମା । “ଡର ? କାହାକୁ ଡର ? କାହିଁକି ଡର ?”

 

“ଆଜି ବାବୁ ମୋ ହାତ ଛାଡ଼ିଦେଲା । ସେ ଏକଲା ତା’ ଗେଟ୍‌ ପାଖରୁ ସ୍କୁଲ୍‌ର ବାରନ୍ଦାଯାଏ ଚାଲିଗଲା ।”

 

ସୁରମା ପୁଅ ପିଠି ଉପରେ ଚାଦର ଘୋଡ଼େଇ ଦେଉ ଦେଉ ଆଉ କାହାକୁ ଶୁଣେଇଲା ପରି କହିଥିଲେ, “କୂଳ ଛାଡ଼ିଗଲେ କି କରେ ନାଆ, କୋଳ ଛାଡ଼ିଗଲେ କି କରେ ମାଆ !”

 

“ଭାଇ ! ଭାଇ !!”

 

ଅନ୍ନପୂର୍ଣ୍ଣା ଅନେକ ଥର ଡାକିଲେଣି । ରୁଦ୍ରମାଧବ କିନ୍ତୁ ପ୍ରଥମ ଥର ଡାକ ଶୁଣିବା ପରି ଜବାବ ଦେଲେ, ‘ଉଁ ।’

 

: ଦେଖିଲ କିଏ ଆସିଛି ।

 

: ଆସିଛି ? କିଏ ଆସିଛି ? ବାବୁ ଆସିଛି ?

 

ରୁଦ୍ରମାଧବଙ୍କର ଇଚ୍ଛା ହେଉଥିଲା ଖଟ ଉପରୁ ଡେଇଁପଡ଼ି ତାକୁ କୋଳ କରି ନିଅନ୍ତେ । ତାକୁ ଜାବୁଡ଼ି ଧରି ରଖନ୍ତେ । ଆଉ କୋଉଠିକି ଛାଡ଼ନ୍ତେ ନାହିଁ । ସେ ଗୋଟାଏ ଉତ୍ତେଜନାରେ ଉଠି ବସିବାକୁ କଡ଼ ଭିଡ଼ିହେଲେ । ଉଠିପାରିଲେ ନାହିଁ । ବେକ ଭାଙ୍ଗି ଦେଖିଲେ, ନା ବାବୁ ନୁହେଁ । ଅନ୍ନପୂର୍ଣ୍ଣାକୁ ପଚାରିଲେ, “ଇଏ କିଏ ଅନୁ ?”

 

ଅନ୍ନପୂର୍ଣ୍ଣା କହିବା ଆଗରୁ ରାଜୁ କହିଲା, “ମୁଁ ରାଜୁ, ମଉସା । ଆଜି ସକାଳେ ଆସି ପହଞ୍ଚିଲି । ବାପାଙ୍କ ଦେହ ଖରାପ, ସେଇ ଖବର ପାଇ ପଳେଇ ଆସିଲି ।”

 

–“ରାଜୁ ? କୋଉ ରାଜୁ ?”

 

–“ଇଏ ଆମ ହରି ମଳିକଙ୍କ ବଡ଼ପୁଅ । କାଲି କହୁ ନ ଥିଲି ହରିଙ୍କର ଦେହ ଖରାପ । ସେଇ ଖବର ପାଇ ରାଜୁ ତା’ ପିଲାପିଲି ଧରି ଆସିଛି ।” ଅନ୍ନପୂର୍ଣ୍ଣା କହିଲେ ।

 

ରୁଦ୍ରମାଧବଙ୍କ ଦେହରୁ ପୋଷାକପତ୍ର ଖୋଲିଦେଇ କେହି ଯେମିତି ଫୁଙ୍ଗୁଳା ଦେହରେ ସାଙ୍କୁଚ ଲାଙ୍ଗୁଡ଼ରେ ସାଇଁ ସାଇଁ ଦି’ ପାହାର କଷିଦେଲା । ସେ ନିଜ ଆଖିର ଲୁହ ଲୁଚେଇବା ପାଇଁ ତକିଆ ଭିତରେ ମୁହଁ ଗୁଞ୍ଜିଦେଲେ ।

 

ଅନ୍ନପୂର୍ଣ୍ଣା କହୁଥିଲା, “ସଞ୍ଜବେଳକୁ ଟିକେ ଆସିବ ରାଜୁ । କେତେଦିନ ହେଲା ଭାଗବତ ଅଧ୍ୟାୟେ ଶୁଣିନାହାନ୍ତି ବୋଲି ଭାଇ ଚିଡ଼ିଚିଡ଼ି ହେଉଛନ୍ତି । ମୁଁ ତ ଅଳ୍ପପାଠୁଆ ଲୋକ । ଅକ୍ଷର ଚିହ୍ନିହେଲେ ଯାହା ପଢ଼ନ୍ତି, ଆଖିକୁ ତ ଜମା ଦିଶୁନାହିଁ । ତମେ ଯେତିକି ଦିନ ଅଛ ଆସି ଅଧ୍ୟାୟେ ଅଧ୍ୟାୟେ ପଢ଼ି ଦେଇଯିବ ।”

 

ରାଜୁ ଆଉ ଥରେ ଦିହିଁଙ୍କି ପ୍ରଣାମ କରି ବାହାରି ଯାଉଥିଲା । ରୁଦ୍ରମାଧବ କାନ୍ଥ ଆଡ଼କୁ ମୁହଁ କରି ରାଜୁକୁ ଆଶୀର୍ବାଦ କରିବା ପାଇଁ ଡାହାଣ ହାତଟି କେବଳ ଟିକିଏ ଉଠେଇଲେ । ଚାହିଁବା ପାଇଁ ତାଙ୍କର ସାହସ କୁଳଉ ନ ଥିଲା ।

 

ଅନ୍ନପୂର୍ଣ୍ଣା ରାଜୁକୁ ବାଟେଇ ଦେବା ପାଇଁ ଦୁଆରମୁହଁ ଯାଏ ଯାଇଥିଲେ । ଯିବା ଆଗରୁ ରାଜୁ ପଚାରିଲା, “କେବେଠୁଁ ମଉସାଙ୍କର ଦେହ ଖରାପ ହେଲାଣି ?”

 

–“ଏଇ ସଂକ୍ରାନ୍ତିକୁ ଛଅ ମାସ ହେଇଯିବ ।”

 

–“ବାବୁ ଆସିନାହିଁ ?”

 

ଅନ୍ନପୂର୍ଣ୍ଣା କିଛି କହିଲେ ନାହିଁ । ରାଜୁ ଆଉ ବାବୁ ଦିହେଁ ଏକା ବୟସର । ପିଲାଦିନେ ସାଙ୍ଗହୋଇ ଏଇ ଗାଁ ଦାଣ୍ଡରେ ଖେଳିଛନ୍ତି । ସେ ସବୁକଥା ଜାଣେ । ତାକୁ ଆଉ ଅଧିକା କି ଉତ୍ତର ସେ ଦେବେ ?

 

ସଞ୍ଜବେଳକୁ ରୁଦ୍ରମାଧବ ଆହୁରି ଅସୁସ୍ଥ ବୋଧ କଲେ । ଅନ୍ନପୂର୍ଣ୍ଣା ଚାଦରଟା ଘୋଡ଼େଇ ଦେଉ ଦେଉ ପଚାରିଲେ, “ଡାକ୍ତରଙ୍କ ପାଖକୁ ଖବର ପଠେଇବି ଭାଇ ?”

 

ରୁଦ୍ରମାଧବ ଉଁ କି ଚୁଁ କିଛି କହିଲେ ନାହିଁ । ଅନ୍ନପୂର୍ଣ୍ଣା ରଘୁଆକୁ ଡାକ୍ତର ପାଖକୁ ପଠେଇ ଦୁଆରବନ୍ଧ ମୁହଁରେ ବସିରହିଲେ ।

 

କୋଉ ଯୁଗ ହେଲାଣି ବାବୁ ଆସିଥିଲା । ବାହାଘର ପରଠୁଁ ଗାଁକୁ ଆସିନାହିଁ । ତେଣିକି ଆସିଲେ ହାଟ ଡାକବଙ୍ଗଳାରେ ରହେ । ତା’ ଗାଡ଼ି ନଈ ପାର ହୋଇ ଆସିପାରେ ନାହିଁ କି ସେ ନିଜେ ଡଙ୍ଗାରେ ପାରି ହୋଇ ଆସେ ନାହିଁ । ବାବୁର ମୁହଁଟି ବି ଭୁଲିଗଲେଣି ଅନ୍ନପୂର୍ଣ୍ଣା ।

 

ବିଛଣାରେ ପଡ଼ିରହି ରୁଦ୍ରମାଧବ ଭାବୁଥିଲେ ପୁଅ କଥା । ସୁରମା କଥା । ତାଙ୍କ ଦେହହାତ ଚଳୁଥିବା ବେଳେ ସେ ସବୁଦିନ ଡାକଘରଯାଏ ଯାଉଥିଲେ । ବାବୁର ଚିଠିକୁ ଅପେକ୍ଷା କରୁଥିଲେ । କିନ୍ତୁ ଚିଠି ଆସୁ ନ ଥିଲା ।

 

ଯୋଉଥର ଜେମାଦେଈପୁର ଡାକବଙ୍ଗଳାରେ ଥାଇ ବାବୁ ତାଙ୍କ ପାଖକୁ ଖବର ପଠେଇଥିଲା, ସେଥର ରୁଦ୍ରମାଧବ ଭିତରେ ଭିତରେ ଏତେ ଟିକିଏ ହୋଇଯାଇଥିଲେ । ବୋହୂ ନ ଆସିଲା ନାହିଁ, ବାବୁ ତ ଆସିପାରିଥାଆନ୍ତା । ଡାକବଙ୍ଗଳାରୁ ବାବୁର ଖବର ନେଇ ଆସିଥିଲା ପିଅନଟି ତାଙ୍କୁ ଜମିଦାର ଘର ପିଆଦା ପରି ଦିଶିଥିଲା । ସେଦିନ ସେ ଚୁପ୍‌ଚାପ୍‌ ପୁଅକୁ ଯାଇ କହିଥିଲେ, “ତୁ ଟିକେ ଗାଁକୁ ଯାଇ ବୁଲି ଆସନ୍ତୁ ନାହିଁ... ?”

 

ବାବୁ କିଛି କହିବା ଆଗରୁ ବୋହୂ କହିଥିଲା, ‘‘ଆପଣ ତ ଆସିଲେ । ଗାଁକୁ ଯାଇ ଅଧିକା କ’ଣ ହେବ ? ବୋଉ ଥିଲେ ଅବା ଅନ୍ୟ କଥା । ସେ ନଈ ନାଳ, କାଦୁଅରାସ୍ତା ପାରିହୋଇ ଯିବା ଢେର୍‌ କଷ୍ଟ !’’

 

ବାବୁ କିଛି କହି ନଥିଲା । ରୁଦ୍ରମାଧବଙ୍କୁ ଲାଗିଥିଲା ପୁଅର କଥାକୁ ବୋହୂ ତା’ ତୁଣ୍ଡରେ କହୁଛି । ସେ ତଳକୁ ତଳ ଦବିଯାଇଥିଲେ ସେଦିନ । ଥରେ ଜେମାଦେଈପୁର ଡାକବଙ୍ଗଳା, ତା’ର ନାଲି ପାଚେରି, ସାମ୍ନାର ଦେବଦାରୁ ଗଛ, ଜେଲ୍‌ ଫାଟକ ପରି ଉଚ୍ଚା ଲୁହା ଗେଟ୍‌ ଓ ଆଉ ଥରେ ତାଙ୍କ ଗାଁ ଆଡ଼କୁ ଲମ୍ବିଯାଇଥିବା ତାଳ, ବାବୁଲା, କିଆ, କଇଁଆ ଗଛ ଉପରର ନୀଳ ଆକାଶକୁ ଚାହିଁଥିଲେ । ଗାଁ କହିଲେ କ’ଣ କେବଳ ନିଜର ବାପ ମାଆ ? ଗାଁ କହିଲେ କେବଳ କ’ଣ ନିଜର ଜମିବାଡ଼ି ବୁଝେ ମଣିଷ ? ଆଉ କିଛି ସମ୍ବନ୍ଧ ନାହିଁ ଗାଁ ସାଙ୍ଗରେ ? ଗାଁକୁ ଯାଇ ବାପାକୁ ଭେଟିବା ଯାହା, ଡାକବଙ୍ଗଳାକୁ ପିଆଦା ହାତରେ ଡକେଇ ପଠେଇ ଭେଟିବା ବି କ’ଣ ସେଇଆ !

 

ଅଥଚ କେତେ ଆଗ୍ରହର ସହ ବାବୁର ଆସିବାକୁ ଅପେକ୍ଷା କରି ନ ଥାଆନ୍ତି ରୁଦ୍ରମାଧବ ! କେତେ ଅପୂର୍ଣ୍ଣ ଇଚ୍ଛାକୁ ଲାଳନପାଳନ କରୁ ନ ଥାନ୍ତି ସେ ଭିତରେ ଭିତରେ ! ପୁଅବୋହୂଙ୍କ ଆସିବା ଦିନ ପାଖେଇ ଆସିଲେ ରୁଦ୍ରମାଧବ ଅନ୍ନପୂର୍ଣ୍ଣାଙ୍କୁ ବ୍ୟସ୍ତ କରିପକାନ୍ତି । ମାଛ ଧରାଯିବ, ନଡ଼ିଆ ତୋଳାଯିବ, ଅରୁଆଚାଉଳ ଅଖାରେ ପଶିବ, ଗଉଡ଼ ଘରୁ ଘିଅ ଓ ଛେନା ଆସିବ । ସାଇପଡ଼ିଶାରେ ଖବରଟା ଖେଳିଯାଏ । ରୁଦ୍ରମାଧବ ସଞ୍ଜବୁଡ଼େ ବୁଲିଲା ବୁଲିଲା ହୋଇ ମଣ୍ଡପ ଯାଏ ଚାଲିଯାଆନ୍ତି । ସେଇଠି ସେ ଖବରଟା ସମସ୍ତଙ୍କୁ ଶୁଣାନ୍ତି । ‘‘ବାବୁ ତା’ ପିଲାପିଲି ନେଇ ଆସୁଛି । ତା’ର ତ କେତେ କାମ, କିଏ ଛେଳି ମେଣ୍ଢା ଚରେଇଲେ ସେ ମଣିଷ ଚରଉଛି । ମୋ ଚିଠି ପାଇ ସେ ବ୍ୟସ୍ତ ହେଇପଡ଼ିଛି ବୋଧେ, କାଲି ଆସୁଛି ।’’

 

ଏତକ କହିସାରି ରୁଦ୍ରମାଧବ ଶ୍ରୋତାଙ୍କ ମୁହଁକୁ ଚାହାନ୍ତି । କୋଉଠି ପ୍ରଶଂସା, କୋଉଠି ଈର୍ଷା ଓ କୋଉଠି ଉତ୍କଣ୍ଠା ସେ ଦେଖନ୍ତି । ମନେ ମନେ କଳ୍ପନା କରନ୍ତି, ପୁଅବୋହୂ ଗାଁ ଦାଣ୍ଡ ଦେଇ ତାଙ୍କ ଘରକୁ ଆସିବାବେଳେ ହଳହଳ ଆଖି ପାଖ ଘର ଝରକା ଓ ଦୁଆର ଦେଇ ଚାହିଁବେ । ସେମାନେ ଆସି ଘରର ଗୋବରଲିପା ମାଟି ପିଣ୍ଡା ଉପରେ ତାଳଚଟେଇ ପକେଇ ବସିବେ । ବୋହୂ ବସିବ ମେଲା ଘରର ଖଟ ଉପରେ, ଯୋଉ କରମଙ୍ଗା କାଠର ଖଟ ଯୌତୁକ ନେଇ ଆସିଥିଲେ ସୁରମା ତା’ ବାପଘରୁ ।

 

ବୋହୂ ମୁହଁରୁ ଟାଆଁସା କଥାଗୁଡ଼ିକ ଶୁଣି ରୁଦ୍ରମାଧବଙ୍କର ସବୁଯାକ କଳ୍ପନା ହାତରୁ ଖସିପଡ଼ିଥିବା କାଚଗିଲାସ ପରି ଭାଙ୍ଗି ଚୂନା ଚୂନା ହୋଇଯାଇଥିଲା ।

 

ବାବୁ କହିଥିଲା, ‘‘ଆପଣ ପିଲାଙ୍କ ପରି ହୋଇପଡ଼ୁଛନ୍ତି । ଏତେସବୁ ଜଞ୍ଜାଳ ଛାଡ଼ି ଆସିବା କ’ଣ ସହଜ ! ପିଲାଙ୍କ ସ୍କୁଲ୍‌, ଲତାର କଲେଜ, ମୋର ଅଫିସ୍‌ । ଆମେ ଦୁହେଁ ଆସିଲାକ୍ଷଣି ସିଆଡ଼େ ସବୁ ବନ୍ଦ । ପୁଣି ଗାଁ ରାସ୍ତା ଯେମିତି... ।’’

 

: ରାସ୍ତା ଖରାପ ହେଲେ ସଜଡ଼ା ଯାଏ ବାବୁ ! ମୁହଁ ମୋଡ଼ି ଚାଲିଗଲେ ରାସ୍ତା ଆହୁରି ଖରାପ ହୋଇଯିବ ସିନା !!

 

ବାବୁ ଆଉ କିଛି କହି ନ ଥିଲା । ରୁଦ୍ରମାଧବଙ୍କ କଥା ତାକୁ ଭଲ ଲାଗି ନ ଥିଲା । ‘ସେ କ’ଣ ମନ୍ତ୍ରୀ ନା ଏମ୍‌.ଏଲ୍‌.ଏ. ଯେ ଏହି ରାସ୍ତାକାମ ବସି ବୁଝିବ ?’

 

ଡାକବଙ୍ଗଳାରେ ଓଳିଏ ରହି ବାବୁ ଫେରିଯାଇଥିଲା । ଗଲାବେଳକୁ ବୋହୂ ରୁଦ୍ରମାଧବଙ୍କ ହାତରେ ହଜାରେ ଟଙ୍କା ଗୁଞ୍ଜିଦେଇଥିଲା ।

 

ଟଙ୍କାତକ ଧରି ଘାଟ ପାଖରେ ପହଞ୍ଚିଲାବେଳକୁ ରୁଦ୍ରମାଧବଙ୍କ ସବୁ ସରାଗ ଶୀତ ସକାଳର କୁହୁଡ଼ି ବାମ୍ଫ ହୋଇ ଉଡ଼ିଗଲା ପରି କୁଆଡ଼େ ଉଡ଼ିଯାଇଥିଲା । ତାଙ୍କୁ ଲାଗିଥିଲା ସେ ଯେମିତି ପୁଅ ପାଖରୁ ନୁହେଁ, କୋଉ ମହାଜନ ପାଖରୁ କରଜ କିମ୍ବା ସାହାଯ୍ୟ କିଛି ନେଇ ଫେରୁଛନ୍ତି ।

 

ରାଜୁ ଭାଗବତ ବୋଲୁଥିଲା ।

ତା’ କଣ୍ଠରେ ଭାଗବତର ସ୍ୱର ଅନ୍ନପୂର୍ଣ୍ଣାଙ୍କୁ ଆଚ୍ଛନ୍ନ କରି ରଖିଥିଲା । ସେ ଲୁଗାକାନି ବେକରେ ଗୁଡ଼େଇ ହାତଯୋଡ଼ିକ ମୁଣ୍ଡରେ ଛୁଆଁଇ ବସିଥିଲେ ।

ଖଟ ଉପରେ ପଡ଼ିରହିଥିବା ରୁଦ୍ରମାଧବଙ୍କ କାନରେ କିନ୍ତୁ ଭାଗବତର କୌଣସି ପଦ ପହଞ୍ଚି ପାରୁ ନଥିଲା । ବିଛଣାରେ ପଡ଼ିରହି ସେ ନିଜର ଅଦୃଶ୍ୟକୁ ନିନ୍ଦୁଥିଲେ । ଗତ ବର୍ଷ ମାର୍ଗଶିର ମାସରେ ଶେଷଥର ପାଇଁ ଆସିଥିଲା ବାବୁ । ରହିଥିଲା ସେଇ ଡାକବଙ୍ଗଳାରେ । ସେହି ପିଅନ ଏଥର ବି ଆସି ଡାକିଥିଲା ପିଆଦା ପରି । ରୁଦ୍ରମାଧବ ଡଙ୍ଗା ପାରିହୋଇ ଯାଇଥିଲେ । ଖୁବ୍‌ କହିଥିଲେ, ‘ଚାଲ ବାବୁ । ଘରେ ଓଳିଏ ରହି ଚାଲିଆସିବୁ । ଅନୁ ତୋ ପାଇଁ ସବୁଥର ପରି ଏଥର ବି ଭାତ ରାନ୍ଧି ଅପେକ୍ଷା କରିଥିବ ।’ ବୋହୂ ତାଙ୍କ କଥା ବୁଝିପାରିଲା ନାହିଁ । ଓଲଟି କହିଥିଲା, ‘ତମେ ରହୁନ । ଆମ ସାଙ୍ଗରେ ଲଞ୍ଚ୍‌ ଖାଇଦେଇ ଯିବ ।’

ରୁଦ୍ରମାଧବଙ୍କୁ ବୋହୂର ପ୍ରସ୍ତାବ ଭଲ ଲାଗି ନଥିଲା । ଅନ୍ନପୂର୍ଣ୍ଣା ତେଣେ ଦାଣ୍ଡଦୁଆର ପାଖେ ବସି ଅପେକ୍ଷା କରିଥିବ । ସେ ପୁରୁଷଲୋକ, ଜେମାଦେଈପୁର ଯାଏ ଚାଲି ଆସିପାରୁଛନ୍ତି-। ଅନୁ ତ କୋଉକାଳୁ ବାବୁକୁ ଦେଖିନାହିଁ । ତାଙ୍କର ଅଭିମାନ କ୍ରୋଧ ହୋଇ ପଦାକୁ ଫିଟି ପଡ଼ିଥିଲା, ‘‘ତୁମେମାନେ ଗାଁକୁ ନ ଗଲେ ମୁଁ ଆଉ ଏଠିକି ଆସିପାରିବ ନାହିଁ ।’’

ସେହିଦିନୁ ଜେମାଦେଈପୁର ଡାକବଙ୍ଗଳାକୁ ଆଉ ଯାଇ ନାହାନ୍ତି ରୁଦ୍ରମାଧବ, ଯିବା ପ୍ରୟୋଜନ ବି ପଡ଼ିନାହିଁ । ବର୍ଷେ ହେଲା ବାବୁ ଆସିନାହିଁ । ମନିଅର୍ଡ଼ର ଫର୍ମରେ କ’ଣ ଦି’ପଦ ଚିଠି ଲେଖିଥିଲା । ରୁଦ୍ରମାଧବ ରାଗିକି ସେ ଟଙ୍କା ଫେରାଇ ଦେଇଥିଲେ ।

ସେହିଦିନ ସେ ଭୋଗିଥିଲେ ଦ୍ୱିତୀୟ ଆଘାତ ।

ରାଜୁ ଭାଗବତ ପଢ଼ୁଥିଲା–

ଦୁଃଖ ସହଇ ଏ ଶରୀରେ, ନିତ୍ୟେ କୁଟୁମ୍ବ ପୋଷିବାରେ ।

ନିରତେ ଆକୁଳ ହୃଦୟ, ଏଣୁ ବୋଲାଇ ଦୁଃଖମୟ ।

ଧର୍ମେ ବଞ୍ଚିତ କଳେବର, ମଜ୍ଜଇ ଏ ଘୋର ସଂସାର ।

ଅନ୍ନପୂର୍ଣ୍ଣା ମୁଣ୍ଡରେ ହାତଯୋଡ଼ିକ ରଖି ଭାଗବତ ଶୁଣୁଥିଲେ । କପୋତ-କପୋତୀ ବୃତ୍ତାନ୍ତ ଶୁଣି ତାଙ୍କ ପରଳମଖା ଆଖି ଯୋଡ଼ିକରେ ଲୁହ ଜକେଇ ଆସୁଥିଲା ।

ଅଧ୍ୟାୟଟି ସମ୍ପୂର୍ଣ୍ଣ କଲାପରେ ରାଜୁ କହିଲା, ‘‘ମୁଁ ଏବେ ଯିବି ?’’

ଅନ୍ନପୂର୍ଣ୍ଣା କହିଲେ, ‘‘ରହ ବାପ । ପାଟିରେ ଟିକେ କ’ଣ ନ ଦେଇ ଯିବୁ କିମିତି ?’’

ରାଜୁକୁ ପଚାରିଲା, ‘‘ବାବୁ ଶ୍ୱଶୁରଘର ପରା ଦିଲ୍ଲୀରେ ?’’

ଅନ୍ନପୂର୍ଣ୍ଣା କହିଲେ, ‘‘ହଁରେ ବାପ । ତା’ ବାପ ଜଜ୍‌ । ସେ ତ ସହର ବଜାର ଝୁଅ । ସେ କାହିଁକି ବା ଆସନ୍ତା ଏ ଗାଁଗଣ୍ଡାକୁ । ଆପଣା ସୁନା ତ ଭେଣ୍ଡି । କର୍ମକୁ ନିନ୍ଦି ରହିବା ଛଡ଼ା ଆମେ କ’ଣ କରିପାରିବୁ ?”

 

ରାଜୁ ହାତ ଧୋଉଥିଲା ।

 

ରୁଦ୍ରମାଧବ ପଚାରିଲେ, ‘‘ହରି ଦେହ ଟିକେ ଭଲ ଅଛି ନାରେ ?’’

 

–“ଆଗ ଅପେକ୍ଷା ଟିକେ ଭଲ ଅଛି ମଉସା!”

 

ରୁଦ୍ରମାଧବ ନିଜର ଡାହାଣ ହାତଟିକୁ ଟିକେ ଉପରକୁ ଟେକିଲେ, ରାଜୁକୁ ଆଶୀର୍ବାଦ କରିବା ପାଇଁ ।

 

ହରି ମଳିକଙ୍କ ପୁଅ ରାଜୁ ଦାଦନ ଶ୍ରମିକ ହେଇ ଇଟାଖଳାରେ କାମ କରେ । ବର୍ଷରେ ନଅ ମାସ କଲିକତା, ନ ହେଲେ ଚବିଶପ୍ରଗଣା ଜିଲ୍ଲାର କୋଉଠି ସେ ଥାଏ । ବାପାର ଅଭାବୀ ସଂସାର । ମାଇନର ପର୍ଯ୍ୟନ୍ତ ପଢ଼ିଥିଲା ରୁଦ୍ରମାଧବଙ୍କ ପୁଅ ସାଙ୍ଗରେ । ସେଇଠୁ ରାଜୁର ପାଠପଢ଼ା ବନ୍ଦ ହୋଇଗଲା ।

 

ଅନ୍ନପୂର୍ଣ୍ଣା ଆସି ରୁଦ୍ରମାଧବଙ୍କ ତକିଆ ସଜାଡ଼ିଦେଲେ । ରୁଦ୍ରମାଧବ ତା’ ମୁହଁକୁ ଚାହିଁ ପଚାରିଲେ, “ବାବୁ ଆମର ଭାଗବତ ବୋଲୁଥିଲେ ମାରଣା ଗାଈ ମଧ୍ୟ ଚୁପ୍‌ଚାପ୍‌ ଛିଡ଼ା ହୋଇଯାଏ, ନୁହେଁ ?”

 

ଅନ୍ନପୂର୍ଣ୍ଣାଙ୍କ ଭିତରେ ବାବୁ ପାଇଁ ଊଣା ଆଦର ନଥିଲା । କିନ୍ତୁ ରୁଦ୍ରମାଧବଙ୍କ ଆଖିର ଲୁହ ଓ ଛାତି ଭିତରର କୋହ ତାଙ୍କୁ ପଥର କରିଦେଇଥିଲା । ଚିଡ଼ିଉଠି ସେ କହିଲେ, “କାହିଁକି ସବୁବେଳେ ସେଇ କଥାଗୁଡ଼ା ଭାବିହେଉଛ ! ଦିନକୁ ଦିନ ତମ ଦେହ ଖରାପ ହେଉଛି । ମୁଁ ଏକୁଟିଆ କ’ଣ କରିବି ? ତମେ ନିଜେ ନ ବୁଝିଲେ କେମିତି ହେବ ? ହରି ମଳିକ ଅବସ୍ଥା କେତେ ବାଗେଇ ଗଲାଣି । ନାଆକ, ପଣ୍ଡିତ ସମସ୍ତେ ଆଶା ଛାଡ଼ି ଦେଇଥିଲେ । ସିଏ ପୁଣି ଆଜି ସକାଳୁ ଭାତ ଖାଇଲେଣି ।”

 

ରୁଦ୍ରମାଧବ ନିରବ ରହିଲେ । ଅନ୍ନପୂର୍ଣ୍ଣା ହୁଏତ ଠିକ୍‌ କହୁଛି । କିନ୍ତୁ ସେ ଯେ ତାଙ୍କ ମନକୁ ବୁଝଉ ନାହାନ୍ତି ସେକଥା ଅନ୍ନପୂର୍ଣ୍ଣା କେମିତି କହିବ ? ବୁଝଉଥିଲେ ଯଦି ମନ ବୁଝିଯାଉଥାଆନ୍ତା ସିଏ ବି ଖଟ ଉପରୁ ଉଠି ଚାଲିବାକୁ ଆରମ୍ଭ କରନ୍ତେ । ଏସବୁ କଥା କିନ୍ତୁ ସେ ଅନ୍ନପୂର୍ଣ୍ଣାକୁ କହିପାରିଲେ ନାହିଁ । ତାଙ୍କ ପରି ଅନ୍ନପୂର୍ଣ୍ଣା ବି ଖୁବ୍‌ ଦୁଃଖୀ ମଣିଷ । ସେ ଆଖି ବୁଜି ଟିକିଏ ଶୋଇବାକୁ ଚେଷ୍ଟା କଲେ ।

 

ସକାଳୁ ଉଠିବାବେଳକୁ ଖରା ଆସି ଦୁଆରମୁହଁରେ ପଡ଼ିଲାଣି । କୋଉଦିନ ଅନ୍ନପୂର୍ଣ୍ଣାଙ୍କର ଏତେ ଡେରି ହୁଏ ନାହିଁ । ସେ ତରତରରେ ଆସି ରୁଦ୍ରମାଧବଙ୍କ ଖଟ ପାଖରେ ଛିଡ଼ାହେଲେ । ସେତିକିବେଳେ ହରି ମଳିକଙ୍କ ପୁଅ ରାଜୁ ଦାଣ୍ଡ ଦୁଆର ପାଖରୁ ଡାକିଲା, ‘‘ମାଉସୀ ଜୁହାର ।’’

 

ଅନ୍ନପୂର୍ଣ୍ଣା ଆଶୀର୍ବାଦ କଲେ, ‘‘ବୁଢ଼ାଟେ ହୋଇଥା ।’’

 

ରାଜୁ ଘର ଭିତରକୁ ଆସୁ ଆସୁ କହିଲା, ‘‘ମାଉସୀ, ମୋତେ ଟିକେ ବାବୁର ଠିକଣା ଦିଅନ୍ତ ନାହିଁ ? ମୁଁ ତାକୁ ଚିଠି ଖଣ୍ଡେ ଲେଖନ୍ତି ।’’

 

ଅନ୍ନପୂର୍ଣ୍ଣା ରାଜୁକୁ ରୁଦ୍ରମାଧବଙ୍କ ଶୋଇବା ଘରକୁ ଡାକିନେଲେ । ଚିଠିଟା ଭାଇଙ୍କ ତକିଆ ତଳେ ସେ ରଖିଛନ୍ତି । ସେଇଟିକୁ ମଝିରେ ମଝିରେ ସେ ଏପଟ ସେପଟ କରି ଦେଖନ୍ତି । ପୁଣି ରଖିଦିଅନ୍ତି ।

 

ରାଜୁ ରୁଦ୍ରମାଧବଙ୍କ ଗୋଡ଼ ଯୋଡ଼ିକ ଲମ୍ବିଥିବା ଦିଗକୁ ଛିଡ଼ା ହୋଇଥିଲା । ଠିକଣା ଟିପିନେବା ଆଗରୁ ସେ ରୁଦ୍ରମାଧବଙ୍କୁ କହିଲା, ‘ବାପାଙ୍କ ଦେହ ଭଲ ହୋଇଗଲାଣି ମଉସା । ମୁଁ ଆଜି ଯାଉଛି... ।’

 

ହଠାତ୍‌ ରାଜୁ କଥା ମଝିରେ ଚୁପ୍‌ ହୋଇଗଲା । ଅନ୍ନପୂର୍ଣ୍ଣା ଧାଇଁ ଆସି ପଚାରିଲେ, ‘କ’ଣ ହେଲା ?’

 

ରାଜୁ ନିରବ ରହିଥିଲା । ରୁଦ୍ରମାଧବଙ୍କ ପାଦ ଛୁଇଁବା ପାଇଁ ଲମ୍ବିଯାଇଥିବା ତା’ ହାତ ଯୋଡ଼ିକ ସ୍ଥିର ହୋଇରହିଥିଲା । ରୁଦ୍ରମାଧବ ଶେଷ ନିଦରେ ଶୋଇ ସାରିଥିଲେ ।

 

ଅନ୍ନପୂର୍ଣ୍ଣାଙ୍କ ହାତରୁ କୋଉଦିନରୁ ଲେଖା ପୁରୁଣା ପୋଷ୍ଟ୍‌କାର୍ଡ଼ଟା ଚଟାଣ ଉପରେ ଖସିପଡ଼ିଲା ।

𗰵𗰵𗰵

 

ମୋହ

 

ଖୁବ୍ ସ୍ପଷ୍ଟ ଓ ପରିଚ୍ଛନ୍ନ ଢଙ୍ଗରେ ପ୍ରଳୟ ରଖିଯାଇଥିଲା ତା’ର ହସ୍ତାକ୍ଷର । ଶ୍ରାବଣୀ ଏବେ ସେ ହସ୍ତାକ୍ଷରମାନଙ୍କୁ ସାଉଣ୍ଟି ଧରିବାକୁ ଚେଷ୍ଟା କରୁଥିଲା ତା’ କ୍ୟାମେରା ଭିତରେ । ବାରମ୍ବାର ସେ ତା’ର କ୍ୟାମେରା କ୍ଲିକ୍ କରୁଥିଲା ଓ ପରିବେଶର ଦୁଃସ୍ଥିତି ନେଇ ଦୀର୍ଘଶ୍ୱାସ ଛାଡ଼ୁଥିଲା । ଏଇଟା ଥିଲା ତା’ର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଫିଲ୍‌ଡ ଆସାଇନ୍‌ମେଣ୍ଟ୍ । ସେ ତେଣୁ ଦାୟିତ୍ୱଟିକୁ ନିଷ୍ଠାର ସହ ସଂପନ୍ନ କରିବାକୁ ଚେଷ୍ଟା କରୁଥିଲା ।

 

ଅସମୟରେ କଡ଼ମାଡ଼ି ଶୋଇଥିବା ଗୋଟିଏ ବରଗଛକୁ ଆଉଜି ଶାନ୍ତନୁ ଶ୍ରାବଣୀକୁ ଚାହିଁଥିଲା । ଆକାଶରେ ପୁଣି ଖଣ୍ଡ ଖଣ୍ଡ ବଉଦ । ଚାରିଆଡ଼େ ବାଲି, ମାଟି, ପାଣି ଓ ପଙ୍କ କାଦୁଅ-। ଶ୍ରାବଣୀ ତା’ର ଅଡ଼ୁଆ ବାଳକେରାକୁ ପଛକୁ ଛାଟି ଦେଉ ଦେଉ କହିଲା, “ଲାଇଟ୍‌ କମିଯାଉଛି-।”

 

ଶାନ୍ତନୁ ଇସାରାରେ ତାକୁ କହିଲା, “ବ୍ୟସ୍ତ ହୁଅ ନାହିଁ ।”

 

ବିଅଁଳଠାରୁ ଭୋକାଞ୍ଜି ଦେଇ ଆଗକୁ ଯାଇଥିବା ରାସ୍ତାଟି ଭୋକାଞ୍ଜି ହାଇସ୍କୁଲ ପାଖରୁ ଭାଙ୍ଗିଯାଇଥିଲା । ଆଗକୁ ଯିବାକୁ ହେଲେ ପୋଷାକ ବଦଳେଇ ଗାମୁଛା ବା ତଉଲିଆ ପିନ୍ଧି ଯିବାକୁ ହେବ । ଶାନ୍ତନୁ ପ୍ରସ୍ତାବ ଦେଇଥିଲା, ‘ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିଅର ତାଙ୍କ ମୋଟର ବୋଟରେ ଘାଇ ଯାଏ ନେଇଯିବେ ବୋଲି କହୁଛନ୍ତି । ସେଇଥିରେ ଚାଲିଯିବା ।’

 

ଶ୍ରାବଣୀ ବିରକ୍ତି ପ୍ରକାଶ କରିଥିଲା । ତା’ପରେ ସେ ଅର୍ଥପୂର୍ଣ୍ଣ ହସ ହସି କହିଥିଲା, “ଆପଣ ହେଲେ ରାଜଧାନୀ ସାମ୍ବାଦିକ । ଆପଣ କାହିଁକି ଏ ପାଣି କାଦୁଅକୁ ଆସିଲେ ?”

: ମାନେ ?

: ମାନେ ହେଲା ଆପଣମାନେ ହୋଟେଲ୍ ପାର୍ଟି, କନ୍‌ଫରେନ୍‌ସ ଏଇ ସବୁଥିରେ ଅଭ୍ୟସ୍ତ । ସବୁଠି ଆପଣଙ୍କର ଲୋଡ଼ା ଗାଡ଼ି ମଟର । ମନ୍ତ୍ରୀ, ଇଞ୍ଜିନିୟର, ବିଧାୟକ ହେଲେ ଆପଣଙ୍କର ବନ୍ଧୁ । ସମ୍ମିଳନୀକୁ ନ ଯାଇ ବି ଆପଣଙ୍କ ରିପୋର୍ଟ ବାହାରେ । ତେଣୁ ଏକ୍‌ଜିକ୍ୟୁଟିଭ ଇଞ୍ଜିନିଅରଙ୍କ ପ୍ରସ୍ତାବ ଆପଣଙ୍କୁ ଖରାପ ଲାଗିବ ନାହିଁ ।

ଶାନ୍ତନୁ ଶ୍ରାବଣୀର ମାତ୍ରାଧିକ ପ୍ରତିକ୍ରିୟାରେ ରୁଷ୍ଟ ହେଲା ନାହିଁ । ଓଲଟି ହସି ହସି କହିଲା, “ସାଙ୍ଗରେ ଆଉ ଖଣ୍ଡେ ଦି’ଖଣ୍ଡ ଶାଢ଼ି ଆଣିଛ ବୋଧହୁଏ ।”

ମୁଣ୍ଡିଲୋଠାରୁ ଘଡ଼ିମୂଳ ଶେଷ ଯାଏ ନଈବନ୍ଧ ଦିଶୁଛି ଗୋଟେ ଶରଣାର୍ଥୀ ଶିବିର । ଶହ ଶହ ତାର୍ପଲିନ ଛାଉଣି ଟିକି ଟିକି ଚାଳିଆ । ମୁଣ୍ଡ ନୋଇଁ ଭିତରକୁ ଯିବାକୁ ପଡ଼େ । ଭିତରେ ଗୋଡ଼ ହାତ ଲମ୍ବେଇ ଶୋଇହୁଏ ନାହିଁ । ତେର ତାରିଖ ରାତି ବାରଟା ପର୍ଯ୍ୟନ୍ତ ଏ ଗାଁ ଦୁଇଟିର ପୁରୁଷ, ନାରୀ, ପିଲା ଓ ଗାଈ-ଗୋରୁ ନିଜ ନିଜ ଘରେ ଥିଲେ । ସେଦିନ ରାତିରେ ସେମାନେ ଘରେ ହୁଏତ ସମସ୍ତେ ସାଙ୍ଗ ହୋଇ ଖାଇଥିଲେ, ଗପସପ ହୋଇଥିଲେ, ଗପ ଅଧାରଖି ଶୋଇବାକୁ ଯାଇଥିଲେ । ସକାଳୁ ଉଠି ପୁଣି ସେ ପୁରୁଣା ଗପ ସାଙ୍ଗରେ ଯୋଡ଼ିଥାଆନ୍ତେ ନୂଆ ଗପ । କିନ୍ତୁ ସେମିତି ହେଲା ନାହିଁ । ତେର ତାରିଖ ରାତି ବଦଳେଇ ଦେଲା ସେମାନଙ୍କର ଗପ, ସ୍ୱପ୍ନ ଆଉ ଯୋଜନା । ସବୁକୁ ଭସେଇନେଲା ଘଡ଼ିମୂଳ ଘାଇ, ଦେବୀ ଓ ବିଲୁଆଖାଇର ବନ୍ୟା ।

ମୁଣ୍ଡିଲୋ ଓ ଘଡ଼ିମୂଳ ଗାଁ ଦୁଇଟିକୁ ବିଲୁଆଖାଇର ସୁଅ ଚେସବୋର୍ଡ଼ର ଦିଇଟି ଗୋଟି ପରି ଉଠେଇ ଦୂରକୁ ଫିଙ୍ଗି ଦେଇଥିଲା । ଭାଙ୍ଗିରୁଜି ଯାଇଥିଲା କେତେ ବର୍ଷର ଘରକରଣା, ଶ୍ୟାମଳ ଓ ଶାଗୁଆ ଶୈଶବର ସ୍ମୃତି । ଭାଙ୍ଗିଯାଇଥିଲା ପୂଜାମଣ୍ଡପ, ଠାକୁରାଣୀଘର, ସ୍କୁଲ ଓ ଭାଗବତ ଗାଦି । ଯୋଉ ଠାକୁର ଠାକୁରାଣୀଙ୍କ ପାଖେ ଅଧିଆ ପଡ଼ି, କାକୁତି ମିନତି କରି ନିଜର ଦୁର୍ଭାଗ୍ୟ ସଜାଡ଼ିବାର ପ୍ରଯତ୍ନ କରେ ମଣିଷ, ସେହି ଦେବଦେବୀମାନେ ମଧ୍ୟ ନିଜର ଭିଟାମାଟି ସମ୍ଭାଳି ପାରି ନାହାନ୍ତି । ଯୋଉଠି ଘର ଓ ଚଉତରା ଥିଲା ସେଇଠି ଏବେ ଟୁବି ଗାଡ଼ିଆ, ଯୋଉଠି ଖଳା ଥିଲା ସେଇଠି ବଡ଼ ପୋଖରୀ । ଗାଁ ଦାଣ୍ଡ ପାଲଟି ଯାଇଛି ଗୋଟେ ଓସାରିଆ ଝରଣା ।

: ବନ୍ଧ ଭାଙ୍ଗିବା ବେଳକୁ ସେଠି ସରକାରୀ ଅଫିସର କେହି ଥିଲେ? –ଶ୍ରାବଣୀ ଗ୍ରାମବାସୀଙ୍କୁ ପଚାରିଲା ।

ଲୋକଟି ରିଲିଫ କ୍ୟାମ୍ପ୍‌ରୁ ଫେରୁଥିଲା । ଗୋଟିଏ ହାତରେ ଝୁଲାମୁଣାଟିଏ । କହିଲା, “ଥିଲେ ମା’ । ଜଣେ ସାନ ବାବୁ ଥିଲେ । ତାଙ୍କୁ ତ ଆମର ବେଶି ଡର । କାଳେ ଯଦି ପାରା ପକେଇ ଦେଇଥାନ୍ତେ ।’’

: ପାରା ? –ଶ୍ରାବଣୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

: ପାରଦ । –ଶାନ୍ତନୁ ବୁଝେଇଦେଲା । ଗ୍ରାମବାସୀଙ୍କର ଅଭିଯୋଗ ଯେ କେହି ଜଣେ ଏଠି ପାରଦ ପକେଇ ଦେଇଥିବାରୁ ଘାଇ ଭାଙ୍ଗିଗଲା । ପାରଦ କାଚ ଛଡ଼ା ଆଉ କୋଉଥିରେ ରହିପାରେ ନାହିଁ । ଯେମିତି ହେଉ ସେ ବାହାରିଯାଏ । ବନ୍ଧ ଏପଟେ ପକେଇଦେଲେ ପାରଦ ବନ୍ଧ ଫୁଟେଇ ଘଳିଆ କରିଦେବ । ଥରେ ଘଳିଆ ହୋଇଗଲେ ଆସ୍ତେ ଆସ୍ତେ ଟାଣ ବନ୍ଧ ଭାଙ୍ଗିଯାଏ ।

: ଓ-ହୋ । ଶ୍ରାବଣୀ ବିକଳ ଦୃଷ୍ଟିରେ ଥରେ ସେ ଲୋକଟିକୁ ଓ ଥରେ ଶାନ୍ତନୁକୁ ଚାହିଁଲା । ଏମିତି କ’ଣ ହୁଏ ?

: ନ ହୋଇପାରେ । କିନ୍ତୁ କଟକ ସହରକୁ ବଞ୍ଚେଇବା ପାଇଁ ସର୍କାର କ’ଣ ଅତୀତରେ ଦଳେଇଘାଇ ଭାଙ୍ଗି ନାହାନ୍ତି ମା’ ?

ପ୍ରଶ୍ନଟିଏ ସେମାନଙ୍କ ଆଡ଼କୁ ଫିଙ୍ଗିଦେଇ ଲୋକଟି ତା’ ନିଜ ବାଟରେ ଚାଲିଗଲା । ଭାଙ୍ଗିରୁଜି ଯାଇଥିବା ଘରମାନଙ୍କର ଭଗ୍ନାବଶେଷ ଉପରେ ଚାଲୁ ଚାଲୁ ସେମାନେ କ୍ଷୟକ୍ଷତିର ପରିମାଣ ଓ ଦୁର୍ଭାଗ୍ୟର ଓଜନ କଳିବାକୁ ଚେଷ୍ଟା କରୁଥିଲେ । କିଛି ସମୟ ଆଗରୁ ଶାନ୍ତନୁ ପ୍ରତି କଟୁ ମନ୍ତବ୍ୟଟିଏ ଦେଇଥିବାରୁ ଶ୍ରାବଣୀ ଏବେ ମନ ଭିତରେ ଦୁଃଖ ଅନୁଭବ କରୁଥିଲା । ଯାହା କହିଲେ ମଧ୍ୟ ଶାନ୍ତନୁର ସାହସ, ନିରପେକ୍ଷତାକୁ ଶତ୍ରୁ ସୁଦ୍ଧା ଉପେକ୍ଷା କରିପାରିବ ନାହିଁ । ସାନ କଥାଟେ ପାଇଁ ତାଙ୍କୁ ଏଭଳି ଆଘାତ ଦେବା ଠିକ୍ ହେଲା ନାହିଁ ।

ଆଗେ ଆଗେ ଶାନ୍ତନୁ ଚାଲୁଥିଲା, ଦୁଇ ପାଦରେ କାଦୁଅ ଭିତରୁ କ’ଣ ଯେମିତି ଅଣ୍ଡାଳି ଅଣ୍ଡାଳି । ଆଖିରେ ଚଷମା, ଫ୍ରେଞ୍ଚକଟ୍ ଦାଢ଼ି, ଚନ୍ଦା ମୁଣ୍ଡ । ସବୁବେଳେ ଗମ୍ଭୀର ରହିବା ଶାନ୍ତନୁର ଅଭ୍ୟାସ । ନିଜ ଦୁଃଖ ବିଷୟରେ କେବେ କିଛି କହେ ନାହିଁ ଲୋକଟି ।

ସାମ୍ବାଦିକତାକୁ ପଶିବା ପରେ ଶ୍ରାବଣୀ ଅନୁଭବ କରିଛି, ଦୂରରୁ ଥାଇ ସେ ଏହି ବୃତ୍ତିକୁ ଯେମିତି ଭାବୁଥିଲା ପ୍ରକୃତରେ ସେମିତି ନୁହେଁ । ଏଠି ମଧ୍ୟ ବେଳେ ବେଳେ ନିର୍ଭୀକତା, ନିରପେକ୍ଷତା ଓ ତଥ୍ୟନିଷ୍ଠତାକୁ ସମର୍ପଣ କରିଦିଆଯାଏ । ତା’ ସତ୍ତ୍ୱେ କିଛି ଗୋଟେ କରିପାରିବାର ଜିଦ୍ ତାକୁ ସାହସ ଦିଏ । ନିଜ କଲମ ଓ କ୍ୟାମେରା ଉପରେ ଭରସା ରଖେ ।

ଖସ୍ କରି କ’ଣ ଶବ୍ଦଟାଏ ହେଲା । ଶାନ୍ତନୁ କେତେ ପାହୁଣ୍ଡ ପଛରେ ଆସୁଥିଲା । ଶବ୍ଦ ଶୁଣି ଶ୍ରାବଣୀ ଡରିଯାଇ ଦୁଇ ପାଦ ଘୁଞ୍ଚିଆସିଲା ।

: କୁକୁର ? –ଶାନ୍ତନୁ ପଚାରିଲା ।

: ଜାଣେନି । –ଶ୍ରାବଣୀ ଉତ୍ତର ଦେଲା ।

: ବିଲୁଆଟାଏ ହୋଇଥିବ ।

ଅପରାହ୍‌ଣର ପବନ ବାଜି କୁଡ଼ିଆ ଗୁଡ଼ିକର ତାର୍ପଲିନ ଛାତ ଫଡ୍‌ଫଡ୍ ହେଉଥିଲା । ବିଲୁଆଖାଇଆଡ଼ୁ ବୋହି ଆସୁଥିଲା ଶ୍ରାବଣର ଓଦା ପବନ । ଇଏ ଶ୍ରାବଣର ପ୍ରଥମ ପକ୍ଷ । ଆଗକୁ ଆହୁରି ଭାଦ୍ର ଓ ଆଶ୍ୱିନ ଅଛି । ଏତେଦିନ ଯାଏ ଲୋକମାନେ କିଭଳି ଏହି ଖରା ବର୍ଷାରେ ବିଲୁଆ କୁକୁର ଓ ସାପ ବିଛାଙ୍କ ମେଳରେ ପଡ଼ିରହିବେ ?

ଗୋଟେ ତାର୍ପଲିନ ଚାଳିଆ ଭିତରୁ ଝିଅଟିଏର ଚାପା ହସ ଶୁଭୁଥିଲା । ତା’ ପାଖାପାଖି ଫୁଙ୍ଗୁଳା ଦେହରେ ଯୁବକଟିଏ ଭିତରେ ବସିଛି । ଶ୍ରାବଣୀ ପଛେଇଗଲା । ତା’ର ଅନୂଢ଼ା ଦେହ ଉପରେ ଯେମିତି ଶୀତଳ ସାପଟେ ତିନି ପ୍ରସ୍ତ ହୋଇ ଗୁଡ଼େଇ ଯାଇଥିଲା । ସେ ପଢ଼ିଥିଲା, ବିପର୍ଯ୍ୟୟରେ ପଡ଼ିଥିବା ପୁରୁଷ ଓ ନାରୀଙ୍କ ଭିତରେ ଦେହ ଓ ପେଟ ଉଭୟର କ୍ଷୁଧା କୁଆଡ଼େ ବଢ଼ିଯାଏ ।

କିନ୍ତୁ ମୃତ୍ୟୁକୁ ପିଠିକରି ହସିବାର ସାହସ ମଣିଷ ସଞ୍ଚୟ କରେ କିପରି ? ଶ୍ରାବଣୀ ଲାଜେଇଗଲା । ଶାନ୍ତନୁଠୁଁ ଟିକେ ଦୂରଛଡ଼ା ହୋଇ ଚାଲିଲା ସେ ।

 

ଘଡ଼ିମୂଳର ଦିନମାନ ସଂକ୍ଷିପ୍ତ ଓ ରାତି ସୁଦୀର୍ଘ । ଜମି ଉଜୁଡ଼ି ଯାଇଛି । ଘରବାଡ଼ି ପୋତି ହୋଇ ପଡ଼ିଛି ସାତ ଫୁଟ ବାଲିତଳେ । ବଗିଚାରୁ ପୋଛି ହୋଇଯାଇଛି ଫଳ ଫୁଲଙ୍କ ଭିଡ଼-। ଚାରିପଟେ ଦୀର୍ଘଶ୍ୱାସ ଓ ଅସହାୟତା । ଘାସପତ୍ରଟେ ବି ଦିଶୁନି ନଈବନ୍ଧ ଛଡ଼ା ଆଉ କେଉଁଠି । ଏମାନଙ୍କ ପାଖେ ରିଲିଫ ପହଞ୍ଚୁଥିବ ? ଶ୍ରାବଣୀ ପଚାରିଲା ।

 

: ହୁଏତ । କିନ୍ତୁ ରିଲିଫ ଉପରେ ନିର୍ଭର କରି କ’ଣ ମଣିଷ ବଞ୍ଚିପାରେ ? କୁଳ ଭୁଆସୁଣୀ, କତରାଲଗା ବୁଢ଼ୀ କେମିତି ଯିବେ ରିଲିଫ କ୍ୟାମ୍ପ୍‌କୁ ? ପୁଣି ପୁଳାଏ ଚାଉଳ କି ଚୁଡ଼ା ପାଇଁ କାନି ପତେଇବାର ସାହସ ସଂଗ୍ରହ କରିବା ଢେର୍ କଷ୍ଟ । ସମସ୍ତେ ପାରନ୍ତି ନାହିଁ ।

 

: ମୁଁ ଲେଖିବି । ସରକାରଙ୍କ ଉଦାସୀନତା ଯୋଗୁ ଏଭଳି ଏକ ବିପର୍ଯ୍ୟୟ ହେଲା । ଏଇଟା ମନୁଷ୍ୟକୃତ ବିପର୍ଯ୍ୟୟ । ବିଧାନସଭାରେ ଗୋଟାଏ ଝଡ଼ ନିଶ୍ଚୟ ସୃଷ୍ଟି ହେବ ।

 

ଦିନେ ଶାନ୍ତନୁର ବି ଏମିତି ଦମ୍ଭ ଥିଲା । ଆଜି ରିପୋର୍ଟ ଲେଖିଦେଲେ କାଲିକି ପୃଥିବୀ ବଦଳିଯିବ ବୋଲି ଧାରଣା ଥିଲା । କିନ୍ତୁ ସେ ଧାରଣ ଆଜି ନାହିଁ । ଶ୍ରାବଣୀ ନୂଆ ନୂଆ ଚାକିରିରେ ପଶିଛି । ତାକୁ ଦୋଷ ଦେଇ ଲାଭ ନାହିଁ । ନିଜ ଉପରେ ମାତ୍ରାଧିକ ବିଶ୍ୱାସ ରହିବା ସ୍ୱାଭାବିକ ।

 

ଶାନ୍ତନୁ ପାଦରେ ଗୁଡ଼େଇ ହୋଇ ଯାଇଥିଲା ଖଣ୍ଡେ ଛିଣ୍ଡା ଜାଲର ଟୁକୁଡ଼ା । ସେ ପାଣି କାଦୁଅ ଭିତରୁ ସେ ଛିଣ୍ଡା ଜାଲ ଟୁକୁଡ଼ାକୁ ଉଠେଇ ଆଣିଲା । ଶ୍ରାବଣୀ ସାମ୍ନାରେ ସେଇଟା ତୋଳିଧରି ପଚାରିଲା, “ଏଇଟା କ’ଣ କହିପାରିବ ?”

 

ଜାଲ ସୂତାରୁ ଗୋଳିଆ ପାଣିର ଦି’ଟୋପା ପଡ଼ିସାରିଥିଲା ଶ୍ରାବଣୀ ପୋଷାକ ଉପରେ-। ସେ କହିଲା, “କ’ଣ ?”

 

: ଜାଲ । –ଶାନ୍ତନୁ କହିଲା ଓ ଆଗେ ଆଗେ ଚାଲିବାକୁ ଲାଗିଲା । ଶ୍ରାବଣୀ ଆସୁଥିଲା ପଛେ ପଛେ । ତା’ପରେ ସେ କହିଲା, “ତମେ ସହରୀ ମଣିଷ । ଜାଣିପାରିବ ନାହିଁ ।”

 

ଶାନ୍ତନୁ ଆଖିଆଗରେ ଗୋଟିଏ ପରିଚିତ ଦୃଶ୍ୟ ଭାସି ଉଠୁଥିଲା । ଚାରିଆଡ଼େ ପାଣି ଆଉ ପାଣି । ସେଇ ପାଣି ତଳୁ ମୁଣ୍ଡ ଟେକୁଥିଲା ଗୋଟିଏ ଶାଗୁଆ ଚିତ୍ର । ସେଇ ଚିତ୍ରରେ ଥିଲା ଗୋଟିଏ ଗାଁ । ଗାଁ ମୁଣ୍ଡ ଦେଇ ବୋହୁଥିଲା ଗୋଟେ ନଈ । ନଈପଠାରେ ଖେଳନ୍ତି ସାନ ସାନ ପିଲା, ସେଇଠି ଚରନ୍ତି ଗାଁ ଗୋଟାକର ଗାଈ ବଳଦ ଛେଳି ମେଣ୍ଢା । ସେପଟେ ମହାଦେବ ମନ୍ଦିର, ଏ ମୁଣ୍ଡରେ ଠାକୁରାଣୀ ମଣ୍ଡପ ।

 

ସେହି ଗାଁର ଗୋଟାଏ ପରିବାରରେ ଥିଲେ ବାପଟିଏ, ମାଆଟିଏ ଓ ତାଙ୍କର ସାନପୁଅଟିଏ । ସାନପୁଅଟି ଥିଲା ଖୁବ୍ ଜିଦଖୋର । ସବୁବେଳେ ତା’ର ଲୋଡ଼ା ପଡ଼ୁଥିଲା ନୂଆ ଖେଳଣା, ନୂଆ ପୋଷାକ । ମିଳିଗଲେ ହସୁଥିଲା, ନ ମିଳିଲେ କାନ୍ଦିକଚାଡ଼ି ହୋଇ ଭୂଇଁରେ ଲୋଟୁଥିଲା ।

 

ଏମିତି ବିତୁଥିଲା ଦିନ । ସାନପିଲାଟି ବଡ଼ ହେଉଥିଲା । ବାପା କହୁଥିଲେ ତାଙ୍କ ପୁଅ ବଡ଼ହେଲେ ହାକିମ ହେବ । ମା’ କହୁଥିଲା ବାହା ହୋଇ ସେ ଆଣିବ ସୁନାନାକୀ ବୋହୂ ।

 

ହଠାତ୍ ଦିନେ ସବୁ ବଦଳିଗଲା । ବାପା ଫେରିଲେ ଗୁମ୍‌ସୁମ୍ ହୋଇ ଘରକୁ । ବୋଉ କ’ଣ କହିଲା । ଦିହେଁ ଏକାଠି ଢେର୍ ରାତିଯାଏ ତୁନି ତୁନି କଥାଭାଷା ହେଲେ । ଦିହେଁ କାନ୍ଦିଲେ । ଘରୁ ବାହାରି ଆସି ଅଗଣାରେ ଠିଆହୋଇ ଉପର ଆକାଶକୁ ଚାହିଁଲେ । ଆକାଶରେ ମିଟିମିଟି ହେଉଥିବା ତାରାମାନଙ୍କୁ ନିଜ ମନକଥା ଶୁଣାଇଲେ ।

 

ସାନ ପିଲାଟିର ଜୀବନ ବଦଳିଗଲା ତା’ପରେ ।

 

ବଦଳିଗଲା ସେଇ ଶାଗୁଆ ରଙ୍ଗ ଗାଁର ଚିତ୍ର ଓ ଚେହେରା ।

 

ତଳମୁଣ୍ଡରେ ବନ୍ଧା ହେଲା ପଥର ବନ୍ଧ । ତିଆରି ହେଲା ଜଳଭଣ୍ଡାର । ଆହୁରି କେତେ ଗାଁ ସାଙ୍ଗରେ ସାନପିଲାଟିର ଶାଗୁଆ ଗାଁଟି ବି ବୁଡ଼ିଗଲା । ପାଣି ତଳେ ନିଶ୍ଚିହ୍ନ ହୋଇଗଲା ଉଚ୍ଚା ମହାଦେବ ମନ୍ଦିରର ତ୍ରିଶୂଳ । ହଜିଗଲା ଖେଳପଡ଼ିଆ, ମଠ ଓ ଠାକୁରାଣୀ ମଣ୍ଡପ ।

 

ଟିଣ ଟ୍ରଙ୍କ, ବଡ଼ ବଡ଼ ଗଣ୍ଠିଲି ଓ ଝୁଲାମୁଣା ଦୁଇଟା ଧରି ବାପା ବୋଉ ବାହାରିପଡ଼ିଲେ ଘରୁ । ସାନପିଲାଟି କିଛି ନ ବୁଝି ନ ସୁଝି ଚାଲିଥିଲା ତାଙ୍କ ପଛେ ପଛେ । ସେମାନେ ଉଦ୍‌ବାସ୍ତୁ ହୋଇଯାଇଥିଲେ । ତାଙ୍କର ଗାଁ ଓ ଘର ପାଣି ଭିତରେ ହଜିଯାଇଥିଲା ।

 

ଏବେ ଶାନ୍ତନୁ ବେଳେବେଳେ ଏମିତି ସ୍ୱପ୍ନ ଦେଖେ । ରାତିଅଧରେ ଭୟପାଇ ଉଠିବସେ । ତାକୁ ଲାଗେ ଚାରିପଟୁ ମାଡ଼ି ଆସୁଛି ବନ୍ୟା । ହୁଏତ ତାକୁ ଭସେଇ ନେବ । ସେ ଉଠିପଡ଼ି ଖଟ ଉପରେ ବସିରହେ । ଥଣ୍ଡା ପାଣି କି ଗ୍ଲାସ୍ ପିଏ । ଦେହରୁ ଭୟ ଓ ଉତ୍ତେଜନାର ଝାଳ ବୋହିଯାଏ ।

 

ଆଉ ଆଗରେ ନାଚିଯାଏ ସେହି ଗାଁର ଚିତ୍ର । ତା’ର ଉଚ୍ଚା ଓ ଶ୍ୟାମଳ ଦିଗ୍‌ବଳୟ । ତା’ର ଶୈଶବ ଓ କୈଶୋର । ଏବେ ବି ସେ ଠିକ୍ ଠିକ୍ ମନେପକେଇ ପାରେ ଚନ୍ଦ୍ରଶେଖର ମହାଦେବ ମନ୍ଦିର ବେଢ଼ାର ସେ ବଉଳଗଛଟି କୋଉଠି ଥିଲା, କୋଉଠି ପଡ଼ିଯାଇ ପ୍ରଥମେ ଖଣ୍ଡିଆ ହୋଇଥିଲା ତା’ ଆଣ୍ଠୁ ଓ କୋଉଠି ତା’ ବାପା ବସି ସଞ୍ଜବୁଡ଼େ ଭାଗବତ ବୋଲୁଥିଲେ । ଇଚ୍ଛାହୁଏ ତା’ ଗାଁ ଉପରୁ ପାଣିର କମ୍ବଳଟାକୁ ଭିଡ଼ିଓଟାରି ବାହାର କରିଦେବ । ଦେଖିବ ସେମାନେ କ’ଣ ଠିକ୍ ଠିକ୍ ଅଛନ୍ତି ଏବେ ବି ?

 

ଶ୍ରାବଣୀ ପଛେ ପଛେ ଆସୁଥିଲା । ସେ କହୁଥିଲା ପ୍ରଥମେ ଏ ଗାଁ ଲୋକଙ୍କୁ ଅନ୍ୟ କୋଉଠିକୁ ଉଠେଇ ନେଇଯିବା ଦରକାର । କେତେଜଣ ଯୁବକଙ୍କ ସାଙ୍ଗରେ ସେ କଥାବାର୍ତ୍ତା କରିଥିଲା । ସେମାନେ ଏଠୁ ପଳେଇ ଯିବା ପାଇଁ ରାଜି । ଥରେ ଯେତେବେଳେ ବନ୍ଧ ଏଠୁ ଭାଙ୍ଗିଲାଣି, ଏହା ଉପରେ ଆଉ କୋଉ ଭରସା ? ପୁଣି ଭାଙ୍ଗିଯାଇପାରେ ।

 

ଶାନ୍ତନୁ ନିରବ ରହିଥିଲା । ସମୟ ଦେଖି ଶ୍ରାବଣୀ କହିଲା, “ତୁମକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା । କିଛି ଖରାପ ଭାବିବ ନାହିଁ ।”

 

ଶାନ୍ତନୁ ହସିଲା । ମୁହଁ ଅନ୍ଧାର ଭିତରେ ବି ତା’ର ହସ ଦେଖିପାରିଲା ଶ୍ରାବଣୀ । କହିଲା, “ଯୋଉଠି ପ୍ରେସ୍ କନ୍‌ଫରେନ୍‌ସକୁ ଗଲେ କି ନ ଗଲେ ମଧ୍ୟ କ’ଣ ଛପାଯିବ ତାହା ଆଗରୁ ସ୍ଥିର ହୋଇସାରିଥାଏ, ସେଠି ଅଯଥା ପରିଶ୍ରମ କରି ଲାଭ ନାହିଁ ଶ୍ରାବଣୀ । ତୁମେ ଯାହା ବିରୋଧରେ ଲେଖୁଛ ଓ ଯାହା ତରଫରୁ ଲେଖୁଛ, ମୋର ମନେହୁଏ ସେମାନେ ସମସ୍ତେ ଗୋଟିଏ ପକ୍ଷ ।”

 

“ଶ୍ରାବଣୀ, ବନ୍ୟା ମରୁଡ଼ି ନ ଆସିଲେ ଏ ଦେଶର ରାଜନୀତି ପଙ୍ଗୁ, ଅଥର୍ବ ହୋଇପଡ଼ିବ-। ମନ୍ତ୍ରୀ, ବିଧାୟକ ତିଆରି ହୋଇପାରିବେ ନାହିଁ । ରିଲିଫ ପାଇଁ ଦାବି ନ ଜଣାଇଲେ ସେମାନଙ୍କ ନେତୃତ୍ୱ ଦେବାଳିଆ ହୋଇପଡ଼ିବ । ରିଲିଫ ନ ଦେଲେ ସମାଜସେବୀ ସଂସ୍ଥା ଓ ବ୍ୟକ୍ତିଙ୍କ ପତିଆରା ଖସିପଡ଼ିବ । ଏହାପରେ ହୁଏତ ଆଉ ଗୋଟେ ବନ୍ୟା ଆସିବ । ଲୋକେ ଘଡ଼ିମୂଳକୁ ଭୁଲିଯିବେ । ଲୋକେ ହୀରାକୁଦ, ରେଙ୍ଗାଲି ଉଦ୍‌ବାସ୍ତୁଙ୍କ କଥା ତ ଭୁଲିଯାଇଛନ୍ତି । ଲୋକମାନେ ପ୍ରକୃତରେ କିଛି ମନେ ରଖନ୍ତି ନାହିଁ ।

 

: ତା’ହେଲେ? ଆମେ କ’ଣ କିଛି ଲେଖିବା ନାହିଁ?

 

: ନ ଲେଖିବାକୁ ମୁଁ କହିନାହିଁ । କିନ୍ତୁ ଆମେ ଲେଖିବା ନ ଲେଖିବା ନେଇ ବେଶି କିଛି ଫରକ ପଡ଼ିବ ନାହିଁ ।

 

: ତମେ ବଡ଼ ସିନିକ୍ ।

 

ଶାନ୍ତନୁ ହସିଲା । ମୁଁ ସିନିକ୍ ନୁହେଁ । କିନ୍ତୁ ଏ ବ୍ୟବସ୍ଥା ଉପରେ ମୋର ଭରସା ନାହିଁ । ତମର ଶୈଶବ ଯଦି ମୋ ପରି ବିତିଥାଆନ୍ତା ଶରଣାର୍ଥୀ ହୋଇ, ତମର ବି ଭରସା ନ ଥାନ୍ତା । କିନ୍ତୁ ମୁଁ ଆଉ ଗୋଟିଏ କଥା ଉପରେ ବିଶ୍ୱାସ କରେ । ସେଇଟା ହେଲା ମଣିଷର ନିଜର ଆତ୍ମବିଶ୍ୱାସ ।

 

ଏବେ ସେମାନଙ୍କର ଫେରିବାର ବେଳ । ବନ୍ୟାଦୁର୍ଗତିଙ୍କ ଷ୍ଟେଟ୍‌ମେଣ୍ଟ୍ ରେକର୍ଡ଼ କରାଯାଇଛି । ଫଟୋ ଅଛି କ୍ୟାମେରା ଭିତରେ, ଅନୁଭବ ଛାତି ଭିତରେ । ପ୍ରଥମ ପୃଷ୍ଠା ପାଇଁ ଦି’ଦିନର ଗରମାଗରମ କାହାଣୀ । ଘଡ଼ିମୂଳ ବନ୍ୟା ମନୁଷ୍ୟକୃତ । ସରକାରୀ ରିଲିଫରେ ଅବହେଳା, ପ୍ରିୟାପ୍ରୀତି ତୋଷଣ । ଖୁବ୍ ଆଲୋଚିତ ହେବ ସେମାନଙ୍କର କାହାଣୀ । ଭୁବନେଶ୍ୱରର ଫୋନ୍‌ମାନେ କିଛି ସମୟ ପାଇଁ ଚଞ୍ଚଳ ହୋଇପଡ଼ିବେ ।

 

ହଠାତ୍ ଶାନ୍ତନୁ ଅଟକିଗଲା । ପାଦେ ପଛକୁ ଫେରିଆସି କ’ଣ ଗୋଟେ ଅଦ୍ଭୁତ ଜିନିଷ ଦେଖିବା ପରି ଶ୍ରାବଣୀକୁ ଡାକିଲା, “ଶ୍ରାବଣୀ ଆସ, ଦେଖିବ ଆସ । ମୁଁ ତମକୁ ଏଇଆ ଦେଖାଇବାକୁ ଚାହୁଁଥିଲି ।”

 

ପଥକ୍ଳାନ୍ତି ଶ୍ରାବଣୀକୁ ଉଦାସୀନ କରି ଦେଇଥିଲା । ସେ ପଛକୁ ଫେରି କହିଲା, “କାହିଁ-? କ’ଣ ?”

 

ଘଡ଼ିମୂଳ ଗାଁର ଭଗ୍ନାବଶେଷ ଉପରେ, ଗୋଟିଏ କୋଣକୁ ମାଛି ଅନ୍ଧାର ଭିତରେ ବସିଛନ୍ତି ତିନି ଜଣ । ଜଣେ ପୁରୁଷ, ଜଣେ ସ୍ତ୍ରୀ ଓ ଆଉ ଗୋଟେ ସାନ ପିଲା । ପୁରୁଷ ଲୋକଟି କାଦୁଆ ଡିହ ଉପରେ ବୁଲୁଛି ଓ ସ୍ତ୍ରୀଟି ମୁଣ୍ଡରେ ହାତ ଦେଇ ବସିଛି । ସାନପିଲାଟି କିନ୍ତୁ ବାପା ଓ ମା’ଙ୍କୁ ପିଠି କରି କାଦୁଅ ପାଣିରେ କ’ଣ ଗୋଟେ ତିଆରି କରୁଛି, ବୋଧହୁଏ ଖେଳଘର ।

 

ଶାନ୍ତନୁ ପଚାରିଲା, “ଦେଖିଲ ?”

 

ଶ୍ରାବଣୀ ନିରୁତ୍ତର ରହିଲା । ସେ ଶାନ୍ତନୁ କଥା ବୁଝିପାରୁ ନ ଥିଲା ।

 

ଯେଉଁମାନେ ତମକୁ କହୁଥିଲେ ଯେ ସେମାନେ ଏ ଜାଗାଛାଡ଼ି ଚାଲିଯିବେ ସେମାନେ ସତ କହୁ ନଥିଲେ । ସତ କହୁଛନ୍ତି ଏମାନେ । ଯୋଉମାନେ କାଦୁଅ ପାଣି ତଳେ ଖୋଜୁଛନ୍ତି ନିଜର ହଜିଯାଇଥିବା ଘରକରଣା । ମୁଁ ନିର୍ଦ୍ଦିଷ୍ଟ ଭାବେ କହିପାରେ, ସେଇ ଜାଗାଟାରେ ଥିଲା ଏମାନଙ୍କର ଘର, ତେର ତାରିଖ ପୂର୍ବରୁ ।

 

ଶ୍ରାବଣୀ ଚାହିଁଥିଲା । ପଛପଟେ ପଲିଥିନ୍ ପଲାମାନଙ୍କରୁ ଉଠୁଥିବା ଦୀର୍ଘଶ୍ୱାସ ଓ ଅସହାୟତାର କୋହ । ସାମ୍ନାରେ ବାଳୁତ ପିଲାଟିଏ କାଦୁଅ ପଙ୍କ ଭିତରେ ଗୋଳି ବାଟି ହୋଇ ଗଢ଼ୁଥିବା ଖେଳଘର ଓ ଅନ୍ଧାର ଭିତରେ ଲୁଚି ଲୁଚି ନିଜର ଘରକରଣାକୁ ଖୋଜୁଥିବା ପରିବାରଟିର ମୋହ । ଘଡ଼ିମୂଳ ପଲା ଭିତରୁ କାଁ ଭାଁ ଦିଶିଲାଣି ଲଣ୍ଠନ ଓ ଡିବିରି ଆଲୁଅ । ସେ ଗୋଟିଏ ଲମ୍ବା ଦୀର୍ଘଶ୍ୱାସ ନେଇ ଆଗକୁ ପାଦ ବଢ଼େଇଲା ।

 

“ଖୁବ୍ କଷ୍ଟ ଆପଣା ଭୂଇଁରୁ ଚେର ଉପାଡ଼ି ଚାଲିଯିବା । ଲକ୍ଷେ ବନ୍ୟା ବାତ୍ୟା ଆସିଲେ ବି ନିଜ ଗାଁ ଭୂଇଁର ମୋହ ଛାଡ଼ି ଯିବା କ’ଣ ସହଜ?” ଶାନ୍ତନୁ କହିଲା ।

 

ଶ୍ରାବଣୀ ମଧ୍ୟ ଅନୁଭବ କରୁଥିଲା, ମଣିଷକୁ ଉଦ୍‌ବାସ୍ତୁ କରିଦେବା ହୁଏତ ସହଜ । କିନ୍ତୁ ତା’ର ଆତ୍ମବିଶ୍ୱାସର ମୂଳଦୁଆକୁ ଦୋହଲେଇଦେବା ଈଶ୍ୱରଙ୍କ ପକ୍ଷେ ସୁଦ୍ଧା କଷ୍ଟକର ।

𗰵𗰵𗰵

 

ମାଟି କଣ୍ଢେଇ

ମୁଖା

 

ଅଳ୍ପ ଦୂରରେ ପୋଲିସ୍‌ ଷ୍ଟେସନ୍‌ ଦିଶୁଛି । ଆଉ ଶହେ ଦେଢ଼ ଶହ ହାତ ପରେ ଥାନାର ଫାଟକ । ଏଇଠୁ ସଫା ଦିଶୁଛି ଥାନା ସାମ୍ନାରେ ଢୁଳଉଥିବା କନେଷ୍ଟବଳର ଟୋପି । ତା’ ଗୋଡ଼ ପାଖେ ଘାଲଉଥିବା ଗୋଟେ ବୁଲା କୁକୁରର ଲାଳ ସରସର ଜିଭ ।

 

ଯୁବକଟିର କଚଟି ଉପରେ ବିକାଶର ହାତମୁଠା ଆଉ ଟିକେ ଦୃଢ଼ ହୋଇଗଲା । ସେ ଆଜି ନିଶ୍ଚୟ ଟୋକାଟାକୁ ପୁଲିସ ହାଜତରେ ପୂରେଇବ । ଦିନ ଦ୍ୱିପହରେ ପକେଟ୍‌ମାର !

 

ହାଣ ମୁହଁକୁ ଘୋଷରା ହେବା ପରି ଏତେକାଳ ଭିଡ଼ି ଓଟାରି ହୋଇ ଆସୁଥିବା ଯୁବକଟି ଏବେ ଟିକିଏ ଅଧିକ ବିବ୍ରତ ହୋଇପଡ଼ିଲା । ସେଇପରି ମୁଣ୍ଡ ଓହଳେଇ ଚାଲୁ ଚାଲୁ ସେ ବିକଳ ଓ ଦୟନୀୟ କଣ୍ଠରେ କହିଲା, “ମୋତେ ଛାଡ଼ିଦିଅ ଭାଇ, ଆଉ ଦିନେ ଏପରି କାମ କରିବି ନାହିଁ ।”

 

ଅନ୍ତତଃପକ୍ଷେ ଦଶଥର ସେଇ ଏକା କଥା କହିଲାଣି ଟୋକାଟି । ମାତ୍ର ଏମାନଙ୍କ କଥାକୁ କ’ଣ ବିଶ୍ୱାସ କରାଯାଇପାରେ ! ଏମାନେ ସମାଜର ଗୋଟେ ଗୋଟେ ନଷ୍ଟଗ୍ରହ, ଦୁଷ୍ଟବ୍ରଣ-। ଏମାନଙ୍କୁ ଛାଡ଼ିଦେବା ଅର୍ଥ ସମାଜର ଅଧୋପତନକୁ ଡାକି ଆଣିବା ।

 

ପ୍ରଥମେ ଟୋକାଟି ଗୋଟେ ପ୍ରଭାବଶାଳୀ ବାହାନା ବାହାର କରିଥିଲା । ପେସାଦାର ଅଭିନେତାସୁଲଭ ତା’ର ସେଇ ବାହାନା ଗୋଟେ ସମୟରେ ଭଲ ପ୍ରଭାବ ଦେଖେଇଥିଲା ବିକାଶର ମନ ଭିତରେ । ଟୋକାଟି ବିକଳ ଭଙ୍ଗୀରେ କହିଥିଲା, “ଖୁବ୍‌ ଗରିବ ମୁଁ ଭାଇ । ମୋତେ ଛାଡ଼ିଦିଅ । ଦି’ଦିନ ହେଲା ଖାଡ଼ା ଉପାସ ରହିଛି । ମରିଯିବି... ।”

 

ମାତ୍ର ସବୁ ଦରିଦ୍ର ଝିଅ ବେଶ୍ୟା କି ପୁଅ ପକେଟ୍‌ମାର ହେଇଯାଆନ୍ତି ନାହିଁ । କୌଣସି ଗୋଟେ ଲୋକପ୍ରିୟ ଔପନ୍ୟାସିକଙ୍କର ଏହି ଲାଇନ୍‌ଟା ଠିକ୍‌ ସେତିକିବେଳେ ବିକାଶର ମନେପଡ଼ିଯାଇଥିଲା ଓ ସେ ଟୋକାଟିର ଏ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା ।

 

ଏହା ପରଠାରୁ ନାନା ରକମର ବାହାନା । କେତେବେଳେ ବାପା ନାହିଁ ତ କେତେବେଳେ ବାପା ମାଆ ଉଭୟେ ନାହାନ୍ତି । କେତେବେଳେ ସେ ନିଜର ବେକାରି ଓ ଦାରିଦ୍ର୍ୟର ଅତିରଞ୍ଜିତ ବିବରଣୀ ପେସ୍‌ କରିଛି ତ କେତେବେଳେ ବଞ୍ଚିବା ପାଇଁ ଏପରି ବୃତ୍ତିକୁ ଗ୍ରହଣ କରିନେବାର ବାଧ୍ୟବାଧକତା କଥା କହିଛି ।

 

ମାତ୍ର ବିକାଶ ସେସବୁରୁ କୌଣସି ଗୋଟିକକୁ ମଧ୍ୟ ବିଶ୍ୱାସ କରିନାହିଁ, କରିବାକୁ ଚାହିଁନାହିଁ ।

 

ସିନେମା କାଉଣ୍ଟର ସାମ୍ନାରେ କୋଡ଼ିଏ ମିନିଟ୍‌ ଧରି ଅପେକ୍ଷା କରିଥିଲା ବିକାଶ, ଗୋଟାଏ ସଦ୍ୟ ମୁକ୍ତିପ୍ରାପ୍ତ ସିନେମା ଦେଖିବା ପାଇଁ । ସେଇ ଉତ୍ପୀଡ଼କ ଅପେକ୍ଷା ଶେଷରେ ଯେତେବେଳେ ସାମ୍ନାର କାଉଣ୍ଟରଟି ଖୋଲିଥିଲା, ବିକାଶ ସମେତ ତା’ ପଛକୁ ତା’ ପଛ ଲମ୍ବିଥିବା ସମଗ୍ର ଧାଡ଼ିଟି ଚଞ୍ଚଳ ହେଇପଡ଼ିଥିଲା । ଆଉ ଠିକ୍‌ ସେହି ସମୟରେ ଏ ଅର୍ବାଚୀନ ଯୁବକଟି ବିକାଶର ପଛ ପକେଟ୍‌ରୁ ପର୍ସଟା ଉଠେଇ ନେଇଥିଲା । ଶେଷ ମୁହୂର୍ତ୍ତରେ ହୁଏତ ପିଲାଟା ଖସିଯାଇଥାନ୍ତା; କିନ୍ତୁ ବିକାଶ ଧରିପକେଇଲା ତା’ର ବେକ ପଛପଟୁ । ଟୋକାଟି ସେତେବେଳେ ଭିତର ଟଙ୍କାଗୁଡ଼ା ବାହାର କରି ପର୍ସଟାକୁ ଫିଙ୍ଗି ଦେବାପାଇଁ ଯୋଜନା କରୁଥିଲା ହୁଏତ । ବିକାଶର ସିନେମା ଦେଖା ବନ୍ଦ । ଏବେ ସେ ପକେଟ୍‌ମାରକୁ ପୁଲିସ ହାଜତରେ ନ ପୂରେଇବା ଯାଏ ପଛକୁ ଫେରି ଚାହିଁବ ନାହିଁ ।

 

ଏପର୍ଯ୍ୟନ୍ତ ବିକାଶର ପର୍ସଟା ସେହି ଯୁବକ ପାଖରେ ଅଛି । ଚୋରିମାଲ୍‌ ସହ ଚୋରକୁ ପୁଲିସ ଜିମା କରିବ ବୋଲି ଜାଣି ଜାଣି ପର୍ସଟା ପକେଟମାର୍‌ ହାତରୁ ବିକାଶ ଆଣି ନାହିଁ ।

 

ସେମାନେ ଥାନା ସାମ୍ନାରେ ପହଞ୍ଚି ଯାଇଥିଲେ । ପିଲାଟି ଗୋଟିଏ ଜୋର୍‌ ଝୁଙ୍କରେ ବିକାଶ ହାତରୁ ମୁକୁଳି ପ୍ରଥମେ ତା’ର ଫୁର୍‌ଫୁର୍‌ ଉଡ଼ୁଥିବା ବାଳ ଓ ଜାମା କଲାର୍‌କୁ ସଜାଡ଼ିନେଲା-। ଅତ୍ୟନ୍ତ ବିଶ୍ୱସ୍ତ ଓ ବିନୀତ ଭଙ୍ଗୀରେ ସେ କହିଲା–

 

: ଦେଖ ଭାଇ, ଅନେକ ବେଳୁ ମୁଁ ବୁଝେଇଲିଣି । ଥରେ ଶୁଣନ୍ତୁ । ପ୍ଲିଜ୍‌, ଗୋଟିଏ ଥର ଶୁଣନ୍ତୁ । ତେଣିକି ଯାହା କରିବାର କରିବ, ମୋର କିଛି କହିବାର ନାହିଁ ।

 

ବିକାଶ ଟିକେ ଉଦାର ପାଲଟିଗଲା ଓ କହିଲା, “କୁହ, ତମର ଶେଷ ଇଚ୍ଛା ମୁଁ ପୂରଣ କଲି ।”

 

: ଆପଣ ମୋତେ ପୁଲିସ ଜିମାରେ ଦେବେ । କିନ୍ତୁ ଆପଣଙ୍କର ଲାଭ କ’ଣ ହେବ ? ପୁଲିସ ମୋତେ ପିଟିବ । ମୋଠୁଁ କିଛି ଟଙ୍କା ଝଡ଼େଇବ । ତମକୁ ସେଠି ପ୍ରମାଣ ଦେବାକୁ ହେବ ଯେ ପର୍ସଟା ତମର । ତା’ ନ ହେଲେ ନିଜର ପର୍ସ ବି ପାଇବ ନାହିଁ । ମୁଁ ତ ଆପଣଙ୍କ ପର୍ସ ଫେରେଇ ଦେଉଛି । ଆଉ ଦିନେ ଏପରି କରିବି ନାହିଁ ବୋଲି ଜବାବ ଦେଉଛି । ତା’ ବାଦେ ଯଦି ମୋତେ ମାଡ଼ ଖୁଆଇବାକୁ ଇଚ୍ଛା, ନିଜେ ଆଜ୍ଞା ବାଡ଼ାନ୍ତୁ । ଯେତେ ଇଚ୍ଛା ପିଟନ୍ତୁ । ପୁଲିସ ପାଖକୁ କିନ୍ତୁ ନିଅନ୍ତୁ ନାହିଁ । ପୁଲିସ ବାଡ଼େଇ ସାରିଲେ ଟଙ୍କା ମାଗିବ । ପିଠିରେ ସିନା ମାଡ଼ ଖାଇବି । ଟଙ୍କା ମୁଁ ଆଣିବି କୁଆଡ଼ୁ ?

 

ବିକାଶ ଟିକେ ରହିଗଲା । ଟୋକାଟି ମିଛ କହୁନାହିଁ । ପୁଲିସ ସମ୍ପର୍କରେ ସିଏ ବି ଏକାକଥା ଶୁଣେ । ପିଲାଟା ତ ପର୍ସ ଫେରେଇଦେଉଛି । ପୁଲିସରେ ଦେଲେ ଆଉ ଅଧିକ କ’ଣ ଲାଭ ହେବ ବିକାଶର ?

 

ମାତ୍ର ଏତେ ଶୀଘ୍ର ବିକାଶ କ୍ଷମାଶୀଳ ହେବାକୁ ଚାହୁଁ ନ ଥିଲା । ପକେଟମାର୍‌ର ହାତକୁ ସେ ଆଉ ଥରେ ଭିଡ଼ିଧରିଲା କୁକୁଡ଼ାର ବେକ ଭିଡ଼ି ଧରିବା ପରି ଓ ଆଗକୁ ପାହୁଣ୍ଡ ଉଠେଇଲା ।

 

ପିଲାଟି ଏଥର ବି ନିଜ ହାତକୁ ଖସେଇ ନେଲା ବିକାଶର ହାତମୁଠାରୁ ଓ ତା’ ପକେଟ୍‌ରୁ ଖଣ୍ଡିଏ ଲୋଚାକୋଚା ପଚାଶ ଟଙ୍କିଆ ନୋଟ୍‌ ବାହାର କଲା । ସେ ପଚାଶ ଟଙ୍କିଆ ନୋଟ୍‌ଟାକୁ ବିକାଶର ପର୍ସ ଭିତରେ ଥୋଇ ବଢ଼େଇଦେଲା ବିକାଶ ହାତକୁ ।

 

: ଏଇ ଜରିମାନା ନେଇ ମୋତେ ଛାଡ଼ିଦିଅନ୍ତୁ ଏଥର । ଆଜି ମୋର ଯୋଗ ଖରାପ । ମୁଁ ଘରକୁ ପଳେଇବି । ସକାଳୁ କିଛି ଖାଇନାହିଁ ଆଜ୍ଞା ।

 

ବିକାଶ ଟିକେ ଗୁମ୍‌ ହୋଇଗଲା । ତା’ ପର୍ସରେ ଥିଲା ମାତ୍ର କୋଡ଼ିଏ ଟଙ୍କା । ସେଥିରୁ ସକାଳେ ସିଗାରେଟ୍‌ ଓ ପାନ ଖାଇଥିଲା । ଏବେ ସେଥିରେ ପନ୍ଦର ଷୋଅଳ ଟଙ୍କାରୁ କଦାପି ବେଶୀ ନଥିବ । ଅଥଚ ଏ ପିଲାଟା ସେଥିରେ ଥୋଇସାରିଲାଣି ପୂରା ପଚାଶ ଟଙ୍କା !

 

ବିକାଶକୁ ସେହିପରି ନିଶ୍ଚଳ ଛିଡ଼ାହେବାର ଦେଖି ଟୋକାଟି ପୁଣି ଖଣ୍ଡିଏ କୋଡ଼ିଏ ଟଙ୍କିଆ ନୋଟ୍‌ ରଖିଲା ସେ ପର୍ସ ଭିତରେ । ଏଥର ସେ ଆଉ ଚଙ୍ଗଚଙ୍ଗ ହେଉ ନଥିଲା । ତେବେ ଯଥାଶୀଘ୍ର ଏଠୁ ଚାଲିଯିବାକୁ ସେ ଚାହୁଁଥିଲା ।

 

ବିକାଶ ଚଟ୍‌କରି ଟୋକାଟାର ହାତରୁ ପର୍ସଟିକୁ ନେଇ ଆସିଲା ଓ ନିଜ ପକେଟ୍‌ ଭିତରେ ରଖିଦେଲା । କାହିଁକି କେଜାଣି ଏବେ ତା’ ପର୍ସଟା ଅସମ୍ଭବ ଭାବେ ଓଜନିଆ ଲାଗୁଥିଲା ।

 

ପର୍ସଟାକୁ ପକେଟସ୍ଥ କରିବାର ପରମୁହୂର୍ତ୍ତରୁ ବିକାଶ ହଠାତ୍‌ ଚଞ୍ଚଳ ହୋଇପଡ଼ିଲା । ଏବେ ସେ ପକେଟ୍‌ମାରକୁ ପିଠିକରି ନିଜେ ଧାଉଁଥିଲା ଓ ଯେତେ ଶୀଘ୍ର ସମ୍ଭବ ଟୋକାଟାର ନଜର ବାହାରକୁ ଚାଲିଯିବା ପାଇଁ ଚାହୁଁଥିଲା । ତେବେ ବିକାଶ ଏତେ ଜୋର୍‌ରେ ଧାଉଁଥିଲା କାହିଁକି ? ସେକଥା ସେ ଅନେକ ଚେଷ୍ଟା କରି ମଧ୍ୟ ବୁଝିପାରୁ ନ ଥିଲା ।

 

କାହିଁ, ତାକୁ କେହି ପଛରୁ ଗୋଡ଼ଉ ନାହିଁ ତ ! ସେ ବୁଲିପଡ଼ି ଚାହିଁଲା । ପକେଟମାର୍‌ ପିଲାଟା ତା’ ଆଡ଼କୁ ଚାହିଁଚି । ସେ ଚଟ୍‌କରି ମୁହଁ ବୁଲେଇ ନେଇ ଜୋରରେ ଚାଲିବାକୁ ଲାଗିଲା ।

𗰵𗰵𗰵

 

ମେଢ଼

 

ସଂସ୍କୃତି-ଭବନ ଫାଟକ ଏପଟକୁ ଆସି ନବଘନ ଟିକେ ଅଣ୍ଟା ସଳଖିଲା । ଧୀରେ ଧୀରେ କୋଳାହଳ ନିରବି ଗଲାଣି । ସଞ୍ଜପ୍ରହରକୁ ଏଇଠି ଲୋକମାନେ ଥାଟପଟାଳି ଭାଙ୍ଗୁଥିଲେ-। ହାଉଯାଉ ଗାଡ଼ି, ମଟର, ସ୍କୁଟର ଓ ସାଇକେଲ୍‌ । ସଭିଏଁ ଚାଲିଗଲେଣି । ନବଘନ ରାସ୍ତା ଉପରେ ଶୂନ୍ୟକୁ ଦୁଇ ବାହା ଟେକି ଆଉ ଥରେ ଭିଡ଼ିମୋଡ଼ି ହେଲା । ପୁରୁଣା ସଫାରୀ ସୁଟ୍‌ଟା ବହୁତ ଟାଇଟ୍‌ ହେଉଛି । ଢେର୍‌ଦିନ ହୋଇଗଲାଣି ଏ ଖଣ୍ଡକର । ଅନେକଦିନ ହେଲା ସଫା ହେଇ ନ ଥିବା ପୋଷାକଟା ଝାଳଗନ୍ଧରେ ଫାଟି ପଡ଼ୁଥିଲା । ମଞ୍ଚ ଉପରେ ଅତର ଛିଞ୍ଚୁ ଛିଞ୍ଚୁ ସେଇ ରୁମ୍‌ ସ୍ପ୍ରେୟାରରୁ କିଛି ନିଜ ଦେହରେ ଢାଳି ହୋଇପଡ଼ିଥିଲା ବୋଲି ରକ୍ଷା ହେଇଛି । ସେଇ ବାସ୍ନାଟା ଏଯାଏ ହଟି ନାହିଁ । ନା, ଆଉ ହଳେ ପୋଷାକ କରିବାକୁ ପଡ଼ିବ ।

 

ନବଘନର ଏବେ ଲୋଡ଼ା ଥିଲା ଟିକିଏ ନିର୍ଜନତା । ସଂସ୍କୃତି-ଭବନର କର୍ମଚାରୀମାନେ ଏକକୁ ଆରେକ ବଳି । ମ୍ୟାନେଜରଙ୍କଠୁଁ ନେଇ ପିଅନ ପର୍ଯ୍ୟନ୍ତ ସମସ୍ତଙ୍କର ବଟି ଦରକାର । ସରକାରୀ ଦରମା ସେମାନଙ୍କୁ ପଇସା ପରି ଲାଗେ ନାହିଁ । ଲାଇଟ୍‌ବାଲା, ମାଇକ୍‌ ମିସ୍ତ୍ରି, ଝାଡ଼ୁଦାର ଏପରିକି ବନମାଳୀ ଜଗୁଆଳୀକୁ ଦଶ ଟଙ୍କା ନ ଦେଲେ ସେ ଆଗରୁ ଟିକିଏ ହଲ୍‌ ଭିତରେ ବ୍ୟାନର ଟଙ୍ଗେଇ ଦେବ ନାହିଁ । ଅତିଥିମାନଙ୍କୁ ଚା’ କପେ ଦେବା ପାଇଁ ରାଜି ହେବ ନାହିଁ । ନିହାତି ବାଧ୍ୟ କଲେ ପାଞ୍ଚ ଜଣକୁ ପାଞ୍ଚରକମର କପରେ ଚା’ ଦେବ । କାହାର ଡେମ୍ଫ ଭାଙ୍ଗିଯାଇଥିବ ତ କାହାର ଉପର ଛାଡ଼ିଯାଇଥିବ । ଏତେସବୁ ଜଞ୍ଜାଳକୁ କିଏ ଯାଏ ? ନବଘନ ସେଥିପାଇଁ ସମସ୍ତଙ୍କୁ ଫଳେପୁଷ୍ପେ ସନ୍ତୁଷ୍ଟ କରି ରଖିଥାଏ । ତା’ର ତ ଦିନେ ଅଧେକର କାମ ନୁହେଁ । ସବୁଦିନିଆ ସମ୍ପର୍କରେ ଶତ୍ରୁତା ସାଜେ ନାହିଁ ।

 

ଆଜିକାଲି ନବଘନର ଏ କାରବାରରେ ବେଶି ଲାଭ ହେଉ ନାହିଁ । ଚାରି ପାଞ୍ଚ ବର୍ଷ ତଳେ ‘ପ୍ରତିଭା-ପୂଜା’ର ଗୋଟେ ଗୋଟେ ଉତ୍ସବରେ ସବୁ ଖର୍ଚ୍ଚ ଯାଇ ରହୁଥିଲା ଟଙ୍କା ତିନି ଚାରି ହଜାର । ବର୍ଷରେ ଅନ୍ତତଃ ଚାରି ପାଞ୍ଚଟି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ‘ପ୍ରତିଭା-ପୂଜା’ ସଂସ୍ଥାଦ୍ୱାରା ସମ୍ମାନିତ କରିବାର ବ୍ୟବସ୍ଥା କରିଦେଲେ ନିଜର ଛୋଟ ପରିବାରଟି ପାଇଁ ତାକୁ କିଛି ଚିନ୍ତା କରିବାକୁ ପଡ଼ୁ ନ ଥିଲା । କିନ୍ତୁ ବର୍ତ୍ତମାନର ମହଙ୍ଗା ସମୟରେ ଛୋଟକାଟର ଉତ୍ସବଟିଏ ଯୋଗାଡ଼ କରିବାରେ ବି ଟଙ୍କା ପାଞ୍ଚ ହଜାର ଲାଗିଯାଉଛି । ସେଇ ହେତୁ ଏଣେ ନବଘନର ଲାଭର ପରିମାଣ କମି କମି ଆସୁଛି ।

 

ନବଘନ ପକେଟ୍‌ରୁ ଗୋଟେ ସିଗାରେଟ୍‌ ପ୍ୟାକେଟ୍‌ ବାହାର କଲା । ଦାମୀ ସିଗାରେଟ୍‌-। ଉତ୍ସବ ଦିନ ସେ ଶସ୍ତା ସିଗ୍ରେଟ୍‌ ଟାଣେ ନାହିଁ । ପୁଳାଏ ଧୂଆଁ ଆକାଶକୁ ଫିଙ୍ଗିଦେଲା-। କୃଷ୍ଣଚୂଡ଼ା ଗଛମୂଳେ ପସରା ମେଲିଥିବା ଚା’ ଦୋକାନୀକୁ ଗୋଟେ ସ୍ପେଶାଲ ଚା’ପାଇଁ ଅର୍ଡ଼ର ଦେଲା ଓ ମନେ ମନେ ଆଜିକା ଉତ୍ସବର ଲାଭକ୍ଷତି ହିସାବ ଫର୍ଦ୍ଦକୁ ଓଲଟେଇଲା-

 

ସହରର ବିଶିଷ୍ଟ ସମାଜସେବୀ କଳାକାର ମଦନରାୟ ଓ ଲାଲଚନ୍ଦ ଅଗ୍ରଓ୍ୱାଲାଙ୍କୁ ଆଜି ନବଘନଦ୍ୱାରା ପ୍ରତିଷ୍ଠିତ, ପରିଚାଳିତ ଓ ପରିବର୍ଦ୍ଧିତ, ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା-ପୂଜା’ ସ୍ୱତନ୍ତ୍ର ସମ୍ମାନରେ ଭୂଷିତ କରିଛି । ସଂସ୍କୃତି ମନ୍ତ୍ରୀ ମୁଖ୍ୟ ଅତିଥି ହୋଇଥିଲେ । କବିତା ଲେଖୁଥିବା ମନ୍ତ୍ରୀ ମଧ୍ୟ ଯାଇଥିଲେ ବିଶିଷ୍ଟ ଅତିଥି ହୋଇ । ନବଘନ ନିଜେ ବହୁ ପରିଶ୍ରମ କରି ଗୋଡ଼ିଗଦା ଭିତରୁ ଖୁଦ ସାଉଁଟିଲା ପରି କଳାକାର ମଦନରାୟ ଓ ଲାଲଚାନ୍ଦ ଅଗ୍ରଓ୍ୱାଲାଙ୍କ ସମ୍ପର୍କରେ କିଛି ତଥ୍ୟ ସଂଗ୍ରହ କରିଥିଲା ଓ ତାକୁ ଭିତ୍ତିକରି ନିଜ ଦ୍ୱାରା ପ୍ରସ୍ତୁତ ସୁଦୀର୍ଘ ସ୍ୱାଗତ ଭାଷଣ ପଢ଼ିଥିଲା । ଏହିପରି ଗୋଟେ ଗୋଟେ ମୁହୂର୍ତ୍ତ ନବଘନ ପାଇଁ ବହୁତ ମୂଲ୍ୟବାନ । ମଞ୍ଚଉପରୁ ଓହ୍ଲେଇଗଲେ କେହି ଚିହ୍ନନ୍ତି ନାହିଁ । ଏଠିକାର କାଇଦା ସହ ନବଘନ ଭଲ ଭାବେ ଦୋରସ୍ତ । ପ୍ରଥମରୁ କହିବାକୁ ହୁଏ, ମୁଁ ଆପଣଙ୍କର ମୂଲ୍ୟବାନ ସମୟ ନଷ୍ଟ କରିବାକୁ ଚାହେଁ ନାହିଁ-। ତା’ପରେ ଯେତେ ଦୀର୍ଘ ଇଚ୍ଛା ସେତେ ଦୀର୍ଘ ଭାଷଣ ଦିଆଯାଇପାରେ ।

 

ଉପାୟନ ଓ ପୁରସ୍କାର ସ୍ୱରୂପ ସମ୍ମାନିତ ଅତିଥି ଦ୍ୱୟଙ୍କୁ ମନ୍ତ୍ରୀଙ୍କ ଦ୍ୱାରା ଦଶ ଦଶ ହଜାର ଟଙ୍କାର ଚେକ୍‌, ଦାମୀ ଶାଲ ଓ ପ୍ରଶସ୍ତିପତ୍ର ଦିଆଗଲା । ଟିଭି ଓ ଫଟୋଗ୍ରାଫରଙ୍କ ଫ୍ଲାସ୍‌ଲାଇଟ୍‌ ସଂସ୍କୃତି ଭବନର ଉଜ୍ଜ୍ୱଳ ଆଲୋକ ଭିତରେ ଚକ୍‌ଚକ୍‌ କରୁଥିଲା । ମଞ୍ଚାସୀନ ମଣିଷମାନଙ୍କର ମୁହଁ ଦିଶୁଥିଲା ଆଳତି ମୁହୂର୍ତ୍ତରେ ଦେବୀ ମଣ୍ଡପର ବିଗ୍ରହମାନେ ଉଜ୍ଜ୍ୱଳି ଉଠିବା ପରି । ନବଘନ ମଞ୍ଚଉପରୁ ଥାଇ ଲକ୍ଷ୍ୟ କରିଥିଲା ଶ୍ରୋତାମାନଙ୍କ ମେଳଣକୁ । ରାଜ୍ୟର ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ଛାତ୍ର, ଅଭିଭାବକ ଓ ସାମ୍ବାଦିକଗଣ ବସିଥିଲେ । ଆଜିର ଉତ୍ସବରେ ବ୍ୟବସାୟୀମାନଙ୍କ ଅନୁପାତ ଟିକିଏ ଅଧିକା ହୋଇଯାଇଥିଲା । ସେଥିପାଇଁ ନବଘନ ଦାୟୀ ନୁହେଁ, ଦାୟୀ ମଦନରାୟଙ୍କ ଅପାରଗପଣିଆ । ଲାଲଚାନ୍ଦ ଅଗ୍ରଓ୍ୱାଲା ତ ତିନିଦିନ ଆଗରୁ ତାଙ୍କ କମ୍ପାନୀର ଲୋକ ସମ୍ପର୍କ ଅଧିକାରୀଙ୍କୁ ଦୁଇଟା ଗାଡ଼ି ସହ ପଠେଇ ଦେଇଥିଲେ । ତାଙ୍କ କପଡ଼ା କମ୍ପାନୀର ସବୁ ଏଜେଣ୍ଟ୍‌ ମଧ୍ୟ ଉପସ୍ଥିତ ଥିଲେ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ।

 

ନବଘନର ହିସାବରେ ଦୁଇ ଶହ ଟଙ୍କା କୁଆଡ଼େ ଖସିଯାଉଛି । କୁଆଡ଼େ ଯିବ ? ନବଘନର ଟିପାଖାତାରୁ ଗୋଟେ ଟଙ୍କା ବି କୁଆଡ଼େ ଯାଇପାରିବ ନାହିଁ । ଚା’ ଗିଲାସଟା ଦୋକାନୀର ବେଞ୍ଚ ଉପରେ ରଖିଦେଲା । ପକେଟ୍‌ରୁ ଟଙ୍କିକିଆ କଏନ୍‌ଟିଏ କାଢ଼ି ବଢ଼େଇଦେଲା ଦୋକାନୀର ହାତକୁ ଓ ଆଉ ଖଣ୍ଡେ ସିଗ୍ରେଟ୍‌ ଲଗାଇଲା । ଘରକୁ ଫେରିଯାଇ ହିସାବପତ୍ର କରିପାରନ୍ତା । କିନ୍ତୁ ଘରକୁ ଫେରିବାର ଇଚ୍ଛା ହୁଏ ନାହିଁ ନବଘନର । ଏଇ ମଞ୍ଚ, ସଭାସମିତି, ଲୋକଭିଡ଼, ରଜନୀଗନ୍ଧାର ବାସ୍ନା, ଟି.ଭି.ବାଲାଙ୍କ ଉଜ୍ଜ୍ୱଳ ଆଲୋକ, କ୍ୟାମେରାମ୍ୟାନ୍‌ଙ୍କ ଫ୍ଲାସ୍‌ଲାଇଟ୍‌, ମନ୍ତ୍ରୀଙ୍କ ସାନ୍ନିଧ୍ୟ, ମାଇକ୍ରୋଫୋନ୍‌ ସାମ୍ନାରେ ସେଇ କିଛି ମହାର୍ଘ ମୁହୂର୍ତ୍ତ, ଖବରକାଗଜ ଶିରୋନାମାରେ ‘ପ୍ରତିଭା-ପୂଜା’ର ଉଲ୍ଲେଖ, ଏସବୁ ମିଶିମାଶି ନବଘନର ଇଲାକା । ଏସବୁ ଅତିରିକ୍ତ ଗୋଟେ ଘର କି ଘରକରଣାର କଥା ନବଘନ ଚିନ୍ତା କରିପାରେ ନାହିଁ । ଅନେକଦିନୁ ଏହି ନିଶାଟା ତା’ର ପେସା ହୋଇ ସାରିଛି । ଘର ତା’ପାଇଁ ପାଞ୍ଚ ଛଅ ଘଣ୍ଟାର ଗୋଟେ ଧର୍ମଶାଳା–ଆଶ୍ରୟସ୍ଥଳ ।

 

ସଂସ୍କୃତି ଭବନର ଭଡ଼ା ବାବଦକୁ ତିନିଶହ ପଚସ୍ତରୀ ଟଙ୍କା, କସନ-ମନି ବାବଦକୁ ଆଉ ଶହେ, ଲାଇଟ୍‌, ମାଇକ୍‌ ଓ ଜେନେରେଟର ପାଇଁ ଆଠଶହ, ଫୁଲ, ଫାଇଲ, ଧୂପକାଠି, ଦୀପ, ଜଗନ୍ନାଥଙ୍କ ମୂର୍ତ୍ତି ପାଇଁ ଭଡ଼ା, ଡଟପେନ୍‌, ପ୍ୟାଡ୍‌, ମହମବତି, ବ୍ୟାନର୍‌, ଗେଟ୍‌ ଇତ୍ୟାଦି ବାବଦକୁ ତେର ଶହ ଟଙ୍କା ଯିବା ପରେ ଆଉରି ରହିବା କଥା ତେର ହଜାର ଚାରି ଶହ ଟଙ୍କା । ସ୍ମରଣିକା ବିଜ୍ଞାପନ ପଇସା ଅଲଗା । ସମ୍ମାନିତ ପ୍ରତିଭା ଦୁହେଁ ଅଗ୍ରିମ ପାଞ୍ଚହଜାର କରି ଦେଇସାରିଛନ୍ତି । କାଲିକି ଅବଶିଷ୍ଟ ଟଙ୍କା ଦେବେ । ସେମାନେ ଟଙ୍କା ଦେଲେ ଯାଇ ନବଘନ କମିଶନ କାଟିରଖି ବଳକା ଟଙ୍କା ବ୍ୟାଙ୍କରେ ଜମା କରିବ ।

 

ନବଘନ ନିଜର ଲୁନା ପାଖକୁ ଆସିଲା । ଆଉ ଥରେ ‘ସଂସ୍କୃତି ଭବନ’ ଭିତରକୁ ଚାହିଁଲା । ରାସ୍ତା ନିର୍ଜନ । ଅନ୍ଧାର ଭିତରେ ନିଃସଙ୍ଗ ଦିଶୁଛି ‘ପ୍ରତିଭା-ପୂଜା’ ତୋରଣ । କିଛି ସମୟ ପରେ ତୋରଣ ତିଆରି ସଂସ୍ଥା ଲୋକ ପଠେଇ ଏଇଟିକୁ ଭାଙ୍ଗିଭୁଙ୍ଗି ନେଇଯିବ । ପୁଣି ତିଆରି ହେବ ନୂଆ ଗୋଟେ ।

 

ସଂସ୍କୃତି ଭବନରେ ଉତ୍ସବ ଆୟୋଜନ ଆଜିକାଲି ଢେର୍‌ ମହଙ୍ଗା ହେଲାଣି । ପାର୍ଟିମାନଙ୍କଠାରୁ ଅଧିକ ଚାନ୍ଦା ସଂଗ୍ରହ ନ କଲେ ଏସବୁ ଉତ୍ସବ ଆୟୋଜନ କରିବା ସମ୍ଭବ ହେବ ନାହିଁ । ତା’ ନ ହେଲେ ସଂସ୍କୃତି ଭବନରେ ଉତ୍ସବଗୁଡ଼ିକ ଆୟୋଜନ ନ କରି ସହର ଉପକଣ୍ଠର ‘ସଞ୍ଜ ମଣ୍ଡପ’କୁ ଉଠେଇ ନେଲେ ଚଳନ୍ତା । କିନ୍ତୁ ସେଠାରେ ବେଶି ଲୋକ ହେବେ ନାହିଁ । ଯୋଗାଯୋଗ ବ୍ୟବସ୍ଥା ଭଲ ନୁହେଁ ସେପଟେ । ମାତ୍ର ନବଘନ ବା କ’ଣ କରିପାରିବ ? ଯେତିକି ଚୂନାକୁ ସେତିକି ପିଠା । ସେ ଦାୟିତ୍ୱ ସମ୍ମାନିତ ପ୍ରତିଭାଗଣ ନେବା ଉଚିତ ।

 

କିନ୍ତୁ ସହରରେ ଆଉ ଚାରି ଚାରିଟି ସମଧର୍ମୀ ଅନୁଷ୍ଠାନ ମୁଣ୍ଡଟେକି ଉଠିଥିବା କଥାଟା ମନକୁ ଆସିବାକ୍ଷଣି ନବଘନ ଭିତରେ ଭିତରେ ଦୁର୍ବଳ ହୋଇପଡ଼େ । ତା’ ବିରୋଧରେ ଗୋଟେ ଭୀଷଣ ଷଡ଼ଯନ୍ତ୍ର ଚାଲିଥିବା ପରି ମନେହୁଏ । ସେ ସଂସ୍ଥାଗୁଡ଼ିକର ଲେଟର-ପ୍ୟାଡ୍‌ ନବଘନ ଦେଖିଛି । ତାହା ‘ପ୍ରତିଭା-ପୂଜା’ର ଲେଟର ପ୍ୟାଡ୍‌ଠାରୁ ଊଣା ଦୀର୍ଘ କି ଦରିଦ୍ର ନୁହେଁ । ସେସବୁ ସଂସ୍ଥାରେ ମଧ୍ୟ ପୃଷ୍ଠପୋଷକ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କି ରାଜ୍ୟପାଳ, ଉପଦେଷ୍ଟା, ସଭାପତି, ଉପସଭାପତି ପରି ପଦପଦବିରେ ମନ୍ତ୍ରୀ ଓ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି । ସେମାନଙ୍କର ସାଧାରଣ ସମ୍ପାଦକମାନେ ନବଘନଠାରୁ ବେଶ୍‌ ସ୍ୱଚ୍ଛଳ ଓ ପ୍ରତିଷ୍ଠିତ । ଏପରି ଅବସ୍ଥାରେ ଲାଭ ପରିମାଣ ପଛେ କମିଯାଉ ସେ ‘ସଞ୍ଜ ମଣ୍ଡପ’କୁ ଉତ୍ସବ ଘୁଞ୍ଚେଇ ନେବାପରି ଆତ୍ମଘାତୀ କାର୍ଯ୍ୟ କରିପାରିବ ନାହିଁ । ସେଇଟା ସୁନା ଅଣ୍ଡା ଦେଉଥିବା କୁକୁଡ଼ାକୁ ମାରିଦେବା ପରି କଥା ହେବ । ଏବକୁ ଗୋଟେ ଗୋଟେ ଉତ୍ସବରେ ସବୁ ଖର୍ଚ୍ଚ ଯାଇ ଟଙ୍କା ଚାରି ପାଞ୍ଚ ହଜାର ରହୁଛି-। ପ୍ରତିଭା ମନୋନୟନ ପାଇଁ ନବଘନ ଗୋରୁମୁଣ୍ଡ ଥାପିବା ନ୍ୟାୟରେ ଯେଉଁ ସାତଜଣିଆ ଅବସରପ୍ରାପ୍ତ ଅଧ୍ୟାପକ ମଣ୍ଡଳି ରଖିଛି, ସେମାନଙ୍କୁ କିଛି କିଛି ଦେବାକୁ ପଡ଼େ । ସେମାନଙ୍କ ନାଆଁ ତା’ର ଦରକାର । କାହାକୁ ସମ୍ମାନିତ କରାଯିବ ତାହା ବାଛିବା ମନୋନୟନ କମିଟୀର କାମ ନୁହେଁ, ନବଘନ ଯାହାକୁ ସ୍ଥିର କରେ, ତା’ର ଯୋଗ୍ୟତା ଖୋଜି ପ୍ରମାଣିତ କରିବା ସେମାନଙ୍କର କାମ । ସାମ୍ବାଦିକ ଓ ଫଟୋଗ୍ରାଫରମାନଙ୍କୁ ଖୁସିରେ ରଖିବା ସବୁଠୁ ବଡ଼ କାମ । ତା’ ନ ହେଲେ ସବୁ ଉଦ୍ୟମ ଫସର ଫାଟିଯିବ । ସଂସ୍କୃତି ଭବନରେ ସୋରିଷଟେ ଫୁଟିଲେ ଢେଙ୍କାନାଳ କି କଳାହାଣ୍ଡିରେ ଯଦି ବୋମା ନ ଫୁଟିଲା, ତା’ହେଲେ ନବଘନ କି ଉଦ୍ୟୋକ୍ତା ? ନବଘନ ଏ ବିଦ୍ୟାରେ ଦୋରସ୍ତ । କାଜୁ, ସ୍ପ୍ରିଣ୍ଟ ବା କଫିରେ ସେ ସେତକ କାମ କରେଇନିଏ । ବର୍ଷରେ ଥରେ ଅଧେ ଡିନର ପାର୍ଟିଟିଏ ଯୋଗାଡ଼ କରାଇ ଆଣେ କେଉଁ ମନ୍ତ୍ରୀ ବା କର୍ପୋରେସନ୍‌ ଚେୟାରମ୍ୟାନ୍‌ଙ୍କ ସୌଜନ୍ୟରୁ । କୋରସ, କ୍ୟାମେରା, ଦାମୀ ଅତିଥି ଓ ନାମୀ ଦର୍ଶକ ନବଘନ ଅନୁଷ୍ଠାନର ବିଶେଷତ୍ୱ । ପ୍ରତିଦ୍ୱନ୍ଦ୍ୱୀ ସଂସ୍ଥାମାନେ ଏହି ବାବଦରେ ନବଘନକୁ ଟପିବା ତ ଦୂରର କଥା, ପାଖାପାଖି ବି ପହଞ୍ଚି ପାରି ନାହାନ୍ତି ।

 

ନବଘନ ତା’ ବ୍ୟାଗରେ ସର୍ବଦା ସାଇତି ରଖିଥାଏ ପୂର୍ବ ବର୍ଷମାନଙ୍କର ଦୁଇ ତିନି କପି ସ୍ମରଣିକା, ତା’ ସଂସ୍ଥାର ପ୍ୟାଡ୍‌, ରସିଦ ବହି, ସାର୍ଟିଫିକେଟ୍‌ ଓ ମାନପତ୍ରର ନମୁନା । ସମ୍ମାନ ପାଇଁ ବ୍ୟସ୍ତବିବ୍ରତ ଦାମୀ ଅଧିକାରୀ ଓ ଧନୀ ସମାଜସେବୀଙ୍କ ସମ୍ଭାବ୍ୟ ତାଲିକାଟିଏ ମଧ୍ୟ ରଖିଛି ନବଘନ ଓ ଖୋଜି ଖୋଜି ସଂଗ୍ରହ କରିଛି ସେମାନଙ୍କର ଟେଲିଫୋନ୍‌ ନମ୍ବର ଏବଂ ଘର ଠିକଣା । ସମ୍ପର୍କ ସ୍ଥାପିତ ହେବାପରେ ନବଘନ ସେମାନଙ୍କୁ ସବୁ କଥା ଖୋଲାଖୋଲି ଭାବେ କହିଦିଏ । ସଂସ୍କୃତି ଭବନରେ ସଭା, ପାଞ୍ଚ ଶହ ବୁଦ୍ଧିଜୀବୀ ଶ୍ରୋତା ଓ ଦର୍ଶକ, ଦଶହଜାର ଟଙ୍କିଆ ପୁରସ୍କାର, ଚାନ୍ଦିକାମର ପ୍ରଶସ୍ତିପତ୍ର, ଅଫସେଟ୍‌ ମୁଦ୍ରଣର ସ୍ମରଣିକା ପାଇଁ ଦର ଅଲଗା । ଦଶ ହଜାରରୁ ନେଇ ପଚାଶ ହଜାର ଟଙ୍କିଆ ସ୍କିମ୍‌ ପର୍ଯ୍ୟନ୍ତ ନବଘନର ଏକାଧିକ ସ୍ମିମ୍‌ ଅଛି । ଯିଏ ଯେଉଁଟା ବାଛି ପାରିବେ । କାହା ପାଇଁ ବାଧ୍ୟବାଧକତା ନାହିଁ । ଯେମିତି ଦର, ସେମିତି ପୁରସ୍କାର ।

 

ବେଳେବେଳେ ବ୍ୟୟ-କୁଣ୍ଠିତ କୌଣସି ପ୍ରତିଭା ପ୍ରଶ୍ନ କରନ୍ତି, ଆମେ ତ ଏତେ ଟଙ୍କା ଦେବୁ, ଲୋକ ଯୋଗାଡ଼ କରିବୁ, ତା’ହେଲେ ଆପଣ କରିବେ କ’ଣ ?

 

ନବଘନ ସେମାନଙ୍କୁ ତାଙ୍କ କଥା ସାରିବାକୁ ଦିଏ ନାହିଁ । ଖୁବ୍‌ ବ୍ୟସ୍ତ ଥିବା ଭଙ୍ଗୀରେ ସେ ଘଣ୍ଟାକୁ ଚାହେଁ ଦୁଇ ତିନି ଥର ଓ ଉଠି ଚାଲିଯିବାର ଉପକ୍ରମ କରେ । ସଭା ପାଇଁ ମନ୍ତ୍ରୀ ଯୋଗାଡ଼, ଟି.ଭି. ଓ ଖବରକାଗଜରେ ସଚିତ୍ର ବିବରଣୀ ପ୍ରକାଶ, ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଘୋଡ଼ାନାଚ କି ଲୋକସମ୍ପର୍କ ବିଭାଗ ପକ୍ଷରୁ କଳା-ଧଳା ସିନେମା ଯୋଗାଡ଼ ପରି କାର୍ଯ୍ୟ କ’ଣ ଊଣା ଗୁରୁତ୍ୱପୂର୍ଣ୍ଣ ? ସେସବୁ କିପରି ସମ୍ଭବ ହୁଏ ? ନବଘନର ଖାତିର ଓ ‘ପ୍ରତିଭା-ପୂଜା’ ଅନୁଷ୍ଠାନର ପ୍ରତିଷ୍ଠା ପାଇଁ । ସେସବୁର ଦାମ୍‌ ତ ପୁଣି ଅଛି ?

 

ଥଣ୍ଡା ପବନ ବୋହିବାକୁ ଆରମ୍ଭ କରିଥିଲା । ମେଘ ହେବାର ପୂର୍ବାଭାସ । ଘରକୁ ଏଥର ଫେରିବାକୁ ପଡ଼ିବ । ଘର କଥା ମନେପଡ଼ିଲାରୁ ମନେପଡ଼ିଲା କଲ୍ୟାଣୀ କଥା । କଲ୍ୟାଣୀ କଥା ମନେପଡ଼ିବା କ୍ଷଣି ସେ ଭିତରେ ଭିତରେ ସଙ୍କୁଚିତ ହୋଇଗଲା । କେବଳ ଏ ସହର ନୁହେଁ, ସମଗ୍ର ରାଜ୍ୟରେ ନବଘନର ପ୍ରତିଷ୍ଠା ରହିଛି । ରାସ୍ତାରେ ଚାଲି ଚାଲି ଗଲାବେଳେ କେହି କେହି ଅଟକି ଯାଆନ୍ତି । ନବଘନକୁ ଲିଫ୍‌ଟ ଯାଚନ୍ତି । ଅଥଚ କଲ୍ୟାଣୀ ନବଘନର ସ୍ତ୍ରୀ ହେଇ ବି ତାକୁ ଦୂର୍‌ଦୂର୍‌ କରେ । ଛାଇ ପଡ଼ିଲେ ଦି’ ହାତ ପଛକୁ ଘୁଞ୍ଚିଯାଏ । ଏସବୁ ମାନସିକ ବ୍ୟାଧିର ଉପସର୍ଗ । ନବଘନ ଅସହାୟ ହୋଇପଡ଼େ । କଲ୍ୟାଣୀ ଦିନେ ତା’ ଜୀବନର ଚରମ ଲକ୍ଷ୍ୟ ଥିଲା । ଆଜି କିନ୍ତୁ ତା’ର ସବୁଠୁ ବଡ଼ ଜଞ୍ଜାଳ ।

 

ସେମାନଙ୍କ ବାହାଘରର ଆଠ ବର୍ଷ ବିତିଗଲାଣି । କିନ୍ତୁ କଲ୍ୟାଣୀର କୋଳ ଖାଲି । ନବଘନ ଜାଣେନାହିଁ, ସେ ନିଜେ କି କଲ୍ୟାଣୀ–କିଏ ଏଥିପାଇଁ ଦାୟୀ । କଲ୍ୟାଣୀ ତା’ ପାଖକୁ ଏବେ ଆସେ ନାହିଁ । ପାଖକୁ ଗଲେ ବାଳ ଓଲାରେ, ଶାଢ଼ି ଚିରିପକାଏ, ନ ହେଲେ କାନ୍ଥ ଦେହରେ ମୁଣ୍ଡ ବାଡ଼ାଏ । ନବଘନର ବହିପତ୍ରକୁ ଫୋପାଡ଼ିଦିଏ । ହାଣ୍ଡି କଡ଼େଇ ଦୁଲ୍‌ଦାଲ୍‌ କରି ତଳେ କଚାଡ଼େ । ନବଘନର ଏସବୁ ବରଦାସ୍ତ ହୁଏ ନାହିଁ । ସେ ଦୂରକୁ ହଟିଆସେ । କବାଟ ଆଉଜେଇ ବାହାରୁ ଛିଟିକିଣି ଦେଇଦିଏ । କଲ୍ୟାଣୀ ସେପଟେ ଥାଉ ।

 

ଥରେ ରାଗ ଜୋରରେ ସେ କଲ୍ୟାଣୀକୁ ବେଲଣା ବାଡ଼ିରେ ନିର୍ଘାତ ପିଟିଥିଲା । ପିଟିପିଟି ତାକୁ ଲହୁଲୁହାଣ କରିଦେଇଥିଲା । କଲ୍ୟାଣୀ କିନ୍ତୁ ଚୁପ୍‌ ହେବା ବଦଳରେ ବେଶି ବେଶି ଚିତ୍କାର କରିଥିଲା । ସେମାନଙ୍କ ପାଟିଗୋଳ ଶୁଣି ପଡ଼ିଶାଘର ଲୋକ ଉଠିଆସିଥିଲେ । ନବଘନ ଜାଣିପାରିଲା, ଏମିତିରେ କଲ୍ୟାଣୀ ସିଧା ହେବ ନାହିଁ । ଓଲଟି ତା’ ସୁନାମ ଉପରେ ପାଣି ଇଡ଼ିଯିବ । ସୁନାମ ବ୍ୟତିରେକ ‘ପ୍ରତିଭା-ପୂଜା’ ସଂସ୍ଥାର ପୁଞ୍ଜି ଆଉ କ’ଣ ଅଛି ? ସେଇଦିନ ସେ କଲ୍ୟାଣୀକୁ କିଛି କହେ ନାହିଁ । ଘରୁ ବାହାରି ପଦାକୁ ଗଲାବେଳେ ଚୁପ୍‌ଚାପ୍‌ କବାଟ ଆଉଜେଇ ସେପଟୁ ତାଲା ଠୁଙ୍କିଦେଇ ଯାଏ । ଯାହା କରିବାର କଥା ଭିତରେ କରୁ କଲ୍ୟାଣୀ । ବାହାରକୁ ଯାଇପାରିବ ନାହିଁ । ତେବେ କଲ୍ୟାଣୀର ବାହାରକୁ ପଳେଇଯିବା ଆଶଙ୍କାଟା ଆଜିକାଲି ନବଘନ ମନ ଭିତରେ ବେଶି ଦୃଢ଼ ହେଉଛି କାହିଁକି ? ତା’ ପାଖେ କ’ଣ ନାହିଁ ? କଲ୍ୟାଣୀ କାହା ସାଙ୍ଗରେ ପଳେଇବ ? ଦଶ ବର୍ଷ ତଳେ ନବଘନ କଲ୍ୟାଣୀକୁ ଟିଉସନ କରିବାକୁ ଯାଉଥିଲା । ତାକୁ ଇମ୍ପ୍ରେସ୍‌ କରିବା ପାଇଁ ସେ ଜେ.ଏନ୍‌.ୟୁ.ରୁ ପାସ୍‌ କରି ଆସିଛି ବୋଲି କହିଥିଲା । କଲ୍ୟାଣୀ ମାଆର ସମ୍ପତ୍ତିକୁ ଆଖିରଖି ସେ ସିଭିଲ୍‌ ପ୍ରିଲିମିନାରୀର ପାସ୍‌ କରିଥିବା କଥା କହିଥିଲା ଓ ମିଠା ବାଣ୍ଟିଥିଲା-। ଦାମୀ ଉପହାର ବି ନେଇ ଦେଇଥିଲା । କଲ୍ୟାଣୀ ପ୍ରିଲିମିନାରୀ କଥା ଶୁଣି ନବଘନର ପାଖେଇ ଆସିଥିଲା । ତା’ପରେ ବାହାଘର । ନବଘନର ବିଦ୍ୟାବୁଦ୍ଧି ପାଖରେ କଲ୍ୟାଣୀ ଓ ତା’ ମାଆ ଉଭୟେ ଥିଲେ ଚାଟଶାଳୀର ଶିଶୁ । ଘରଦ୍ୱାର ଦେଖା ନାହିଁ, ମୁରବି ମଧ୍ୟସ୍ଥ ନାହାନ୍ତି–ନବଘନ ବାହା ହୋଇପଡ଼ିଲା ।

 

ପ୍ରତାରଣା ଓ ପ୍ରବଞ୍ଚନାର ପୃଥକ୍‌ ପୃଥକ୍‌ ପୃଥିବୀରେ ଅଲଗା ଅଲଗା ରହନ୍ତି କଲ୍ୟାଣୀ ଓ ନବଘନ । ନବଘନ ସଞ୍ଜରେ ଘରକୁ ଫେରେ । ତାଲା ଖୋଲେ । ରୋଷେଇବାସ ହୋଇଥିଲେ ନିଜେ ବାଢ଼ିଆଣି ଖାଏ, ନ ହେଲେ ପାଖ ଦୋକାନରୁ କିଛି କିଣିଆଣି ଖାଏ । ଅଧେ ରଖିଦିଏ ଟେବୁଲ ଉପରେ, କଲ୍ୟାଣୀ ପାଇଁ । ନବଘନ ଅନାଏ କଲ୍ୟାଣୀକୁ, କଲ୍ୟାଣୀ ଅନାଏ ନବଘନକୁ–ଦୁଇ ପ୍ରତିଦ୍ୱନ୍ଦ୍ୱୀ ପରସ୍ପରକୁ ଚାହିଁଲା ପରି । ସେ ଚାହାଣିରେ ପ୍ରେମ ନ ଥାଏ, ନ ଥାଏ ସ୍ନେହ, ଆବେଗ କି ଭାବପ୍ରବଣତା । ସେଥିରେ ଥାଏ ଘୃଣା, ଅବିଶ୍ୱାସ ଓ ସନ୍ଦେହ ।

 

ଦୂରରୁ ଦିଶୁଛି ତା’ ବସାଘର । ଦୁଇବର୍ଷ ଧାଁ ଦଉଡ଼ କରି ଏ ଘରଖଣ୍ଡିକ ସରକାରଙ୍କଠାରୁ ଯୋଗାଡ଼ କରିଛି ‘ପ୍ରତିଭା-ପୂଜା’ ସଂସ୍ଥା ନାଆଁରେ । ଘର ସାମ୍ନାରେ ନୀଳ ସାଇନବୋର୍ଡ । ନବଘନ ତାଲା ଖୋଲିଲା । ଦିନସାରା ଗୋଟେ ଆଶଙ୍କା ଭିତରେ ସେ ଥାଏ । କଲ୍ୟାଣୀ କାହାସାଙ୍ଗେ ପଳେଇ ନାହିଁ ତ ? ବିଷପିଇ ଆତ୍ମହତ୍ୟା କରିଦେଇ ନାହିଁ ତ ? କଲ୍ୟାଣୀ ପଳେଇଯିବା କି ମରିଯିବା ତା’ ପାଇଁ ବଡ଼ କଥା ନୁହେଁ । ବଡ଼ କଥା ତା’ ସଂସ୍ଥାର ସମ୍ମାନ । କଲ୍ୟାଣୀର ଆତ୍ମହତ୍ୟା କିମ୍ବା ଫେରାର୍‌ ହେଇଯିବା ଖବରଟା ରାତିକ ଭିତରେ ‘ପ୍ରତିଭା-ପୂଜା’ ସଂସ୍ଥାକୁ ବଦନାମ କରିଦେବ । ଏତେ ଅଫିସର, ମନ୍ତ୍ରୀ, ନେତା ଓ ବେପାରୀଙ୍କୁ ସେ ମନେଇ ପାରୁଛି, ଗୋଟାଏ ସ୍ତ୍ରୀଲୋକକୁ ସିଧା ବାଟକୁ ଆଣିପାରୁ ନାହିଁ ?

 

କଲ୍ୟାଣୀ ଖଟ ଉପରେ ପେଟେଇ ଶୋଇଛି । ଗୋଡ଼ ଦୁଇଟି ଟେକି ଦେଇଛି ଆଣ୍ଠୁ ପାଖରୁ ଓ ପାଦ ଯୋଡ଼ିକ ଯୋଡ଼ାଏ ସାପ ପରି ଦୋହଲୁଛନ୍ତି ଶୂନ୍ୟରେ । ଜଙ୍ଘଯାଏ ଶାଢ଼ି ଖସି ଆସିଛି । ନବଘନକୁ ଦେଖି କଲ୍ୟାଣୀ ନ ଦେଖିଲା ପରି ଶୋଇରହିଲା । ମୁଣ୍ଡ ଚାପିଧରି କ’ଣ ଗୁଣୁଗୁଣୁ ହେଲା । ନବଘନ ବିରକ୍ତ ହେଲା, ଆଶ୍ୱସ୍ତ ବି । କଲ୍ୟାଣୀ ବଞ୍ଚିଛି । କୁଆଡ଼େ ପଳେଇ ଯାଇ ନାହିଁ ।

 

ନବଘନ ପଙ୍ଖାର ସ୍ୱିଚ୍‌ ଟିପିଲା ଓ ବସିପଡ଼ିଲା । ଆଉ ଖଣ୍ଡେ ସିଗ୍ରେଟ୍‌ ଲଗେଇଲା । କଲ୍ୟାଣୀର ଦରଫୁଙ୍ଗୁଳା ଦେହଟା ତାକୁ ଟିକେ ଉତ୍ତେଜିତ କରିଦେଉଥିଲା । କିନ୍ତୁ ସେ ଆଡ଼କୁ ଆଗେଇବାର ପରିଣତି ସମ୍ପର୍କରେ ସେ ସଚେତନ । ଅଲକ୍ଷ୍ୟରେ ନିଜର ଗାଲ ଓ ନାକର କାମୁଡ଼ା ଆମ୍ପୁଡ଼ା ଦାଗ ଯାଏ ହାତ ଉଠିଗଲା । କଲ୍ୟାଣୀ ପାଖକୁ ଗଲେ ସେ ଚିତ୍କାର କରିବ । ଚୁଟି ଝିଙ୍କିବ, ଗାଲ, ନାକ, ଓଠ କାମୁଡ଼ି ପକେଇବ । ଥାଉ ।

 

ନବଘନର ନଜର ଏ ଯାଏଁ ତଳେ ପଡ଼ିଥିବା ଗୋଟେ ଚିଠି ଉପରେ ପଡ଼ି ନ ଥିଲା । ଚିଠିଟା ଡାକବାଲା ଗଳେଇଦେଇ ଯାଇଛି କବାଟ ତଳେ । ନଜର ପଡ଼ିବା କ୍ଷଣି ଚିଲ ମାଛକୁ ଝାମ୍ପିଲା ପରି ଝାମ୍ପିପଡ଼ିଲା ଓ ସେଇଟିକୁ ତଳୁ ଉଠେଇ ଆଣିଲା । ସୁନ୍ଦରଗଡ଼ରୁ ଜଣେ ନିର୍ବାହୀ ଯନ୍ତ୍ରୀ ଚିଠିଟି ଲେଖିଛନ୍ତି । ତାଙ୍କର ଖଣ୍ଡିଏ କବିତା ପୁସ୍ତକ ସେ ‘ପ୍ରତିଭା-ପୂଜା’ ଆନୁକୂଲ୍ୟରେ ଉନ୍ମୋଚନ କରିବାକୁ ଚାହାନ୍ତି ରାଜଧାନୀରେ । ଆନୁସଙ୍ଗିକ ଖର୍ଚ୍ଚ ପରିମାଣ ଜଣାଇ ସାତ ଦିନ ଭିତରେ ଉତ୍ତର ନ ଦେଲେ ସେ ‘କଳା ଓ କଳ୍ପନା’ ସଂସ୍ଥାର ସାହାଯ୍ୟ ଲୋଡ଼ିବେ ।

 

ନବଘନ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହେଇଗଲା ଉତ୍ତର ଦେବାପାଇଁ । ନରେନ୍ଦ୍ର ଦାସର ‘କଳା ଓ କଳ୍ପନା’ ଆଜିକାଲି ସତର୍କ ହେଇଉଠିଲାଣି । ହୁସିଆର ନ ହେଲେ ଗୋଟିକ ପରେ ଗୋଟିଏ ହୋଇ ସମସ୍ତେ ଖସିଯିବେ । ନିର୍ବାହୀ ଯନ୍ତ୍ରୀ ଭଲ ପାର୍ଟି । ଚାରି ପାଞ୍ଚ ବର୍ଷ ପରେ ଲୋକଟା ନିଶ୍ଚେ ଏସ୍‌.ଇ. ହେବ । ଚିଫ୍‌ ଇଞ୍ଜିନିଅର ବି ହେଇପାରେ । ଲୋକଟାକୁ ହାତରେ ରଖିବାକୁ ପଡ଼ିବ । ସେ ତୁରନ୍ତ ତା’ ବ୍ୟାଗ୍‌ରୁ ଲେଟରପ୍ୟାଡ୍‌ ବାହାର କଲା ଓ ସମ୍ମତି ଜଣାଇ ଚିଠି ଲେଖିଦେଲା ।

 

ଏବେ ନବଘନର ବିଶ୍ରାମ ନେବାକଥା । ଗୋଟାଏ ଉତ୍ସବ ଶେଷ ନ ହେଉଣୁ ଆଉ ଗୋଟାଏ ପାଇଁ ବରାଦ । ମନ୍ଦ ନୁହେଁ । କିନ୍ତୁ ‘କଳା ଓ କଳ୍ପନା’ ନାଆଁଟା ମନେପଡ଼ିବାରୁ ସେ ଟିକିଏ ଦବି ଯାଇଥିଲା । କେତେଦିନ ନିର୍ବିଘ୍ନରେ ଚାଲିବ ନବଘନର ଅନୁଷ୍ଠାନ ? ପ୍ରଶ୍ନଟି ପଚାରିବା କ୍ଷଣି ସେ ନିଜକୁ ନିଜେ ସାହସ ଦେଲା, ଉତ୍ତର ବି । ଯେତେଦିନ ପର୍ଯ୍ୟନ୍ତ ସମ୍ମାନ ଓ ପୁରସ୍କାର କାଙ୍ଗାଳମାନେ ବଞ୍ଚିଥିବେ, ସେତେଦିନ । ସଂସ୍ଥା ବଢ଼ୁଛି, ସମ୍ମାନ ବଢ଼ୁଛି, ପୁରସ୍କାର ଆଶାୟୀଙ୍କ ସଂଖ୍ୟା ବି ବଢ଼ୁଛି । ଏଥିରେ ଆତଙ୍କିତ ହେବାରେ କିଛି ନାହିଁ । ନୂଆ ପ୍ରତିଭାଙ୍କୁ ଚିହ୍ନଟ କରିବାକୁ ପଡ଼ିବ । ସେମାନଙ୍କ ବିଷୟରେ କାଗଜରେ ବରାବର ଛପେଇ ତାଙ୍କ ଭିତରେ ପୁରସ୍କାର ପାଇବାର ଇଚ୍ଛାଟା ଜନ୍ମେଇବାକୁ ହେବ । ତା’ପରେ ସେମାନେ ନବଘନ ପାଖକୁ ଆସିବେ । ନବଘନ ତାଙ୍କୁ ଛାଡ଼ି ପୁଣି ନୂଆ ପ୍ରତିଭା ତିଆରିରେ ଲାଗିବ ।

 

ଆରମାସରେ ଗୋଟାଏ ବଡ଼ ଉତ୍ସବ ଆୟୋଜନ କରିବାକୁ ପଡ଼ିବ । କଳିଙ୍ଗ କି ଉତ୍କଳ ପରି ନୂଆ ଉପାଧିରେ ଭୂଷିତ କରିବ ସେ ବିଶିଷ୍ଟ ପ୍ରତିଭାମାନଙ୍କୁ । ଦିଲ୍ଲୀରୁ ଜଣେ କେନ୍ଦ୍ରମନ୍ତ୍ରୀ ଯୋଗାଡ଼ ହୋଇଗଲେ ଭଲ ହୁଅନ୍ତା । ଏକା ଖେପାକେ ‘କଳା-କଳ୍ପନା’ ସଂସ୍ଥା ଦବିଯାଆନ୍ତା । ଟଙ୍କା ପଚାଶ ହଜାର ବି ହାତକୁ ଆସିବା ଅସମ୍ଭବ ହୁଅନ୍ତା ନାହିଁ ।

 

ତା’ ଭିତରେ ଅନେକ ଅବସୋସ, ଅନେକ ଅସହାୟତା, ଅନେକ ବ୍ୟର୍ଥତା । ମାତ୍ର ସେଗୁଡ଼ିକ ନେଇ ସେ ବଞ୍ଚି ପାରିବ ନାହିଁ । ବ୍ୟର୍ଥତାକୁ ନେଇ କେହି ବଞ୍ଚେ ନାହିଁ । ସେ କିନ୍ତୁ ବଞ୍ଚିବ, କଲ୍ୟାଣୀର ନିନ୍ଦା ଓ ସମାଲୋଚନା ନିର୍ବିଶେଷରେ ସେ ବଞ୍ଚିବ ।

 

ଏବେ କିନ୍ତୁ ପ୍ରଥମ କାମ ନିର୍ବାହୀ ଯନ୍ତ୍ରୀଙ୍କ ବହି ଉନ୍ମୋଚନ ପାଇଁ ଉତ୍ସବ ଆୟୋଜନ । କାଲି ସକାଳେ ଚିଠିଟା ଡ୍ରପ୍‌ କରିବାକୁ ପଡ଼ିବ । ନବଘନର ବିଷାଦଯୋଗ ଅନେକଟା କଟିଯାଇଥିଲା । ସେ ଟିକେ ଆରାମରେ ଶୋଇବାକୁ ଚାହୁଁଥିଲା, ଯେମିତିକା ଆରାମରେ ସେ ଖୁବ୍‌ କମ୍‌ ଶୋଇଥାଏ ।

𗰵𗰵𗰵

 

ଅଭିଯୁକ୍ତ ଆସାମୀ

 

ସନାତନ ହାଟରେ ପହଞ୍ଚିଲାବେଳକୁ ସଞ୍ଜ ସାତଟାରୁ ଗଡ଼ିଗଲାଣି । ସେ ତରବରରେ ଲୁନାଟିକୁ ପାଚେରି କଡ଼ରେ, ଯୋଉଠି ସାଇକେଲ୍‌, ସ୍କୁଟର ଓ ମଟରସାଇକେଲ୍‌ଗୁଡ଼ିକ ଖୁନ୍ଦାଖୁନ୍ଦି ହୋଇ ରହିଛନ୍ତି, ରଖି ଚାବି ପକେଇଲେ । ରୁକ୍ମିଣୀଙ୍କ ମୁହଁ ତଥାପି ଥମଥମ ହୋଇ ରହିଛି । ସନାତନଙ୍କୁ ଅପେକ୍ଷା ନ କରି ସେ ତାଙ୍କର ଆଗେ ଆଗେ ହାଟ ଭିତରେ ପଶିଗଲେ ।

 

ହାଟ ପାଚେରିକୁ ଲାଗି ପୁରୁଣା ଜେଲ୍‌ । ସନାତନ ଅଭ୍ୟାସବଶତଃ ଚନ୍ଦା ହୋଇଆସୁଥିବା ମୁଣ୍ଡଟାକୁ ସାଉଁଳେଇ ଆଣିବାବେଳେ ତାଙ୍କର ନଜର ଆକାଶ ଉପରେ ପଡ଼ିଲା । ତାରାଗୁଡ଼ିକ ଦାୟିତ୍ୱଶୂନ୍ୟ କିଶୋରଙ୍କ ପରି ଇଆଡ଼େ ସିଆଡ଼େ ବିଛାଡ଼ି ହୋଇ ଖେଳୁଛନ୍ତି । ହଠାତ୍‌ କୋଉଠୁ ଚମ୍ପାଫୁଲର ବାସ୍ନା ପବନରେ ଭାସିଆସି ସନାତନଙ୍କୁ ଉଚ୍ଚକିତ କରିଦେଲା । ସେ ବାସ୍ନା ଏତେ ମିଠା ଓ ତୀବ୍ର ଥିଲା ଯେ ହାଟ ଭିତରର ଆମ୍ବ, ପଣସ, କଦଳୀ, ଶସ୍ତା ଅତର, ଧୂପକାଠି ଓ ଗାଈଗୋରୁ, ମଣିଷଙ୍କ ଗନ୍ଧ ଟପେଇ ସନାତନଙ୍କ ପାଖେ ଠିକ୍‌ ପହଞ୍ଚି ପାରୁଥିଲା । ସନାତନ ପୂର୍ବରୁ ଅନେକଥର ଚମ୍ପାଫୁଲ ବାସ୍ନା ସଂସ୍ପର୍ଶରେ ଆସିଛନ୍ତି । କିନ୍ତୁ ଆଜି ସନ୍ଧ୍ୟାର ଏଇ ଚମ୍ପାଫୁଲ ବାସ୍ନା ପୂର୍ବର ସବୁ ଚମ୍ପା ଫୁଲ ବାସ୍ନାଠୁଁ ଅଲଗା ଥିଲା । ସନାତନ ଜାଣିଲେ, ଏ ଫୁଲ ପୁରୁଣା ଜେଲ୍‌ ହତା ଭିତର ଗଛର । ଗଛଟା ହୁଏତ କୋଉ ହତଭାଗ୍ୟ କଏଦୀ ଲଗେଇଥିବ । ସନାତନ ପିଲାଦିନେ ଶୁଣିଥିଲେ, ଏଭଳି ହତଭାଗା ଲଗେଇଥିବା ଗଛଗୁଡ଼ିକ ଭଲ ବଢ଼ନ୍ତି । ସେଥିପାଇଁ ପ୍ରାୟ ସବୁ ଜେଲ ହତା ଭିତରେ ଏମିତି ଫୁଲ ଓ ଫଳଗଛ ଦେଖାଯାଏ । ଜେଲ୍‌ର ଚାରି କାନ୍ଥ ଭିତରେ ବନ୍ଦୀ ଏହି କଏଦୀମାନଙ୍କର ଆପଣା କର୍ମକୁ ନିନ୍ଦିବା ଓ ମୁକ୍ତି ପାଇଁ ଅପେକ୍ଷା କରିବା ଭିନ୍ନ ଆଉ କ’ଣ ବା କାମ ଥାଏ ? ସେଥିପାଇଁ ହାକିମମାନଙ୍କ କାମ ତାମିଲ କରିବାରେ ତାଙ୍କର କୁଣ୍ଠା ନ ଥାଏ । ଫୁଲ ଫଳ ଗଛ ଲଗେଇବା ହେଉ କି ମାଟି ହାଣିବା ହେଉ ସବୁ କାମ ସେମାନେ ମନ ଦେଇ କରନ୍ତି । ସକାଳୁ ସଞ୍ଜ ଯାଏ ନିଜେ ଲଗେଇଥିବା ଗଛର ଯତ୍ନ ନିଅନ୍ତି । ତା’ ମୂଳେ ମାଟି ଦିଅନ୍ତି, ପାଣି ଢାଳନ୍ତି ଓ ତାକୁ ଜଗି ବସନ୍ତି । ସେମାନଙ୍କର ସକାଳ, ଦ୍ୱିପ୍ରହର ଓ ସଞ୍ଜ ସେହି ଗଛମୂଳେ ବିତିଯାଏ ।

 

ସନାତନ ଚମ୍ପାଫୁଲ ଓ କଏଦୀମାନଙ୍କ ଚିନ୍ତାରୁ ହାଟ ସଉଦାକୁ ଫେରି ଆସିଲେ । ରୁକ୍ମିଣୀ ରୁଷିଲା ପରି ଆଗେ ଆଗେ ଯାଉଛନ୍ତି । ସାମ୍ନାରେ ନଡ଼ିଆ ଦୋକାନ । ଆଗେ ନଡ଼ିଆ କିଣାଯାଇପାରେ ।

 

: କେତେ ଲେଖା ?

 

: ଛଅ, ସାତ ।

 

: ଏତେ କ’ଣ ?

 

: ସାବିତ୍ରୀ ହାଟ ଆଜ୍ଞା, ମାଲ୍‌ ଆସି ପହଞ୍ଚି ପାରି ନାହିଁ । ଆଗରେ ଏଇ ନଡ଼ିଆ ଦଶରେ ବିକ୍ରି ହେଉଛି । –ନଡ଼ିଆ ଦୋକାନୀର ଅନାସକ୍ତ ଉତ୍ତର ।

 

ହଠାତ୍‌ ସନାତନ ଭାବିହେଲେ, ଦିଇଟା ନା ତିନିଟା–କେତେଟା ନଡ଼ିଆ ନେବା ପାଇଁ ରୁକ୍ମିଣୀ ବରାଦ ଦେଇଥିଲେ ? ପଡ଼ିଶା ଧଳ ବାବୁଙ୍କ ପାଇଁ ବି ଗୋଟେ ନଡ଼ିଆ ନେବାର ଥିଲା ନା କ’ଣ ! ସେ ହାତର ନଡ଼ିଆକୁ ଦୋକାନୀର କୁଢ଼ରେ ରଖିଦେଇ କହିଲେ, ‘ଟିକେ ରୁହ । ମୁଁ ବୁଝିଦେଇ ଆସେ ।’ ରୁକ୍ମିଣୀଙ୍କ ଉଦ୍ଦେଶ୍ୟରେ କହିଲେ, “ହେଇଟି, ନଡ଼ିଆ କେତେଟା ନେବା ?” ମାତ୍ର ରୁକ୍ମିଣୀ ଶୁଣିପାରିଲେ ନାହିଁ । ସେ ଆଉ ଥରେ, ଏଥର ପୂର୍ବାପେକ୍ଷା ଟିକିଏ ଚଢ଼ାଗଳାରେ ଡାକିଲେ, “ନଡ଼ିଆ, କେତେଟା ?”

 

ମାତ୍ର ରୁକ୍ମିଣୀ ସେତେବେଳକୁ କାଚ ଦୋକାନ ଭିତରକୁ ପଶିଗଲେଣି । ସନାତନ ଟିକିଏ ଚିଡ଼ିଗଲେ । ସେ କାଚ ଦୋକାନକୁ ପଶିଯାଇ ରୁକ୍ମିଣୀଙ୍କ ପିଠି କେଞ୍ଚିଦେଇ କହିଲେ, “ଶୁଭୁନାହିଁ କି ?”

 

ହଠାତ୍‌ ସନାତନ ଦେଖିଲେ ଯେ, ତାଙ୍କ ସାମ୍ନାରେ ଯିଏ ଛିଡ଼ାହୋଇଛନ୍ତି ସେ ରୁକ୍ମିଣୀ ନୁହନ୍ତି । ଭଦ୍ରମହିଳା ଅବଶ୍ୟ ସେହିପରି ଶାଢ଼ି ପିନ୍ଧିଛନ୍ତି, କିନ୍ତୁ ସେ ସନାତନଙ୍କର ସମ୍ପୂର୍ଣ୍ଣ ଅପରିଚିତା । ସନାତନ ଲଜ୍ଜା ଓ ପଶ୍ଚାତ୍ତାପରେ ଗୋଟାପଣେ ଝାଉଁଳି ପଡ଼ିଲେ । ଜଣେ ମଧ୍ୟବୟସ୍କ ଅପରିଚିତ ଲୋକର ଏ ଧରଣର ବ୍ୟବହାରରେ ଭଦ୍ରମହିଳା ଜଣକ ଯେତିକି ବିସ୍ମିତ ହୋଇଥିଲେ, ତାଙ୍କ ସାଙ୍ଗରେ ଥିବା ତାଙ୍କର ସ୍ୱାମୀ ମହାଶୟ ତାଠାରୁ ଅଧିକ ରାଗିଯାଇଥିଲେ । କାଚଦୋକାନୀ, ତା’ର ଏକମାତ୍ର ସେଲ୍‌ସମ୍ୟାନ୍‌ ଓ ଅନ୍ୟ ଗ୍ରାହକମାନେ ମଧ୍ୟ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ନିଜ ନିଜ କାମଛାଡ଼ି ଅନେଇଥିଲେ । ଦୋକାନୀଟି ସନାତନକୁ ଯେମିତି ତୀକ୍ଷ୍ମ ଦୃଷ୍ଟିରେ ଚାହିଁଥିଲା ତହିଁରୁ ମନେହେଉଥିଲା ଯେ ସେ ଗୋଟେ ମଣିଷକୁ ନୁହେଁ, ହଠାତ୍‌ ଏ ହାଟ ଭିତରକୁ ପଶି ଆସିଥିବା ଭାଲୁ କି ହାତୀକୁ ଦେଖୁଛି ।

 

ସନାତନ ବିକଳ ଦିଶୁଥିଲେ । ସେ ଜାଣିପାରୁଥିଲେ ଯେ ଏ ଲୋକମାନେ ତାଙ୍କୁ ସନ୍ଦେହ ଚକ୍ଷୁରେ ଚାହୁଁଛନ୍ତି । ତାଙ୍କର ଉଦ୍ଦେଶ୍ୟ ମହତ୍‌ ନୁହେଁ ବୋଲି ଆଶଙ୍କା କରୁଛନ୍ତି । ମାତ୍ର ସେ କ’ଣ କହି ଓ କିଭଳି ସେମାନଙ୍କୁ ବୁଝେଇବେ ସେହି କଥା ଜାଣିପାରୁ ନଥିଲେ । ସେ ଯାହାକିଛି କହିବାକୁ ଚାହୁଁଥିଲେ ସେସବୁ ତାଙ୍କ ମନକଥା ବୁଝେଇବା ପାଇଁ ଅକୁଳାଣ ପଡ଼ୁଥିଲା ।

 

ସେ ହାତଯୋଡ଼ି କହିଲେ, “ଭୁଲ୍‌ ହେଇଗଲା ମାଡାମ୍‌ ! କିଛି ମନେ କରିବେ ନାହିଁ । ମୁଁ ଭୁଲରେ ଆପଣଙ୍କୁ ମୋ ମିସେସ୍‌ ବୋଲି ଭାବି ଧରିନେଇଥିଲି ।”

 

: କ...ଣ... ହେ...ଲା ? ମିସେସ୍‌...

 

: ଆଜ୍ଞା, ସେଥିପାଇଁ ମୁଁ... ...

 

ଏଥର ନିଜର ପତ୍ନୀଙ୍କୁ ପଛକୁ ଠେଲିଦେଇ ତାଙ୍କର ସ୍ୱାମୀ ମହାଶୟ ଆଗେଇ ଆସିଲେ-। “ଆପଣଙ୍କୁ ଏ ହାଟବଜାରର ସବୁ ସ୍ତ୍ରୀଲୋକ ତା’ହେଲେ ଆପଣଙ୍କ ମିସେସ୍‌ ପରି ଦିଶୁଛନ୍ତି, ଆଁ-?”

 

କାଚ ଦୋକାନଟା ଯେମିତି ବ୍ୟଙ୍ଗ ବିଦ୍ରୂପ ଓ ଅଟ୍ଟହାସରେ ଭାଙ୍ଗି ଚୂନାଚୂନା ହୋଇଯିବ-! ସନାତନଙ୍କର ଏହି ଦୟନୀୟ ଅବସ୍ଥା ସେମାନଙ୍କୁ ହସିବା ପାଇଁ ଭଲ ଖୋରାକ ଯୋଗେଇଥିଲା-। ସୁନ୍ଦରୀ ଭଦ୍ରମହିଳା ଜଣକ ବି ଅସ୍ୱସ୍ତି ଭୁଲି ସେହି ସମ୍ମିଳିତ ହସରେ ଯୋଗ ଦେଇଥିଲେ-

 

ସନାତନ ଆଉ ଥରେ ହାତ ଯୋଡ଼ିଲେ । “ମୋ କହିବାର ଅର୍ଥ ତାହା ନଥିଲା ଆଜ୍ଞା...-। ମୋ ମିସେସ୍‌ ବି ଏ ଆଡ଼କୁ ଆସିଥିଲେ, ମୁଁ ତାଙ୍କୁ ହିଁ ଖୋଜୁଥିଲି । ମୋ ଉଦ୍ଦେଶ୍ୟ...-।”

 

: ରଖ ହୋ ତମ ଉଦ୍ଦେଶ୍ୟ । ସେଇଟା ଆମେ ଭଲକରି ଜାଣିପାରୁଛୁ । ବାଳ ପାଚିଲାଣି, ହେଲେ ନୁଙ୍ଗୁରାପଣ ଯାଇନାହିଁ । ତମ ଭଳିଆ ଅଲାଜୁକଙ୍କୁ ସିଧା ପୋଲିସରେ ଦେବା କଥା–ଅନେକବେଳୁ ଘଟଣାରେ ହସ୍ତକ୍ଷେପ କରିବାକୁ ଚାହୁଁଥିବା କାଚଦୋକାନୀଟି ମନ୍ତବ୍ୟ ଦେଲା-। ତା’ ଦୋକାନ ଭିତରେ ଏ ଘଟଣା ଘଟିଥିବାରୁ ସେ ବାବଦରେ ପ୍ରଥମେ କୌଣସି ମନ୍ତବ୍ୟ ଦେବାକୁ ସେ ନିଜର ଅଧିକାର ବୋଲି ଭାବୁଥିଲା ।

 

“ଇଡିୟଟ୍‌ । ଆସ ମାଳ, ଯିବା ।” କହି ଭଦ୍ରଲୋକ ଓ ତାଙ୍କ ପତ୍ନୀ ଚାଲିଗଲେ । ମେଞ୍ଚା ମେଞ୍ଚା ଘୃଣା, ନିନ୍ଦା ଓ ଆକ୍ଷେପ ଚାରିପଟୁ ସନାତନଙ୍କ ଉପରେ ଆସି ଆବର୍ଜନା ପରି ଗଦା ହୋଇଯାଉଥିଲା । ସେ ନୁଙ୍ଗୁରା ? କି ଅଶ୍ଳୀଳ ଏ ଆକ୍ଷେପ ! ଅପରାଧୀ ଭଳି ସନାତନ ମୁଣ୍ଡ ତଳକୁ କରି ଧୀରେ ଧୀରେ କାଚ ଦୋକାନର ବାରଣ୍ଡାରୁ ଓହ୍ଲେଇ ତଳକୁ ଆସିଲେ । ସାମ୍ନା ନଡ଼ିଆ ଦୋକାନୀଟି ଆଡ଼େ ଚାହିଁବା ପାଇଁ ତାଙ୍କର ଆଉ ସାହସ ହେଲା ନାହିଁ । ଭୂଇଁରେ ଆଖି ମିଶେଇ ସେ ହାଟ ବାହାରକୁ ଚାଲିଆସିବାକୁ ବସିଥିଲେ ସେତିକିବେଳେ ପଛରୁ ଶୁଭିଲା... କ’ଣ ହେଲା କି-?

 

ସନାତନ ମୁହଁ ଉଠେଇ ଚାହିଁଲେ । ନଡ଼ିଆ ଦୋକାନୀ ଓ ତାଙ୍କର ପତ୍ନୀ ରୁକ୍ମିଣୀ ଉଭୟେ ତାଙ୍କ ଆଡ଼କୁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଛନ୍ତି । ତାଙ୍କର ବୁଝିବାକୁ ବାକି ରହିଲାନି ଯେ ଏଠି କିଛି ସମୟ ତଳେ ଯାହା ଘଟିଗଲା ସେ ସବୁ ସେ ଦୁହେଁ ଅତି ନିକଟରୁ ଦେଖିଛନ୍ତି ।

 

ସନାତନଙ୍କର କିଛି କହିବା ପାଇଁ ଇଚ୍ଛା ନ ଥିଲେ ସୁଦ୍ଧା ପରିସ୍ଥିତି ଚାପରେ ସେ ରୁକ୍ମିଣୀଙ୍କୁ ସବୁ କଥା ବୁଝେଇବାକୁ ଚାହୁଁଥିଲେ । ମାତ୍ର ରୁକ୍ମିଣୀ ତାଙ୍କ ଆଡ଼କୁ ଥରୁଟିଏ ବି ନ ଅନେଇ ହାଟ ଭିତରର ସେ ଭିଡ଼ କାଟି ତରତର ପାଦରେ ଚାଲିବାକୁ ଲାଗିଲେ । ହାଟଟା ଭିତରେ ଲୋକ ହାଉଯାଉ । ଏ ସ୍ଥାନ କି ସମୟ ମାନଭଞ୍ଜନର ସ୍ଥାନ କାଳ ନୁହେଁ । ଅଥଚ ଆସନ୍ତାକାଲି ସାବିତ୍ରୀ ବ୍ରତ । ଆଜି ରାତିଠୁଁ ଯଦି ରୁକ୍ମିଣୀ ରାଗିଯାଆନ୍ତି ତା’ହେଲେ କାଲିର ପରିସ୍ଥିତି କ’ଣ ହେବ ସେକଥା ସନାତନଙ୍କୁ ଜଳଜଳ ହୋଇ ଦିଶୁଥିଲା । ସେ କାଚ ଦୋକାନୀ, ନଡ଼ିଆ ଦୋକାନୀ, କୋରା ଖଇ ଦୋକାନୀ, କଦଳୀ, ପଣସ, ବୁଲାଗାଈ, ଚାଟ୍‌ ଦୋକାନ ଗୁଡ଼ିକ ଟପି ରୁକ୍ମିଣୀଙ୍କୁ ଅନୁସରଣ କରିବାକୁ ଲାଗିଲେ ।

 

ରୁକ୍ମିଣୀ ହାଟ ବାହାରକୁ ଯାଇ ରାସ୍ତା ଉପରେ ପହଞ୍ଚି ସାରିଥିଲେ । ସନ୍ଧ୍ୟା ସାଢ଼େ ସାତଟା ହେବ । ସନାତନ ଦେଖିଲେ ବିପରୀତ ଦିଗରୁ ଆସୁଥିବା ଗୋଟେ ରିକ୍ସାକୁ ଅଟକେଇ ରୁକ୍ମିଣୀ ସାଙ୍ଗେ ସାଙ୍ଗେ ରିକ୍ସା ଉପରକୁ ଉଠିଗଲେ । ତା’ପରେ ରିକ୍ସା ଜେଲ୍‌ ଫାଟକ ଡେଇଁ ଆଖି ଆଢ଼ୁଆଳରୁ ଚାଲିଗଲା । ସନାତନ ବିଚଳିତ ହୋଇପଡ଼ିଲେ । ତାଙ୍କ ପକେଟରେ ଲମ୍ବା ବଜାର ତାଲିକା, ଏଇ ମାତ୍ର ନଡ଼ିଆ ଦୋକାନରୁ ସେ ହାଟ ସଉଦାର ଶ୍ରୀଗଣେଶ କରୁଥିଲେ ।

 

ସଉଦା ନ ନେଇ ଫେରିଲେ କାମ ଅଚଳ । ତେଣେ ରୁକ୍ମିଣୀଙ୍କୁ ଯାଇ ନ ବୁଝେଇଲେ ଘର ଅଚଳ । କିଏ ଜାଣେ, ଆଜି ପରିବାରର ସମସ୍ତେ ଭୋକରେ ରାତି କାଟିପାରନ୍ତି । ସେ ଦୀର୍ଘଶ୍ୱାସ ନେଲେ ଓ ହାଟ ଭିତରକୁ ଫେରିଗଲେ ।

 

ଏଥର ସନାତନ ଚଟାପଟ୍‌ କୋଉଠି କିଛି ମୂଲଚାଲ ନ କରି ଯେତେ ଶୀଘ୍ର ସମ୍ଭବ ସଉଦା କିଣି ଲାଗିଲେ । ଯଥାଶୀଘ୍ର ଘରକୁ ଫେରି ଯିବାକୁ ସେ ଉଚ୍ଛନ୍ନ ହୋଇପଡ଼ୁଥିଲେ । ରୁକ୍ମିଣୀଙ୍କ ରାଗ କଥା ସେ ଜାଣନ୍ତି । କିନ୍ତୁ ତାଙ୍କୁ କେବଳ ଦୋଷ ଦେଇ ଲାଭ ନାହିଁ । ସେ ତ ଜାଣି ଜାଣି ସବ୍‌ ଇନିସ୍ପେକ୍ଟରଙ୍କ ଝିଅ ବାହା ହୋଇଥିଲେ । ରୁକ୍ମିଣୀଙ୍କ ବାପା ଆଖିରେ ଯେମିତି ସମସ୍ତେ ଚୋର କି ଡକେଇତ ରୁକ୍ମିଣୀଙ୍କ ଆଖିରେ ସେମିତି ସମସ୍ତେ କନେଷ୍ଟବଳ କି ହାବିଲଦାର ।

 

ସନାତନ ଏମିତିରେ ଟିକେ କଳାକାର ସ୍ୱଭାବର ଲୋକ । ତାଙ୍କର ଘର ଓ ଅଫିସ୍‌ ଛଡ଼ା ଆଉ କୋଉଥିରେ ସେ ନଥାନ୍ତି । କାହା ପାଖରେ ଗୋଡ଼ ଭାଙ୍ଗି ଛିଡ଼ାହେବା, ଉପୁରି ଦି’ ପଇସା ପାଇଁ କାହାପାଖେ ନାକେଇବା ତାଙ୍କ ଜାତକରେ ନାହିଁ । କେତେକ ତାଙ୍କୁ ଏକଶିଙ୍ଗା ତ ଆଉ କେତେକ ଅବାଗିଆ ବୋଲି ତାଙ୍କ ପଛରେ କହନ୍ତି । ସନାତନ ସେସବୁକୁ ଶୁଣି ନ ଶୁଣିଲା ପରି ଚାଲିଯାଆନ୍ତି । ସ୍କୁଲ ପଢ଼ା ଦିନରେ ସେ ଭାବିଥିଲେ ବଡ଼ ହୋଇ ଆର୍ଟିଷ୍ଟ ହେବେ, ଚିତ୍ର ଆଙ୍କିବେ । ବଡ଼ ବଡ଼ କ୍ୟାନ୍‌ଭାସରେ ରଙ୍ଗଭରି ଦେଖଣାହାରିଙ୍କୁ ଚମକେଇ ଦେବେ । ତାଙ୍କ କଳ୍ପନାର ପୃଥିବୀ ଓହ୍ଲେଇ ଆସିବ ନାନା ରଙ୍ଗ ନେଇ କାନ୍‌ଭାସ୍‌ ଉପରକୁ । କିନ୍ତୁ ବହୁ ସ୍ୱପ୍ନ ପରି ସେ ସ୍ୱପ୍ନଟି ବି ସଫଳ ହେଲା ନାହିଁ । ସେ ଶେଷକୁ ପାଲଟିଗଲେ ଜଣେ କିରାଣି ।

 

ରୁକ୍ମିଣୀ ପାଇଁ ଓ ରୁକ୍ମିଣୀଙ୍କ ଅପୂର୍ଣ୍ଣ ଇଚ୍ଛାମାନଙ୍କ ପାଇଁ ଯେ ସନାତନ ବେଳେ ବେଳେ ବିବ୍ରତ ନ ହୁଅନ୍ତି ନୁହେଁ । ଅନ୍ୟ ଭଉଣୀମାନଙ୍କ ସାମ୍ନାରେ ରୁକ୍ମିଣୀଙ୍କୁ ଫିକା ପଡ଼ିଯିବାର ଦେଖିଲେ ମୋଟାମୋଟି ଦୃଶ୍ୟଟା ତାଙ୍କୁ ବେଖାପ ଦିଶେ । ଗୋଟେ ବାଘୁଣୀ କି ପଘାଛିଣ୍ଡା ଗାଈ ହଠାତ୍‌ ବାଧ୍ୟବାଧକତାରେ ସୁଧାର ଓ ବିନୟୀ ହୋଇପଡ଼ିଲା ପରି ତାଙ୍କୁ ଲାଗେ । ସେ ବି ନିଜର ଅସାମର୍ଥ୍ୟ ଓ ଅସୁବିଧା ସମ୍ପର୍କରେ ସଚେତନ ହୋଇ ଯାଆନ୍ତି । ରୁକ୍ମିଣୀଙ୍କର ଅନ୍ୟ ଦୁଇ ଭଉଣୀ ଭଲ ଜାଗାରେ ବାହା ହୋଇଛନ୍ତି । ସେମାନେ କେତେ ଖୁସିରେ ଅଛନ୍ତି, ସେମାନେ କେମିତି ନିଜ ନିଜର ଘର କଲେଣି, ଏକଥା ବରାବର କହି ରୁକ୍ମିଣୀ ତାଙ୍କ ଭିତରେ ହୀନମନ୍ୟତାର ଗୋଟେ ଚାରାଗଛ ରୋଇ ତାକୁ ବରାବର ଲାଳନପାଳନ କରିବସନ୍ତି । ସେ ଅନେକ ଥର ବୁଝେଇବାକୁ ଚେଷ୍ଟା କରନ୍ତି । ଦୁନିଆରେ ସବୁ ଭଲ ଅର୍ଥ ଖାଲି ପଇସା ନୁହେଁ । ଘର କୋଠାବାଡ଼ି ନ ଥାଇ ମଧ୍ୟ ଅନେକ ଲୋକ ଭଲରେ ରହିପାରନ୍ତି । କିନ୍ତୁ ତାଙ୍କ କଥା ରୁକ୍ମିଣୀ ଶୁଣନ୍ତି ନାହିଁ କି ସେ କଥା ସେ ରୁକ୍ମିଣୀଙ୍କ ପର୍ଯ୍ୟନ୍ତ ପହଞ୍ଚେଇ ପାରନ୍ତି ନାହିଁ । ସନାତନଙ୍କୁ ଲାଗେ ତାଙ୍କ ଅଲକ୍ଷ୍ୟରେ ରୁକ୍ମିଣୀ ଓ ତାଙ୍କ ମଝିରେ କିଏ ଯେମିତି ପାଚେରିଟିଏ ଗଢ଼ିଦେଉଛି । ଏଇ କଥାଟି ହିଁ ତାଙ୍କୁ ବେଳେବେଳେ ଅନ୍ୟମନସ୍କ କରିଦିଏ ।

 

ହଁ ! ପୃଥିବୀର କାହାର କ’ଣ ଚଉତୁଲ ସମାନ ହେଲାଣି । ସନାତନ ନିଜକୁ ଏମିତି ଗୋଟେ ଦର୍ଶନ ଶୁଣେଇ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲେ ।

 

ତରବରରେ ଜିନିଷ କିଣିଆଣି ସେ ହାଟ ଭିତରୁ ରାସ୍ତା ଉପରକୁ ବାହାରି ଆସିଲେ । ଭିଡ଼ ତଥାପି କମିନାହିଁ । ଆମ୍ବ ପଣସ ଦୋକାନରେ ଖୁନ୍ଦାଖୁନ୍ଦି ଭିଡ଼ । ଲୁନାଟା କେଉଁଠି ରହିଲା ବୋଲି ପକେଟରେ ଚାବି ଦରାଣ୍ଡୁ ଦରାଣ୍ଡୁ ସେ ରାସ୍ତାକୁ ଚାହିଁ ଖୋଜିହେଲେ । ନୂଆ ଲୁନାଟା ପନ୍ଦର ଦିନ ହେଲା କିଣିଛନ୍ତି । ଏ ପର୍ଯ୍ୟନ୍ତ ନମ୍ବର ଆସିନାହିଁ । ଏଇ ଲୁନାଟାକୁ ନେଇ ତାଙ୍କ ଘରେ କମ୍‌ ଅଶାନ୍ତି ସୃଷ୍ଟି ହୋଇନାହିଁ । ରୁକ୍ମିଣୀ ମନ୍ତବ୍ୟ ଦେଲେ–ଗାଡ଼ି ମଟର କଥା ତମଠୁଁ କିଏ ଖୋଜୁଚି, କମସେ କମ୍‌ ସ୍କୁଟର କି ମଟର ସାଇକେଲ୍‌ ଖଣ୍ଡେ ତ କରିପାରିଥାନ୍ତ ! ଏ ବୟସରେ ଲୁନା ଚଢ଼ି ଏ ଚିହ୍ନାଜଣା ଟାଉନରେ ବଜାରଘାଟ ଯିବାକୁ ତମକୁ ଲାଜ ନ ମାଡ଼ୁ ପଛେ, ମୋତେ ଲାଜ ମାଡ଼ିବ ।

 

ସନାତନ ହସିଥିଲେ । ମାନସମ୍ମାନ କ’ଣ ଖୁଚୁରା ପଇସା ହେଇଛି ଯେ ଲୁନାରେ ବସିଗଲେ ପକେଟ୍‌ରୁ ଖସି ପଳେଇବ; ସ୍କୁଟରରେ ଗଲେ ତଳ ପକେଟ୍‌ରୁ ଆସି ଉପର ପକେଟରେ ପଶିଯିବ !

 

ସନାତନ ଲୁନା ପାଖକୁ ଯାଇ ଚାବି ଖୋଲିବାରେ ଲାଗିଲେ । କିନ୍ତୁ ଚାବିଟା ଖୋଲିଲା ନାହିଁ । କାହିଁକି ଖୋଲୁନାହିଁ ? ସଉଦା ବ୍ୟାଗ୍‌ଟାକୁ ଦୁଇ ଗୋଡ଼ ମଝିରେ ରଖି ଟିକିଏ ନଇଁପଡ଼ି ଯତ୍ନର ସହିତ ସେ ଚାବି ଖୋଲିବାକୁ ଚେଷ୍ଟା କଲେ । ହଠାତ୍‌ ‘ଚୋର ଚୋର’ ବୋଲି ଡାକି ଦି’ଜଣ ତାଙ୍କ ଆଡ଼କୁ ମାଡ଼ି ଆସିଲେ । ସନାତନ ଆଶ୍ଚର୍ଯ୍ୟ ହୋଇ ଛିଡ଼ା ହୋଇପଡ଼ିଲେ ।

 

ଚୋର ? କିଏ ଚୋର ? ସନାତନ ଆବାକାବା ହେଇ ସେମାନଙ୍କୁ ଚାହିଁଲେ । ସେତେବେଳକୁ ତାଙ୍କ ଭିତରୁ ଜଣେ ସନାତନଙ୍କ ବାଁ ହାତଟିକୁ ଧରି ପକେଇଥିଲା । ସେମାନଙ୍କ ପାଟି ଶୁଣି ଆଉ ଆଠ ଦଶ ଜଣ ବି ରୁଣ୍ଡ ହୋଇ ସାରିଥିଲେ । ସନାତନ ଜାଣିପାରିଲେ ଯେ ସେ ଭୁଲରେ ଆଉ କାହାର ଲୁନାକୁ ନିଜର ଲୁନା ଭାବି ତା’ର ଚାବି ଖୋଲି ବସିଥିଲେ । ସେ କାକୁତିମିନତି ହେଲେ ଓ ନିର୍ଦ୍ଦୋଷପଣିଆ ବୁଝେଇବାକୁ ଚେଷ୍ଟା କଲେ । କିଏ ଜଣେ ହଠାତ୍‌ ତାଙ୍କୁ ବ୍ରହ୍ମ ଚଟକଣା ଗୋଟାଏ ଦେଲା । ଓଃ କି କଷ୍ଟ ! ସନାତନଙ୍କ କାନମୁଣ୍ଡା ଭାଁ ଭାଁ କରି ଉଠିଲା । ଏ ସମୟରେ ରୁକ୍ମିଣୀ ହୁଏତ ତାଙ୍କୁ ସାହାଯ୍ୟ କରିଥାନ୍ତା । ତାଙ୍କ ପାଇଁ ସାକ୍ଷୀ ହୋଇପାରିଥାନ୍ତା । କିନ୍ତୁ ରୁକ୍ମିଣୀ ଅନେକ ବେଳୁ ଚାଲିଗଲାଣି । ସେ କ’ଣ କରିବେ ? ଗାଲ ଆଉଁଶୁ ଆଉଁଶୁ ଦେଖିଲେ ଆଠ ଦଶଟା ଗାଡ଼ି ଛାଡ଼ି ତାଙ୍କ ଲୁନାଟା ଥୁଆହୋଇଛି । ସେ ହାତଛାଟି କହିଲେ “ସେଇଟା... ସେଇଟା ମୋ ଲୁନା ।”

 

କିନ୍ତୁ ସନାତନଙ୍କ ଦୁର୍ଭାଗ୍ୟ । ତାଙ୍କ ଲୁନାର ପ୍ୟାଡେଲ୍‌ ଉପରେ ଗୋଡ଼ ଚାପି ଗୋଟେ ଅଚିହ୍ନା ଯୁବକ ସେଇଟାକୁ ଷ୍ଟାର୍ଟ କରୁଥିଲା । ସନାତନ କିଛି କହିବା ଆଗରୁ ସେ ଲୋକଟା ଲୁନାଟାର ସତସତିକା ମାଲିକ ପରି ଉହୁଁକି ଆସିଲା, “କ’ଣ ମଉସା, କହୁନା ଏଟା ବି ତମର ! ଶଳା ପକ୍‌କା ଚୋର ଭଳିଆ ଜଣାପଡ଼ୁଛି । ଧର ତାକୁ, ପୋଲିସରେ ଦିଅ ।” ଯୁବକଟି ଲୋକମାନଙ୍କୁ ଉଦ୍ୱୋଧନ ଦେଇ ଲୁନାଟା ଚଳେଇ ସେଠୁ ଅଦୃଶ୍ୟ ହୋଇଗଲା ।

 

ସନାତନଙ୍କ ମୁଣ୍ଡ ଉପରେ ସତେ କି ଆକାଶ ଛିଣ୍ଡି ପଡ଼ିଲା । ସେ ଜାଣିପାରିଲେ ଯେ ତାଙ୍କ ଆଖି ସାମ୍ନାରେ ତାଙ୍କ ଲୁନାଟା ଚୋରି ହୋଇ ଯାଉଛି । ଅଥଚ ସେ ଯାହା କରିବାର କଥା କରିପାରୁ ନାହାନ୍ତି । ଗୋଟେ ପ୍ରକାର ଅସହାୟତା ଓ ଭୟ ତାଙ୍କ ପାଟିର କଥାଗୁଡ଼ାକୁ ଦୁର୍ବଳିଆ କରିଦେଉଛି । ତାଙ୍କ ଚାରିପଟେ ତାଙ୍କୁ ଲୁନାଚୋର ବୋଲି ଭାବି ବସିଥିବା ଜନତାଙ୍କ ଭିଡ଼ ବଢ଼ୁଛି । ସେ ଏମାନଙ୍କଠାରୁ ମୁକୁଳି ପାରୁ ନାହାନ୍ତି କି ତାଙ୍କ ଲୁନା ଚୋରକୁ ଧରିପାରୁ ନାହାନ୍ତି ।

 

ଉପସ୍ଥିତ ଜନତା ଶେଷରେ ସ୍ଥିର କଲେ ଯେ ସନାତନଙ୍କୁ ସେମାନେ ପୋଲିସରେ ଦେବେ । ସହରରେ ଚୋରଙ୍କ ଉପଦ୍ରବ ଖୁବ୍‌ ବଢ଼ିଗଲାଣି । ଶହ ଶହ ଲୋକଙ୍କ ଆଖି ଆଗରେ ଜେଲ୍‌ ହତା ପାଖରୁ ଯୋଉଠୁ ଲୁନା ଚୋରି ହେଉଛି ସେଠି ଆଇନ ଶୃଙ୍ଖଳା ରହିଲା କୋଉଠି ?

 

ଆଉ କିଛି ପ୍ରତିବାଦ କରିବାର ଇଚ୍ଛା ସନାତନ ନିଜ ଭିତରେ ମୂର୍ଚ୍ଛି ଦେଇଥିଲେ । ତାଙ୍କର ଲୁନା ଚୋରି ହୋଇଯାଇଛି । ତାଙ୍କର ସ୍ତ୍ରୀ ମିଛଟାରେ ରାଗି ଚାଲିଯାଇଛି । ତାଙ୍କ ପିଲାପିଲିମାନେ ହୁଏତ ଆଜି ଉପାସରେ ଶୋଇବେ । ଅଥଚ ସେ ଏବେ ଯିବେ ଥାନାକୁ ! ତାଙ୍କ ନାଁରେ ଚୋରିର ଅଭିଯୋଗ ।

 

ସନାତନ ଖୁବ୍‌ ଅସହାୟ ହୋଇ ପଡ଼ିଥିଲେ । ହାଣମୁହଁକୁ ଛେଳି ଗଲା ପରି ସେ ଘୋଷରା ହୋଇ ଚାଲିଥିଲେ । ତାଙ୍କର ଗୋଟେ ହାତରେ ସାବିତ୍ରୀ ବ୍ରତର ସଉଦାବ୍ୟାଗ୍‌ ଥିଲା ଓ ଆର ହାତଟିକୁ କାହାର ଶକ୍ତ ମୁଠା ଭିଡ଼ି ଭିଡ଼ି ନେଉଥିଲା ।

 

ଦୂରରେ ରହିଗଲାଣି ହାଟର କୋଳାହଳ ଓ ଜେଲ୍‌ ହତାରୁ ଭାସିଆସୁଥିବା ଚମ୍ପାଫୁଲର ବାସ୍ନା । ସନାତନ ଥରେ ପଛକୁ ଓ ଆଉ ଥରେ ମଥା ଉପରେ ଆକାଶକୁ ଚାହିଁ ଅବଧାରିତକୁ ସାମ୍ନା କରିବାର ସାହସ ସଂଗ୍ରହ କରୁଥିଲେ ।

𗰵𗰵𗰵

 

ଦିନ ପ୍ରତିଦିନ

 

ମିକି ଶୋଇପଡ଼ିଲାଣି । ଶୋଇଥାଉ । କାଲି ସକାଳେ ଅନୁଭବ ଶୀଘ୍ର ଉଠିବ । ମିକିକୁ ପ୍ରଚୁର ଗେଲ କରିବ । ତା’ ସାଙ୍ଗେ ଖେଳିବ ପୂରା ଦି’ ଘଣ୍ଟା । ସଞ୍ଜରେ ବି ଶୀଘ୍ର ଫେରିଆସିବ ଅନୁଭବ । ମିକି ଖୋଜିହେବ ନାହିଁ ତାକୁ । ତା’ ଆଗରୁ ସେ ଘରେ ପହଞ୍ଚି ଯାଇଥିବ । ଝିଅକୁ କହିବ–ଆଖି ବୁଜ୍‌ । ଆଖି ଖୋଲିଲାବେଳକୁ ସେ ଜାମା ପ୍ୟାଣ୍ଟ୍‌ ବଦଳେଇ ପ୍ରସ୍ତୁତ ହୋଇ ଯାଇଥିବ ତା’ ସାଙ୍ଗେ ଖେଳିବା ପାଇଁ ।

 

ସବୁଦିନ ଏମିତି ହୁଏ ନାହିଁ । ହୁଏତ କାଲି ବି ହେବ ନାହିଁ । ଅନୁଭବ ଭିତରେ କ’ଣ ଗୋଟିଏ ଆଉଟି ପାଉଟି ହୁଏ । ଗୋଟିଏ ଅବଦମିତ ଇଚ୍ଛା, ରୁନ୍ଧି ହୋଇଯାଉଥିବା ପିତୃତ୍ୱ ଡେଣା ମେଲି ପଦାକୁ ଉଠି ଆସିବାକୁ ମନ କରେ । ତା’ ମନ ଆକାଶରେ ରଙ୍ଗବେରଙ୍ଗ ଗୁଡ଼ି । ବଗିଚାରେ କୁନି କୁନି ହରେକ ରଙ୍ଗର ଫୁଲ ଏବଂ ପ୍ରଜାପତି । ସେଠି ସେ କାହାର ଅଧସ୍ତନ କର୍ମଚାରୀ ନୁହେଁ କି ଗୋଟିଏ କ୍ରୀତଦାସ ପରମ୍ପରାର ବାହକ ନୁହେଁ । ସେଠି ସେ ଗୋଟେ ମେଲା ମୁକୁଳା ମଣିଷ ।

 

ଅନୁଭବ କାଲି ସକାଳୁ ଶୀଘ୍ର ଉଠିପାରେ । ପ୍ରଥମେ ପରିବା ବ୍ୟାଗ୍‌ ଧରି ବଜାରକୁ ଯିବ-। ମାଛ, ମାଂସ ଦୋକାନ ପାଖେ ତା’ ଗୋଡ଼ ଲାଖି ରହିବ । ସେ ଖୁବ୍‌ ଚେଷ୍ଟା କରି ମାଛ ଓ ମାଂସ ଦୋକାନର ଚୁମ୍ବକୀୟ ଆକର୍ଷଣକୁ ଏଡ଼ିଯିବ, ଅସ୍ୱୀକାର କରିବ ସେ ଆକର୍ଷଣକୁ । ଖୋଜି ଦରାଣ୍ଡି ପୋକା ବାଇଗଣ ମେଳରୁ ଭଲ ବାଇଗଣ ବାଛିବ ଅଧକେଜି । ଛନଛନିଆ କାଙ୍କଡ଼ ଗଦାକୁ ଦେଖି ପଚାରିବ ଦାମ୍‌ କେତେ । ଦୋକାନୀ ଶୁଣି ନ ଶୁଣିଲା ପରି ଦାମ୍‌ କହିବ ଓ ଅନୁଭବ ଚୁପ୍‌ କରି ହାତରେ ଧରିଥିବା କାଙ୍କଡ଼ ଦିଇଟିକୁ ପକାଇ ଦେବ ପରିବା ଗଦା ଉପରକୁ । ଆଳୁ ଅଧାକେଜି ଧରି ଫେରି ଆସିବ ସାଇକେଲ୍‌ ପାଖକୁ ଓ ସାଇକେଲ୍‌ ହ୍ୟାଣ୍ଡେଲରେ ପରିବା ବ୍ୟାଗ୍‌ ଝୁଲେଇ ପୋଇ କି ନେଉଟିଆ ଶାଗ ପୁଳାଏ କିଣିବାକୁ ମନ କରିବ । ବାଛି ବାଛି ଲମ୍ବା ପୋଇ କିଣିବ ଟଙ୍କାରେ ଦି’ଖଣ୍ଡ ଓ ଫେରି ଆସିବା ବେଳକୁ ଦେଖିବ ବୁଲା ଷଣ୍ଢଟିଏ ତା’ ଅନୁପସ୍ଥିତିରେ ତା’ ପରିବାବ୍ୟାଗରେ ମୁହଁ ମାରିଦେଇଛି । ସେ ଅସ୍ପଷ୍ଟ ଗଳାରେ ଅମାନିଆ ଷଣ୍ଢକୁ ବହେ ଗାଳିଦେବ, ଯେମିତି ଗାଳିଦିଏ ତା’ ଉପରିସ୍ଥ ହାକିମକୁ ମନେ ମନେ ଏବଂ ଘରକୁ ଫେରି ଆସିବ ।

 

ଘରକୁ ଫେରିବା ବେଳକୁ ଡେରି ହୋଇଯାଇଥିବ ଅନୁଭବର ସବୁଦିନ ପରି । ମାଳତୀ ତାକୁ ଦୋଷ ଦେବ ଏବଂ କହିବ ଯେ ଅନୁଭବ ପାଇଁ ତା’ର ଜଞ୍ଜାଳ ପ୍ରତିଦିନ ବଢ଼ିଯାଉଛି । ପରିବା ବ୍ୟାଗ୍‌ରୁ ବାଇଗଣ, ଆଳୁ ଓ କ୍ୟାରିଅରରୁ ପୋଇ ତିନି ଖଣ୍ଡ ଓହ୍ଲାଇ ଉନ୍ନାସିକ ଢଙ୍ଗରେ ମାଳତୀ ଅନୁଭବର ପରିବା କିଣାକୁ ମୃଦୁ ଭର୍ତ୍ସନା କରିବ । ପୁଞ୍ଜାଏ ସାରୁ କି ବିଲାତି ଆଣିବାକୁ କାହିଁକି ବୁଦ୍ଧି ଦିଶିଲା ନାହିଁ ବୋଲି ଶୁଣେଇ ଶୁଣେଇ କହିବ । ପିଲାଟା ଭାରି ଆଇଁଷିଆ ହେଇଛି ବୋଲି ମିକି ସମ୍ପର୍କରେ ମନ୍ତବ୍ୟ ଦେଲାବେଳକୁ ୟୁନିଫର୍ମ ପିନ୍ଧା ମିକି କହୁଥିବ ‘ଆଜି ବି ମୋର ଡେରି ହୋଇଗଲାଣି ଓ ଛକ ପାଖରୁ ସ୍କୁଲ୍‌ ବସ୍‌ ଚାଲିଯିବଣି ।’ ଅନୁଭବ ତରତରରେ ପାଣି ଗିଲାସଟେ ପିଇ ସାଇକେଲ୍‌ ଆଗରେ ମିକିକୁ ବସେଇ ଛକଯାଏ ଯିବ ଏବଂ ବାଟରେ ସ୍ଥିର କରିବ ଯେ ମିକିର ବସ୍‌ ଛାଡ଼ି ଯାଇଥିଲେ ସେ ସାଇକେଲରେ ନେଇ ତାକୁ ଛାଡ଼ି ଆସିବ । ସେ ଏକଥା ବି ସ୍ଥିର କରିବ ଯେ କାଲିଠୁ ଆଗ ମିକିକୁ ତା’ ବସରେ ବସେଇ ସାରିଲା ପରେ ପରିବା ପାଇଁ ଯିବ, କାହିଁକି ନା ପରିବା କିଣା ଓ ମିକିର ପାଠପଢ଼ା ଭିତରୁ ମିକିର ପାଠପଢ଼ାଟା ବେଶି ଗୁରୁତ୍ୱପୂର୍ଣ୍ଣ ।

 

ମିକିକୁ ସାଇକେଲ୍‌ରୁ ଓହ୍ଲାଉ ଓହ୍ଲାଉ ସେ ଟା-ଟା କହି ବସ୍‌ ଭିତରକୁ ଚାଲିଯିବ । ତା’ର ଏକମାତ୍ର ଝିଅଟି ଉଦ୍ଦେଶ୍ୟରେ ଶୂନ୍ୟରେ ଶୂନ୍ୟରେ ଚୁମାଟିଏ ଉଡ଼େଇ ଦେବ ଓ ସାଇକେଲ୍‌ ଉପରେ ଘିର୍‌କିନା ବୁଲି ବସିପଡ଼ିବ ଅନୁଭବ । ସେତେବେଳକୁ ସକାଳ ନଅଟା ହୋଇଯାଇଥିବ । ଗାଧୁଆ ପାଧୁଆ ଓ ଠାକୁର ପୂଜା ସାରି ଠିକ୍‌ ସମୟରେ ନ ବାହାରିଲେ ପୁଣି ଅଫିସ୍‌ ଖାତାରେ ବଡ଼ ବାବୁ ନାଲିଛକ ପକେଇ ଦେବେ ।

 

ଅନୁଭବ ବଡ଼ ବ୍ୟସ୍ତ ହୋଇପଡ଼ିବ । ଗାଧୁଆ ଘର ଭିତରକୁ ପଶିଗଲାବେଳକୁ ଦେଖିବ ଯେ ପାଣି ଆସୁନାହିଁ । ତାକୁ ଦେଖି ବନ୍ଦ ହୋଇଗଲା ପରି ପାଣି ସପ୍ଲାଇ ବନ୍ଦ ହୋଇ ଯାଉଥିବ । ସେ ମ୍ୟୁନିସିପାଲିଟି ଜଳ ଯୋଗାଣ ବ୍ୟବସ୍ଥାକୁ ଧିକ୍କାର କରିବ ଏବଂ ଡାକ ଛାଡ଼ିବ ବାଥ୍‌ରୁମ୍‌ ଭିତରେ ଥାଇ ମାଳତୀକୁ । ଅନୁଭବର ଟିଫିନ୍‌ ପାଇଁ ରୁଟି ବେଲୁଥିବା ମାଳତୀ ଚିହିଁକି ଉଠିବ ଓ “ସବୁବେଳେ କାହିଁକି ମାଳତୀ ମାଳତୀ ହେଉଛ” ବୋଲି ବଡ଼ପାଟିରେ କହିବ । ଅନୁଭବ ବାଥ୍‌ରୁମରେ ପାଣି ନାହିଁ ବୋଲି ଅଭିଯୋଗ କରିବ ଅଥଚ ଅଭିଯୋଗର ଉତ୍ତରରେ “ମୁଁ କ’ଣ କରିବି” କହି ମାଳତୀ ପିଠି ବୁଲେଇ ଗାଧୁଆଘର ଦୁଆରୁ ହିଁ ଫେରିଯିବ ।

 

ଅନୁଭବର ଦପ୍ତର ଯିବା ଡେରି ହୋଇଯାଉଥିବ । ମାଳତୀ ଏଥର ଶୁଣେଇ ଶୁଣେଇ କହିବ, ଫେରିବା ବେଳକୁ ‘ଭଞ୍ଜପ୍ରଭା’ରୁ ଡାଲି ଓ ତେଲ ନେଇ ଆସିବ । କାଲିଠାରୁ କହୁଛି ମନେ ରଖୁନାହଁ ଓ ଅନୁଭବ କହିବ, ଗଲାବେଳକୁ ବ୍ୟାଗ୍‌ଟା ଦେଇଦେଇଥିଲେ ମୋର ମନେ ପଡ଼ିଯାଇଥାଆନ୍ତା । ମାଳତୀ ଆଳିମାଳିକା ଘରଟା ଦରାଣ୍ଡି ଦରାଣ୍ଡି କୋଉଠୁ କେଜାଣି ଟାଣି ବାହାର କରୁଥିବ ଗୋଟାଏ ପୁରୁଣା ପ୍ଲାଷ୍ଟିକ୍‌ ବ୍ୟାଗ୍‌ । ଅନେକ ଦିନ ତଳେ ସେଥିରେ ମାଛ ଆସିଥିବା ଯୋଗୁ ବ୍ୟାଗ୍‌ଟା ଗନ୍ଧଉଥିବ ଏବଂ ସେହି କାରଣରୁ ଅନୁଭବ ତାକୁ ଖବରକାଗଜରେ ତିନି ପ୍ରସ୍ତ ଗୁଡ଼େଇ କ୍ୟାରିଅରରେ ରଖି ଦପ୍ତରକୁ ଯିବ ।

 

ପେଜ ନିଗିଡ଼ି ନ ଥିବା ଭାତ ଓ ଗରମ ଗରମ ଡାଲମାକୁ ହାପୁଡ଼ିଲାବେଳେ ଅନୁଭବକୁ ଗୋଟାଏ ଅରୁଚି ଅରୁଚି ଭାବ ତୋଟି ପାଖରୁ ଚିପି ଧରୁଥିବ ଅଥଚ ଅନୁଭବ ନାକ କାନ ବୁଜି ଯେନତେନ ପ୍ରକାରେଣ ଛଅ ସାତ ଗୁଣ୍ଡା ଭାତ ଢୋକି ପେଟକୁ ପାର କରିଦେବାକୁ ଚେଷ୍ଟା କରୁଥିବ । ମାଳତୀ ରୋଷେଇଘର ଭିତରେ ନସର ପସର ହୋଇ ହୋଇ ପଚାରିବ, ‘ଆଉ କ’ଣ ଦେବି କି’ ଔପଚାରିକ ରୀତିରେ ଓ ଅନୁଭବ ସେତେବେଳକୁ ପିଢ଼ା ଉପରୁ ଉଠି ମୁହଁ ଧୋଇବାକୁ ଯାଉଯାଉ ସେଇପରି ନିର୍ଲିପ୍ତ ରୀତିରେ କହିବ ‘ନା’ ।

 

ରାସ୍ତା ଉପରେ ଏବେ ଅନୁଭବ । ବାରମ୍ବାର ଅନ୍ୟମନସ୍କ । ଅନୁଭବର ସାଇକେଲ୍‌ ହମ୍ପସ୍‌ଗୁଡ଼ାକ ପାଖେ ଝୁଣ୍ଟୁଥିବ ଓ ଅନ୍ୟମନସ୍କତା କଟିଯାଉଥିବ । ସେ ମନେ ମନେ ଆଉ ଥରେ ଅନାବଶ୍ୟକ ଭାବେ ତା’ ବାପାଙ୍କୁ ଗାଳିଦେବ ଓ କାହିଁକି ତାକୁ ଅଫିସରଯୋଗ୍ୟ ଯୁବକଟେ କରି ଗଢ଼ି ତୋଳିଲେନି ବୋଲି ବିରକ୍ତ ହେବ । ତାକୁ ଷଣ୍ଢଗଡ଼ା କି ଘଟପୁର ସ୍କୁଲରେ ନ ପଢ଼େଇ ସହରର ଇଂଲିଶ ମିଡିୟମ୍‌ ସ୍କୁଲରେ ପଢ଼େଇଥିଲେ ଖୁବ୍‌ ଭଲ ହୋଇଥାନ୍ତା ଓ ଏତେବେଳକୁ ସେ ଆଇ.ଏ.ଏସ୍‌., ଆଇ.ପି.ଏସ୍‌. ନ ହେଲେ ଓ.ଏ.ଏସ୍‌., ଓ.ଏଫ୍‌.ଏସ୍‌.ଟେ ହୋଇ ଆଗରେ ଥାଆନ୍ତା ବୋଲି ମନେ ମନେ ଚିନ୍ତା କରିବ । ଅନୁଭବର ମନେପଡ଼ିବ ତା’ ଝିଅ ମିକି କଥା ଓ ସବୁ ରକମର ଅସୁବିଧା ସତ୍ତ୍ୱେ ସେ ତା’ ଝିଅକୁ ପବ୍ଲିକ୍‌ ସ୍କୁଲରେ ପଢ଼ଉଥିବା ଯୋଗୁଁ ମନେ ମନେ ନିଜ ଭିତରର ପିତୃତ୍ୱକୁ ସାବାସି ଦେବ । ସେତିକିବେଳେ ତା’ର ମନେପଡ଼ିବ ମାଳତୀର ଚିଡ଼୍‌ଚିଡ଼୍‌ ମୁହଁ ଏବଂ ଅନୁଭବ ଗମ୍ଭୀର ହୋଇଯିବ । କାହିଁକି ମିକିକୁ ସାଢ଼େ ତିନି ବର୍ଷ ବେଳକୁ ସ୍କୁଲକୁ ପଠେଇଲ ବୋଲି ମାଳତୀ ଅନୁଭବ ଉପରେ ବିରକ୍ତ ହୁଏ ଏବଂ ସହରଯାକର ସବୁ ବାପ ଚାରି ବର୍ଷର ପିଲାଙ୍କୁ ହିଁ ତିନି ବର୍ଷର ବୋଲି ଲେଖେଇ ସ୍କୁଲରେ ଭର୍ତ୍ତି କରିଥାନ୍ତି ବୋଲି ସୂଚନା ଦେବ । ଅନୁଭବ ଏ ଦୋଷଟିକୁ ନିଜ ମୁଣ୍ଡ ଉପରକୁ ନେଇ ଯାଇ ନିରବ ରହିବ ଓ ମାଳତୀକୁ ବୁଝେଇବାକୁ ଚେଷ୍ଟା କରିବ । ପିଲାଙ୍କର ଜନ୍ମ ତାରିଖକୁ ପଛେଇ ଲେଖିବା ଏକ ସାମାଜିକ ଅପରାଧ ବୋଲି ମାଳତୀକୁ କହିବ । ମାଳତୀ କିନ୍ତୁ ଏ ପ୍ରକାର ଭୀରୁତା ଓ ଅଦୂରଦୃଷ୍ଟିକୁ ଧିକ୍କାର କରିବ ଓ କମ୍‌ ବୟସରୁ ବେଶୀ ପାଠ ପଢ଼ିବାକୁ ପଡ଼ୁଥିବାରୁ ତା’ ଝିଅ ଅନ୍ୟମାନଙ୍କ ସାଙ୍ଗରେ ‘କମ୍ପିଟ୍‌’ କରିପାରୁ ନାହିଁ ବୋଲି ଅଭିଯୋଗ କରିବ ।

 

ଅନୁଭବ ମାଳତୀ ଓ ମିକି କଥା ଭୁଲିଯାଇ ରାସ୍ତାର ଗହଳ ଚହଳ ଭିତରେ ସାମିଲ ହୋଇଯାଉଥିବ । ଚାରିପାଖର ଅସଂଖ୍ୟ ସ୍କୁଟର, ମଟର ସାଇକେଲ୍‌, ରିକ୍ସା, ମାରୁତି, ଫିଆଟ୍‌, ଆମ୍ବାସାଡରଙ୍କ ଭିଡ଼ରେ ତା’ ସାଇକେଲ୍‌ଟି ହଜିଯାଉଥିବ । ଅନୁଭବ ତା’ ସାଇକେଲ୍‌ ହ୍ୟାଣ୍ଡଲକୁ ବାଁ ଡାହାଣ କଟେଇ କଟେଇ ଛକ ପାର ହେବାକୁ ଚେଷ୍ଟା କଲାବେଳକୁ ଦେଖିବ ଟ୍ରାଫିକ୍‌ ଆଲୁଅ ନାଲି ହୋଇଯାଇଛି । ସେଇଠି ହିଁ ତା’ର ଅବଧାରିତ ଭାବେ ଦେଖା ହୋଇଯିବ ବ୍ୟାଙ୍କ୍‌ର ସେ ଫୁଲେଇ ସ୍ତ୍ରୀଲୋକଟି ସାଙ୍ଗେ । ହୁଡ୍‌ ଟେକା ରିକ୍ସା ଉପରେ ସାମ୍ରାଜ୍ଞୀ ଠାଣିରେ ବସିଥିବା ସେଇ ତରୁଣୀଟିର ଲମ୍ବା ଭ୍ରୂ, ଗୋରା ତକତକ ଚେହେରା, ଉଚ୍ଚା ଛାତି, ଅଣ୍ଟା ପାଖରେ ପୁଳାଏ ଚର୍ବି ଅନୁଭବକୁ ଅନ୍ୟମନସ୍କ କରିଦେବ । ତାକୁ ଲାଗୁଥିବ କଳା ଛନଛନ ଶାଗ କିଆରି ମଝିରେ ଗୋଟେ ହଳଦୀ ଗରଗର ସାପ କୁଣ୍ଡଳୀ ମୋଡ଼ି ଶୋଇରହିଛି । ସାପଟାର ଜିଭ ପରି ତରୁଣୀଟିର ଲିପ୍‌ଷ୍ଟିକ୍‌ ବୋଳା ଓଠ, ସାପର ପିଠି ପରି ତା’ର ଭି-କଟ୍‌ ବ୍ଲାଉଜ୍‌ ପିନ୍ଧା ପିଠି ଅନୁଭବ ଭିତରେ ବିଜୁଳି ଛୁଆଁଇ ଦେବ । ଠିକ୍‌ ଏତିକିବେଳକୁ କାହିଁକି ଆସେ ତରୁଣୀଟି ? ଢେର୍‌କାଳ ତରୁଣୀଟିର ରିକ୍ସା ପଛେ ପଛେ ଅନୁଭବ ସାଇକେଲ୍‌ ଚଳେଇ ଚଳେଇ ଯିବ । ଆର ଛକ ମୋଡ଼ରେ ତରୁଣୀଟିର ରିକ୍ସା ବାଟ ଭାଙ୍ଗିବ ବାଁ ପଟକୁ ଓ ଅନୁଭବ ଯିବ ଡାହାଣ ପଟକୁ । ପୁଳାଏ ଦୀର୍ଘଶ୍ୱାସ ଏକାଥରକେ ଛାତି ଭିତରୁ ବାହାରି ଆସିବ ଓ ଅନୁଭବ ହଠାତ୍‌ ଦାର୍ଶନିକ ପାଲଟି ଯିବ । ତରୁଣୀଟିର ଆକର୍ଷଣରୁ ମୁକ୍ତ ହେବା ପାଇଁ ସେ ମନେ ମନେ ମନବୋଧ ଚଉତିଶା ଆବୃତ୍ତି କରିବ ଏବଂ ମାଳତୀର ତେଲଚିକିଟା ମଳିନ ଚେହେରା ଓ ସେଇ ଫୁଲେଇ ସ୍ତ୍ରୀଲୋକର ବାସ୍ନାମୟ ଉଜ୍ଜ୍ୱଳ ଦେହ ଭିତରେ ବିଶେଷ ଫରକ ନାହିଁ ବୋଲି ମନକୁ ମନ ବୁଝେଇବ ।

 

ସାତ ବର୍ଷର ଦାମ୍ପତ୍ୟ ଓ ଚାରି ବର୍ଷର ପିତୃତ୍ୱ ପରେ ବି ଅନୁଭବ ବରାବର ତା’ର ଦି’ କଡ଼କୁ ଚାହୁଁଥିବ ଏବଂ ସୁନ୍ଦରୀ ଝିଅମାନଙ୍କୁ ଲକ୍ଷ୍ୟ କରୁଥିବ । ଦିନୁଦିନୁ ସାଲଓ୍ୱାର ପିନ୍ଧା ଝିଅମାନେ ତା’ ଆଖିକୁ ଅଧିକ ଅଧିକ ସୁନ୍ଦରୀ ଦିଶୁଥିବେ ଓ ଭିତରେ ଭିତରେ ସେ ହାଇଁପାଇଁ ହେଉଥିବ । ଏମିତିକା ଗୋଟାଏ ଅବସୋସ ଭିତରୁ ମୁକୁଳି ଆସିବା ପାଇଁ ସେ ରାସ୍ତାକଡ଼ର ସିନେମା ପୋଷ୍ଟରମାନଙ୍କୁ ଚାହିଁବ ଓ ମନେ ମନେ ତାକୁ ଭଲ ଦିଶୁଥିବା ନାୟିକାମାନଙ୍କୁ ରମଣ କରିପକେଇବ ।

 

ଅନୁଭବ ଦପ୍ତରରେ ପହଞ୍ଚି, ସାଇକେଲ୍‌ ଷ୍ଟାଣ୍ଡରେ ସାଇକେଲ୍‌ଟି ଥୋଇ ଏକା ଡିଆଁକେ ପହଞ୍ଚିବ ଉପସ୍ଥାନ ଖାତା ପାଖରେ । ବଡ଼ ବାବୁ ଗୋଟେପଟ ନାଲି ଓ ଆରପଟ କଳା ରଙ୍ଗର ଦୋମୁହାଁ ଡଟପେନ୍‌ଟାକୁ ଦୁଇ ଆଙ୍ଗୁଳି ମଝିରେ ହଲେଇ ହଲେଇ ହସୁଥିବେ ମୁରୁକି ମୁରୁକି ଏବଂ ପ୍ରମାଣିତ କରିବାକୁ ଚାହୁଁଥିବେ ଯେ ସେ ଇଚ୍ଛାକଲେ ଅନୁଭବ ସେଦିନ ଦପ୍ତର ଆସିନାହିଁ ବୋଲି ଲେଖିଦେଇ ପାରିବେ । ଅନୁଭବ ଦାନ୍ତ ନେଫେଡ଼ି କାନ କୁଣ୍ଡେଇ ଦୁଃଖ ପ୍ରକାଶ କରିବ ଓ ବଡ଼ ବାବୁଙ୍କ ପାଖରୁ ଖାତାଟା ଘୁଞ୍ଚାଇ ଆଣି ଦସ୍ତଖତ କରିବ–ଏ. ନାୟକ । ତା’ପରେ ସେ ଆଉ ଥରେ ଦୀର୍ଘଶ୍ୱାସଟେ ପକେଇ ତା’ର ସେ ହାତ ଭାଙ୍ଗିଯାଇଥିବା ଚଉକି ଉପରେ ଯାଇ ବସିପଡ଼ିବ ନଥ୍‌କରି ।

 

ବାଆଁପଟେ ବସୁଥିବା ମନ୍ମଥ କାହିଁକି ଆସିନାହିଁ ବୋଲି ଅନୁଭବ ଚିନ୍ତା କଲାବେଳକୁ କେହି ଜଣେ ଖବର ଦେବ ଯେ ଆସନ୍ତାକାଲି ସେକେଣ୍ଡ ସଟରଡେ ହୋଇଥିବାରୁ ଆଜିଠୁ ହାତପୂରା ଛୁଟି ନେଇ ମନ୍ମଥ ଗାଆଁକୁ ଚାଲିଗଲାଣି । ବଡ଼ ବାବୁ ମନ୍ମଥର ଲେଖାଯୋଖା ପିଇସା ଓ ସେଇଥିପାଇଁ ମନ୍ମଥ ଅଫିସ୍‌ଟାକୁ ତା’ ଘର କରିଦେଲାଣି ଭାବି ଅନୁଭବ ବିରକ୍ତ ହେବ ମନେ ମନେ ଓ ତା’ କାମ ଆରମ୍ଭ କରିଦେବ ।

 

ସେଇ ବିରକ୍ତିକର ଚର୍ବିତ ଚର୍ବଣ ଦପ୍ତରୀ କାମ ଭିତରେ ଅନୁଭବ ରୁଦ୍ଧଶ୍ୱାସ ହୋଇ ପଡ଼ିବ ଓ ବରାବର ଏକ ହୀନମନ୍ୟତା ଭିତରେ ସେ ବତୁରି ଯାଉଥିବ । ତାକୁ ସାମ୍ନା ରୁମ୍‌ମାନଙ୍କରେ ବସୁଥିବା ଅଫିସର୍‌ମାନେ ଶ୍ରେଣୀଶତ୍ରୁ ଭାବେ ପ୍ରତୀୟମାନ ହେବେ ଓ ସେ ତା’ ସେକ୍‌ସନ୍‌ ଏବଂ ଅଫିସରଙ୍କ ରୁମ୍‌ ମଝିର କାନ୍ଥଟାକୁ ଭାଙ୍ଗିଦେବାକୁ ଚାହିଁ ବସିବ । ସାମ୍ନା ସିଟ୍‌ର ପ୍ରଦୀପ ଏବେ ନୂଆ ଜଏନ୍‌ କରିଥିବାରୁ ମନଦେଇ କାମ କରୁଥିବ ଓ କୁଆଡ଼କୁ ଟିକିଏ ବି ଚାହୁଁ ନ ଥିବ । ପ୍ରଦୀପ ଏବେ ବି ବ୍ୟାଚଲର ଓ ସେଇ ଦୃଷ୍ଟିରୁ ଆରାମରେ ଅଛି । ଉଇକ୍‌-ଏଣ୍ଡରେ ସେ ସାଙ୍ଗମାନଙ୍କ ସାଙ୍ଗରେ ବିଅର୍‌ ପିଏ ଓ ବେଳଅବେଳରେ ଇଂରେଜୀ କ୍ୟାସେଟ୍‌ ଆଣି ଦେଖେ । ଅନୁଭବର ଇଚ୍ଛା ହେବ ସେ ବି ଶନିବାର ରାତିରେ ବିଅର୍‌ ପିଅନ୍ତା ଓ ଇଂଲିଶ କ୍ୟାସେଟ୍‌ ଆଣି ଫିଲ୍ମ ଦେଖନ୍ତା । ହଠାତ୍‌ ଅନୁଭବର ମନେପଡ଼ିବ ଯେ, ତା’ ଘରର ଟି.ଭି. ସେଟ୍‌ଟା ବ୍ଲାକ୍‌ ଆଣ୍ଡ ହ୍ୱାଇଟ୍‌ ଓ ସେଇ ଦୃଷ୍ଟିରୁ ସେଥିରେ ଯେତେ ଭଲ ସିନେମା ନେଇ ଦେଖିଲେ ବି ତାକୁ ଭଲ ଦିଶିବ ନାହିଁ । ତା’ର ପୁଣି ମନେପଡ଼ିବ ଯେ, ନିଜ ଘରେ ଇଂରାଜୀ କ୍ୟାସେଟ୍‌ ନେଇ ଦେଖିବାକୁ ତା’ର ଚିଡ଼ିଚିଡ଼ା ସ୍ତ୍ରୀ ଆଦୌ ପ୍ରଶ୍ରୟ ଦେବ ନାହିଁ ଏବଂ ଅତି ବାଧ୍ୟ କଲେ ସେ ବାପଘରକୁ ପଳେଇଯିବ ବୋଲି ଧମକ ଶୁଣେଇ ଦେବ ।

 

ସୁନ୍ଦରୀ ତରୁଣୀ, ରଙ୍ଗିନ ଉଇକ୍‌-ଏଣ୍ଡ ଏବଂ ଦାମୀ ଚାକିରିମନସ୍କ ଅନୁଭବ ପୁଣି ଥରେ ଭିତରେ ଭିତରେ ଗୋଟେ ଅଜବ ଶୂନ୍ୟତା ଅନୁଭବ କରିବ ଓ ଡଟପେନ୍‌ର ଏ ମୁଣ୍ଡକୁ ଦାନ୍ତରେ ମାଡ଼ିବସି ଚଉକି ପିଠି ଉପରେ ଆଉଜି ପଡ଼ିବ । ତାକୁ ଲାଗୁଥିବ ଅଫିସ୍‌ର ସେ ପୁରୁଣା ଫ୍ୟାନ୍‌ର ଘର୍ଘର ଶବ୍ଦ, ବୁଢ଼ିଆଣୀ ଜାଲର ଅଳନ୍ଧୁ ପୋକରା ଟେବୁଲ ଚଉକି, ସାହିଢଳା ଫାଇଲପତ୍ର, ପେପରଓ୍ୱେଟ୍‌ ଭାବେ ବ୍ୟବହୃତ ପଥର ଓ ଇଟାଖଣ୍ଡ କ୍ରମେ ଅପସରି ଯାଉଛନ୍ତି ତା’ ସାମ୍ନାରୁ ଓ ସେ ବିବର୍ତ୍ତିତ ହୋଇଯାଉଛି ଗୋଟାଏ ସମ୍ଭ୍ରାନ୍ତ ପୁରୁଷ ରୂପରେ । ଉତ୍ତୀର୍ଣ୍ଣ ସଞ୍ଜରେ ଅନୁଭବର ଗାଡ଼ି ଯାଇ ଲାଗୁଛି ଗୋଟାଏ ଦାମୀ ହୋଟେଲ ସାମ୍ନାରେ ଓ ସେ ଓହ୍ଲେଇ ପଡ଼ୁଛି ହୋଟେଲ ପୋର୍ଟିକୋରେ । ହୋଟେଲ ଦରଓ୍ୱାନ ଡୋର୍‌ ଖୋଲି ଧରୁଛି ଓ ଅନୁଭବ ଓହ୍ଲାଇ ଯାଇ ବସୁଛି ହୋଟେଲର କୋଣ ଟେବୁଲରେ । ସେ ପିନ୍ଧିଛି ଦାମୀ ନୂଆ ସୁଟ୍‌ ଓ ଚିକ୍‌ଚିକ୍‌ କରୁଛି ତା’ର ଡାଇମଣ୍ଡ୍‌ ଟାଇପିନ୍‌ । ଟେବୁଲ୍‌ ଉପରେ ସଜା ହୋଇଛି ଲାଲ୍‌ ଗୋଲାପର ଫୁଲଦାନି । ମହମବତି ଆଲୁଅରେ ଅନୁଭବ ଦିଶୁଛି ଅପୂର୍ବ । ଧୀରେ ଭାସି ଆସୁଛି ଗୋଟେ ଗଜଲ୍‌ର ମିଠା ଆଓ୍ୱାଜ । ଆସୁଛି ଧଳା ଜରିଦିଆ ପୋଷାକରେ ଗୋଟେ ଛନଛନିଆ ତରୁଣୀ । ଏପଟ ସେପଟ ଚାହୁଁଛି । ପରୀଟେ ପରି ଦିଶୁଛି ତରୁଣୀଟି । ଖୋଜି ଖୋଜି ଆସି ସେ ଅଟକି ଯାଉଛି ଅନୁଭବର ଟେବୁଲ ପାଖରେ । ସାମ୍ନା ଓ ପାଖ ଟେବୁଲଗୁଡ଼ିକ ପାଖରେ ହଳ ହଳ ଈର୍ଷୁକ ଆଖି । ମହମବତିର ଆଲୁଅରେ ଅନୁଭବ ଦେଖୁଛି, ସେଇ ଫୁଲେଇ ତରୁଣୀଟି ସମସ୍ତଙ୍କୁ ଆଡ଼େଇ ତା’ ପାଖେ ଆସି ଛିଡ଼ା ହୋଇଛି । ଥରେ ପାଦରୁ କପାଳଯାଏ ଦେଖିନେଉଛି ଓ ଖୁସି ହୋଇଯାଉଛି ଅନୁଭବ । ତରୁଣୀଟି ଆଗକୁ ଝୁଙ୍କିପଡ଼ି ହାତ ବଢ଼େଇ ଦେଉଛି ଅନୁଭବ ଆଡ଼କୁ ଓ ଅନୁଭବ, ଧୀରେ ଅତି ସନ୍ତର୍ପଣରେ ନିଜର ପାପୁଲିରେ ଜଡ଼େଇ ଧରୁଛି ତରୁଣୀର ହାତ । ରେସ୍ତୋରାଁ ନିର୍ଜନ । ଅନୁଭବର ଛାତି ଭିତରେ ମୃଦୁ ଭୂମିକମ୍ପ । ହାତ ଝାଳେଇ ଯାଉଛି ! ସେ ଭୀଷଣ ଭାବରେ ଅନ୍ୟମନସ୍କ ହୋଇଯାଉଛି । ତରୁଣୀଟି ଟେବୁଲ ତଳେ ଗୋଡ଼ ବଢ଼େଇ ଅନୁଭବର ଆଣ୍ଠୁ ତଳକୁ କୁତୁ କୁତୁ କରି ଦେଉଛି । ଅନୁଭବ ଫେଁ କିନା ହସି ଦେଉଛି ଓ ତା’ ହାତରୁ ସୁପ୍‌ ଚାମଚ ଖସି ପଡ଼ୁଛି ।

 

ଅନୁଭବ ଆଉ ଅଧିକ କାଳ ଏମିତିକା ଗୋଟେ ମିଠା ସ୍ୱପ୍ନରେ ବୁଡ଼ି ରହିବାକୁ ଚାହୁଁଥିବ-। କିନ୍ତୁ ତାକୁ ସେତିକିବେଳେ ଡକରା ଆସିବ ଅଫିସରଙ୍କ ରୁମ୍‌କୁ । ଅନୁଭବ ହାଣ ମୁହଁକୁ ଛେଳି ଗଲା ପରି ଘୋଷାରି ହୋଇ ଯିବ । ଅଫିସରଙ୍କ ନାଲି ଆଖି ଯୋଡ଼ାକ ଦେଖିଲାକ୍ଷଣି ତା’ର ସ୍ୱପ୍ନ ଛାଡ଼ିଯାଉଥିବ ।

 

ସେ ବିକଳ ହୃଦୟରେ ‘ତ୍ରାହି ମଧୁସୂଦନ’ ବୋଲି ନିରବରେ ରଡ଼ି ଛାଡ଼ୁଥିବ । ଦପ୍ତରର ସମୟ ଗଡ଼ି ଯାଉଥିବ ଓ ଅନୁଭବ କାମ ଭିତରେ ପେଶି ହୋଇ ଯାଉଥିବ । ଧୂଳି ଜମିଥିବା ଫାଇଲଗୁଡ଼ାକରେ ତା’ ସାର୍ଟ ଓ ପ୍ୟାଣ୍ଟ୍‌ ମଇଳା ହୋଇ ଯାଉଥିବ ଓ ତାକୁ ବରାବର କାଶ ଆସୁଥିବ-। ମନେ ମନେ ସେ ସ୍ଥିର କରୁଥିବ ଯେ ଯେତେ ପଇସା ଖର୍ଚ୍ଚ ହେଉ ପଛକେ ସେ ତା’ ଝିଅକୁ ଖୁବ୍‌ ପାଠ ପଢ଼େଇବ ଓ ଏପରି ଏକ ନର୍କ ପରିବେଶରୁ ଦୂରେଇ ରଖିବ । ସେ ବାରମ୍ବାର ଫିଲ୍‌ଟର ପାଖକୁ ଯାଇ ଗିଲାସ ପରେ ଗିଲାସ ପାଣି ପିଉଥିବ ଓ ପୁଣି ଫେରିଆସି ରୁମାଲରେ ମୁହଁ ପୋଛି କାମରେ ଲାଗିଯାଉଥିବ ।

 

ରାତି ନଅ ବାଜୁ ନ ବାଜୁଣୁ ଅନୁଭବ ଆଖିକୁ ନିଦ ଆସିଯାଉଥିବ ଓ ସେ ରାତିରେ ଖାଇବି ନାହିଁ, ଯାଉଛି ଶୋଇବି କହିଲାବେଳକୁ ମିକି ଆସି ବେକରେ ଓହଳି ପଡ଼ି ଗପଟେ କହିବାକୁ ତାଗିଦ କରିବ । ଏତେ ବେଳ ତ ହେଲାଣି, ଇଂରାଜୀ ନ୍ୟୁଜ୍‌ଟା ଶୁଣିଦେଇ ଶୋଇବ ଭାବି ଟିଭି ଖୋଲିବାକ୍ଷଣି ସେଇ ଗୋର୍ବାଚୋଭ, ୟେଲ୍‌ତସିନ୍‌, ଯୁଗୋସ୍ଲୋଭିଆ ଓ ମନମୋହନ ସିଂହମାନଙ୍କ କଥା ଶୁଣି ଶୁଣି ବୋର୍‌ ହୋଇଯିବ । ୟୁ.ଏସ୍‌.ଓପନ୍‌ ଟେନିସରେ ଷ୍ଟେଫି ଗ୍ରାଫ୍‌ ହାରି ଯାଉଥିବା ଶୁଣି ସେ ଅଯଥାରେ ଦୁଃଖୀ ହୋଇପଡ଼ିବ ଓ ପାଣିପାଗ ଖବର ଶୁଣିବା ପୂର୍ବରୁ ବିରକ୍ତିରେ ଟି.ଭି. ବନ୍ଦ କରିଦେବ ।

 

ମାଳତୀ ସବୁ କାମ ସାରି ରୋଷେଇ ଘର କବାଟ ଝର୍କା ବନ୍ଦ କରି ଶୋଇବା ଘରକୁ ଆସିବ ଓ ଅନୁଭବକୁ ପିଠିକରି ଲୁଗା ବଦଳେଇବ । ମାଳତୀର ସବୁଯାକ ଲୁଗା ରଙ୍ଗଛଡ଼ା, ତେଲଚିକିଟା ଏବଂ ସେଇ ହେତୁ ଯେଉଁଟା ବି ପିନ୍ଧିଲେ କିଛି ଫରକ ପଡ଼ୁ ନଥିବ । ଅନୁଭବ ପ୍ରତିକ୍ରିୟାଶୂନ୍ୟ ଭାବେ ପଡ଼ିରହିବ । ମାଳତୀର ଲୁଗା ବଦଳେଇବା ଦୃଶ୍ୟଟା ତାକୁ ଅଶ୍ଳୀଳ ଲାଗୁଥିଲେ ବି ସେ ବାରମ୍ବାର ଆଖି ଖୋଲି ତାକୁ ଲକ୍ଷ୍ୟ କରୁଥିବ ଓ ପୁଣି ‘ମୋର ଆଜି ଇଚ୍ଛା ନାହିଁ’ ମୁଦ୍ରାରେ ଶୋଇ ପଡ଼ିବାର ଅଭିନୟ କରୁଥିବ । ମାଳତୀ ଖଟ ଉପରକୁ ଚଢ଼ି ଆସିବ ବିରାଡ଼ିଟେ ପରି ଓ ଅନୁଭବର ଛାତି ଉପରେ ହାତ ପକେଇ ଶୋଇ ପଡ଼ିଥିବା ମିକିକୁ ସେଆଡ଼କୁ ଘୁଞ୍ଚେଇ ନେବ । ଗୋଟାଏ ପୁନଃପୌନିକ କସରତ୍‌ ପାଇଁ ନିଜକୁ ପ୍ରସ୍ତୁତ ଓ ଅର୍ପଣ କରି ଦେଉଦେଉ ମାଳତୀ କହିବ ଯେ, ପଡ଼ିଶାଘର ଭାଉଜ ଆଜି ପଚାରୁଥିଲେ, ତମର ଆଉ କିଛି ପିଲାପିଲିର ଯୋଜନା ନାହିଁ କି ? ‘ତମେ କ’ଣ କହିଲ’ ବୋଲି ଅନୁଭବ ପଚାରିବ ଓ ଉତ୍ତରେ ମାଳତୀ ‘ତମର ଯାହା ଇଚ୍ଛା, ମୁଁ ବା କ’ଣ କହିବି’ ବୋଲି କହୁ କହୁ ଅନୁଭବ ଛାତିରେ ତା’ ମୁଣ୍ଡ ଥୋଇଦେବ । ଅନୁଭବ ସାମ୍ନାରେ ତା’ର ଦାରିଦ୍ର୍ୟ, ଅସହାୟତା, ହୀନମନ୍ୟତା ଆଉ ଥରେ ଝଲସି ଉଠିବ ଓ ସେ ତା’ ଛାତି ଉପରୁ ମାଳତୀର ହାତଟା ଘୁଞ୍ଚେଇଦେଇ କହିବ, ଆଜିକାଲି ପୁଅ ଝିଅ ଭିତରେ କିଛି ତଫାତ୍‌ ନାହିଁ । ମାଳତୀ ଭିତରେ ଭିତରେ ଟିକେ ଅପମାନିତା ହେବ ଓ ଶୁଣେଇ ଶୁଣେଇ କହିବ, ତମ ବ୍ୟାନିଅନଟା ଏତେ ଝାଳୁଆ ଗନ୍ଧଉଛି ଯେ ମୋତେ ବାନ୍ତି ମାଡ଼ି ଆସୁଛି । ଅନୁଭବର ମନେପଡ଼ିବ ଟ୍ରାଫିକ୍‌ ପୋଷ୍ଟ୍‌ ପାଖେ ବରାବର ଭେଟୁଥିବା ସେଇ ସ୍ତ୍ରୀଲୋକଟାର ନୀଳ ବ୍ଲାଉଜ ପିନ୍ଧା ପିଠି, ହଂସ ବେକପରି ଶ୍ୱେତ ଧବଳ ଗ୍ରୀବା ଓ ଚିବୁକ ଏବଂ ସେ ଦୁଃଖୀ ହୋଇଯିବ ।

 

ହଠାତ୍‌ ଅନୁଭବର ମନେପଡ଼ିବ ଯେ, ସେ ଆଜି ମଧ୍ୟ ମିକିକୁ ଟିକେ ଗେଲ କରିପାରି ନାହିଁ କି ଗପଟେ ଶୁଣେଇ ପାରି ନାହିଁ । ମିକି ପାଇଁ ତା’ ଭିତରେ ଆଉଟୁପାଉଟୁ ଭାବ ସେ ପୁଣି ଅନୁଭବ କରିବ ଏବଂ ସ୍ଥିର କରିବ ଯେ, କାଲି ସକାଳୁ ସେ ଶୀଘ୍ର ଉଠି ମିକି ସାଙ୍ଗେ ଆଗେ ଅଧ ଘଣ୍ଟା ଖେଳିବ ।

 

ଅନୁଭବ ପରିବା ଦୋକାନୀ, ଦପ୍ତର, ସିନେମା ପୋଷ୍ଟର, ମିକିର ସ୍କୁଲ ବସ୍‌ ଦେଇ ପୁଣି ନିଜ ବିଛଣାକୁ ଫେରି ଆସିବ ଓ ମାଳତୀ ସାଙ୍ଗରେ ସେଇ ପୁରୁଣା ଖେଳ ଖେଲିବାକୁ ସଜ ହୋଇପଡ଼ିବ । ନିଜକୁ ଅବସନ୍ନ ଓ କ୍ଳାନ୍ତ ବିଚାରୁଥିଲେ ବି ମନକୁ ମନ ବୁଝେଇ କହିବ ଯେ ସେ କାଲି ସକାଳୁ ଶୀଘ୍ର ଉଠିବ । ଶୀଘ୍ର ।

Image